Hirakud dam: ଖୋଲିଲା ହୀରାକୁଦର ୨୨ ଗେଟ୍‌: ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳ ଉପରେ ନଜର

2 days ago 1
ARTICLE AD BOX

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଜି ଗୋଟିଏ ଦିନରେ ଏକାସାଙ୍ଗରେ ୨୦ଟି ଗେଟ୍‌ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ଗେଟ୍ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଜୁଲାଇ ମାସରେ ହୀରାକୁଦର ଜଳସ୍ତର ୬୦୫ ଫୁଟ ପର୍ଯ୍ୟନ୍ତ ରଖିବା ନେଇ ହୀରାକୁଦ ଜଳ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ଏହାଛଡ଼ା ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ତଳମୁଣ୍ଡରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତି ଜଟିଳ ଥିଲା। ଏସବୁକୁ ଦୃଷ୍ଟିରେ ରଖି ଗୁରୁବାର ପର୍ଯ୍ୟନ୍ତ କେବଳ ଗେଟ୍‌ ସଂଖ୍ୟା ୨ରେ ସୀମିତ ରଖାଯାଇଥିଲା। ଆଜି ତଳମୁଣ୍ଡର ସ୍ଥିତି ସୁଧୁରିବା ପରେ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ୨୦ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ବନ୍ଧ ବାମ ସ୍ପିଲ୍‌ୱେର ୧୫ ଓ ଡାହାଣ ପାର୍ଶ୍ବରେ ୭ଟି ଗେଟ୍‌ ଖୋଲା ରହିଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୫.୧୫ ଫୁଟ ରହିଥିଲା। 

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୨୨ ହଜାର ୯୬୮ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୩ ଲକ୍ଷ ୫୬ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସ୍ପିଲ୍‌ୱେ ଦେଇ ୨ ଲକ୍ଷ ୬୪ ହଜାର ୪୨୬ କ୍ୟୁସେକ୍‌, ପାୱାର ଚ୍ୟାନେଲ୍‌ ଦେଇ ୩୧ ହଜାର ୭୮୮ କ୍ୟୁସେକ୍‌, ଶିଳ୍ପକୁ ୨୪୭ କ୍ୟୁସେକ୍‌, ବିଭିନ୍ନ କେନାଲ୍‌କୁ ୨୯୯୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍‌ ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ ବେଲଗାଁରେ ୮୩ ହଜାର କ୍ୟୁସେକ୍‌, ପର୍ଥଲାରେ ୨ ଲକ୍ଷ ୬ ହଜାର ୨୪୪ କ୍ୟୁସେକ୍‌, ଖଇରମାଳରେ ୩ ଲକ୍ଷ ୩୦ ହଜାର କ୍ୟୁସେକ୍‌, ବରମୂଳରେ ୬ ଲକ୍ଷ ୨ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୮ ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୬.୨୬ ମିଲିମିଟର ଓ ତଳମୁଣ୍ଡରେ ୩.୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 

୧୦ ଜିଲ୍ଲାପାଳଙ୍କୁ ସତର୍କ କରାଗଲା, ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳ ଉପରେ ନଜର

Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ବଢ଼ୁଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ନଜରରେ ରଖି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ସତର୍କ କରିଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାସୁବର୍ଣ୍ଣପୁର ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର ରାଜେଶ ପ୍ରଭାକର ପାଟିଲ ଆଜି ରାତିରେ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବର୍ତ୍ତମାନ ମହାନଦୀରେ ୮ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖିବା ସହ ତଳମୁଣ୍ଡ ଅଞ୍ଚଳର ସମସ୍ତ ବନ୍ୟାପ୍ରବଣ ଏବଂ ନିମ୍ନାଞ୍ଚଳରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଦୀକୂଳ ଓ ବନ୍ଧଗୁଡ଼ିକରେ ପୁଲିସ ସହାୟତାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା, ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ବନ୍ୟାଜନିତ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ନଦୀବନ୍ଧଗୁଡ଼ିକର ସ୍ଥିତି ଉପରେ ନିରନ୍ତର ନଜର ରଖି ବନ୍ଧ ଭାଙ୍ଗିଯିବା ଅଥବା ଜଳ ଲିକେଜ୍‌, କ୍ଷୟ କିମ୍ବା ଅନ୍ୟ କୌଣସି ବିପଦ ସଙ୍କେତ ଦେଖାଦେଲେ ତୁରନ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।

ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳ ଉପରେ ନଜର
ନଦୀ ବନ୍ଧରେ  ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ନଦୀଗର୍ଭ, ବାଲିଚର, ଘାଟ, ନିମ୍ନାଞ୍ଚଳ ଦ୍ୱୀପ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ସେହିପରି ମାଇକ୍‌, ସାଇରନ୍‌, ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆ, ସ୍ଥାନୀୟ କେବୁଲ ନେଟ୍‌ୱର୍କ ଆଦି ମାଧ୍ୟମରେ ବ୍ୟାପକ ସଚେତନତା କରାଯିବା ସହ ନଦୀରେ ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଚଳ, ବାଲି ଉତ୍ତୋଳନ ଓ ଅନ୍ୟାନ୍ୟ କାର୍ଯ୍ୟରୁ ବିରତ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି। ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ୍‌ ଉନ୍ନୟନ ଅଧିକାରୀ, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ନଦୀ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷଣ ନଜର ରଖି ଏହି ସମସ୍ତ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.