ARTICLE AD BOX
ରାମଗଡ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରୁ ପାରିବାରିକ ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସନ୍ତାନ ନ ହେବା କାରଣ ଦର୍ଶାଇ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଦିଅର ସହ ଅବୈଧ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରିବାରୁ ମହିଳାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ପିଟ୍ କରାଯିବା ସହ ଅତିରିକ୍ତ ଯୌତୁକ ମଗାଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପୀଡ଼ିତା ମହିଳାଙ୍କ ଶାଶୂଘର ବୋକାରୋ ଜିଲ୍ଲାର କସମାର ଥାନା ଅନ୍ତର୍ଗତ ନାୱାଡିହ ଗାଁରେ ହୋଇଥିବାବେଳେ ବିବାହକୁ ପ୍ରାୟ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସନ୍ତାନସନ୍ତତି ନହେବାରୁ ଶାଶୂଘର ଲୋକେ ତାଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରିବା ଆରମ୍ଭ କରିଥିଲେ।
ଦିଅର ସହ ସମ୍ପର୍କ ରଖିବାକୁ ଚାପ ଓ ଯୌତୁକ ଦାବି
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଶାଶୂଘର ଲୋକେ ତାଙ୍କୁ ତାଙ୍କ ଦିଅର ସହିତ ଅବୈଧ ସମ୍ପର୍କ ସ୍ଥାପନ କରିବା ପାଇଁ ବାଧ୍ୟ କରୁଥିଲେ। ଯେତେବେଳେ ସେ ଏହାକୁ ଦୃଢ଼ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ମାରପିଟ କରାଯାଇଥିଲା। ଏହା ସହିତ ଯୌତୁକ ବାବଦରେ ନଗଦ ୨ ଲକ୍ଷ ଟଙ୍କା ଏବଂ ଏକ ୱାସିଂ ମେସିନ୍ ଆଣିବା ପାଇଁ ମଧ୍ୟ ଚାପ ପକାଯାଇଥିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ ବୋଲି କହିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଜଣାପଡ଼ିଛି।
ଆହୁରି ପଢନ୍ତୁ: Nisha Bhagat dies: ଜୀବନ ହାରିଦେଲେ ଆଦିବାସୀ ନେତ୍ରୀ, ମୃତ୍ୟୁ ପୂର୍ବରୁ ଆଣିଲେ ବଡ଼ ଅଭିଯୋଗ
ଏନେଇ ପୀଡ଼ିତା ମହିଳା ଜଣକ ରାମଗଡ଼ ମହିଳା ଥାନାରେ ପହଞ୍ଚି ସ୍ୱାମୀ ଏବଂ ଅନ୍ୟ ଶାଶୂଘର ସଦସ୍ୟଙ୍କ ବିରୋଧରେ ଏତଲା ଦେଇଛନ୍ତି। ମହିଳା ଥାନା ଅଧିକାରୀ ରେଣୁକା କୁମାରୀ ଦାସ କହିଛନ୍ତି ଯେ, ପୀଡ଼ିତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପୁଲିସ ପୂରା ଘଟଣାର ଗୁରୁତର ସହ ତଦନ୍ତ ଚଳାଇଛି।

45 minutes ago
1


