ARTICLE AD BOX
ୱାସିଂଟନ: ଆମେରିକାର ମିଚିଗାନ୍ ରାଜ୍ୟର ଗ୍ରାଣ୍ଡ ହାଭେନ୍ ଟାଉନ୍ଶିପ୍ରେ ଘଟିଥିବା ଏକ ରହସ୍ୟମୟ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଶିଶୁ ଓ ୨ ଜଣ ପ୍ରାପ୍ତବୟସ୍କ ଥିବାବେଳେ, କେତେକଙ୍କ ଶରୀରରେ ଗୁଳି ଚିହ୍ନ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ତଦନ୍ତର ଆରମ୍ଭ କରିଛି।
ଅଟାୱା କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟର ସୂଚନା ଅନୁସାରେ, ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ ରିଭରସାଇଡ୍ ଟ୍ରେଲ୍ ଅଞ୍ଚଳର ଏକ ଘରରୁ ଧୂଆଁ ବାହାରୁଥିବା ଖବର ମିଳିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବା ପରେ ସେମାନେ ଘର ଭିତରୁ ୮ଟି ମୃତଦେହ ଉଦ୍ଧାର କରିଥିଲେ। ଏହା ପୂର୍ବରୁ ସେହିଦିନ ସକାଳ ପ୍ରାୟ ୮ଟା ୩୦ ମିନିଟ୍ରେ ଧୂଆଁର ଗନ୍ଧ ଆସୁଥିବା ନେଇ ଖବର ମିଳିଥିଲା, କିନ୍ତୁ ସେତେବେଳେ ଅଗ୍ନିକାଣ୍ଡର କୌଣସି ଚିହ୍ନ ମିଳି ନଥିଲା।
ଆହୁରି ପଢନ୍ତୁ : Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍ସଫର୍ମର! ୧୯ ମାସରେ ୪୦ ଟ୍ରାନ୍ସଫର୍ମର ଗାୟବ
ଅଟାୱା କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟର କ୍ୟାପ୍ଟେନ୍ ଜାକବ୍ ସ୍ପାର୍କ୍ସ କହିଛନ୍ତି, ମୃତ ଶିଶୁମାନଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ। କେତେଜଣଙ୍କ ଶରୀରରେ ଗୁଳି ଲାଗିଥିଲା। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଉଛି। ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ବାହ୍ୟ ସନ୍ଦିଗ୍ଧଙ୍କୁ ଖୋଜିବା ଆରମ୍ଭ କରିନାହିଁ। ଅଧିକ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

1 week ago
5


