Kolathia double murder: କୋଳଥିଆ ଡବଲ୍ ମର୍ଡର, ସିନ୍‌ ରିକ୍ରିଏସନ୍‌ କଲେ ଦୁଇ ନାବାଳକ

1 month ago 15
ARTICLE AD BOX

ଭୁବନେଶ୍ବର: କୋଳଥିଆରେ ବାପ-ପୁଅ ଡବଲ୍ ମର୍ଡର ଘଟଣାର ୨୪ଘଣ୍ଟା ମଧ୍ୟରେ ପୁଲିସ ୨ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ କାବୁ କରିଛି। ଏହି ମାମଲାରେ ଗତକାଲି ପୁଅ କୃଷ୍ଣପ୍ରସାଦ ପାଢ଼ୀର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଆଉ ଆଜି ବାପା ହିମାଂଶୁଙ୍କର ମୃତ୍ୟୁ ଘଟିବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରପଟେ ୨ ନାବାଳକଙ୍କୁ ଧରି ପୁଲିସ ଆଜି କୋଳଥିଆସ୍ଥିତ ଆଜବେଷ୍ଟସ୍ ଘରେ ସଂପୂର୍ଣ୍ଣ ଘଟଣାର ସିନ୍ ରିକ୍ରିଏସନ୍ କରାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାକୁ ମିଶାଇ ଚଳିତ ମାସ ରାଜଧାନୀରେ ୫ଟି ହତ୍ୟାକାଣ୍ଡ ଘଟଣାରେ ୬ଜଣଙ୍କ ଜୀବନ ଯାଇଛି। ଯେଉଁଥିରେ ପରକୀୟା ପ୍ରୀତିଠୁ ଆରମ୍ଭ କରି ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଆଉ ଏସବୁକୁ ବଦଳି ଯାଇଛି କୋଳଥିଆର ବାପ-ପୁଅଙ୍କ ହତ୍ୟାକାଣ୍ଡ। ରବିବାରର କାଳରାତି ପୂରା ପରିବାରକୁ ଉଜାଡ଼ି ଦେଇଛି।

Horrific fire breaks : ମାର୍କେଟ୍‌ ବିଲ୍‌ଡିଂରେ, ଭୟାବହ ଅଗ୍ନିକାଣ୍ଡ


ସମ୍ପର୍କୀୟ ଭଉଣୀକୁ ହଇରାଣ କରୁଥିଲେ କୃଷ୍ଣ

ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଅଭିଯୁକ୍ତ କୃଷ୍ଣ ବର୍ଷକ ତ‌ଳେ ଖଣ୍ଡଗିରିସ୍ଥିତ ଏକ କୋଚିଂ ସେଣ୍ଟର୍‌କୁ ଟ୍ୟୁସନ୍ ପାଇଁ ଯାଉଥିଲେ। ଉକ୍ତ କୋଚିଂ ସେଣ୍ଟର୍‌କୁ ଦଶମ ଶ୍ରେଣୀ ନାବାଳକର ସମ୍ପର୍କୀୟ ଭଉଣୀ ମଧ୍ୟ ପଢ଼ିବାକୁ ଯାଉଥିଲା। ସମ୍ପୃକ୍ତ ଛାତ୍ରୀଙ୍କୁ କୃଷ୍ଣ ଏକତରଫା ପ୍ରେମ କରିଥିଲା। ଏହାପରେ ତାଙ୍କୁ ହ୍ବାଟ୍ସଆପ୍‌ରେ ପ୍ରେମ ନିବେଦନ କରିଥିଲା। ମାତ୍ର ନାବାଳିକା ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ କୃଷ୍ଣ ତାଙ୍କୁ କୋଚିଂ ଯିବା ରାସ୍ତାରେ ହଇରାଣ କରିଥିଲା। ଏହାକୁ ନେଇ ନାବାଳିକା ତାଙ୍କ ଭାଇ ଓ ତାଙ୍କର ପୁରୁଷ ବନ୍ଧୁ ତଥା ହତ୍ୟାକାଣ୍ଡରେ ସଂପୃକ୍ତ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ କହିଥିଲା। ଏହାକୁ ନେଇ ନାବାଳକଦ୍ବୟ କୃଷ୍ଣଙ୍କୁ ଉକ୍ତ ନାବାଳିକାଙ୍କ ରାସ୍ତାରୁ ହଟିଯିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୃଷ୍ଣ ୨ ନାବାଳକଙ୍କ ଘରକୁ ଯାଇ ସେମାନଙ୍କ ବାପାମା’ଙ୍କୁ ଗାଳି କରିଥିଲେ। ଏହା ପରେ ୨ ନାବାଳକ ଘଟଣାର ସମାଧାନ କରିବା ପାଇଁ ଖଣ୍ଡଗିରିସ୍ଥିତ ଖାରବେଳ ପାର୍କକୁ ଡାକିଥିଲେ। ସେଠାରେ କୃଷ୍ଣ ସେମାନଙ୍କୁ ମାଡ଼ ମାରିଥିଲା। ଏହିଠାରୁ କୃଷ୍ଣଙ୍କୁ ହତ୍ୟା କରିବାକୁ ନାବାଳକଦ୍ବୟ ଯୋଜନା କରିଥିଲେ।

