Lord Ganesha: ଗଣେଶ କାହିଁକି ମୂଷାକୁ ବାହନ କରିଥିଲେ?

5 days ago 7
ARTICLE AD BOX

ଆସୁଛି ପବିତ୍ର ଗଣେଶ ଚତୁର୍ଥୀ। ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖ ସୋମବାର ଦିନ ପାଳନ ହେବ ଗଣେଶ ଚତୁର୍ଥୀ। ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ପୂଜା ପାଇଁ ଏବେଠାରୁ ଚାଲିଛି ପ୍ରସ୍ତୁତି। ଗଣେଶଙ୍କ ମୁକୁଟ, ମୋଦକ, ହାତରେ ଥିବା ପାଶ ଓ ଅନ୍ୟାନ୍ୟ ଆୟୁଧ ଭଳି ତାଙ୍କ ବାହନ ମୂଷାର ମଧ୍ୟ ରହିଛି ବିଶେଷ ମହତ୍ତ୍ୱ। ଏତେ ଶକ୍ତିଶାଳୀ ଦେବତାଙ୍କ ବାହନ ଭାବେ ଏକ ଛୋଟ ମୂଷା କାହିଁକି ରହିଛି, ତାହା ପଛରେ ରହିଛି ଏକ ରୋଚକ ପୌରାଣିକ କାହାଣୀ।

କ୍ରୌଞ୍ଚ ମୂଷାରେ ପରିଣତ ହୋଇଥିଲେ

ପୌରାଣିକ କଥା ଅନୁଯାୟୀ, କ୍ରୌଞ୍ଚ ନାମକ ଜଣେ ଗନ୍ଧର୍ବ ଥରେ ଇନ୍ଦ୍ରଙ୍କ ସଭାକୁ ଯାଇଥିଲେ। ସେଠାରେ ଭୁଲବଶତଃ ତାଙ୍କ ପାଦ ଋଷି ବାମଦେବଙ୍କ ଉପରେ ପଡ଼ିଥିଲା। ଏଥିରେ କ୍ରୋଧିତ ହୋଇ ଋଷି ତାଙ୍କୁ ମୂଷା ହେବାର ଅଭିଶାପ ଦେଇଥିଲେ। କ୍ରୌଞ୍ଚ କ୍ଷମା ପ୍ରାର୍ଥନା କରିବା ପରେ ଋଷି କହିଥିଲେ ଯେ ଭବିଷ୍ୟତରେ ସେ ଭଗବାନ ଗଣେଶଙ୍କ ବାହନ ହେବେ। ଅଭିଶାପର ପ୍ରଭାବରେ କ୍ରୌଞ୍ଚ ଏକ ବିଶାଳକାୟ ମୂଷାରେ ପରିଣତ ହୋଇଥିଲେ। ତାଙ୍କ ଉତ୍ପାତରେ ଲୋକଙ୍କ ଘର, କ୍ଷେତ ଓ ଆଶ୍ରମ ନଷ୍ଟ ହେବାକୁ ଲାଗିଥିଲା। ତାଙ୍କ ଆତଙ୍କରେ ଋଷିମୁନିମାନେ ମଧ୍ୟ ଅତିଷ୍ଠ ହୋଇପଡ଼ିଥିଲେ। ଥରେ ସେ ଋଷି ପରାଶରଙ୍କ ଆଶ୍ରମରେ ପ୍ରବେଶ କରି ଆଶ୍ରମକୁ ନଷ୍ଟ କରିଦେଇଥିଲା। ଅନେକ ମୁନି ତାକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଶେଷରେ ଏହି ସମସ୍ୟା ଭଗବାନ ଗଣେଶଙ୍କ ପାଖରେ ପହଞ୍ଚିଥିଲା।

ବିଶାଳ ମୂଷାର ଉତ୍ପାତ ବିଷୟରେ ଜାଣିବା ପରେ ଗଣେଶ ତାକୁ ବଶ କରିବାକୁ ଆଗେଇ ଆସିଥିଲେ। ସେ ନିଜ ପାଶ ବ୍ୟବହାର କରି ମୂଷାକୁ ଧରି ନିଜ ପାଦ ନିକଟକୁ ଆଣିଥିଲେ। ଗଣେଶଙ୍କ ସମ୍ମୁଖରେ ନିଜ ଭୁଲ ସ୍ୱୀକାର କରି ମୂଷା କ୍ଷମା ମାଗିଥିଲା। ମୂଷାର ପ୍ରାର୍ଥନାରେ ପ୍ରସନ୍ନ ହୋଇ ଗଣେଶ ତାକୁ ନିଜ ବାହନ ହେବାର ସୁଯୋଗ ଦେଇଥିଲେ। ଗଣେଶ ତାଙ୍କ ଉପରେ ବସିବା ମାତ୍ରେ ବିଶାଳ ମୂଷା ତାଙ୍କ ଭାର ସହି ନପାରି ନିଜକୁ ଛୋଟ କରିଦେଇଥିଲା। ଏହାପରେ ଗଣେଶ ତାକୁ ନିଜ ବାହନ ଭାବେ ଗ୍ରହଣ କରିଥିଲେ।

Lord Ganesha: କାହିଁକି ଗଣେଶଙ୍କୁ କୁହାଯାଏ ‘ଏକଦନ୍ତ’ ?

ପୌରାଣିକ ପରମ୍ପରାରେ ଗଣେଶଙ୍କ ମୂଷା ବାହନକୁ କେବଳ ଏକ କାହାଣୀ ଭାବେ ନୁହେଁ, ବରଂ ଏହାର ପ୍ରତୀକାତ୍ମକ ଅର୍ଥ ମଧ୍ୟ ରହିଛି। ମୂଷା ଛୋଟ ହୋଇଥିଲେ ମଧ୍ୟ ଯେକୌଣସି ସ୍ଥାନରେ ପହଞ୍ଚିପାରେ। ଏହା ମନୁଷ୍ୟର ଚଞ୍ଚଳ ମନ ଓ ଇଚ୍ଛାର ପ୍ରତୀକ ବୋଲି ମଧ୍ୟ ବ୍ୟାଖ୍ୟା କରାଯାଏ। ଗଣେଶଙ୍କ ମୂଷା ଉପରେ ବିରାଜମାନ ହେବା ଦ୍ୱାରା ମନ ଓ ଇଚ୍ଛା ଉପରେ ବିବେକର ନିୟନ୍ତ୍ରଣକୁ ସୂଚାଯାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.