ARTICLE AD BOX
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧ରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ରେ ଏସ୍ସିଓ ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ଙ୍କ ସହ ସାକ୍ଷାତ୍ କରିଥିଲେ । ଏହାର କିଛିଦିନ ପରେ ଇରାନ ଭାରତ ସହ ନିଜର ସମ୍ପର୍କକୁ ‘ଦୀର୍ଘକାଳୀନ, ଐତିହାସିକ ଓ ସଭ୍ୟତାଗତ’ ବୋଲି ବର୍ଣ୍ଣନା କରିଛି । ଇରାନୀ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି ଯେ ତେହେରାନ ଭାରତ ସହ ସମ୍ପର୍କକୁ ବେଶ୍ ଗୁରୁତ୍ୱ ଦେଉଛି ଏବଂ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ଭଲ ସମ୍ପର୍କ ରହିଛି ।
ବଘାଇ କହିଛନ୍ତି ଯେ ଭାରତ-ଇରାନ ଆଲୋଚନାରେ ବିଭିନ୍ନ ପ୍ରସଙ୍ଗ ସହ ଚବାହାର ବନ୍ଦର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଗାମୀ ଦିନରେ ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥର ବିଷୟ ନେଇ ଆଲୋଚନା ଜାରି ରଖିବାର ସୁଯୋଗ ଭାବେ ଇରାନ ଦେଖୁଛି । ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨-୧୩ରେ ହେବ । ବିଶକେକ୍ ସାକ୍ଷାତରେ ମୋଦୀ ଓ ପେଜେସ୍କିଆନ୍ ଦ୍ୱିପାକ୍ଷିକ ସମ୍ପର୍କ ସହ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା କରିଥିଲେ । ଭାରତ ଅଞ୍ଚଳରେ ଦୀର୍ଘସ୍ଥାୟୀ ଶାନ୍ତି ପାଇଁ ଉଦ୍ୟମକୁ ସମର୍ଥନ କରିଥିବାବେଳେ ବାଣିଜ୍ୟ, ଜାହାଜ ଚଳାଚଳ ଓ ନାବିକଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ମୋଦୀ ଭାରତ-ଇରାନ ବାଣିଜ୍ୟକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସାକ୍ଷାତକୁ ନେଇ ଆମେରିକା ମଧ୍ୟ ପ୍ରତିକ୍ରିୟା ଦେଇଥିଲା । ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ଯେ ଭାରତ ଓ ଇରାନ ମଧ୍ୟରେ ବର୍ତ୍ତମାନ କୌଣସି ବାଣିଜ୍ୟିକ ଚୁକ୍ତି ନେଇ ଆଲୋଚନା ଚାଲିଥିବା ସେ ଭାବୁନାହାନ୍ତି । ଏଥିସହ ଇରାନ ଉପରେ ଆମେରିକୀୟ କଟକଣା ଏଡ଼ାଇବାରେ ସହାୟତା କରୁଥିବା ଦେଶ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ସେ ଚେତାବନୀ ଦେଇଥିଲେ ।

1 week ago
7


