ARTICLE AD BOX
କୋରାପୁଟ: ଲଘୁଚାପ ପ୍ରଭାବରେ ୩ଦିନ ଧରି କୋରାପୁଟ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଗକୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମନାକୁ ଆସୁଛି। ନାରାୟଣପାଟଣା ଥାନା ତେନ୍ତୁଳିପଦର ପଞ୍ଚାୟତ ଡଙ୍ଗାପାଇ ଗାଁର ମହିଳା ସିନା ବିଙ୍ଗଡ଼ିକା (୪୦)ଙ୍କୁ ଝଞ୍ଜାବତୀ ନଦୀର ସ୍ରୋତ ଭସାଇ ନେଇଥିଲା। ବାସନ ମାଜିବାକୁ ଆଜି ଅପରାହ୍ଣରେ ସିନା ନଦୀତୁଠକୁ ଯାଇ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ, ପୁଲିସ ଏବଂ ଗ୍ରାମବାସୀ ଗୋଟିଏ ପଥର କୋରଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
Heavy Rain: ସ୍ମାର୍ଟସିଟିରେ ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା! ବର୍ଷାଜଳ ଯୋଗୁଁ ବୈଭବନଗରବାସୀ ହୀନସ୍ତା
ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ
ଗୁପ୍ତେଶ୍ବର ଶୈବପୀଠକୁ ଯାତାୟାତ ଠପ୍
ଶନିବାର ସକାଳ ୮ରୁ ଅପରାହ୍ଣ ୫ଟା ମଧ୍ୟରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍ରେ ସର୍ବାଧିକ ୮୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। କୋରାପୁଟ ସହର ଡିଆଇଜି ଅଫିସ ନିକଟରେ ଗୋଟିଏ ଗଛ ଜାତୀୟ ରାଜପଥ ଉପରେ ପଡ଼ିବାରୁ ଯାତାୟାତ କିଛି ସମୟ ଠପ୍ ହୋଇଯାଇଥିଲା। କୋଲାବ ଜଳଭଣ୍ଡାରରେ ୪ଦିନ ମଧ୍ୟରେ ୧ ପ୍ରତିଶତ ଜଳସ୍ତର ବଢ଼ିଛି। ଗତ ୧ତାରିଖରେ ଜଳଭଣ୍ଡାରରେ ୧୪.୧୮ ପ୍ରତିଶତ ଜଳ ଗଚ୍ଛିତ ରହିଥିବା ବେଳେ ଶନିବାର ସକାଳ ସୁଦ୍ଧା ଜଳପତନ ବୃଦ୍ଧି ପାଇ ୧୫.୧୨ ପ୍ରତିଶତରେ ପହଞ୍ଚିଛି। ବୈପାରିଗୁଡ଼ା ବ୍ଲକ୍ରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ବହୁ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବୈପାରିଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହାବ୍ୟତୀତ ଜିଲ୍ଲାର କିଛି ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଥିଲା ବେଳେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।

4 weeks ago
11


