Lilamaya began: ଲାଗିଲା ଲୀଳାମୟଙ୍କ ଲୀଳା: ମହାପ୍ରଭୁ ଶୁଣାଉଥିଲେ ଗୀତଗୋବିନ୍ଦ ବୁଣା ଚାଲିଥିଲା ଖଣ୍ଡୁଆ..!

3 weeks ago 11
ARTICLE AD BOX

ପୁରୀ: ଖଣ୍ଡୁଆ ପାଟରେ ‘ଗୀତଗୋବିନ୍ଦ’। ଭକ୍ତି ତଲ୍ଲୀନ ଶ୍ରୀଜୟଦେବଙ୍କ ମୁଣ୍ଡକୁ ଦିନେ ଏମିତି ଏକ ଅଭିନବ କଥାଟେ ଜୁଟିଲା। ଗୀତଗୋବିନ୍ଦର କିଛି ଶ୍ଳୋକ ବାଛି ସେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ତିଆରି ନିଷ୍ପତ୍ତି ନେଲେ। କେନ୍ଦୁବିଲ୍ବ ନିକଟ ବୁଣାଳି ବସ୍ତିର ବୁଣାକାରଙ୍କ ସହ ଆଲୋଚନା ପରେ ପାଟ ବୁଣା ଆରମ୍ଭ ହେଲା। ଜୟଦେବ ବୁଣାଳିଙ୍କ ଗହଣରେ ଭକ୍ତି ସହକାରେ ସୁମଧୁର ସ୍ବରରେ ଗୀତଗୋବିନ୍ଦ ଗାନ କରୁଥିଲେ। ବୁଣାଳିମାନେ ଗୀତଗୋବିନ୍ଦରେ ମଜ୍ଜି ରହି ପାଟ ବୁଣୁଥିଲେ। ହଠାତ ଦିନେ ଗାନ କରିବା ସମୟରେ ଭାବ ବିହ୍ବଳ ହୋଇ ମୂର୍ଚ୍ଛା ହୋଇଗଲେ। ପାଟବୁଣା ବନ୍ଦ ରହିଲା। 

ବୁଣାକାରମାନେ ବିଷଣ୍ଣ ଚିତ୍ତରେ ବସିଥାଆନ୍ତି। ହଠାତ ବୁଣାକାରଙ୍କ ଗହଣକୁ ପଶି ଆସିଲେ ଜଣେ ବ୍ରାହ୍ମଣ। ତାଙ୍କ କଣ୍ଠରୁ ମଧ୍ୟ ଗୀତଗୋବିନ୍ଦର ଅମୃତ ପଦାବଳୀ ଅବିକଳ ଝରିପଡ଼ୁଥିଲା। ବୁଣାକାରମାନଙ୍କ ବିଷଣ୍ଣ ମୁହଁରେ ଆନନ୍ଦ ଖେଳିଗଲା। ବ୍ରାହ୍ମଣ ଜଣକ କହିଲେ, ଭାଇମାନେ ପାଟବୁଣା ବନ୍ଦ ହେବ ନାହିଁ। ମୁଁ ଗୀତଗୋବିନ୍ଦ ଶ୍ଳୋକ ମନେ ରଖିଛି। ମୁଁ ବୋଲିବି, ତୁମେ ପାଟ ବୁଣିବ। ବୁଣାକାର ଆଶ୍ବସ୍ତ ହେଲେ। ଏଣେ ଗୀତଗୋବିନ୍ଦ ବୋଲା ଚାଲିଥାଏ, ସେପଟେ ବୁଣାକାର ପାଟ ବୁଣୁଥାଆନ୍ତି। ଗୀତଗୋବିନ୍ଦର ୧୨ଟି ସର୍ଗ ବ୍ରାହ୍ମଣ ଗାନ କରିସାରିଥିଲେ, ଏଣେ ବୁଣାକାରମାନେ ମଧ୍ୟ ଉକ୍ତ ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ବୁଣା ଶେଷ କରିଦେଇଥିଲେ। ବ୍ରାହ୍ମଣ ଜଣକ କହିଲେ, ଏଥର ମୁଁ ଯାଉଛି। ଭୋଜନ ସମୟ ଗଡ଼ିଗଲାଣି। ବୁଣାକାରମାନେ କହିଲେ, ଜୟଦେବଙ୍କ ଚେତା ଫେରିଲେ ସେ ଆମ ଉପରେ ରାଗିବେ। ଆପଣ ଜୟଦେବଙ୍କ ଚେତା ଫେରିବା ଯାଏ ଅପେକ୍ଷା କରନ୍ତୁ। ବ୍ରାହ୍ମଣ ଜଣକ କହିଲେ, ସେ ଏବେ ଉଠିବେନାହିଁ। ମୁଁ ଯାଉଛି, ତାଙ୍କୁ କହିବ ମୁଁ ଆସିଥିଲି। ଜୟଦେବଙ୍କ ଚେତା ଫେରିଲା, ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଶେଷ ହୋଇଯାଇଥିବା ଦେଖି ଉତ୍ସାହରେ ମନ ଭରିଉଠିଲା। 

