ARTICLE AD BOX
କପିଳେନ୍ଦ୍ର ପ୍ରଧାନ
ଅନୁଗୋଳ: ପିଲାଛୁଆଙ୍କୁ ଦି’ଅକ୍ଷର ଶିଖାଇବାର ଝୁଙ୍କ ସେମାନଙ୍କୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ କଲା। ପୂରା ଗାଁ ଏକପ୍ରକାର ଜନଶୂନ୍ୟ। ଏକର ଏକର ଚାଷଜମି ଏବେ ଘାସପଡ଼ିଆ ଓ ଜଙ୍ଗଲରେ ପରିଣତ ହୋଇଛି। ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟସେବା ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅନୁଗୋଳଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତର କୁରୁଡ଼ୁ ଗାଁ ପାଲଟିଯାଇଛି ଏକ ‘ପରିତ୍ୟକ୍ତ ଗାଁ’।
ଅନୁଗୋଳ ସଦର ମହକୁମାଠୁ ୨୮ କିଲୋମିଟର ଦୂରରେ ରହିଛି ବଣପାହାଡ଼ ଘେରା କୁରୁଡ଼ୁ ଗାଁ। ଗାଁର ମୋଟ ଆୟତନ ୧୩୮ ହେକ୍ଟର ବା ସାଢ଼େ ତିନିଶହ ଏକର। ହେଲେ, ଅଛି ମାତ୍ର ୩ଟି ଘର। ବାସ କରୁଛନ୍ତି ୬ ଜଣ ବୁଢ଼ାବୁଢ଼ୀ। ଗାଁର ୬୦ ବର୍ଷୀୟା ଗଭା ସାହୁ କହନ୍ତି, ତାଙ୍କ ଗାଁ ପୂର୍ବରୁ ଏମିତି ନଥିଲା। ଗୋଟେ ସମୟରେ ଏଠି ୯୦ ପରିବାର ବାସ କରୁଥିଲେ। ବର୍ଷତମାମ ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷ ହେଉଥିଲା। ଟନ୍ ଟନ୍ ଅର୍ଥକାରୀ ଫସଲ ଓ ପନିପରିବା ଅମଳ ହେଉଥିଲା। ବେଶ୍ ଭଲରେ କଟୁଥିଲା ସେମାନଙ୍କ ଜୀବନ। ହେଲେ ପ୍ରଶାସନିକ ଉଦାସୀନତା କାରଣରୁ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଲା ଏହି ଗାଁ। ଯାତାୟାତ ସୁବିଧା ନଥିବାରୁ ଅମଳ ହେଉଥିବା ଫସଲ ବଜାରକୁ ଯାଇପାରିଲା ନାହିଁ। ଦେହ ଖରାପ ହେଲେ ଡାକ୍ତରଖାନା ପହଞ୍ଚି ପାରିଲେନି ଗାଁ ଲୋକେ। ଗାଁରେ ସ୍କୁଲ କି ଅଙ୍ଗନବାଡ଼ିଟିଏ ନ ଥିବାରୁ ପିଢ଼ି ପରେ ପିଢ଼ି ଅପାଠୁଆ ହେବା ଗ୍ରାମବାସୀଙ୍କ ପାଇଁ ଅସହ୍ୟ ହେଲା। ନିଜ ପିଲାଙ୍କୁ ଦି’ଅକ୍ଷର ପାଠ ପଢ଼ାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ଗାଁ ଛାଡ଼ିଦେଲେ ୮୭ ପରିବାର। ଆଉ କୁରୁଡ଼ୁ ପାଲଟିଗଲା ଏକ ପରିତ୍ୟକ୍ତ ଗାଁ।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ଶହ ଶହ ଏକର ଜମି ପଡ଼ିଆ
ପାଠପଢ଼ା ପାଇଁ ଗାଁ ଛାଡ଼ିଲେ ୮୭ ପରିବାର
କାରଣ ଖୋଜିବୁ: ଉପଜିଲ୍ଲାପାଳ
ଏକଦା ସୁନାର ଫସଲ ଫଳାଉଥିବା ଗାଁର ଶହ ଶହ ଏକର ଚାଷଜମି ଏବେ ଘାସପଡ଼ିଆ, ଜଙ୍ଗଲ ପାଲଟିଯାଇଛି। ହାତୀ ଓ ବନ୍ୟଜନ୍ତୁଙ୍କ ଆଡ଼ାସ୍ଥଳୀ ପାଲଟିଛି କୁରୁଡ଼ୁ। ଗାଁରେ ବାସ କରୁଥିବା ୩ ପରିବାରର ୬ ବୁଢ଼ାବୁଢ଼ୀ ଗାଈ, ଛେଳି ଚରାଇ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କ ଅନ୍ତେ, ଏହି ଗାଁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଗାଁର ମାଟିଆ ସାହୁ। ମାଟିଆ କହିଛନ୍ତି, ଗାଁଠୁ ଦୂରେଇ ଯାଇଥିବା ପରିବାର, ଏପରିକି ତାଙ୍କ ନିଜ ପିଲାମାନେ ବି କୌଣସି ମୌଳିକ ସୁବିଧା ନଥିବା ଏହି ଅପନ୍ତରା ଗାଁରେ ରହିବାକୁ ପସନ୍ଦ କରୁନାହାନ୍ତି। ଯଦି, ପ୍ରଶାସନ ଭଲ ରାସ୍ତା ଖଣ୍ଡେ କରିଦିଅନ୍ତା, ତେବେ ଅନେକ ପରିବାର ପୁଣିଥରେ ଚାଷବାସ ପାଇଁ ଏଠାକୁ ଫେରିଆସନ୍ତେ।
War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ
ଏବେ ପ୍ରଶ୍ନ ଉଠୁଛି, ଅନୁଗୋଳ ସଦର ମହକୁମାଠୁ ମାତ୍ର ୨୮ କିଲୋମିଟର ଦୂରରେ ଥିବା କୁରୁଡ଼ୁ ଗାଁକୁ କାହିଁକି ପହଞ୍ଚିପାରିଲାନି ମୌଳିକ ସୁବିଧା? ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା କହିଛନ୍ତି, କୁରୁଡ଼ୁ ଗାଁରେ ମୌଳିକ ସୁବିଧା ନ ପହଞ୍ଚିବା ଏବଂ ଲୋକେ ଗାଁ ଛାଡ଼ି ଚାଲିଯିବାର କାରଣ ଜାଣିବାକୁ ରିପୋର୍ଟ ମଗାଯିବ। ଏପରିକିି କୁରୁଡ଼ୁକୁ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଯୋଗାଇ ଗାଁ ଲୋକଙ୍କୁ ପୁଣିଥରେ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି।

19 hours ago
1


