Japan: ଟୋକିଓରେ ଗୁଂଜରିତ ହେଲା "ଜୟ ଜଗନ୍ନାଥ" ଧ୍ୱନି: ଭକ୍ତି ଓ ଉତ୍ସାହରେ ପାଳିତ ହେଲା ରଥଯାତ୍ରା

1 week ago 7
ARTICLE AD BOX

ଟୋକିଓ: ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଧ୍ୟାତ୍ମିକ ଆବେଗ ଓ ଭକ୍ତିମୟ ପରିବେଶ ମଧ୍ୟରେ ରବିବାର ଜାପାନର ରାଜଧାନୀ ଟୋକିଓର ଏଡୋଗାୱା ୱାର୍ଡର ଫୁନାବୋରି ଅଞ୍ଚଳରେ ଉତ୍ସବମୁଖର ହୋଇଉଠିଥିଲା। ପ୍ରାୟ ୫୦୦ ଭାରତୀୟ ଓ ଜାପାନୀ ଭକ୍ତ ଏକତ୍ରିତ ହୋଇ ପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ପର୍ବକୁ ଭକ୍ତି, ଉତ୍ସାହ ଓ ସାଂସ୍କୃତିକ ଆବେଗର ସହ ପାଳନ କରିଥିଲେ।

ଓଡ଼ିଶା କମ୍ୟୁନିଟି ଜାପାନ ଟୋକିଓ (OCJT) ପକ୍ଷରୁ ହିନ୍ଦୁ ସ୍ୱୟଂସେବକ ସଂଘ (HSS) ଏବଂ ଇସ୍କନ୍ (ISKCON)-ର ସହଯୋଗରେ ଏହି ଭବ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁସଜ୍ଜିତ ତିନୋଟି ରଥର ରଥଯାତ୍ରା। "ଜୟ ଜଗନ୍ନାଥ" ଧ୍ୱନି, ଭଜନ, କୀର୍ତ୍ତନ ଓ ହରିନାମ ସଙ୍କୀର୍ତ୍ତନ ମଧ୍ୟରେ ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ରଥ ଟାଣିଥିଲେ। ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ଟୋକିଓରେ ରଥଯାତ୍ରାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଜାପାନରେ ବସବାସ କରୁଥିବା ଓଡ଼ିଆ ଓ ଭାରତୀୟ ସମ୍ପ୍ରଦାୟ ପାଇଁ ଏହା ଏକ ଆଧ୍ୟାତ୍ମିକ ଓ ଭାବବିହ୍ୱଳକର ଅନୁଭୂତି ଥିଲା। ମହାପ୍ରଭୁଙ୍କ ରଥ ଦର୍ଶନ ଓ ରଥର ଦଉଡି ଟାଣିବାର ସୌଭାଗ୍ୟ ଲାଭ କରି ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ଆୟୋଜନରେ ଯୋଗଦେଇଥିବା ବହୁ ସଂଖ୍ୟକ ଜାପାନୀ ଅତିଥି ମଧ୍ୟ ଜଗନ୍ନାଥ ସଂସ୍କୃତିର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାକୁ ନିକଟରୁ ଅନୁଭବ କରିଥିଲେ। ପାରମ୍ପରିକ ନୀତିକାନ୍ତି, ପୂଜାର୍ଚ୍ଚନା ଓ ମନ୍ତ୍ରୋଚ୍ଚାରଣ ପରେ ରଥଯାତ୍ରା ଆରମ୍ଭ ହୋଇଥିଲା। ଭଜନ, କୀର୍ତ୍ତନ ଏବଂ ସାମୂହିକ ପ୍ରାର୍ଥନାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ରଥ ଟାଣିବା ପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ।

ଆହୁରି ପଢନ୍ତୁ: Train Derailment: ଗାଜିଆବାଦ-ଦିଲ୍ଲୀ ରୁଟ୍‌ରେ ୬ ମାଲବାହୀ ଟ୍ରେନ୍ ୱାଗନ୍ ଲାଇନଚ୍ୟୁତ: ୫୩ ଟ୍ରେନ୍ ଚଳାଚଳ ପ୍ରଭାବିତ, ୧୬ ବାତିଲ

ଏହି ଆୟୋଜନକୁ ସଫଳ କରିବାରେ ଓସିଜେଟୀର ସଭାପତି ଦେବେନ୍ଦ୍ର ମହାନ୍ତଙ୍କ ନେତୃତ୍ୱ ସହ ସଂଗଠନର ସଦସ୍ୟ ତଥାଗତ ସାହୁ, ଗୋପୀଚନ୍ଦ୍ର ବରାଳ, ଶ୍ରୀନିବାସ ପଣ୍ଡା, ସଙ୍ଗ୍ରାମ ସ୍ୱାଇଁ, ଅମିତାଭ ସାହୁ, ଜଗନ ୱାଡି, ଶ୍ୟାମଳ ମିଶ୍ର, ଲଲାଟ ବେହେରା, ଗୌରୀ ମହାପାତ୍ର, ଜଗନ୍ନାଥ ପଣ୍ଡା, ମିକୁଳ ସାହୁ, ଜୟଶ୍ରୀ ମହାନ୍ତ, ରୋଜାଲି ଜେନା ଓ ଅନୁରାଧା ମହାପାତ୍ରଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଓ ଶୁଭେଚ୍ଛୁଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ରହିଥିଲା। ଏହି ରଥଯାତ୍ରା ପୁଣିଥରେ ପ୍ରମାଣିତ କରିଛି ଯେ, ଭକ୍ତି, ସମନ୍ୱୟ ଓ ବିଶ୍ୱବନ୍ଧୁତ୍ୱର ମହାପ୍ରଭୁ ଜଗନ୍ନାଥଙ୍କ କାଳଜୟୀ ବାର୍ତ୍ତା ଭୌଗୋଳିକ ସୀମା ଓ ଜାତୀୟତାର ସୀମାରେଖାକୁ ଅତିକ୍ରମ କରି ବିଶ୍ୱବ୍ୟାପୀ ଭାବେ ଲୋକଙ୍କୁ ଏକତ୍ରିତ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.