ବୁଣାକାରମାନେ କହିଲେ, ଆପଣ ମୂର୍ଚ୍ଛା ଯିବା ପରେ ଜଣେ ବ୍ରାହ୍ମଣ ଆସି ଗୀତଗୋବିନ୍ଦ ଗାଇ ଆମକୁ ପାଟ ବୁଣିବାକୁ କହିଲେ। ଏହା ଶୁଣି ଜୟଦେବ କହିଲେ, ତୁମେମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଜୀବନ ଧନ୍ୟ କରିଛ। ବୁଣାକାରଙ୍କ ମଧ୍ୟରେ ଭକ୍ତି ଓ ଆବେଗର ଶିହରଣ ଖେଳିଗଲା। ପରଦିନ ଶ୍ରୀଜୟଦେବ ପତ୍ନୀଙ୍କୁ ନେଇ ଶ୍ରୀମନ୍ଦିରରେ ପହଞ୍ଚି ଖଣ୍ଡୁଆ ପାଟ ମହାପ୍ରଭୁଙ୍କୁ ସମର୍ପଣ କରିବାକୁ ସେବକଙ୍କୁ କହିଲେ। ସେବକ କିନ୍ତୁ ଅମଙ୍ଗ ହୋଇ ତିରସ୍କାର କଲେ। ଏକଥା ରାଜାଙ୍କ କାନରେ ପଡ଼ିଲା। ଦରବାର ଡକାଗଲା। ଜୟଦେବ ମଧ୍ୟ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଦରବାରରେ ନିଷ୍ପତ୍ତି ହେଲା ଏହି ଗୀତଗୋବିନ୍ଦ ଖଣ୍ଡୁଆ ମାର୍କଣ୍ଡ ପୁଷ୍କରିଣୀରେ ଭସାଯିବ। ଏହା ପୁଷ୍କରିଣୀରେ ଭାସମାନ ଅବସ୍ଥାରେ ରହିଲେ ପାଟକୁ ମହାପ୍ରଭୁ ଗ୍ରହଣ କରିଛନ୍ତି ବୋଲି ବୁଝାଯିବ। ରାଜାଙ୍କ ଘୋଷଣା ମୁତାବକ, ପାଟଟିକୁ ମାର୍କଣ୍ଡ ସରୋବରରେ ଭସାଇ ଦିଆଗଲା। ସତକୁ ସତ ପାଟଟି ଭାସିବାକୁ ଲାଗିଲା। ଉପସ୍ଥିତ ଭକ୍ତ ହରିବୋଲ ହୁଳହୁଳିରେ ପ୍ରକମ୍ପିତ କଲେ। ରାଜା ଜୟଦେବଙ୍କୁ କୋଳେଇ ନେଲେ। ଜୟଦେବଙ୍କ ଆଖି ଛଳଛଳ ହୋଇ ଉଠିଲା। ଭକ୍ତର ବିଜୟ ହେଲା। ବିଶ୍ବନାଥ ରାଉତଙ୍କ ଦ୍ବାରା ‘ଉତ୍କଳ ପ୍ରସଙ୍ଗ’ରେ ରଚିତ ଆଲେଖ୍ୟ ମୁତାବକ, ‘ଗୀତଗୋବିନ୍ଦ ଖଣ୍ଡୁଆ ପାଟ’କୁ ନେଇ ଏହି କାହାଣୀ ଜନ ମାନସରେ ରହିଛି। ସେହି ଦିନଠାରୁ ମହାପ୍ରଭୁଙ୍କ ବଡ଼ସିହଂହାର ବେଶ ନୀତିରେ ଗୀତଗୋବିନ୍ଦ ଖଣ୍ଡୁଆପାଟ ବ୍ୟବହାର କରାଯାଇଆସୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.