ARTICLE AD BOX
ଶ୍ରୀନଗର: ବର୍ଷା ପ୍ରଭାବିତ ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ସୋମବାର ଏକ ମାଟି ଘର ଭୁଶୁଡ଼ି ପଡ଼ି ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଲୋରାନ ଗାଁରେ ହୋଇଥିବା ଏହି ଭୂସ୍ଖଳନରେ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ସନ୍ଧ୍ୟାରୁ ପୁଞ୍ଚରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଏହାକୁ ମିଶାଇ ଜିଲ୍ଲାରେ ମୋଟ ୧୭ ଜଣଙ୍କର ମୃତ୍ୟୁ ହେଲାଣି। ଛଅ ଜଣ ନିଖୋଜ ଅଛନ୍ତି। ଏକ ପୃଥକ୍ ଅଭିଯାନରେ ଏନ୍ଡିଆର୍ଏଫ ଓ ଏସ୍ଡିଆର୍ଏଫ୍ ଏବଂ ଭାରତୀୟ ସେନାର ଏକ ମିଳିତ ଦଳ ରାଜୌରୀ ଜିଲ୍ଲାର ନୌସେରା ଅଞ୍ଚଳର ମୁନାୱର ନଦୀରୁ ଏକ ମୃତଦେହ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଛନ୍ତି।
ଆହୁରି ପଢନ୍ତୁ: Bhubaneswar Horror ଲିଫ୍ଟ୍ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନୂଆଦିଲ୍ଲୀ ଗସ୍ତ ସଂକ୍ଷିପ୍ତ କରି ରବିବାର ଜମ୍ମୁ ଗସ୍ତ କରିଥିଲେ ଏବଂ ରିଲିଫ୍ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ପରିସ୍ଥିତି ସମୀକ୍ଷା କରି ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଟ୍ରାଫିକ ଚଳାଚଳ ପ୍ରଭାବିତ ହୋଇଛି ଏବଂ ଅମରନାଥ ଓ ବୈଷ୍ଣୋଦେବୀ ଯାତ୍ରା ସ୍ଥଗିତ ରଖାଯାଇଛି।

2 weeks ago
9


