Lilamaya began: ଲାଗିଲା ଲୀଳାମୟଙ୍କ ଲୀଳା: ରଥରେ ଲାଗେ ୧୨୫୦ ମିଟର କନା, ୧୭ ଦରଜି ସେବକ, ୪ ରଙ୍ଗ କନା

1 month ago 11
ARTICLE AD BOX

ପୁରୀ: ରଥ କାଠରେ ଗଢ଼ାହୁଏ ସତ, କିନ୍ତୁ ରଥକୁ ସୁଦୃଶ୍ୟ କରାଏ ରଙ୍ଗବେରଙ୍ଗ ‘କନା’। ଭକ୍ତମାନେ ଦୂରରେ ଥାଇ ମଧ୍ୟ ‘କନା’ର ରଙ୍ଗରୁ ରଥକୁ ଚିହ୍ନିପାରନ୍ତି। କନାକୁ ମଣ୍ଡଣି କରି ସୌନ୍ଦର୍ଯ୍ୟ ବିମଣ୍ଡିତ କରନ୍ତି ଦରଜି ସେବକ। ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଉଡ଼ୁଥିବା ବାନା ସେବାରେ ୩୬୫ ଦିନ ନିୟୋଜିତ ଦର୍ଜି ସେବକମାନେ ହିଁ ଏହା କରିଥାନ୍ତି। ଦର୍ଜି ସର୍ଦ୍ଦାରଙ୍କ ତତ୍ତ୍ବାବଧାନରେ ନିର୍ମିତ ହୁଏ ରଥ ଘୋଡ଼ଣି ଓ ସଜା କନା। ରଥ ଅନୁଯାୟୀ ରଙ୍ଗର ପ୍ରକାର ଭେଦ କାହିଁ କେଉଁ ଅନାଦି କାଳରୁ ସ୍ଥିରୀକୃତ। କନା ମଣ୍ଡଣି କରି ଜରି ଜମ୍ବୁରା ଲଗାଇ ରଥର ଘେର କପଡ଼ାଠୁ‌ ନେଇ କନକ ମୁଣ୍ଡି ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଏ।

Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜଣେ ଦରଜି ସର୍ଦ୍ଦାରଙ୍କ ଅଧୀନରେ ୧୭ ଜଣ ଦରଜି ନିୟୋଜିତ। ବଂଶାନୁକ୍ରମିକ ସୂତ୍ରରେ ଶାଢ଼ି ବନ୍ଧାଇଥିବା ଦରଜି ସର୍ଦ୍ଦାରଙ୍କ ତତ୍ତ୍ବାବଧାନରେ ରଥ କନା ତିଆରି କରାଯାଉଛି। ରଥ ପାଇଁ ଆବଶ୍ୟକ ହେଉଥିବା ୧୨୫୦ ମିଟର କନା ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଆସିବା ପରେ କାମ ଆରମ୍ଭ ହୋଇଛି। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ କହିବା ଅନୁଯାୟୀ, ରଥ ପାଇଁ ମୁଖ୍ୟତଃ ନାଲି, ନେଳି, ହଳଦିଆ ଓ କଳା କନାର ବ୍ୟବହାର ହେଉଛି। ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ ରଙ୍ଗର କନା, ବଳଭଦ୍ରଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ନେଳି କନା ଏବଂ ସୁଭଦ୍ରାଙ୍କ ରଥ ପାଇଁ ୪୦୦ ମିଟର ନାଲି ଓ କଳା କନା ଲାଗେ। କନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିଲେ ହେଁ କନାକୁ ସଜାଇବା ପାଇଁ ଆବଶ୍ୟକ ପଡ଼ୁଥିବା ଜମ୍ବୁରା ପେପର, ଲେସ୍‌, ଚିକ୍କଣ ଫୁଲ, ଦୁବ, ଝାଲର ସେ ନିଜେ ଆଣିଥାଆନ୍ତି।

