Lord Jagannath: ‘ଜଗନ୍ନାଥ ସଂସ୍କୃତି ବିଶ୍ୱବନ୍ଧୁତ୍ୱର ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନ’

2 days ago 1
ARTICLE AD BOX

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ସେବା, ସମାନତା, ବିନମ୍ରତା, କରୁଣା ଓ ବିଶ୍ୱବନ୍ଧୁତ୍ୱର ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ଠାକୁର ଏବଂ ତାଙ୍କ ସଂସ୍କୃତିରେ ଜାତି, ଧର୍ମ, ବର୍ଣ୍ଣ ଓ ସାମାଜିକ ସ୍ଥିତିର କୌଣସି ଭେଦଭାବ ନାହିଁ। ସାମାଜିକ, ସାଂସ୍କୃତିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରି ଓଡ଼ିଶା ସରକାରଙ୍କ ସୂଚନା ଓ‌ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହା କହିଛନ୍ତି। 

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍ ଏବଂ ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ମଞ୍ଚେଶ୍ୱର କ୍ୟାମ୍ପସର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଜଗନ୍ନାଥ ସଂସ୍କୃତି’ ଶୀର୍ଷକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ଅନ୍ନ,  ଭୋଗ, ନୈବେଦ୍ୟ, ପ୍ରସାଦ, ମହାପ୍ରସାଦ, ଅବଢ଼ା, ନିର୍ମାଲ୍ୟ ସମ୍ପର୍କରେ ବ୍ୟାଖ୍ୟା କରି କହିଥିଲେ ଯେ ଏହା ଭୌତିକତାରୁ ଦିବ୍ୟତା ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ଯାତ୍ରାର ପ୍ରତୀକ। କୌଣସି ବସ୍ତୁର ପ୍ରକୃତ ମୂଲ୍ୟ କେବଳ ତାହାର ବାହ୍ୟ ରୂପରେ ନୁହେଁ, ବରଂ ତାହାର ଉଦ୍ଦେଶ୍ୟ, ପବିତ୍ରତା ଓ ଭାବନାରେ ରହିଥାଏ। 

‘ପରମ୍ପରାରେ ସଂସ୍କାର ଆସିଲେ ବି ଶ୍ରୀଜଗନ୍ନାଥ ସଂସ୍କୃତି କ୍ଷୁଣ୍ଣ ନ ହେଉ’

WhatsApp Image 2026-08-01 at 3.49.47 PM

ଏହି ଅବସରରେ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍‌ର ସଭାପତି ସିଏ ରାଜା ନାରାୟଣ ତ୍ରିପାଠୀ ଜଗନ୍ନାଥ ସଂସ୍କୃତିର ପ୍ରଶାସନିକ ଓ ସୁଶାସନ ସମ୍ପର୍କିତ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।  ସେ କହିଥିଲେ ଯେ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜେ ମନ୍ଦିରରୁ ବାହାରି ଭକ୍ତଙ୍କ ପାଖକୁ ଆସନ୍ତି। ଏହା ଆଜିର ରାଜନେତା, ପ୍ରଶାସକ ଓ ଜନପ୍ରତିନିଧିଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା— ଶାସନ ବ୍ୟବସ୍ଥା ଲୋକଙ୍କ ପାଖକୁ ପହଞ୍ଚିବା ଉଚିତ୍ ଏବଂ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍। ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ‘ଆଦ୍ୟ ସେବକ’ ଭାବରେ ସ୍ୱୀକୃତି ମିଳିବା ନେତୃତ୍ୱର ସର୍ବୋଚ୍ଚ ଆଦର୍ଶକୁ ପ୍ରତିଫଳିତ କରେ। କ୍ଷମତାରେ ଥିବା ବ୍ୟକ୍ତି ନିଜକୁ ଲୋକଙ୍କ ସେବକ ଭାବେ ଗ୍ରହଣ କରିବା ଉଚିତ୍।

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କୁ ସ୍ମାରକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ଼ଃ ବିଷ୍ଣୁ ମୋହନ ମହାନ୍ତି, ମିଲନ କୁମାର ମହାନ୍ତି, ଜୀବନ କିଶୋର ମିଶ୍ର ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମନ୍ମଥ କୁମାର ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। ଚାର୍ଟାର୍ଡ ପ୍ରେସିଡେଣ୍ଟ  ଦେବବ୍ରତ ପାଣିଗ୍ରାହୀ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।ଡ଼ଃ ଗିରିଜା ଶଙ୍କର ଆଚାର୍ଯ୍ୟ  ଧନ୍ୟବାଦ ଅର୍ପଣ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.