ARTICLE AD BOX
ଜ୍ଞାନବ୍ରତ ଭୋଇ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶହେ ବର୍ଷ ତଳୁ କୋଇଲା ଖଣି ଆରମ୍ଭ ହୋଇଛି। ଦ୍ରୁତ ଶିଳ୍ପାୟନ ଆଳରେ ୩ ଦଶନ୍ଧି ତଳୁ ଛତୁ ଫୁଟିଲା ଭଳି ଶିଳ୍ପସଂସ୍ଥା ବି ମୁଣ୍ଡ ଟେକିଛି। ଏଭଳି ସ୍ଥିତିରେ ସବୁଠୁ କମ୍ ଜଙ୍ଗଲ ସଂପଦ ଥିବା ଜିଲ୍ଲା ଭାବେ ଝାରସୁଗୁଡ଼ା ଅପଖ୍ୟାତି ବୋହିଲାଣି। ମାନବ ସମାଜ ପାଇଁ ସର୍ବନିମ୍ନ ୩୩ ପ୍ରତିଶତ ଘଞ୍ଚ ଜଙ୍ଗଲ ଆବଶ୍ୟକ ଥିବା ବେଳେ ତାହା ବର୍ତ୍ତମାନ ୧୪.୮୭ ପ୍ରତିଶତକୁ ଖସିଆସିଲାଣି। ଆଗକୁ ଜିଲ୍ଲାରେ ନୂତନ ଭାବେ ସ୍ଥାପିତ ହେବାକୁ ଥିବା ୩ ନୂଆ କୋଇଲା ବ୍ଲକ୍ରେ ବାକିତକ ସବୁଜିମା ନିଶ୍ଚିହ୍ନ ହୋଇଯିବା ଏକପ୍ରକାର ଥୟ। ଏହାକୁ ନେଇ ପରିବେଶବିତ୍ମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ଦିନେ ଜିଲ୍ଲାର ପ୍ରତିଟି ପ୍ରାନ୍ତରେ ଜଙ୍ଗଲ ବା ଝାର ଘେରି ରହିଥିଲା ବୋଲି ଜିଲ୍ଲାର ନାଁ ଝାରସୁଗୁଡ଼ା ହୋଇଥିବା କୁହାଯାଏ। ହେଲେ ବର୍ତ୍ତମାନ ଖଣି ଓ ଶିଳ୍ପର ଆଁରେ ହଜାର ହଜାର ଏକର ଜଙ୍ଗଲ ନିଶ୍ଚିହ୍ନ ହୋଇଗଲାଣି। ସାଧାରଣତଃ ଜୈବ ବିବିଧତା, ପ୍ରକୃତିର ସନ୍ତୁଳନ ଏବଂ ଜୀବଜଗତ ପାଇଁ ଆବଶ୍ୟକ ହେଉଥିବା ପ୍ରାକୃତିକ ଉପାଦାନ ଦୃଷ୍ଟିରୁ ପ୍ରତି ଜିଲ୍ଲାରେ ଅତି କମ୍ରେ ୩୩ ପ୍ରତିଶତ ଘଞ୍ଚ ଜଙ୍ଗଲ ରହିବା ଆବଶ୍ୟକ। କିନ୍ତୁ ଏହି ଜିଲ୍ଲାରେ କେବଳ ଜଙ୍ଗଲ କିସମ ଜମିର ପରିମାଣ ୨୨ ପ୍ରତିଶତକୁ ଖସିଆସିଛି। ଏଥିରେ ଘଞ୍ଚ ଜଙ୍ଗଲର ପରିମାଣ ନଗଣ୍ୟ। ଚିନ୍ତାଜନକ କଥାଟି ହେଉଛି, ପ୍ରକୃତ ଜଙ୍ଗଲ ବା ଗଛବହୁଳ ଥିବା ଅଞ୍ଚଳର ସୀମା ସେଥିରୁ ୧୪.୮୭ ପ୍ରତିଶତକୁ ଖସିଆସିଲାଣି।
Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍କେ ବିଧାୟକ ଗିରଫ
୧୪ ପ୍ରତିଶତକୁ ଖସିଲାଣି ଜିଲ୍ଲାର ଜଙ୍ଗଲ ସଂପଦ
ନୂଆ ୩ କୋଲ୍ ବ୍ଲକ୍ ପରେ ବିଷମ ସ୍ଥିତି ଆଶଙ୍କା
