ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ଗତ ତିନି ଦିନ ହେଲା ବର୍ଷା ଲାଗି ରହିଥିବାବେଳେ ରାସ୍ତାଘାଟ ପାଣିରେ ବୁଡ଼ି ରହିଛି। ବିଭିନ୍ନ ନଦୀର ପୋଲ ଉପରେ ପାଣି ପ୍ରବାହିତ ହେଉଛି। ରେଳ ଓ ବିମାନ ସେବା ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ନଦୀଗୁଡ଼ିକରେ ପ୍ରବଳ ପାଣି ପ୍ରବାହିତ ହେଉଥିବାବେଳେ ସୋମବାର ଥାଣେର ଭିୱାଣ୍ଡିରେ କାମଭରୀ ନଦୀରେ ଜଣେ ୧୦ ବର୍ଷର ବାଳକ ଭାସି ଯାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ରବିବାର ଜଣେ ୧୭ ବର୍ଷର ବାଳକ ଏହି ନଦୀରେ ଭାସି ଯାଇଥିଲା।
ସୋମବାର ବୁଡ଼ି ଯାଇଥିବା ୧୦ ବର୍ଷର ବାଳକଟି ନଦୀ ନିକଟରେ ଘରର ଅଳିଆ ପକାଇବାକୁ ଯାଇଥିବା ବେଳେ ନଦୀର ପ୍ରଚଣ୍ଡ ସ୍ରୋତରେ ସେ ଭାସି ଯାଇଥିଲେ। ଅନ୍ୟପକ୍ଷରେ ରବିବାର ଭାସି ଯାଇଥିବା ନାବାଳକ ସାଙ୍ଗମାନଙ୍କ ସହିତ କଙ୍କଡ଼ା ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। କଂଗ୍ରେସ ବିଧାୟକ ପାର୍ଟି ନେତା ବିଜୟ ୱାଡେଟ୍ଟିବାର ସୋମବାର ମହାରାଷ୍ଟ୍ର ବିଧାନସଭାରେ ବର୍ଷାଜନିତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ୱାଡେଟ୍ଟିବାର କହିଥିଲେ, ମୁମ୍ବାଇରେ ଗତ ଦୁଇ ଦିନରେ ବର୍ଷାଜନିତ କାରଣରୁ ଅତିକମ୍ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମାନଖୁର୍ଦ୍ଦରେ ଖୋଲା ମ୍ୟାନହୋଲରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି। ୱାଡେଟ୍ଟିବାର ବର୍ଷା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଥିଲେ।
ଆହୁରି ପଢନ୍ତୁ: Kalyansinghpur mob violence କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା: ବିଷମକଟକ ଉପକାରାଗାରରେ ଟିଆଇ ପରେଡ୍
ମୁମ୍ବାଇ-ପୁଣେ ରେଳ ମାର୍ଗରେ କରଜାତ-ଲୋନାୱାଲା ଭୋର ଘାଟ ସେକ୍ସନରେ ଦୁଇଟି ସ୍ଥାନରେ ଭୂସ୍ଖଳନ ଘଟିଛି, ଯାହା ଫଳରେ ତିନୋଟି ରେଳ ଲାଇନ ପ୍ରଭାବିତ ହୋଇଛି। କୋଡ଼ିଏଟି ଟ୍ରେନ ବାତିଲ କରାଯାଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ମଧ୍ୟ ଭୂସ୍ଖଳନ ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ଦ ହୋଇଛି। ସତାରା ଜିଲ୍ଲାର ମହାବଳେଶ୍ୱରରେ ବେଣା ନଦୀରେ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ୧୦-୧୨ ଜଣ ପର୍ଯ୍ୟଟକ ଫସି ରହିଥିଲେ। ଏକ କ୍ରେନ୍ ସାହାଯ୍ୟରେ କାରଗୁଡ଼ିକୁ ବାହାର କରାଯାଇଥିଲା। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସମସ୍ତ ସରକାରୀ ସ୍କୁଲ ଓ ଘରୋଇ ସ୍କୁଲ, କଲେଜ ଛୁଟି କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ୧୭ ବିମାନ ବାତିଲ ହୋଇଛି। ମୁମ୍ବାଇରେ ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ରେ କାମ କରିବା କୁହାଯାଇଛି।
ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ମହାରାଷ୍ଟ୍ରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପ୍ରବଳ ପବନ ହେବାର ଚେତାବନୀ ଦେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ହାଇ ଆଲର୍ଟରେ ରହିଛି। ମୁମ୍ବାଇରେ ୧୬ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ୯ଟିର ମାର୍ଗ ପରିବର୍ତ୍ତନ କରାଯାଇଛି। ଆଇଏମ୍ଡି ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଓ ପୁଣେ ପାଇଁ ରେଡ ଆଲର୍ଟ ଜାରି କରିଛି। ପୁଣେରେ ଭୂସ୍ଖଳନ ଘଟି ଗୋଟିଏ ଘର ପୋତି ହୋଇପଡ଼ିଛି। ପୁଣେ ଜିଲ୍ଲାର ପାଟନ ଗାଁରେ ଘଟିଥିବା ଭୂସ୍ଖଳନ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁ ମୁମ୍ବାଇ ଓ ପୁଣେ ମଧ୍ୟରେ ସଡ଼କ ଓ ରେଳ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।
ଆହୁରି ପଢନ୍ତୁ: France: ଫ୍ରାନ୍ସ ସଂଗ୍ରହାଳୟରୁ ୪୦ କୋଟିର ଅଳଙ୍କାର ଲୁଟି ନେଲେ ଚୋର: ଉଚ୍ଚ ସୁରକ୍ଷା ବ୍ୟବସ୍ଥା କାମ ଦେଲାନି
କେନ୍ଦ୍ରୀୟ ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ଭୋର ପ୍ରାୟ ୩ଟା ୫ ମିନିଟ ସମୟରେ କରଜାତ-ଲୋନାୱାଲା ଭୋର ଘାଟ ସେକ୍ସନର ଠାକୁରୱାଡି ନିକଟରେ ଭୂସ୍ଖଳନ ହୋଇଥିଲା। ଏହା ପରେ ଖଣ୍ଡାଲା ଓ ମଙ୍କି ହିଲ୍ ମଧ୍ୟରେ ଆଉ ଏକ ଭୂସ୍ଖଳନ ହୋଇଥିଲା। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଳ ନୀଲା କହିଛନ୍ତି ଯେ, ଭୋର ଘାଟ ଷ୍ଟ୍ରେଚ୍ର ତିନୋଟି ରେଳ ଟ୍ରାକ୍ - ମୁମ୍ବାଇ ଆଡକୁ ଅପ୍ ଲାଇନ୍, ପୁଣେ ଆଡକୁ ଡାଉନ୍ ଲାଇନ୍ ଓ ମିଡିଲ୍ ଲାଇନ୍ - ଲଗାତାର ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଥାଣେ ଓ ମୁମ୍ବାଇରେ ଶତାଧିକ ଗଛ ଉପୁଡ଼ି ପଡ଼ିଥିବାବେଳେ କେତେକ ସ୍ଥାନରେ ଡାଳ ଭାଙ୍ଗିଯାଇଛି। ଗତ ୨୪ ଘଣ୍ଟାରେ ଥାଣେରେ ୨୦୮. ୫୩ ମିମି ବର୍ଷା ହୋଇଛି। ପୁଣେ ଜିଲ୍ଲାର ଘୋରାୱାଡି ରେଳ ଷ୍ଟେସନ ନିକଟରେ ପ୍ରବଳ ପାଣି ଜମି ରହିବା ଫଳରେ ଏକ ବସ୍ ପାଣିରେ ଫସି ରହିଥିବାରୁ ଏନ୍ଡିଆର୍ଏଫ୍ର ଏକ ଦଳ ବସ୍ ଭିତରେ ଫସି ରହିଥିବା ୩୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଅଧିକାରୀମାନେ କହିଛନ୍ତି।

4 weeks ago
13


