Mirror of History: ଇତିହାସ ଆଇନାରେ: ନେ‌ହରୁଙ୍କ ପ୍ରଥମ ଓ ଶେଷ ବଲାଙ୍ଗୀର ଗସ୍ତ

3 days ago 4
ARTICLE AD BOX

ରାଜେଶ ଅଗ୍ରୱାଲ୍‌

ପଣ୍ଡିତ ଜବାହରଲାଲ୍‌ ନେହରୁ ୧୯୩୬ରୁ ୧୯୬୪ ମଧ୍ୟରେ ପ୍ରାୟ ୮ ଥର ଓଡ଼ିଶା ଆସିଥିଲେ। ଏକାଧିକ ବାର ସେ ପଶ୍ଚିମ ଓଡ଼ିଶା ଗସ୍ତ କରିଥିଲେ ହେଁ ମାତ୍ର ଥରଟିଏ ବଲାଙ୍ଗୀର ଆସିଥିଲେ। ଓଡ଼ିଶାରେ ପ୍ରଥମଥର ସାବାଳକ ପ୍ରଥାରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଭୋଟ୍‌ ପ୍ରଚାର ପାଇଁ ପଣ୍ଡିତ ନେ‌ହରୁ ବଲାଙ୍ଗୀର ଆସିଥିଲେ। ସେ ବେଳକୁ ପୂର୍ବ ପାଟନା, ସୋନପୁର ଓ କଳାହାଣ୍ଡି ଗଡ଼ଜାତ ରାଜ୍ୟ ମିଶି ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାରେ ରହିଥିଲା ସୋନପୁର ଓ ପାଟନା ରାଜ୍ୟ। ଉଭୟ ଜିଲ୍ଲାକୁ ମିଶାଇ ଗୋଟାଏ ଲୋକସଭା ଆସନ ଗଠିତ ହୋଇଥିଲା ଏବଂ ଏହାର ନାମ ରଖାଯାଇଥିଲା ‘କଳାହାଣ୍ଡି-ବଲାଙ୍ଗୀର’‌ଦ୍ବୈତ (ଯୁଗ୍ମ) ନିର୍ବାଚନ ମଣ୍ଡଳୀ। ଦ୍ବୈତ ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଅନ୍ୟ ଜଣେ ଅନୁସୂଚିତ ବର୍ଗର ପ୍ରାର୍ଥୀ ନିର୍ବାଚିତ ହେଉଥିଲେ। ୧୯୫୧ ଡିସେମ୍ବର ୨୦ରୁ ୧୯୫୨ ଜାନୁଆରି ୨୪ ତାରିଖ ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