ଜିଲ୍ଲାର ଭୌଗୋଳିକ ପରିସୀମା ୨୧୧୭.୧୧ ବର୍ଗକିମି। ସେଥିରୁ ମାତ୍ର ୪୬୬.୪୮ ବର୍ଗକିମି ଜଙ୍ଗଲ ଜମି ରହିଛି। ବାସ୍ତବରେ ଏହି ଜମିରେ ଘଞ୍ଚ ଜଙ୍ଗଲର ପରିମାଣ ୧୮୦ ବର୍ଗକିମିରୁ ବି କମ୍ ରହିଛି। ସେଥିରୁ ସଂରକ୍ଷିତ ଜଙ୍ଗଲର ପରିମାଣ ମାତ୍ର ୩୫.୫୩ ବର୍ଗକିମି ରହିଥିବା ବେଳେ ଚିହ୍ନିତ ସଂରକ୍ଷିତ ଜଙ୍ଗଲର ପରିମାଣ ୧୦୯.୯୭ କିମି ରହିଛି। ଏହି ଜମିରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଆଳରେ ତାହା ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ। ଏହାବାଦ୍ ଅନ୍ୟ ଅଣସଂରକ୍ଷିତ ବର୍ଗ ଭିତରେ ଆସୁଥିବା ଜଙ୍ଗଲ ଜମିର ପରିମାଣ ୩୨୦.୯୮ ବର୍ଗକିମି ବୋଲି ଦର୍ଶାଯାଇଛି।
ବାସ୍ତବରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଉଭୟ ଚିହ୍ନିତ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୪୨ ପ୍ରତିଶତ ଖଣି ଏବଂ ଶିଳ୍ପସଂସ୍ଥା ହାତକୁ ଚାଲିଗଲାଣି। ଏପରିକି ଗତ ୫ ବର୍ଷରେ ଜିଲ୍ଲାର ପରିସୀମା ମଧ୍ୟରେ ଥିବା ଲଖନପୁର ବ୍ଲକ୍ର ଉବୁଡ଼ା ଅଞ୍ଚଳରେ ଲଖନପୁର ଖଣିକ୍ଷେତ୍ର ସମେତ ଝାରସୁଗୁଡ଼ା ସଦର ବ୍ଲକ୍ର ତଲାବିରା ୨ ଏବଂ ୩ ନମ୍ବର ଖଣି ପାଇଁ ଲକ୍ଷାଧିକ ସଂଖ୍ୟାରେ ଗଛ କଟାଯାଇଛି।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ
ସେହିପରି ଲଖନପୁର ବ୍ଲକ୍ରେ ହେବାକୁ ଥିବା ନୂତନ ୩ଟି କୋଲ୍ ବ୍ଲକ୍ରେ ବେଲପାହାଡ଼ ବନାଞ୍ଚଳର ଏକ ବିରାଟ ସବୁଜିମା ନିଶ୍ଚିହ୍ନ ହେବାର ଆଶଙ୍କା ସୃଷ୍ଟି ହେଲାଣି। କାରଣ, କୁଡ଼ାଲୋଇ ନର୍ଥ ବ୍ଲକ୍ ପରେ ବେହେରାମାଲ ଏବଂ ରୋହିଣୀ ବ୍ଲକ୍ ଦ୍ବାରା ଜମଗାଁ ପର୍ଯ୍ୟନ୍ତ ଅଧିଗୃହୀତ ହେବାକୁ ଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥିରେ ହେମଗିରି ଜଙ୍ଗଲକୁ ଲାଗିରହିଥିବା ପ୍ରସିଦ୍ଧ ଶୈବପୀଠ କୋଇଲିଘୁଘରର ଘଞ୍ଚ ଜଙ୍ଗଲର ଅସ୍ତିତ୍ବ ବି ନିଶ୍ଚିହ୍ନ ହେବାର ଆଶଙ୍କା ଦେଖାଦେଇଛି। ଏହା ଆଗକୁ ଭୟଙ୍କର ଜୈବବିବିଧତା ସଙ୍କଟ ସୃଷ୍ଟି କରିବା ସହ ପରିବେଶବିତ୍ଙ୍କୁ ଚିନ୍ତାରେ ପକାଇଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଅବକ୍ଷୟମୁଖୀ ଜଙ୍ଗଲ ସଂପଦର ସ୍ଥିତି ନେଇ ଖୋଦ୍ ଏସିଏଫ୍ ମଧ୍ୟ ଉଦ୍ବେଗ ପ୍ରକାଶ କରି ବ୍ୟାପକ ବନୀକରଣର ଆହ୍ବାନ ଦେଇଛନ୍ତି।

1 week ago
9


