ARTICLE AD BOX
କଟକ: ନିଜ ମାମଲାରେ ନିଜେ ବିଚାରପତି ହୋଇ ଏବେ ଅଡୁଆରେ ପଡ଼ିଛନ୍ତି ଭୁବନେଶ୍ବର ୪ନମ୍ବର ଅତିରିକ୍ତ ରିଭିଜନାଲ୍ କୋର୍ଟର ପ୍ରିଜାଇଡିଂ ଅଫିସର ତଥା ଅତିରିକ୍ତ କମିସନର ପ୍ରଦୀପ୍ତ କୁମାର ନାୟକ। ନିଜ ପରିବାରର କୌଣସି ନ୍ୟାୟିକ ମାମଲା ପରିଚାଳନା କରିବା କିମ୍ବା ବିଚାରପତି ହୋଇ ମାମଲାର ଶୁଣାଣି କରିବା ବେଆଇନ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶାବଳୀ ମଧ୍ୟ ରହିଛି। କିନ୍ତୁ ଶ୍ରୀ ନାୟକ ଏବେ ଏଭଳି ଏକ ମାମଲାର ଶୁଣାଣି କରି ବିବାଦରେ ଫସି ଯାଇଛନ୍ତି। ଏହା ବିରୋଧରେ ବାର୍ ଆସୋସିଏସନ୍ର କିଛି ଆଇନଜୀବୀ ରାଜସ୍ବ ପର୍ଷଦ ସଦସ୍ୟଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଗ୍ରହଣ କରାଯିବା ସହ ଏହାର ତଦନ୍ତ କରାଯିବ ବୋଲି ରାଜସ୍ବ ପର୍ଷଦ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ପତ୍ନୀଙ୍କ ଜମି ମାମଲାର ଶୁଣାଣି କରି ଅଡ଼ୁଆରେ ଆଇଏଏସ୍ ଅଧିକାରୀ
ରାଜସ୍ବ ପର୍ଷଦରେ ଆଇନଜୀବୀଙ୍କ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ
ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ତହସିଲ ଅନ୍ତର୍ଗତ ଅନ୍ଧାରୁଆ ମୌଜାର କୃଷ୍ଣ ଭୋଇଙ୍କଠୁ ଶ୍ରୀ ନାୟକଙ୍କ ପତ୍ନୀ ତଥା ପ୍ରଶାସନିକ ଅଧିକାରୀ ସ୍ବୟଂପ୍ରଭା ମହାନ୍ତି ୨୦୦୪ ଫେବ୍ରୁଆରିରେ ୦.୦୯୫ ଡେସିମିଲ୍ ଜମି କିଣିଥିଲେ। ପରେ ଏହାକୁ ଆବେଦନକାରୀ ରେଣୁବାଳା ପାଣିଗ୍ରାହୀ ସେହିବର୍ଷ ଜୁନ୍ ମାସରେ କିଣିଥିଲେ। ହେଲେ ହାଲ୍ ନକ୍ସାରେ ଜମିର ପରିମାଣ କମ୍ ଦର୍ଶାଯାଇଥିଲା। ଯାହାକୁ ନେଇ ରେଣୁବାଳା ଆପତ୍ତି ଉଠାଇବା ସହ ନକ୍ସାରେ ସଂଶୋଧନ କରିବା ପାଇଁ ଭୁବନେଶ୍ବର ରିଭିଜନାଲ୍ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ସ୍ବୟଂପ୍ରଭା ମହାନ୍ତି, ଅନ୍ୟଜଣେ କ୍ରେତା ସାରସି ପୁହାଣ, ମୂଳ ବିକ୍ରେତା କୃଷ୍ଣ ଭୋଇ, ନାରଣ ଭୋଇ, ଭୁବନେଶ୍ବର ତହସିଲଦାର ଓ ଯୋବ୍ରା ବନ୍ଦୋବସ୍ତ କାର୍ଯ୍ୟାଳୟକୁ ପକ୍ଷଭୁକ୍ତ କରାଯାଇଥିଲା। ତେବେ ହାଲ୍ ନକ୍ସାରେ ସଂଶୋଧନ କରିବାକୁ ଶ୍ରୀ ନାୟକ ଭୁବନେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଚାରର ଫଳାଫଳ ଅପେକ୍ଷା ବିଚାର ପ୍ରକ୍ରିୟାକୁ ରାଜସ୍ବ ପର୍ଷଦର ଆଇନଜୀବୀମାନେ ବିରୋଧ କରିଛନ୍ତି। କୌଣସି ମାମଲାରେ ନିଜ ପରିବାରର ସଦସ୍ୟ ପକ୍ଷଭୁକ୍ତ କିମ୍ବା ଆବେଦନକାରୀ ଥିଲେ ପରିବାରର ଅନ୍ୟ ଜଣେ ସଦସ୍ୟ ତାହାର ବିଚାର କରିବା ଅନୁଚିତ ବୋଲି ସରକାରୀ ନିୟମାବଳୀ ରହିଛି। ହେଲେ ଏ କ୍ଷେତ୍ରରେ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଥିଲା। ଏବେ ରାଜସ୍ବ ପର୍ଷଦ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଥିଲା ବେଳେ ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

2 weeks ago
16


