ARTICLE AD BOX
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଓ ସହ-ପ୍ରତିଷ୍ଠାତା ଆଶୁତୋଷ ରାଙ୍କାଙ୍କ ବିରୋଧରେ ବିଦେଶୀ ପାଣ୍ଠି ଗ୍ରହଣ କରିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ଅଭିଜିତଙ୍କୁ ଆମେରିକାରେ ଥିବା ଦାତାଙ୍କଠାରୁ ଅର୍ଥ ମିଳୁଥିବା ବେଳେ ଆଶୁତୋଷଙ୍କୁ ପାକିସ୍ତାନୀ ରାଜନେତା ଓ ସେମାନଙ୍କ ମଧ୍ୟସ୍ଥିଙ୍କ ଜରିଆରେ ପାଣ୍ଠି ମିଳୁଥିବା ସେ ଦାବି କରିଛନ୍ତି। ମଙ୍ଗଳବାର ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଏହି ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବିରୋଧରେ ଚାଲିଥିବା ଅଭିଯାନକୁ ପାକିସ୍ତାନୀ ରାଜନେତାଙ୍କ ସମେତ ବିଦେଶୀ ସଂଗଠନ ଏବଂ ଭାରତ ବିରୋଧୀ ଶକ୍ତି ପାଣ୍ଠି ଯୋଗାଉଛନ୍ତି। ଏହି ଅଭିଯାନ ମାଧ୍ୟମରେ ଦେଶରେ ଏକ ମିଥ୍ୟା ଧାରଣା ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଦାୟିତ୍ବରେ ଥିବା ମନ୍ତ୍ରୀ କହିଛନ୍ତି, ବିଦେଶୀ ପାଣ୍ଠିରେ ପରିଚାଳିତ ଏନ୍ଜିଓ, ଡିପ୍ ଷ୍ଟେଟ୍ ସହ ଜଡ଼ିତ ବ୍ୟକ୍ତି ଏବଂ ଭାରତ ବିରୋଧୀ ଶକ୍ତି ଏହି ଅଭିଯାନ ପଛରେ ରହିଛନ୍ତି। ଅନଧିକୃତ ଉତ୍ସରୁ ଏହି ଗୋଷ୍ଠୀଗୁଡ଼ିକୁ ଅର୍ଥ ମିଳୁଥିବା ନେଇ ଯଥେଷ୍ଟ ପ୍ରମାଣ ଥିବା ସେ ଦାବି କରିଛନ୍ତି।
ଆହୁରି ପଢନ୍ତୁ : Markandeya Katju: ଜୀବନରେ କେବେ ଭୋଟ୍ ଦେଇନାହିଁ, ଆଗକୁ ବି ଦେବିନି: ମାର୍କଣ୍ଡେୟ କାଟ୍ଜୁ
ବିଦେଶୀ ଅର୍ଥ ଆସିବା ଓ ତାହାର ବ୍ୟବହାର ଉପରେ ନିୟନ୍ତ୍ରଣ ଲାଗୁ କରିବା ପାଇଁ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫ୍ସିଆର୍ଏ) ରହିଥିବା କହି ମନ୍ତ୍ରୀ ଏହାର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି। ନିଜକୁ ନେତା ଓ କର୍ମୀ ବୋଲି କହୁଥିବା ବ୍ୟକ୍ତିମାନେ ନିଜ ଅଭିଯାନ ପାଇଁ ଅର୍ଥ କେଉଁଠୁ ଆଣୁଛନ୍ତି, ତାହା ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି। ଏସ୍ଆଇଆର୍ ବିରୋଧୀ ଅଭିଯାନରେ ସାମିଲ ଜଣେ ମହିଳାଙ୍କୁ ‘ଅପରେସନ୍ ସିନ୍ଦୂର’ ସମୟରେ ମଧ୍ୟ ଅର୍ଥ ମିଳୁଥିବା ମନ୍ତ୍ରୀ ଦାବି କରିଛନ୍ତି। ତେବେ ସେହି ମହିଳାଙ୍କ ପରିଚୟ କିମ୍ବା ଅର୍ଥ ମିଳିବା ସମ୍ପର୍କିତ ବିସ୍ତୃତ ତଥ୍ୟ ସେ ଦେଇନାହାନ୍ତି।
ଆହୁରି ପଢନ୍ତୁ : NDA: ଏନ୍ଡିଏରେ ଯୋଗଦେଲେ ସୁପ୍ରିୟା ସୁଲେଙ୍କୁ ମିଳିପାରେ କେନ୍ଦ୍ର ମନ୍ତ୍ରିପଦ: ଅଠାୱାଲେ
ଏସ୍ଆଇଆର୍ ବିରୋଧରେ ଉଠାଯାଇଥିବା ଅଭିଯୋଗର କୌଣସି ଆଧାର ନାହିଁ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି। ଅଭିଯୋଗକାରୀଙ୍କ ବିଶ୍ୱସନୀୟତା ଏବଂ ସେମାନଙ୍କ ପାଣ୍ଠିର ଉତ୍ସ ଯାଞ୍ଚ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏଥିସହ କଂଗ୍ରେସ ନିଜ ସୁବିଧା ଅନୁସାରେ ଶିକ୍ଷା ଓ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ଉଠାଉଥିବା ଅଭିଯୋଗ କରିଛନ୍ତି। ନିର୍ବାଚନରେ ଜିତିବାରେ ବିଫଳ ହେଉଥିବା କିଛି ଲୋକ ଏବେ ରାସ୍ତାକୁ ଓହ୍ଲାଇ ନିଜ ଅଭିଯାନ ଚଳାଇବାକୁ ଉଦ୍ୟମ କରୁଥିବା ମଧ୍ୟ ସେ କହିଛନ୍ତି।

53 minutes ago
2


