ARTICLE AD BOX
ରାୟଗଡ଼ା(ଶିବ ପ୍ରସାଦ ଦୋରା): ସମ୍ଭାବ୍ୟ ବାତ୍ୟାମୁରାସୁକୁ ଦୃଷ୍ଟିରେ ରଖି ଆଜି ଠାରୁ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ରହିଥିବା ବଡ଼ନାଳ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଥିବା ବିଭାଗ ସୂଚନା ଦେଇଛି । ସୂଚନାରୁ ଜଣାପଡିଛି ବଡ଼ନାଳ ଜଳଭଣ୍ଡାରରେ ୧.୪୧ କ୍ୟୁମେକ ଜଳ ମିଶୁଥିବା ବେଳେ ସେଥିରୁ ୧୬୯.୪୩୦ କ୍ୟୁସେକ ଜଳ ବଂଶଧାରା ନଦୀରେ ଛଡାଯାଉଛି । ସେହିଭଳି ବଡନାଳର ବିଭିନ୍ନ କେନାଲ ମାଧ୍ୟମରେ ୫.୧୨୧ କ୍ୟୁସେକ ଜଳ ଛଡାଯାଉଛି । ସମୁଦାୟ ୧୭୪.୫୫ କ୍ୟୁମେକ ଜଳ ବଡ଼ନାଳରୁ ନିଷ୍କାସନ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।
ବର୍ତମାନ ବଡ଼ନାଳ ଜଳଭଣ୍ଡାରର କ୍ଷମତା ୧୭୪.୪୬ ମିଟର ରହିଥିବା ବେଳେ ଏହାର କ୍ଷମତା ୧୭୬ମିଟର । ଆସନ୍ତା ଦୁଇଦିନ ମଧ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଥିବାରୁ ଏହି ଜଳ ନିଷ୍କାସନ ହେଉଛି । ଜଳ ନିଷ୍କାସନ ହେବାରୁ ବଂଶଧାରା ନଦୀରେ ବିପଦ ସୃଷ୍ଟି ହୋଇଛି । ବର୍ତମାନ ବଂଶଧାରାରେ ଜଳସ୍ତର ସତର୍କ ସଂକେତ ତଳେ ରହିଛି । ଭୀଷଣ ବାତ୍ୟା ମୁରାସୁ ଆସିବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୩ ଓ ୪ ତାରିଖ ୨ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଗଣଶିକ୍ଷା ବିଭାଗ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ବାତ୍ୟା ସମୟରେ ଜରୁରୀ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇପାରିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକୁ ସର୍ବଦା ଉପଲବ୍ଧ ରଖିବାକୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସମୟରେ ବିଦ୍ୟାଳୟ ଖୋଲିବା ସୁବିଧା ପାଇଁ ଶ୍ରେଣୀଗୃହର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।
ସିଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି
ସେହିପରି, ସମସ୍ତ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ।ଜନସାଧାରଣଙ୍କ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦେଇ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ କୁହାଯାଇଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶିଶୁ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ସୁରକ୍ଷା ନିମନ୍ତେ ରାୟଗଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୩ ଓ ୪ ତାରିଖ ଦୁଇଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମାଜ ମଙ୍ଗଳ ବିଭାଗକୁ ସୋମବାର ଚିଠି ନମ୍ବର ୫୯୩୪/୨୦୨୬ ମାଧ୍ୟମରେ ଏକ ଆଦେଶ ଜାରି ହୋଇଛି। ଏହି ସମୟ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଓ ଶ୍ରେଣୀ ପାଇଁ ଶିଶୁମାନଙ୍କୁ ଡକାଯିବ ନାହିଁ। ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନିଜ ନିଜ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ ଏହି ନିର୍ଦ୍ଦେଶ ବିଷୟରେ ଜଣାଇବା ସହ ଏହାର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି। ତେବେ ବାତ୍ୟା ପରିସ୍ଥିତିରେ ହିତାଧିକାରୀଙ୍କ ପୁଷ୍ଟିସାଧନ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଯଥା ସମ୍ଭବ ଶୁଖିଲା ରାସନ ଓ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, ଶିଶୁ, ଅନ୍ୟ ହିତାଧିକାରୀ ତଥା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦେବାକୁ କୁହାଯାଇଛି। ବାତ୍ୟା ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ରର କୋଠା କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମିର କୌଣସି କ୍ଷୟକ୍ଷତି ହେଲେ ସମ୍ପୃକ୍ତ ସିଡିପିଓ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ। କ୍ଷତିଗ୍ରସ୍ତ କୋଠା ଅସୁରକ୍ଷିତ ଥିଲେ ସେଠାରେ କୌଣସି ପ୍ରାକ୍-ବିଦ୍ୟାଳୟ ଶିକ୍ଷା କିମ୍ବା ଶ୍ରେଣୀ କରାଯିବ ନାହିଁ। କୋଠାଟି ବ୍ୟବହାର ଉପଯୋଗୀ ବୋଲି ଘୋଷଣା ନହେବା ପର୍ଯ୍ୟନ୍ତ ଶିକ୍ଷାଦାନ ବନ୍ଦ ରହିବ। ପୁନର୍ବାର ଶିକ୍ଷାଦାନ ଆରମ୍ଭ ପୂର୍ବରୁ ସୁରକ୍ଷିତ ବିକଳ୍ପ ସ୍ଥାନର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ସିଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି।
TMC: ତୃଣମୂଳ କଂଗ୍ରେସକୁ ପୁଣି ବଡ଼ ଝଟକା, ଅନେକ ବରିଷ୍ଠ ପୂର୍ବତନ କାଉନସିଲର ନିର୍ବାଚନ ଲଢ଼ିବାରୁ ଓହରିଲେ

46 minutes ago
1