କାଳରାତିର କାହାଣୀ ବଖାଣିଲେ ତାପସୀ

ଏମ୍‌ସ ବେଡ୍‌ରେ ପଡ଼ିରହିଥିବା ତାପସୀଙ୍କୁ ଖଣ୍ଡଗିରି ପୁଲିସ ଯେତେବେଳେ ହତ୍ୟାକାଣ୍ଡ ବାବଦରେ ପଚାରିଥିଲା, ତାପସୀଙ୍କ ପାଟି ବାଷ୍ପରୁଦ୍ଧ ହୋଇଯାଉଥିଲା। ବାପାଭାଇଙ୍କୁ କେମିତି ପିଟିପିଟି ମାରିଲେ ସେ ବାବଦରେ କହିବେ କି କାନ୍ଦିବେ କିଛି ଜାଣିପାରୁ ନଥିଲେ। ତଥାପି ଭୁବନେଶ୍ବର ଡିସିପି ଓ ଖଣ୍ଡଗିରି ପୁଲିସର ଆଶ୍ବାସନା ପାଇବା ପରେ ତାପସୀ ବଖାଣିଥିଲେ ରବିବାର କାଳରାତିର କାହାଣୀ। ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ କେହି ଅଜଣା ଦୁର୍ବୃତ୍ତ ତାଙ୍କ କବାଟ ବାଡ଼େଇଥିଲେ। ସାନଭାଇ କୃଷ୍ଣ କବାଟ ଖୋଲିଥିଲେ। ସେମାନେ କିଛି ଭାବିବା ପୂର୍ବରୁ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘର ଭିତରକୁ ଧସେଇ ପଶିଥିଲେ। ସେମାନେ ହାତରେ ଗୋଟିଏ ଲେଖାଏଁ ଲୁହାରଡ୍ ଧରିଥିଲେ। ଏହାପରେ କୃଷ୍ଣ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ୨ଜଣ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଲୁହା ରଡ୍‌ରେ ପିଟିଥିଲେ। ବାପା ଧାଇଁଯାଇ ବଞ୍ଚାଇବାକୁ ଉଦ୍ୟମ କଲା ବେଳକୁ ତାଙ୍କ ମୁଣ୍ଡକୁ ବି ମୁଖାପିନ୍ଧା ଜହ୍ଲାଦମାନେ ରଡ୍‌ରେ ପିଟିଥିଲେ। ଏହାରି ଭିତରେ କୃଷ୍ଣ ବାପାଙ୍କୁ ଆକ୍ରମଣ ହେଉଥିବା ଦେଖି ପାଖରେ ଥିବା ଏକ କ୍ରିକେଟ୍ ବ୍ୟାଟ୍‌ରେ ସେମାନଙ୍କୁ ପ୍ରତିରୋଧ କରୁଥିଲେ। ଠିକ୍ ଏହି ସମୟରେ ଆଉ ଏକ ପାହାର ତାଙ୍କ ମୁଣ୍ଡରେ ବାଜିଲା। ଆଉ କୃଷ୍ଣ ସେହିଠାରେ ହିଁ ଟଳିପଡ଼ିଲେ। ଏହାପରେ ତାପସୀ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ତାଙ୍କୁ ବି ଲୁହା ରଡ୍‌ରେ ପିଟିଥିଲେ। ସେ ଭୟରେ ଖଟ ତଳେ ଲୁଚିଯାଇଥିଲେ। ବାପା ହିମାଂଶୁ ପାଟି କରିବାରୁ ମୁଖାପିନ୍ଧା ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଆଉ ଏକ ପାହାର ଦେଇଥିଲେ। ଏତିକିରେ ବାପା ବି ନିସ୍ତେଜ୍ ହୋଇଯାଇଥିଲେ। ପରେ ସେମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। କିଛି ସମୟ କାଳ ତାପସୀ ବାପା-ଭାଇଙ୍କୁ ପାଣି ଛାଟି ଉଠାଇବାକୁ ଉଦ୍ୟମ କରିଥିଲେ। ମାତ୍ର କେହି କିଛି ନ କହିବାରୁ ସେ ବାଧ୍ୟ ହୋଇ ୧୧୨କୁ ଯୋଗାଯୋଗ କରିଥିଲେ।