ଶ୍ରୀବିଗ୍ରହଙ୍କ ମୁଣ୍ଡ ଉପରେ ଲାଗୁଥିବା କନକମୁଣ୍ଡି ଚାନ୍ଦୁଆ, ରଥର ସାମ୍ନାପଟେ ଲାଗୁଥିବା ଉଡ଼ା ଚାନ୍ଦୁଆ, ରଥର ଶୀର୍ଷରେ ଲାଗୁଥିବା ଧ୍ବଜ, ଦୁଆରବେଢ଼ା, ଚନ୍ଦ୍ରଶାଳି, ଅଁଳାଶ୍ରୀ, ମେଣ୍ଢାମୁଣ୍ଡିଆ, ନଗରବତା, ପୋଲମୁଦ୍ରା, ସାରଥୀ ପୋଷାକ, ଛାଟ ଚାନ୍ଦୁଆ, ରଥ ଘେର, ପୋଟଳ, ଛତି, କଳାଛତି, ଧଳାଛତି, ଓଲାର ଆଦି ପ୍ରସ୍ତୁତ କରିବାକୁ ପଡ଼େ। ଏହାବ୍ୟତୀତ ବିଜେ ଚକା ପାଇଁ ବନାରସୀ ‌ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ପ୍ରସ୍ତୁତ କରାଯାଏ। ଆଜି ବି ଶାସ୍ତ୍ରୀୟ ଧାରାରେ ଏହାର ମାପ କରାଯାଏ। ଦରଜି ସେବକମାନେ କନାକୁ ଗଜ ଓ ଗିରାରେ ମାପ କରନ୍ତି। ଏକ ଗଜ ୩ ଫୁଟ ବିଶିଷ୍ଟ ହୋଇଥିବାରୁ ସେଇ ମାପରେ ସେ ରଥର ବିଭିନ୍ନ ଅଂଶ ପାଇଁ ସୁସଜ୍ଜିତ କନା ପ୍ରସ୍ତୁତ କରନ୍ତି। ସବୁଠୁ ଆକର୍ଷଣୀୟ କଦଳୀ ଗଛ। ଏହା ରଥକୁ ଚିହ୍ନେଇବାରେ ସହାୟକ ହୁଏ ବୋଲି ସେ କହିଛନ୍ତି।  ରେକର୍ଡ ଅଫ୍‌ ରାଇଟ୍‌ସ ଅନୁଯାୟୀ ସେମାନଙ୍କୁ ଅତୀତରେ ଏହି ସେବା ବଦଳରେ କୌଣସି ପ୍ରାପ୍ୟ ମିଳୁନଥିଲା। କେବଳ ମନ୍ଦିର ପକ୍ଷରୁ ଖୋରାଗି ମିଳୁଥିଲା। ଏବେ କିନ୍ତୁ କିଛିକିଛି ପାଉଣା ମିଳୁଛି। ୧୫ ଦିନ କାମ କଲେ ଜଣକା ୩ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଣା ପାଉଛନ୍ତି। ପାଉଣା ଯାହା ମିଳୁନା କାହିଁକି, କିନ୍ତୁ ମହାପ୍ରଭୁଙ୍କ କାମ କରିବା ପାଇଁ ଉତ୍ସୁକତା ଥାଏ। ସ୍ବୟଂ ମହାପ୍ରଭୁଙ୍କ କୃପାରୁ ଏସବୁ ହୁଏ। ସୁସଜ୍ଜିତ ରଥ କନା ପ୍ରସ୍ତୁତି ପରେ କୋଠ ସୁଆଁସିଆ ସେବକଙ୍କ ଦ୍ବାରା ରଥରେ ଲଗାଯାଏ ବୋଲି ସେ କହିଛନ୍ତି। 

