Kuakhai Barrage: କୁଆଖାଇ ବ୍ୟାରେଜ୍‌: ଏ ବର୍ଷ ସରିବ ତ! ମାଡ଼ିଗଲା ପାଣି, ଅଟକିଲା ନିର୍ମାଣ

3 weeks ago 14
ARTICLE AD BOX

ଭୁବନେଶ୍ବର: କୁଆଖାଇ ବ୍ୟାରେଜ୍‌ ଉପରେ ଅଧା ରାଜଧାନୀବାସୀଙ୍କ ଭାଗ୍ୟ ନିର୍ଭର କରୁଛି। ଯେହେତୁ କୁଆଖାଇ ଜଳ ଏମାନଙ୍କ ଶୋଷ ମେଣ୍ଟାଉଛି ଓ ସ୍ନାନାଦି ଆବଶ୍ୟକତା ପୂରଣ କରୁଛି, ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ, ଖରାଦିନର ଜଳକଷ୍ଟ ଦୂର ହେବ ବୋଲି ରାଜଧାନୀବାସୀ ଆଶା ରଖିଥିଲେ। ଜଳସଂପଦ ବିଭାଗ ବି ଏହି ପ୍ରକଳ୍ପ ଚଳିତବର୍ଷ ଶେଷ କରି ଲୋକଙ୍କ କଷ୍ଟକୁ ଲାଘବ କରିବ ବୋଲି ସ୍ବପ୍ନ ଦେଖାଇଥିଲା। କିନ୍ତୁ ବର୍ଷା ପରେ କୁଆଖାଇରେ ବନ୍ୟାଜଳ ଆସିବାରୁ ବ୍ୟାରେଜ୍‌ ନିର୍ମାଣ ବନ୍ଦ ହୋଇଯାଇଛି। ନିର୍ମାଣସ୍ଥଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଛି। ଠିକା ସଂସ୍ଥା ବି ପାଣି ମାଡ଼ିଯିବାରୁ ଏଠାରୁ ନିଜ କ୍ୟାମ୍ପ୍‌ ଉଠାଇ ନେଇଛି।ବର୍ଷା ଦିନ କାରଣରୁ ଏଭଳି ସ୍ଥିତି ଆହୁରି ୪ରୁ ୫ ମାସ ଲାଗି ରହିବ ଓ ଏହି ସମୟରେ କାମ ବନ୍ଦ ରହିବ। ଏଭଳି ସ୍ଥିତିରେ ଚଳିତବର୍ଷ ଏହି ବ୍ୟାରେଜ୍‌ କାମ ଶେଷ ହେବା ଆଶା ମଉଳିଯାଇଛି। ସେପଟେ ଜଳସଂପଦ ବିଭାଗ ୨୦୨୫ରେ ଏହି ପ୍ରକଳ୍ପକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ବୋଲି ସ୍ବପ୍ନ ଦେଖାଇଥିଲା। କିନ୍ତୁ ଜମି ଅଧିଗ୍ରହଣ ଓ ବର୍ଷା ପାଣିର ଆଳ ଦେଖାଇ ପ୍ରକଳ୍ପ କାମ ସାରିଲାନି। ପରେ ପ୍ରକଳ୍ପ ସାରିବାକୁ ପୁଣି ୨୦୨୬ରେ ଟାର୍ଗେଟ୍‌ ଦେଇଥିଲା। ଏ ବର୍ଷ ବି  କାମ ସରିଲାନି। ଯନ୍ତ୍ରୀ, ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାମ ଗତି ଧରି ପାରୁନି ବୋଲି ଅଭିଯୋଗ ହେଉଛି।