ଧରାପକାଇଦେଲା ହାଫ୍ ପ୍ୟାଣ୍ଟ୍ ଓ ଗେରୁଆ ଟି-ସାର୍ଟ

ତାପସୀଙ୍କୁ ଜେରା ପରେ ହିମାଂଶୁ ଓ ପୁଅ କୃଷ୍ଣଙ୍କର କାହା ସହିତ ଶତ୍ରୁତା ନଥିବା ଜଣାପଡ଼ିଥିଲା। ପୁଲିସ ପ୍ରେମବ୍ୟାପାରକୁ ସନ୍ଦେହ କରିଥିଲା। ପରେ କୃଷ୍ଣର ମୋବାଇଲ୍ ଫୋନ୍ ଯାଞ୍ଚ୍ ସହିତ ସିଡିଆର୍ ମଗାଇଥିଲା। ସେଥିରେ ବି କୌଣସି ସଫଳତା ମିଳିନଥିଲା। ଶେଷରେ ପୁଲିସ ସ୍ଥାନୀୟ ସିସିଟିଭି ଯାଞ୍ଚ୍ କରିବା ସହିତ ଲୋକଙ୍କୁ ପଚାରିଥିଲା। ହେଲେ ବି ମୁଖାପିନ୍ଧାଙ୍କ ନିକଟରେ ପହଞ୍ଚିପାରି ନଥିଲା। ବିଭିନ୍ନ ଦିଗରୁ ତଦନ୍ତ ଫେଲ୍ ମାରିବା ପରେ ପୁଲିସ ତାପସୀଙ୍କୁ ପଚାରିଥିଲା, ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଉଚ୍ଚତା ଓ ସେମାନଙ୍କ ଭିତରୁ ଜଣେ ହାଫ୍ ପ୍ୟାଣ୍ଟ୍ ଓ ଆଉ ଜଣେ ଗେରୁଆ ରଙ୍ଗର ଗଞ୍ଜି ପିନ୍ଧିଥିଲା। ଏହି ବୟାନ ଆଧାରରେ ପୁଲିସ ହିମାଂଶୁ ରହୁଥିବା ଜାଗା ଚାରିପାର୍ଶ୍ବର ସିସିଟିଭି ଦରାଣ୍ଡିଥିଲା। ପାଖରେ ଏକ ତାରକା ହୋଟେଲ୍ ତିଆରିି ହେଉଥିଲା। ସେହି ନିର୍ମାଣାଧୀନ ହୋଟେଲର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦେଖିଥିଲା ପଛ ପାଚେରି ଡେଇଁ ୨ ଦୁର୍ବୃତ୍ତ ହିମାଂଶୁଙ୍କ ଘର ଭିତରକୁ ପଶିଛନ୍ତି। ଆଉ ସେହି ଆଧାରରେ ପୁଲିସ ପାଖ ପ୍ଲଟ୍‌କୁ ଯାଇ ସେଠାରେ ଥିବା ଘରକୁ ଯାଇଥିଲା। ସେଠାରେ ଜଣଙ୍କୁ ଗେରୁଆ ଗଞ୍ଜି ପିନ୍ଧିଥିବା ଦେଖି ପୁଲିସ ତାକୁ ପଚରାଉଚରା କରି ୨ ମୁଖାପିନ୍ଧାଙ୍କ ପାଖରେ ପହଞ୍ଚିଥିଲା।