‘କଳାହାଣ୍ଡି-ବଲାଙ୍ଗୀର’ ଲୋକସଭା ପାଇଁ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ଦଳ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିଲା। କଂଗ୍ରେସ ଦଳରୁ ଯୁଧିଷ୍ଠିର ମିଶ୍ର ଓ ଯୋଗେଶ୍ବର କୁମରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଗଣତନ୍ତ୍ର ପରିଷଦରୁ ପ୍ରାର୍ଥୀ ଥିଲେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଗିରିଧାରୀ ଭୋଇ। କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ପ୍ରଚାର ପାଇଁ ପଣ୍ଡିତ ନେ‌ହରୁ ଦିଲ୍ଲୀରୁ ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଥିଲେ। ତାଙ୍କ ସଙ୍ଗରେ ଭଉଣୀ ତଥା ବିଶିଷ୍ଟ ନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡିତ ମଧ୍ୟ ଆସିଥିଲେ। ଏହାପରେ ସେମାନେ କାର୍ ଯୋଗେ ସମ୍ବଲପୁର, ବରଗଡ଼ ଦେଇ ୧୯୫୧ ଡିସେମ୍ବର ୧୩ ତାରିଖ ଦିନ ବଲାଙ୍ଗୀରରେ ପହଞ୍ଚିଥିଲେ। ସେଦିନ ଥିଲା ମାର୍ଗଶିର ମାସ ଗୁରୁବାର ଓ ଲକ୍ଷ୍ମୀପୂଜା।
ସେ ସମୟରେ ବଲାଙ୍ଗୀରରେ ବିଜୁଳି ଲାଇନ୍ ନ ଥିଲା। ଗୋଟାଏ ଛୋଟିଆ ପାୱାର୍‌ ହାଉସ୍‌ରୁ ଯେତିକି ବିଜୁଳି ଉତ୍ପାଦିତ ହେଉଥିଲା ତହିଁରେ ରାଜାଙ୍କ ପ୍ୟାଲେସ୍‌ରେ ସୁଦ୍ଧା ଆଲୁଅ ମିଞ୍ଜି ମିଞ୍ଜି ଜଳୁଥିଲା। ନେହରୁଙ୍କ ସଭା ମଞ୍ଚକୁ ଲାଇନ୍ ଟଣାଯାଇ ତିନିଚାରିଟା ବଲ୍‌ବ ଲଗାଯାଇଥିଲା ଓ ବିଜୁଳି କାଳେ ଚାଲିଯିବ ସେଥିପାଇଁ କେତୋଟି ପେଟ୍ରୋମାକ୍‌ସ ଲାଇଟ୍‌ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ୍‌ ଖେଳପଡ଼ିଆରେ ନେ‌ହରୁଙ୍କ ପାଇଁ ଉଚ୍ଚ ମଞ୍ଚ ନିର୍ମିତ ହୋଇଥିଲା, ଯେପରି ତାଙ୍କୁ ସମସ୍ତେ ଦେଖିପାରିବେ। ସଭାମଞ୍ଚରେ ପଣ୍ଡିତ ନେହରୁ, ଶ୍ରୀମତୀ ପଣ୍ଡିତ, ବଲାଙ୍ଗୀର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶାର ଏକ୍‌ଜିକ୍ୟୁଟିଭ୍ କାଉନ୍‌ସିଲର୍‌ (କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ସମାନ) କପିଳପ୍ରସାଦ ନନ୍ଦ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବିଶ୍ବନାଥ ଦାସ ଓ କଂଗ୍ରେସ ବିଧାୟକ ଓ ଲୋକସଭା ପ୍ରାର୍ଥୀଗଣ ବସିଥିଲେ। ଅଞ୍ଚଳର କଂଗ୍ରେସ କର୍ମୀ ଓ ଆଖପାଖରୁ ଆସିଥିବା ହଜାର ହଜାର ଲୋକ ଠୁଳ ହୋଇଥିଲେ। ପୁଣି ବହୁ ଲୋକଙ୍କୁ ସଭାସ୍ଥଳକୁ ଟ୍ରକ୍‌ରେ ବୁହାହୋଇ ଅଣାଯାଇଥିଲା। ପ୍ରବଳ ଥଣ୍ଡା ହେତୁ ବହୁ ଲୋକ ସଙ୍ଗରେ କନ୍ଥା, ତୋଷ ଓ ଘୋଡ଼ି ଧରି ଆସିଥିଲେ।

ଗୋଟାଏ ଛୋଟିଆ ପାୱାର୍‌ ହାଉସ୍‌ରୁ ଯେତିକି ବିଜୁଳି ଉତ୍ପାଦିତ ହେଉଥିଲା ତହିଁରେ ରାଜାଙ୍କ ପ୍ୟାଲେସ୍‌ରେ ସୁଦ୍ଧା ଆଲୁଅ ମିଞ୍ଜି ମିଞ୍ଜି ଜଳୁଥିଲା। ନେ‌ହରୁଙ୍କ ସଭାମଞ୍ଚକୁ ଲାଇନ୍ ଟଣାଯାଇ ତିନିଚାରିଟା ବଲ୍‌ବ ଲଗାଯାଇଥିଲା ଓ ବିଜୁଳି କାଳେ ଚାଲିଯିବ ସେଥିପାଇଁ କେତୋଟି ପେଟ୍ରୋମାକ୍‌ସ ଲାଇଟ୍‌ ମଧ୍ୟ ବ୍ୟବସ୍ଥା କରାଯାଇଥିଲା

ସଭାରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ, ଇଲେକ୍‌ଟ୍ରିକ୍‌ ବଲ୍‌ବ ଓ ପେଟ୍ରୋମାକ୍ସ ଆଲୁଅ ଦେଖି ବହୁ କୀଟପତଙ୍ଗ ସେଠାକୁ ଉଡ଼ି ଆସିଥିଲେ। ଫଳରେ ମଞ୍ଚରେ ପୋକଙ୍କ ପ୍ରାଦୁର୍ଭାବ ବଢ଼ିଥିଲା। ଏହା ଦେଖି ବିଧାନସଭା ପ୍ରାର୍ଥୀ କପିଳପ୍ରସାଦ ନନ୍ଦ ହଠାତ୍ ଉଠିପଡ଼ି କହିଲେ, ‘‘ଆଲୁଅ ଦୂରେଇ ନିଅ, ଆଜି ଗୁରୁବାର, ମା’ ଲକ୍ଷ୍ମୀ ଆସିଛନ୍ତି, ଆମ ଭାଗ୍ୟ। ତାଙ୍କ ମୁହଁରେ ପୋକ ପଡ଼ିବ।’’ ଯଦିଓ ସେ ବିଜୟଲକ୍ଷ୍ମୀ ପଣ୍ଡିତଙ୍କୁ ମା’ ଲକ୍ଷ୍ମୀ ଆଖ୍ୟା ଦେଇଥିଲେ, କିନ୍ତୁ ସଭାରେ ଉପସ୍ଥିତ ଲୋକେ ବୁଝିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ମୁହଁରେ ପୋକ ପଡ଼ିବ। ତେଣୁ ସେମାନେ ହୋ ହୋ ହୋଇ ହସି ଉଠିଲେ। ସଭାରେ ରୁଣ୍ଡ ହୋଇଥିବା ମହିଳାମାନେ ହାତରେ ବଡ଼ ବଡ଼ ଖଡୁ (ସ୍ଥାନୀୟ ଭାଷାରେ କତରିଆ ଓ ବଳରିଆ) ପିନ୍ଧି ଆସିଥିଲେ। ଏ ଖଡୁ ହଲିଲେ ଝଣଝଣ କରେ। ସଭାସ୍ଥଳରେ ହଜାର ହଜାର ମହିଳା ଉପସ୍ଥିତ ଥିବା ହେତୁ କତରିଆ/ବଳରିଆର ଝଣଝଣ ଶବ୍ଦରେ ପୂରା ଅଞ୍ଚଳ କମ୍ପି ଯାଉଥିଲା। ସେ ଝଣଝଣ ଶବ୍ଦ ସହ କରତାଳିର ଶବ୍ଦ ମିଶିଯିବାରୁ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହୋଇଥିଲା।

