ARTICLE AD BOX
କାମାକ୍ଷାନଗର (ରାକେଶ ଦେହୁରୀ): ଚାଷ କାମ କରିବାକୁ ବିଲକୁ ଯାଇଥିଲେ ବାପା ଓ ପୁଅ। ପରିବାରର ସ୍ୱପ୍ନ ସାକାର ପାଇଁ ଧାନ ରୋଉଥିଲେ। ହେଲେ ପ୍ରକୃତିର କରାଳ ରୂପ ସେହି ସ୍ୱପ୍ନକୁ ମୁହୂର୍ତ୍ତକରେ ଛିନ୍ନଭିନ୍ନ କରିଦେଲା। ହଠାତ୍ ବଜ୍ରପାତର ଶିକାର ହୋଇ ଆଖି ବୁଜିଦେଲେ ବାପା–ପୁଅ। ଏହି ହୃଦୟବିଦାରକ ଘଟଣା ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଘଟିଛି। ମୃତକମାନେ ହେଲେ ସନ୍ତୋଷ ଦେହୁରୀ (୫୫) ଓ ତାଙ୍କ ପୁଅ ସତ୍ୟନାରାୟଣ ଦେହୁରୀ (୨୪)।
ରବିବାର ଦିନ ବର୍ଷା ମଧ୍ୟରେ ବାପା–ପୁଅ ଗାଁ ନିକଟ ଗୋରଡିଆ ଗାଁ ବିଲରେ ଧାନ ରୋଇବା କାମରେ ବ୍ୟସ୍ତ ଥିଲେ। ସେତିକିବେଳେ ହଠାତ୍ ପ୍ରବଳ ବଜ୍ରପାତ ହୋଇଥିଲା। ବଜ୍ରପାତର ସିଧାସଳଖ ଆଘାତରେ ଉଭୟ ଘଟଣାସ୍ଥଳରେ ଗୁରୁତର ହୋଇ ବିଲ ମଧ୍ୟରେ ପଡ଼ିଯାଇଥିଲେ।
ଆଖପାଖରେ କାମ କରୁଥିବା ଚାଷୀ ଓ ସ୍ଥାନୀୟ ଲୋକେ ଦୌଡ଼ି ଆସି ବାପା–ପୁଅଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏକାସାଙ୍ଗରେ ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
China Storm: ଚୀନ୍ରେ ପ୍ରାକୃତିକ ବିପର୍ଯ୍ୟୟ: ହୁବେଇରେ ଝଡ଼ ଏବଂ ବଜ୍ରପାତରେ ୮ ମୃତ
ସନ୍ତୋଷ ଦେହୁରୀ ପରିବାରର ମୁଖ୍ୟ ରୋଜଗାରିଆ ହୋଇଥିବାବେଳେ ଯୁବକ ପୁଅ ସତ୍ୟନାରାୟଣ ବାପାଙ୍କ ସହ ଚାଷ କାମରେ ସହଯୋଗ କରୁଥିଲେ। ଗୋଟିଏ ମୁହୂର୍ତ୍ତରେ ଉଭୟଙ୍କୁ ହରାଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଘରେ କୋହଭରା ପରିବେଶ ସୃଷ୍ଟି ହୋଇଥିବାବେଳେ ବାଲିପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ କାମାକ୍ଷାନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

1 week ago
5


