ARTICLE AD BOX
ମହାକାଳପଡ଼ା(ସଞ୍ଜୟ ଦାସ): ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଓଳିହା ଛକରେ ଥିବା ଏକ ଔଷଧ ଦୋକାନର ମାଲିକକୁ ଗତକାଲି ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା। ଏହି ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ନେଇ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ଏବଂ ଅପହରଣରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଘଟଣାରୁ ପ୍ରକାଶ, ଅନୁପମ ସୂତାର ନାମକ ଜଣେ ଯୁବକ ସ୍ଥାନୀୟ ଓଳିହା ଛକ ଠାରେ ଏକ ଔଷଧ ଦୋକାନ କରିଛନ୍ତି। ଗତ ୪ ବର୍ଷ ତଳେ ଭୁବନେଶ୍ୱରରେ ଫାର୍ମାସିଷ୍ଟ ପଢୁଥିବା ବେଳେ ଅନଲାଇନ ଫ୍ରି ଫାୟାର ଗେମ ମାଧ୍ୟମରେ ଢେଙ୍କାନାଳଜିଲ୍ଲା ଗନ୍ଦିଆ ଥାନା ଆରୁଆଁ ଗ୍ରାମର ପ୍ରମିଳା ସାହୁଙ୍କ ସହ ପରିଚୟ ହୋଇଥିଲା ଓ ବନ୍ଧୁତା ମଧ୍ୟ ବଢିଥିଲା। ସେତେବେଳେ ପ୍ରମିଳା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢୁଥିଲେ। ହଠାତ୍ ଦିନେ ଅନୁପମ ଫୋନ କରି ପ୍ରମିଳାଙ୍କୁ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଅପରେଟର ପଦବୀ ଖାଲି ଅଛି | ତେଣୁ ୧ଲକ୍ଷ ଟଙ୍କା ଦେଲେ ଚାକିରୀ କରାଇ ଦେବେ, ଯଦି ଚାକିରୀ ନ ହୁଏ ତେବେ ସେ ୧ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Kashipur Teacher Kidnapping Case: କାଶୀପୁର ଶିକ୍ଷକଙ୍କୁ ଅପହରଣ ମାମଲା, ଦୁଇ ଗିରଫ
ପ୍ରମିଳା ଏହା ବିଶ୍ୱାସ କରି ନିଜ ମାମୁଁ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ କୋଳିଆ ଗ୍ରାମର ଗୌରୀ ଶଙ୍କର ସାହୁଙ୍କୁ ଜଣାଇଥିଲା। ପରେ ଗୌରୀଶଙ୍କର ନିଜ ବନ୍ଧୁ ସିଦ୍ଧାର୍ଥ ପଲାଇଙ୍କୁ ଏ ବିଷୟରେ କହିବା ପରେ ସେ ପ୍ରମିଳାଙ୍କୁ ୧ଲକ୍ଷ ଟଙ୍କା ଦେଇଥିଲେ। ସେଥିରୁ ପ୍ରମିଳା ଫୋନ ପେ ମାଧ୍ୟମରେ ଅନୁପମଙ୍କୁ ୭୫ ହଜାର ଟଙ୍କା ପଠାଇଥିଲେ। ଦୀର୍ଘ ଦିନ ଅତିକ୍ରାନ୍ତ ହେବା ସହିତ ଚାକିରୀ ଦେଇପାରି ନ ଥିବାରୁ ଅନୁପମ ୨୨ ହଜାର ଟଙ୍କା ପ୍ରମିଳାଙ୍କୁ ଫେରାଇଥିଲେ ଓ ବାକି ଟଙ୍କା ମାସକୁ ମାସ ଫେରାଇବେ ବୋଲି କହିଥିଲେ। ହେଲେ ପ୍ରମିଳା ଓ ତାଙ୍କ ମାମୁଁ ପୂର୍ବ ପ୍ରତିଶ୍ରୁତି ମୁତାବକ ୧ଲକ୍ଷ ୫୦ହଜାର ଦାବି କରିଥିଲେ। ଅନୁପମ ଅସମର୍ଥତା ପ୍ରକାଶ କରି ଆଉ ଫୋନ ଉଠାଇ ନ ଥିଲେ।
ଗତକାଲି (ବୁଧବାର) ଅପରାହ୍ଣ ୨ ଟା ସମୟରେ ଅନୁପମ ଔଷଧ ଦୋକାନରେ ଥିବା ବେଳେ ପ୍ରମିଳା ତାଙ୍କୁ ଫୋନ କରି ଜରୁରୀ କାମ ଅଛି କହି କେନ୍ଦ୍ରାପଡ଼ାକୁ ଡାକିଥିଲେ। ଫୋନ ପାଇ ଅନୁପମ କେନ୍ଦ୍ରାପଡ଼ା କଲେଜ ନିକଟକୁ ଆସିବା ପରେ ପ୍ରମିଳା ତାଙ୍କ ବାଇକରେ ବସି ସାଙ୍ଗ ସହ ଭେଟ କରାଇଦେବି କହି ନିର୍ଜନ ସ୍ଥାନ ରାସ୍ତା ଆଡ଼କୁ ନେଇଥିଲେ। ପରେ ଠାକୁର ଡିଆ ହାଟ ନିକଟରେ ପୂର୍ବ ଯୋଜନା ମୁତାବକ ସେଠାରେ ଉପସ୍ଥିତ ଥିବା ଚଗୁଲୁ ଓରଫ ଭବାନୀ ଶଙ୍କର ସାହୁ, ଧୋନି ଓରଫ ମଳୟ କୁମାର ବେହେରା ଓ ଜଣେ ବାଳ ଅପରାଧୀ ବୁଲେଟ ଓ ୟାମାହା ବାଇକରେ ଅନୁପମକୁ ନିକିରାଇ ଥାନା ଅନ୍ତର୍ଗତ ସିଦ୍ଧ ମହାପୁରୁଷ ମଠ ନିକଟ ନିର୍ଜନ ସ୍ଥାନକୁ ନେଇଥିଲେ। ସେଠାରେ ମାଡ଼ ମାରିବା ସହିତ ଅନୁପମଙ୍କ ମୋବାଇଲ ଛଡାଇ ନେଇ ଡାଟା ଡିଲିଟ କରିଥିଲେ | ପରେ ସେମାନେ ଅନୁପମଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇ ପରିବାର ଲୋକଙ୍କୁ ଫୋନ କରି ୭୦ ହଜାର ଟଙ୍କା ମାଗିବାକୁ ବାଧ୍ୟ କରିଥିଲେ। ଭୟରେ ଅନୁପମ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ନେଇ ଅନୁପମଙ୍କ ପରିବାର ଲୋକ ଥାନାରେ ଲିଖିତ ଏତଲା ଦେବା ପରେ ଥାନାଧିକାରୀଣି ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ ମୋବାଇଲ ଲୋକେସନ ଟ୍ରାକ କରି ଅନୁପମଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

4 hours ago
1


