ARTICLE AD BOX
ଯେତେବେଳେ ଦୁଗ୍ଧଜାତ ଦ୍ରବ୍ୟ କଥା ଆସେ, ତେବେ ପୁଷ୍ଟିର ପ୍ରମୁଖ ଉତ୍ସ ଭାବେ ପ୍ରାୟତଃ ଦହି ଓ କ୍ଷୀରକୁ ଗ୍ରହଣ କରିଥାଉ। ଆସନ୍ତୁ ଜାଣିବା, ଦହି ଓ କ୍ଷୀର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି।
କ୍ଷୀରରୁ ଲାଭ
ଏବେ ବିଭିନ୍ନ ପ୍ରକାରର କ୍ଷୀର ଉପଲବ୍ଧ। ଗାଈ ଓ ମଇଁଷି କ୍ଷୀରରୁ ନେଇ ବାଦାମ ମିଲ୍କ ପର୍ଯ୍ୟନ୍ତ। କ୍ଷୀର ସମ୍ପୂର୍ଣ୍ଣ ଫ୍ୟାଟ୍, କମ୍ ଫ୍ୟାଟ୍, ଟୋନ୍ଡ ଆଦି ପ୍ରକାରରେ ମିଳେ। ବିଶେଷଜ୍ଞଙ୍କ ଅନୁସାରେ, ୨୫୦ ମିଲିଲିଟର୍ ଫ୍ୟାଟ୍-ଫ୍ରି କ୍ଷୀରରେ ୯୦ କ୍ୟାଲୋରି ଓ ପ୍ରାୟ ୯ ଗ୍ରାମ୍ ପ୍ରୋଟିନ୍ ଥାଏ। ଅନ୍ୟ ପକ୍ଷରେ ଫ୍ୟାଟ୍-ଫ୍ରି କ୍ଷୀରରେ ୮% ଭିଟାମିନ୍-ବି୧୨, ୨% ଭିଟାମିନ୍ ଏ, ୧୨% କ୍ୟାଲ୍ସିୟମ୍, ୧% ସୋଡିୟମ୍, ୨% ମ୍ୟାଗ୍ନେସିୟମ୍ ଓ ପ୍ରାୟ ୪% ପୋଟାସିୟମ୍ ଥାଏ। ବିଶେଷଜ୍ଞଙ୍କ ମତରେ, କ୍ଷୀରରେ ଭରପୂର ପରିମାଣର କ୍ୟାଲ୍ସିୟମ୍, ପ୍ରୋଟିନ୍ ଓ ଭିଟାମିନ୍-୧୨ ଥାଏ। ଏହା ମଧ୍ୟ କୁହାଯାଏ ଯେ, କ୍ଷୀରରେ ପ୍ରଚୁର କ୍ୟାଲ୍ସିୟମ୍ ଥିବାରୁ ଏହା ହାଡ଼ ଓ ଦାନ୍ତର ସ୍ବାସ୍ଥ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ସହିତ କ୍ଷୀରକୁ ଅତ୍ୟାବଶ୍ୟକ ଇଲେକ୍ଟ୍ରୋଲାଇଟ୍ସ ସହ ହାଇଡ୍ରେସନ୍ର ଏକ ଭଲ ଉତ୍ସ ବୋଲି କୁହାଯାଏ।
ଦହିରୁ ଲାଭ
କ୍ଷୀର ପରି ଦହି ମଧ୍ୟ ବିଭିନ୍ନ ପ୍ରକାରରେ ମିଳିଥାଏ ଏବଂ ଏହାର ପୌଷ୍ଟିକ ମୂଲ୍ୟକୁ ପରିବର୍ତ୍ତନ କରିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଏକ କପ୍ ଚର୍ବିଯୁକ୍ତ ଦହିରେ ୯୮ କ୍ୟାଲୋରି ଓ ୧୧ ଗ୍ରାମ୍ରୁ ଅଧିକ ପ୍ରୋଟିନ୍ ଥାଇପାରେ। ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ର ଏକ ସମୃଦ୍ଧ ଉତ୍ସ ହୋଇଥିବାରୁ ଏକ କପ୍ ଚର୍ବିଯୁକ୍ତ ଦହିରେ କ୍ଷୀର ପରି ସମାନ ପରିମାଣର ଭିଟାମିନ୍ ଥାଏ। ହିସାବ ଅନୁସାରେ, ୮% ଭିଟାମିନ୍-ବି୧୨ ଓ ୨% ଭିଟାମିନ୍-ଏ ରହିଥାଏ। ଅନ୍ୟ ଗୁଣଗୁଡ଼ିକ ତୁଳନା କଲେ, ଏକ କପ୍ ଚର୍ବିଯୁକ୍ତ ଦହିରୁ ପ୍ରାୟ ୮% କ୍ୟାଲସିୟମ୍, ୧୫% ସୋଡିୟମ୍, ୨% ମ୍ୟାଗ୍ନେସିୟମ୍ ଓ ୨% ପୋଟାସିୟମ୍ ମିଳେ। ଅନ୍ୟପକ୍ଷରେ, ଦହିରେ ଲାଭଦାୟକ ଜୀବାଣୁ ଥାଏ, ଯାହା ହଜମରେ ସାହାଯ୍ୟ କରେ। ସେହିପରି ଅନ୍ତନଳୀକୁ ସୁସ୍ଥ ରଖେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ବିଶେଷଜ୍ଞଙ୍କ ଅନୁସାରେ, ଏହାର ଘନ ସ୍ଥିରତା ଓ ପ୍ରୋବାୟୋଟିକ୍ ଗୁଣ ଯୋଗଁୁ ଏହା ପ୍ରାୟତଃ ଅଧିକ ସମୟ ପାଇଁ ପେଟ ପୂରା ରଖିଥାଏ।
କେଉଁଟି ଅଧିକ ଭଲ?
ପାଚନ ଶକ୍ତି ପାଇଁ ଦହିକୁ ଏହାର ପ୍ରୋବାୟୋଟିକ୍ ପରିମାଣ ଯୋଗଁୁ ସ୍ବାସ୍ଥ୍ୟକର ବୋଲି ବିବେଚନା କରାଯାଏ। କିନ୍ତୁ ଯେତେବେଳେ ହାଡ଼ର ସ୍ବାସ୍ଥ୍ୟ କଥା ଆସେ, କ୍ଷୀର ପ୍ରୋଟିନ୍ ଓ କ୍ୟାଲ୍ସିୟମ୍ର ଏକ ଉତ୍ତମ ଉତ୍ସ ହୋଇଥାଏ। ୧୦୦ ଗ୍ରାମ୍ କ୍ଷୀରରେ ପ୍ରାୟ ୧୨୫ ମିଲିଗ୍ରାମ କ୍ୟାଲ୍ସିୟମ୍ ଥାଏ, ଯେତେବେଳେ ୧୦୦ ଗ୍ରାମ୍ ଦହିରେ ପ୍ରାୟ ୮୫ ମିଲିଗ୍ରାମ୍ କ୍ୟାଲ୍ସିୟମ୍ ଥାଏ। ଅନ୍ତନଳୀର ସ୍ବାସ୍ଥ୍ୟଠାରୁ ସଂକ୍ରମଣ ରୋକିବା ପର୍ଯ୍ୟନ୍ତ କ୍ଷୀର ତୁଳନାରେ ଦହି ଭଲ ଓ ଏହାର ହଜମ ମଧ୍ୟ ସହଜ। ପେଟ ଫୁଲିବା, କୋଷ୍ଠକାଠିନ୍ୟ, ଗଣ୍ଠି ଓ ଶ୍ବାସରୋଗ ପୀଡ଼ିତ ବ୍ୟକ୍ତିମାନେ ଦହିକୁ ଏଡ଼ାଇ କ୍ଷୀର ସେବନ କରିବା ଉଚିତ।

1 hour ago
1