ଏହି ଘଟଣାରୁ ସୁରେନ୍ଦ୍ର ମହାନ୍ତି ତାଙ୍କ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ବର୍ଣ୍ଣନା ଅନୁସାରେ ଏପରି ଶବ୍ଦରେ ପଣ୍ଡିତ ନେ‌ହରୁ କିଛି ବୁଝି ନ ପାରି ଧରିନେଲେ ଯେ ସଭା ଭଣ୍ଡୁର ପାଇଁ ମହାରାଜା ଲୋକଙ୍କୁ ପଠାଇଛନ୍ତି। ପଣ୍ଡିତଜୀ କ୍ଷଣକୋପୀ। ସେ ପକେଟରୁ ଧଳା ରୁମାଲଟା କାଢ଼ି ରାଗରେ ତାକୁ ମୁଠାମୁଠା କରି ଟେବୁଲ ଉପରେ ଫିଙ୍ଗି ଦେଉଥାନ୍ତି, ପୁଣି ହାତରେ ନେଇ ଦଳି ଗୁଳାଗୁଳା କରୁଥାନ୍ତି। ଶେଷରେ ପଣ୍ଡିତ ନେ‌ହରୁ କବିତ୍ବପୂର୍ଣ୍ଣ ଢଙ୍ଗରେ ଉର୍ଦ୍ଦୁ ଭାଷାରେ ତାଙ୍କ ଭାଷଣ ଆରମ୍ଭ କଲେ। ସେ କହିଥିଲେ, ‘‘ଏ କ୍ୟା କ୍ୟା ପଟ୍‌ନି, ପାଟ୍‌ନା, ନାମ୍‌ କଭି ନହିଁ ଶୁନା ଥା, ଇହଁା ଏକ ମାମୁଲି ରାଜା ଖୁଦ୍ କୋ ମହାରାଜା ବୁଲାତା ହୈ, ୟେ ସାରେ ଛୋଟେ ଛୋଟେ ରିୟାସତ୍, ଜିସ୍‌କା ନାମ କଭି ନହିଁ ଶୁନା ଥା, ଇହଁା ଏକ ମାମୁଲି ରାଜା ଖୁଦ୍ କୋ ମହାରାଜା ବୁଲାତା ‌େହୖ, ନିଜାମ୍‌ କହୋ ତୋ ହାଇଦ୍ରାବାଦ୍‌ କି, ରାଜା କହୋ ତୋ ପାତିଆଲା କି x x।’’ ନେ‌ହରୁଙ୍କ ଭାଷଣ ଉର୍ଦ୍ଦୁରେ ଥିଲା, ତାହା ପୁଣି ଲକ୍ଷ୍ନୌର ହିନ୍ଦୁସ୍ତାନୀ ଓ ପାର୍ସୀ ମିଶା। ଏହା ବୁଝିବା ବଲାଙ୍ଗୀରର ସାଧାରଣ ଲୋକଙ୍କ ବୋଧଶକ୍ତି ବାହାରେ ଥିଲା। ସେ କ’ଣ କହିବାକୁ ଚାହୁଛନ୍ତି, କେହି ଠିକ୍ ବୁଝି ପାରୁନଥିଲେ। କେହି କେହି କହିବାକୁ ଲାଗିଲେ, ମହାରାଜାଙ୍କୁ ଦୋ ଅକ୍ଷରୀରେ ଗାଳି ଦେଉଛନ୍ତି। ସ୍ଥାନୀୟ ମହିଳା ଏ ଭାଷା ବୁଝିପାରିବେ କୁଆଡୁ? ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଦେଲେ। ପାଟିତୁଣ୍ଡ ସହ କତରିଆ ଓ ବଳରିଆର ଝଣଝଣ ଶବ୍ଦ ସଭାସ୍ଥଳକୁ ଅଶାନ୍ତ କରିଦେଲା। ପଣ୍ଡିତ ନେ‌ହରୁ ରାଗିଯାଇ କହିଲେ, ଯେଉଁମାନେ ଶୁଣିବାକୁ ରାଜି ନୁହନ୍ତି ସେମାନେ ଚାଲିଯାଆନ୍ତୁ, ଗଣ୍ଡଗୋଳ କରନ୍ତୁ ନାହିଁ। ସ୍ତ୍ରୀ ଲୋକେ ଭାଷା ନବୁଝି ବସିବା ସ୍ଥାନରୁ ଉଠିଯିବାକୁ ବାହାରିଲେ, ଚାହୁଁ ଚାହୁଁ ଭିଡ଼ ଅଧା ହୋଇଗଲା। ଏହା ଦେଖି ପଣ୍ଡିତଜୀ ଆହୁରି ଉତ୍‌କ୍ଷିପ୍ତ ହୋଇଗଲେ, ତାଙ୍କ ରୁଦ୍ରମୂର୍ତ୍ତି ଦେଖି କିଛି ବୁଝି ନ ପାରି ପୁରୁଷମାନେ ମଧ୍ୟ ‘‘ହଇବୋ, କାଆଣା କହୁଛନ୍ ବୋ, ମହାରାଜାକେ ଗାଳି ଦେଉଛନ୍ ବୋ’’ କହି ଦଳ ଦଳ ହୋଇ ଉଠିବାକୁ ଆରମ୍ଭ କଲେ। ବିଶ୍ବନାଥବାବୁ ସ୍ତମ୍ଭୀଭୂତ, କିଛି ବୁଝିପାରୁ ନାହାନ୍ତି କି ବୁଝାଇ ପାରୁନାହାନ୍ତି। ଥରେ ଦୁଇ ହାତ ଉଠାଇ ଶାନ୍ତି ଶାନ୍ତି କହି ଉଠିଲେ, କପିଳପ୍ରସାଦ ସମ୍ଭାଳିବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେନି। ପଣ୍ଡିତ ନେ‌ହରୁଙ୍କ ଭାଷଣ ଅସମାପ୍ତ ରହିଲା। ଶେଷରେ ଏଭଳି ବିଶୃଙ୍ଖଳିତ ଅବସ୍ଥାରେ ସଭା ଶେଷହେଲା।