Nita Ambani: ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର

ମହାନଦୀ ଜଳ ବିବାଦ ପରେ ୨୦୨୩ ମସିହାରେ ରାଜ୍ୟ ସରକାର ମହାନଦୀ ରିଭର୍‌ଫ୍ରଣ୍ଟ ଯୋଜନାରେ କୁଆଖାଇ, କୁଶଭଦ୍ରାରେ ବ୍ୟାରେଜ୍‌(ଇନ୍‌ଷ୍ଟ୍ରିମ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌) ନିର୍ମାଣର ଯୋଜନା କରିଥିଲେ। ଦୈତ୍ୟନଗରୀ ଭୁବନେଶ୍ବର ଓ କଟକ ସହ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଜଳକଷ୍ଟରୁ ମୁକ୍ତି ଦେବାକୁ ଏଭଳି ଯୋଜନା କରାଯାଇଥିଲା। ଇତିମଧ୍ୟରେ କୁଶଭଦ୍ରା ବ୍ୟାରେଜ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କୁଆଖାଇ କାମ କିନ୍ତୁ ଆଗଉନି। କୁଆଖାଇ ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ହେଉଛି, ୧୯୨ ମିଟର ବ୍ୟାରେଜ୍‌ କରି ବର୍ଷାଜଳକୁ ଅଟକାଇ ରାଜଧାନୀବାସୀଙ୍କ ଶୋଷ ମେଣ୍ଟାଇବା। ଏହା ସାଙ୍ଗକୁ ସରକାର ଏଠାରେ ବୋଟିଂ ଓ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତ କରି ରୋଜଗାରର ଲକ୍ଷ୍ୟ ରଖିଛନ୍ତି। ବର୍ଷାଜଳକୁ ଅଟକାଇ ରଖିବାକୁ କୁଆଖାଇରେ ୧୨ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ହେବ। ବ୍ୟାରେଜ୍‌ର ଜଳଧାରଣ କ୍ଷେତ୍ର(କ୍ୟାଚ୍‌ମେଣ୍ଟ ଏରିଆ) ୧ଲକ୍ଷ ୩୨ହଜାର ୧୦୦ ବର୍ଗ କିଲୋମିଟର। ଏହା ନରାଜ ବ୍ୟାରେଜ୍‌ଠାରୁ କୁଆଖାଇ ବ୍ୟାରେଜ୍‌ ପର୍ଯ୍ୟନ୍ତ ରହିବ। ନଦୀର ଜଳସ୍ତର ୮.୫ ମିଟର ଆର୍‌ଏଲ୍‌(ରିଡ୍ୟୁସ ଲେଭଲ୍‌)ରୁ ୧୩.୫ ମିଟର ଆର୍‌ଏଲ୍‌, ଅର୍ଥାତ ପ୍ରାୟ ୫ ମିଟର ଉଚ୍ଚ ରହିବ। ବ୍ୟାରେଜ୍‌ରୁ ଦୁଇପାର୍ଶ୍ବ ନଦୀବନ୍ଧକୁ ୭.୫ ମିଟର(ଦୁଇ ଲେନ୍‌) ରାସ୍ତା ରହିବ। ଦୁଇପାର୍ଶ୍ବରେ ସି’ ଆକୃତି ଗାର୍ଡ ୱାଲ୍‌ ନିର୍ମାଣ ହେବ। କୁଆଖାଇ ବ୍ୟାରେଜ୍‌ ପାଇଁ ସରକାର ପ୍ରାୟ ୧୨୭ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହାଇ‌ଟେକ୍‌ ହସ୍ପିଟାଲ୍‌ ପଛପାର୍ଶ୍ବରେ କୁଆଖାଇରେ ବ୍ୟାରେଜ୍‌ ନିର୍ମାଣ କାମ ବି ଆରମ୍ଭ ହୋଇଛି। କିନ୍ତୁ ପ୍ରକଳ୍ପର ମନ୍ଥର ଗତି ସରକାରଙ୍କ ଲକ୍ଷ୍ୟ ହାସଲ ଓ ରାଜଧାନୀବାସୀଙ୍କ ଶୋଷ ମେଣ୍ଟାଇବାରେ ଅନ୍ତରାୟ ସୃଷ୍ଟି କରୁଛି।

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

କାମ କଥା ଦେଖିଲେ, ୧୧ଟି ସ୍ଲୁଇସ୍‌ ଗେଟ୍‌ ସରିଛି ଓ ଆଉ ଗୋଟିଏ ନିର୍ମାଣ ବାକି ରହିଛି। ୧୨ ସ୍ଲୁଇସ୍‌ ଗେଟ୍‌ ସରିବା ପରେ ଆପ୍ରୋଚ ରାସ୍ତା ଓ ଗାର୍ଡ ୱାଲ୍‌ ତିଆରି ହେବ। ଜମି ବିବାଦର ଆଳ ଦେଖାଇ ଜଳସଂପଦ ବିଭାଗ ୧୨ ନମ୍ବର ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାମ ୬ ମାସ ବନ୍ଦ ରଖିଥିଲା। ଇତିମଧ୍ୟରେ ୪ ମାସ ହେବ ଜମି ବିବାଦ ତୁଟିଲାନି। କିନ୍ତୁ କାମ ଯେଉଁଠିକୁ ସେଇଠି। ୧୨ ନମ୍ବର ସ୍ଲୁଇସ୍‌ ଗେଟ୍‌ର ଉପର ଭିତ୍ତି ସରିନି। ଏ ସମ୍ପର୍କରେ ଜଳସଂପଦ ବିଭାଗ ପ୍ରାଚୀ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ବାଇଁ କହିଛନ୍ତି, ବର୍ଷା ଦିନ ପରେ ପରେ ଅର୍ଥାତ୍‌ ଚଳିତବର୍ଷ ଡିସେମ୍ବରରେ ଆମେ ବ୍ୟାରେଜ୍‌ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.