IPO: ଏମ୍‌ସିଏଲ୍‌ ୧୦,୦୦୦ କୋଟିର ଆଇପିଓ ଆଣିବ

6 days ago 4
ARTICLE AD BOX

କୋଲକାତା: ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଖୁବଶୀଘ୍ର ଷ୍ଟକ୍‌ ବଜାରରେ ପ୍ରବେଶ କରିବାକୁ ଯାଉଛି। କମ୍ପାନି ଏହାର ଇନିସିଆଲ ପବ୍ଲିକ୍‌ ଅଫରିଂ (ଆଇପିଓ) ଜରିଆରେ ବଜାରରୁ ୧୦ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଏହି ଅଫରକୁ ପରିଚାଳନା କରିବା ପାଇଁ ନିବେଶ ବ୍ୟାଙ୍କର୍‌ ଓ ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ସଂସ୍ଥାଗୁଡ଼ିକଠାରୁ ଆବେଦନ ଆହ୍ବାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଉପଯୁକ୍ତ ସଂସ୍ଥା ଚୟନ କରିବା ପାଇଁ ଆସନ୍ତା ଅଗଷ୍ଟରେ କୋଲକାତାରେ ଏକ ବୈଠକ ଅନୁଷ୍ଠିତ। ବ୍ୟାଙ୍କର ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ କମ୍ପାନିର ଇକ୍ବିଟି ସେୟାର ମୂଲ୍ୟ କେତେ ଟଙ୍କା ରହିବ ତାହା ଜଣାପଡ଼ିବ।

ବ୍ୟାଙ୍କର ନିଯୁକ୍ତି ହେଉଛି ଆଇପିଓରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା। ସେହି ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ଅଫରକୁ ପରିଚାଳନା କରିଥାନ୍ତି। କେତେ ପରିମାଣର ଇକ୍ବିଟି ସେୟାର ବିକ୍ରି ପାଇଁ ଉପଲବ୍ଧ ହେବ ଓ କେଉଁ କେଉଁମାନେ ସେୟାର ବିକ୍ରି କରିବେ ତାହା ମଧ୍ୟ ଏହାପରେ ଧାର୍ଯ୍ୟ ହୋଇଥାଏ। ଏମ୍‌ସିଏଲ୍‌ ହେଉଛି କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌)ର ସବୁଠୁ ଲାଭଦାୟକ ସହାୟକ ସଂସ୍ଥା। ଓଡ଼ିଶାର ତାଳଚେର ଓ ଇବ୍‌ ଉପତ୍ୟାକାରେ କମ୍ପାନିର କୋଇଲା ଖଣିଗୁଡ଼ିକ ରହିଛି। ଏମ୍‌ସିଏଲ୍‌ର ୨୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ କୋଲ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ପ୍ରସ୍ତାବିତ ଆଇପିଓ ମାଧ୍ୟମରେ ଏହି ସମସ୍ତ ସେୟାର ବିକ୍ରି କରାଯିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଫର୍‌ ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ମାଧ୍ୟମରେ ଏମ୍‌ସିଏଲ୍‌ରେ ଥିବା ୧୦ ପ୍ରତିଶତ ଅଂଶଧନକୁ କୋଲ୍‌ ଇଣ୍ଡିଆ ବିକ୍ରି କରିବ।

୨୦୨୫-୨୬ରେ ଏମ୍‌ସିଏଲ୍‌ର ମୋଟ୍‌ କୋଇଲା ଉତ୍ପାଦନ ୨୨୫.୧୭ ନିୟୁତ ଟନ୍‌ ରହିଥିଲା ଯାହା ସର୍ବକାଳୀନ ସର୍ବାଧିକ ଥିଲା। ୨୦୨୩-୨୪ର ୨୦୬.୧ ନିୟୁତ ଟନ୍‌ଠାରୁ ତାହା ଯଥେଷ୍ଟ ଅଧିକ ଥିଲା। କମ୍ପାନି ରେକର୍ଡ ୨୧୦.୪୫ ନିୟୁତ ଟନ୍‌ କୋଇଲା ପଠାଇବା ସଫଳତା ମଧ୍ୟ ହାସଲ କରିଥିଲା। ୨୦୨୪-୨୫ରେ କମ୍ପାନି କୋଇଲା ବିକ୍ରିରୁ ୩୬,୬୦୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିଲା ଯାହା ପୂର୍ବବର୍ଷର ୩୭,୨୦୦ କୋଟି ଟଙ୍କା ତୁଳନାରେ କମ୍‌ ଥିଲା। ଏହାର ଟିକସ ପରବର୍ତ୍ତୀ ଲାଭ ମଧ୍ୟ ଏହି ସମୟରେ ୧୧,୮୪୫ କୋଟି ଟଙ୍କାରୁ ୧୦,୮୨୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା। କମ୍ପାନି ୮୬୦୦ କୋଟି ଟଙ୍କାର ଲାଭାଂଶ ଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.