ନାବାଳକଙ୍କୁ ପ୍ରାପ୍ତବୟସ୍କ ବିବେଚନା କରିବାକୁ ଆବେଦନ କରିବ ପୁଲିସ

ଏହି ଡବଲ୍‌ ମର୍ଡର ଘଟଣାରେ କମିସନରେଟ୍ ପୁଲିସ ୨ନାବାଳକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍‌ର ୧୫ ଅନୁସାରେ, ୨ ନାବାଳକ ଭିଆଇଥିବା ହତ୍ୟାକାଣ୍ଡକୁ ଅତି ଜଘନ୍ୟ ବୋଲି ପୁଲିସ ଦର୍ଶାଇଛି। ତେଣୁ ଏଭଳି ସଙ୍ଗଠିତ ଅପରାଧ ପ୍ରାପ୍ତବୟସ୍କ ବୁଦ୍ଧି ଅର୍ଥାତ୍ ୧୮ବର୍ଷରୁ ଊର୍ଦ୍ଧ୍ବ ମଣିଷଙ୍କ ଚିନ୍ତାଧାରା କାର୍ଯ୍ୟ ବୋଲି ବିବେଚନା କରିଛି। ତେଣୁ ଏହି ଆଧାରରେ ପୁଲିସ କୋର୍ଟ ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି) ନିକଟରେ ନାବାଳକଦ୍ବୟଙ୍କୁ ପ୍ରାପ୍ତବୟସ୍କ ବୋଲି ବିଚାର କରିବାକୁ ଆବେଦନ କରିବ ବୋଲି ଯୋଜନା କରିଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଜେବି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଥିଲେ। ସେହି ଅନୁସାରେ ୨୦୧୫ ମସିହାରେ ୧୬ବର୍ଷରୁ ଊର୍ଦ୍ଧ୍ବ ଓ ୧୮ବର୍ଷରୁ କମ୍ ନାବାଳମାନେ ଘଟାଉଥିବା ଜଘନ୍ୟ ଅପରାଧ(ହତ୍ୟା, ଦୁଷ୍କର୍ମ)ରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍‌ର ୧୫ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜେଜେବି ପରାମର୍ଶ ଗ୍ରହଣ କରାଯାଉଛି।

ଶୁକ୍ରବାର ମୁଣ୍ଡ ଗଡ଼ାଇବାକୁ ଯୋଜନା ହୋଇଥିଲା

୨ ନାବାଳକଙ୍କୁ ଜେରା କରିବା ବେଳେ ଖଣ୍ଡଗିରି ପୁଲିସ ହାତରେ ଏକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ପୁଲିସ ଜାଣିବାକୁ ପାଇଛି ଯେ କୃଷ୍ଣ ନାବାଳକଦ୍ବୟଙ୍କୁ ଖାରବେଳ ପାର୍କ ନିକଟରେ ଆକ୍ରମଣ କରିବା ପରେ ସେମାନେ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏହି କ୍ରମରେ ସେ ୨୬ ଜୁନ୍ ଅର୍ଥାତ୍ ଶୁକ୍ରବାର ଦିନ ଏକାଠି ହୋଇଥିଲେ। ସେମାନେ ସାଙ୍ଗ ହୋଇ କିଛି ସମୟ କଥା ହୋଇଥିଲେ। ଏହାପରେ ଆସନ୍ତାକାଲିକୁ ମୁଣ୍ଡ ଗଡ଼ାଇବେ ବୋଲି ନିଷ୍ପତ୍ତି ନେଇଥିଲେ। ଶନିବାର ସନ୍ଧ୍ୟାରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ଆରଜଣକୁ ଫୋନ୍ କରିଥିଲା। ମାତ୍ର ଘରେ କାମ ଥିବାରୁ ସେଦିନ ମଧ୍ୟ ଯୋଜନା କାର୍ଯ୍ୟକାରୀ ହୋଇପାରି ନଥିଲା। ଆଉ ଶେଷରେ ରବିବାର ରାତି ପ୍ରାୟ ୧୨ଟା ବେଳେ ଉଭୟ ନାବାଳକ ଏକାଠି ହୋଇଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ ଘରେ ପଶି ହତ୍ୟାକାଣ୍ଡ ଘଟାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.