ବଲାଙ୍ଗୀରରେ ଏଭଳି ଅବସ୍ଥା ହେବା ପରେ ପଣ୍ଡିତ ନେ‌ହରୁ ସେଠାରୁ ବରଗଡ଼ ଯାତ୍ରା କରିଥିଲେ। ତା’ପରଦିନ ଶୁକ୍ରବାର ଥିଲା ଏବଂ ବରଗଡ଼ ହାଟରେ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀରୁ ବରଗଡ଼କୁ ଫେରିବା ବେଳେ ପଣ୍ଡିତ ନେ‌େହରୁ ଓ ବିଜୟଲକ୍ଷ୍ମୀ ପଣ୍ଡିତ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଫଳ ବିତରଣ କରିଥିଲେ। ଏହି କ୍ରମରେ ଏହି ଲେଖକର ବାସସ୍ଥଳୀ ଅତାବିରାର ବାଳକ ପ୍ରାଥମିକ ସ୍କୁଲ୍‌ରେ ପଣ୍ଡିତ ନେ‌ହରୁ ପିଲାଙ୍କୁ ଫଳ ବାଣ୍ଟିଥିଲେ। ଅତାବିରାର ବାହୁଡ଼ାବାବୁ (ମନୋହରଲାଲ୍ ତୁରଖିଆ), ଚିମନଲାଲ୍‌ କାମ୍‌ଦାର, ଭେଡେନ୍‌ର ଛାଲୁରାମ୍‌ ଅଗ୍ରୱାଲ୍‌ ପ୍ରମୁଖ ମୁଖ୍ୟ ଭୂମିକା ତୁଲାଇ ଥିଲେ। ଏହା ଥିଲା ବଲାଙ୍ଗୀରକୁ ପଣ୍ଡିତ ନେହରୁଙ୍କ ପ୍ରଥମ ଓ ଶେଷ ଗସ୍ତ। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଥିଲେ। ଗଣତନ୍ତ୍ର ପରିଷଦର ରାଜେନ୍ଦ୍ର ନା‌ରାୟଣ ସିଂହଦେଓ ୧,୮୮,୧୧୬ ଖଣ୍ଡ, ଗିରିଧାରୀ ଭୋଇ ୧,୯୮,୩୭୨ ଖଣ୍ଡ ଏବଂ କଂଗ୍ରେସ ଦଳର ଯୁଧିଷ୍ଠିର ମିଶ୍ର ୭୬,୬୭୫ ଖଣ୍ଡ ଓ ଯୋଗେଶ୍ବର କୁମରା ୮୮,୬୮୯ ଖଣ୍ଡ ଭୋଟ୍‌ ପାଇଲେ।
ଅତାବିରା, ବରଗଡ଼
ମୋ: ୯୪୩୮୨୧୪୮୭୮

Read Entire Article
LEFT SIDEBAR AD

Hidden in mobile, Best for skyscrapers.