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

ତାଳଧ୍ବଜ ରଥ ୩୨ ହାତ ୧୦ ଆଙ୍ଗୁଳି
ପୁରୀ: ଶ୍ରୀବିଗ୍ରହଙ୍କ ରଥର ନାମ ଯେପରି ଭିନ୍ନ, ରଥରେ ବିରାଜମାନ କରୁଥିବା ଦେବତା ଓ ପାର୍ଶ୍ବ ଦେବାଦେବୀ ମଧ୍ୟ ଭିନ୍ନ। ଶ୍ରୀଜଗନ୍ନାଥଙ୍କ ଭଳି ଶ୍ରୀବଳଭଦ୍ରଙ୍କ ରଥର ସ୍ବତନ୍ତ୍ର ନାମ ରହିଛି। ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ବଜ। ଏହାକୁ ଦେବତାମାନେ ତାଳବନରେ ପ୍ରଦାନ କରିଥିଲେ ବୋଲି ବିଦିତ ରହିଛି। ଏହାର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। ଉଲ୍ଲେଖ ରହିଛି ୭୬୩ ଖଣ୍ଡ କାଠ ଏହି ରଥର ନିର୍ମାଣରେ ବିନିଯୋଗ ହୁଏ। ରଥର ଚକ ସଂଖ୍ୟା ୧୪। ରଥର ରକ୍ଷକ ସ୍ବୟଂ ବାସୁଦେବ। ଆୟୁଧ ହେଉଛି ହଳ ଓ ମୁଷଳ।  ରଥର ଆବରଣ ରକ୍ତ ନୀଳ। ରଥର ଶିରରେ ଅନନ୍ତ ନାଗ ରହିଥାଆନ୍ତି। ରଥର ପାର୍ଶ୍ବ ଦେବାଦେବୀମାନେ ହେଲେ ପ୍ରଣମାରୀ, ଗଦାନ୍ତକାରୀ, ହରିହର, ତ୍ରୈମୂକ, ବାସୁଦେବ, ନାଟାମ୍ବର, ଅଘୋର, ତ୍ରିପୁରାରି ଶିବ। ସାରଥିଙ୍କ ନାମ ମାତଳି। ରଥର ରକ୍ଷକ ହେଲେ ଭାସ୍କର। ଅଶ୍ବମାନେ ହେଲେ ତୀବ୍ର, ଘୋର, ଦୀର୍ଘ, ଶ୍ରମ ଓ ସ୍ବର୍ଣ୍ଣନାଭ। ରଥ ଦଉଡ଼ିର ନାମ ହେଉଛି ବାସୁକୀ। ରଥର ଦେବତା ବ୍ରହ୍ମା ଓ ଶିବ। ରଥର ଭୈରବ ହେଲେ କ୍ଷେତ୍ରପାଳ। ଗନ୍ଧର୍ବଙ୍କ ନାମ ହୁହୁ। ଗର୍ଭାଧୀଶ୍ବର ଶକ୍ତି ହେଲେ ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା,ଧାତ୍ରୀ, ବିଧାତ୍ରୀ ନନ୍ଦା ଓ ସୁନନ୍ଦା। ଋଷି ପଟାରେ ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗନ୍ତି, କୃଷ୍ଣ, ମୁଦଗଲ, ଆତ୍ରେୟ ଓ କାଶ୍ୟପ। ରଥ କୁମ୍ଭର ନାମ ଭୁବନ, ବିମ୍ବ, ପୃଥିବୀ, ଚକ୍ରାୟୁଧ, ହୁଁ ବୀଜ। ରଥର ଦ୍ବାରପାଳ ହେଲେ ନନ୍ଦା ଓ ସୁନନ୍ଦା। କେତେକ କ୍ଷେତ୍ରରେ ରଥର ଦ୍ବାରପାଳ ଜୟ ବିଜୟ ବୋଲି ମଧ୍ୟ କୁହାଯାଏ। ରଥର ନେତର ନାମ ଉନ୍ମନି ବୋଲି ଉଲ୍ଲେଖ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.