ARTICLE AD BOX
ନୂଆଦିଲ୍ଲୀ: ଭାରତ ଓ ମ୍ୟାମାର ମଧ୍ୟରେ ସୀମା ସଂଲଗ୍ନ କିଛି ଅଞ୍ଚଳର ଭୂଖଣ୍ଡ ଅଦଳବଦଳ ପ୍ରସ୍ତାବକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ତେବେ ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ସ୍ତରରେ ଥିବା ବେଳେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍ଇଏ) ବୁଧବାର ସ୍ପଷ୍ଟ କରିଛି।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ-ମ୍ୟାମାର ସୀମାର କିଛି ସ୍ଥାନରେ ଦୀର୍ଘଦିନ ଧରି ରହିଆସିଥିବା ବ୍ୟବହାରିକ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରୁଛନ୍ତି। ସେହି ବିକଳ୍ପଗୁଡ଼ିକ ମଧ୍ୟରେ ସୀମିତ ପରିସରରେ ଭୂଖଣ୍ଡ ଅଦଳବଦଳ ପ୍ରସ୍ତାବ ମଧ୍ୟ ରହିଛି। ତେବେ ଏହାକୁ ନେଇ କୌଣସି ବୁଝାମଣା ହୋଇନାହିଁ ଏବଂ ଆଲୋଚନା ଜାରି ରହିଛି। ମନ୍ତ୍ରାଳୟ କହିଛି, ସୀମାରେ ଥିବା କେତେକ ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଯାତାୟାତକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଉଭୟ ଦେଶର ସୀମା ପରିଚାଳନାକୁ ଅଧିକ ସୁବିଧାଜନକ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଶାସନିକ ସମସ୍ୟା ଦୂର କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏମ୍ଇଏ ସୂଚନା ଦେଇଛି।
ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଭାରତ ନିଜ ଭୂଖଣ୍ଡ ମ୍ୟାମାରକୁ ହସ୍ତାନ୍ତର କରିବାକୁ ଯାଉଛି ବୋଲି ବିଭିନ୍ନ ଦାବି ପ୍ରଚାର ହେଉଥିଲା। ଭାରତ ଓ ମ୍ୟାମାର ମଧ୍ୟରେ ପ୍ରାୟ ୧,୬୪୩ କିଲୋମିଟର ଲମ୍ବା ଆନ୍ତର୍ଜାତିକ ସୀମା ରହିଛି। ଏହି ସୀମା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମ ଦେଇ ଯାଇଛି। ସୀମାର କିଛି ଅଞ୍ଚଳରେ ଦୀର୍ଘଦିନ ଧରି ପ୍ରଶାସନିକ ଓ ଭୌଗୋଳିକ ସମସ୍ୟା ରହିଥିବାରୁ ଉଭୟ ଦେଶ ମଧ୍ୟରେ ନିୟମିତ ଆଲୋଚନା ହୋଇଆସୁଛି। ବୈଦେଶିକ ମନ୍ତ୍ରାଳୟ କହିଛି, ଭାରତର ସାର୍ବଭୌମତ୍ୱ ଓ ଜାତୀୟ ସ୍ବାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖି ହିଁ ଏହି ପ୍ରସଙ୍ଗରେ ଆଗାମୀ ପଦକ୍ଷେପ ନିଆଯିବ।

1 hour ago
1


