Healthcare Crisis: ମିଳିଲାନି ଶବବାହକ ଗାଡ଼ି, ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ଆଣିଲେ ଅସହାୟ ସ୍ୱାମୀ

4 weeks ago 11
ARTICLE AD BOX

ଲଇକେରା: ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସେହି ଦାବି ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହ ବାଇକ୍‌ରେ ବୋହି ଘରକୁ ନେବାକୁ ପଡ଼ିଛି। ଏହି ଦୃଶ୍ୟ କେବଳ ଜଣେ ଗରିବ ପରିବାରର ଅସହାୟତାକୁ ନୁହେଁ, ବରଂ ପ୍ରଶାସନିକ ବ୍ୟବସ୍ଥାର ଅବହେଳାକୁ ମଧ୍ୟ ସାମ୍ନାକୁ ଆଣିଛି।

Rain: ହରିଶଙ୍କର ତୀର୍ଥକ୍ଷେତ୍ରକୁ ଯୋଗାଯୋଗ କରୁଥିବା ଶୁଖାଯୋର ଓ କଟିଙ୍ଗ ପୋଲ ଉପରେ ୪ ଫୁଟ୍ ପାଣି

ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର  ଭୋର୍ ସମୟରେ ତାଙ୍କୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଦୁର୍ଦ୍ଦଶା। ମୃତଦେହ ଘରକୁ ନେବା ପାଇଁ ନା ଶବବାହକ ଗାଡ଼ି ମିଳିଲା, ନା ପ୍ରଶାସନ ପକ୍ଷରୁ କୌଣସି ସହାୟତା। ବହୁ ଚେଷ୍ଟା ପରେ ମଧ୍ୟ କୌଣସି ବ୍ୟବସ୍ଥା ନ ହେବାରୁ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍‌ରେ ପତ୍ନୀଙ୍କ ମୃତଦେହକୁ ବୋହି ଗ୍ରାମକୁ ଫେରିଥିଲେ।

ମୌଳିକ ସ୍ୱାସ୍ଥ୍ୟ ସେବା ଏବେ ବି ଅପହଞ୍ଚ

ନରେଶଙ୍କ କହିବା କଥା, “ମୋତେ ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡ଼ି କିଛି ମିଳିଲାନି। ବାଧ୍ୟ ହୋଇ ବାଇକ୍‌ରେ ମୋ ପତ୍ନୀଙ୍କ ମୃତଦେହକୁ ଘରକୁ ନେଉଛି।”ଏହି ଘଟଣା ସ୍ପଷ୍ଟ କରୁଛି ଯେ, ମୌଳିକ ସ୍ୱାସ୍ଥ୍ୟ ସେବା ଓ ମୃତଦେହ ପରିବହନ ଭଳି ଅତ୍ୟାବଶ୍ୟକ ସୁବିଧା ଅନେକ ଅଞ୍ଚଳରେ ଏବେ ମଧ୍ୟ ଅପହଞ୍ଚ। ସରକାରଙ୍କ ବିକାଶ ଦାବି ଓ ବାସ୍ତବ ସ୍ଥିତି ମଧ୍ୟରେ ଥିବା ବ୍ୟବଧାନକୁ ଏହି ଘଟଣା ପୁଣିଥରେ ଉଜାଗର କରିଛି। ଏଭଳି ଘଟଣା କେବଳ ଜଣେ ପରିବାରର ଦୁଃଖ ନୁହେଁ, ବରଂ ସମଗ୍ର ବ୍ୟବସ୍ଥା ପାଇଁ ଏକ ଗମ୍ଭୀର ସତର୍କ ସଙ୍କେତ। ସ୍ଥାନୀୟ ଲୋକେ ଏହି ଘଟଣାର ଜବାବଦେହିତା ନିର୍ଦ୍ଧାରଣ ସହ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.