ARTICLE AD BOX
ରାଇଘର (ଦେବେନ୍ଦ୍ର ମିଶ୍ର): ଛତିଶଗଡ଼ ଅନ୍ତର୍ଗତ କାଙ୍କେରର ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ପକ୍ଷରୁ ଆଜି ନକ୍ସଲ ଦମ୍ପତିଙ୍କ ସମେତ ୫ ଜଣ ନକ୍ସଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ୨୦୧୫ ମସିହାରେ ସର୍ଚ୍ଚିଂ ପାର୍ଟି ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ନେଇ ଏମାନଙ୍କ ଉପରେ ରହିଥିଲା ମାମଲା l ଏହି ମାମଲାରେ DKSZCM ରେଙ୍କର ନକ୍ସଲ ନେତା ପ୍ରଭାକର ଏବଂ ତାଙ୍କ ପତ୍ନୀ DVCM ରେଙ୍କର ରାଜେ କାଙ୍ଗେ ସାମିଲ ରହିଛନ୍ତି। କୋର୍ଟ ପ୍ରଭାକର ଓ ରାଜେଙ୍କୁ ୭ ବର୍ଷ ଜେଲ ଦଣ୍ଡ ଏବଂ ଅନ୍ୟ ତିନି ନକ୍ସଲ ଚିଣ୍ଟୁ ରାମ ତମ୍ରାକର, ଶ୍ୟାମନାଥ ଉସେଣ୍ଡି ଏବଂ ରମେଶ କୁମାର କୁମେଟିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି l ପ୍ରଭାକରଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବାବେଳେ, ତାଙ୍କ ପତ୍ନୀ ରାଜେ କାଙ୍ଗେଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା l
ପ୍ରକାଶ ଥାଉକି ୨୦୧୫ ମସିହାରେ କୋରର ଅଞ୍ଚଳରେ ସର୍ଚ୍ଚିଂରେ ବାହାରିଥିବା ଯବାନଙ୍କ ଉପରେ ନକ୍ସଲମାନେ ଘାତ ଲଗାଇ ଆକ୍ରମଣ କରିଥିଲେ। ଏହି ଘଟଣାରେ ପ୍ରଭାକର, ରାଜେ କାଙ୍ଗେଙ୍କ ସମେତ ଅନେକ ନକ୍ସଲଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା।
ନକ୍ସଲ ଦମ୍ପତିଙ୍କ ସହ ୫ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ, ୯ ମାଓବାଦୀ ଗିରଫ
ନକ୍ସଲବାଦ ଶେଷ କରିବାର ଡେଡଲାଇନ୍ ମାର୍ଚ୍ଚ ୨୦୨୬ ଧାର୍ଯ୍ୟ ହୋଇଥିବା ସମୟରେ ୨୦୨୪ ମସିହାରେ ପୁଲିସ ପ୍ରଭାକରଙ୍କୁ ଗିରଫ କରିଥିଲା। କିଛି ସମୟ ପରେ ତାଙ୍କ ପତ୍ନୀ ରାଜେ କାଙ୍ଗେ ମଧ୍ୟ ଗିରଫ ହୋଇଥିଲେ। ଉଭୟଙ୍କୁ ପଚରାଉଚରା କରିବା ପରେ ପୁଲିସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲା। ନକ୍ସଲ ଦମ୍ପତିଙ୍କ ବିରୋଧରେ ପ୍ରାୟ ୬୦ଟି ମାମଲା ରହିଛି। ୨୦୧୫ର କୋରର ରେ ହୋଇଥିବା ନକ୍ସଲ ହାମଲାରେ ଉଭୟ ନକ୍ସଲ ନେତା ସାମିଲ ଥିବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୁଲିସ ପାଇଥିଲା। ସେହି ପ୍ରମାଣ ଆଧାରରେ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି ବୋଲି କାଙ୍କେର ଏସ୍ପି ନିଖିଲ ରାଖେଚା ପ୍ରକାଶ କରିଛନ୍ତି l

1 week ago
6


