ARTICLE AD BOX
ନୂଆଦିଲ୍ଲୀ: ଜୀ ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଦେୟ ମାମଲା ଏବେ ନୂଆ ମୋଡ଼ ନେଇଛି। ପ୍ରାୟ ୨୨,୦୦୬ କୋଟି ଟଙ୍କାର ଦାବି ବିରୋଧରେ ମାତ୍ର ୬.୨୫ କୋଟି ଟଙ୍କା ପରିଶୋଧ କରିବାକୁ ଥିବା ଯୋଜନାକୁ ଜାତୀୟ କମ୍ପାନି ଲ ଟ୍ରିବ୍ୟୁନାଲ ଅନୁମୋଦନ କରିଥିଲା। ଏହାକୁ ନେଇ ଏଚଡିଏଫସି ବ୍ୟାଙ୍କ୍ ଓ ଏଲଆଇସି ହାଉସିଂ ଫାଇନାନ୍ସ ଉଚ୍ଚ ଟ୍ରିବ୍ୟୁନାଲ୍ରେ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତେବେ ୨୨,୦୦୬ କୋଟି ଟଙ୍କା ଚନ୍ଦ୍ରଙ୍କ ବ୍ୟକ୍ତିଗତ ଋଣ ନୁହେଁ। ଏସେଲ୍/ଜି ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ କମ୍ପାନି ନେଇଥିବା ଋଣ ପାଇଁ ଚନ୍ଦ୍ର ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। କମ୍ପାନିଗୁଡ଼ିକ ଋଣ ପରିଶୋଧରେ ବିଫଳ ହେବା ପରେ ଋଣଦାତାମାନେ ତାଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି ଆଧାରରେ ଦାବି କରିଥିଲେ। ଅନ୍ୟପଟେ, ମୂଳ ଋଣଗ୍ରହୀତା କମ୍ପାନିଗୁଡ଼ିକ ପକ୍ଷରୁ ପ୍ରାୟ ୧,୪୯୪ କୋଟି ଟଙ୍କା ପରିଶୋଧ କରିବାର ପ୍ରସ୍ତାବ ରହିଛି। ଏହି ଋଣ ପରିଶୋଧ ଯୋଜନାକୁ ଅନେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଆପତ୍ତି ଉଠାଇଛନ୍ତି।
୨୨,୦୦୬ କୋଟି ଟଙ୍କା ଚନ୍ଦ୍ରଙ୍କ ବ୍ୟକ୍ତିଗତ ଋଣ ନୁହେଁ
ଏଲଆଇସି ହାଉସିଂ ଫାଇନାନ୍ସର ପ୍ରାୟ ୧,୩୨୨.୩୯ କୋଟି ଟଙ୍କାର ଦାବି ଥିବାବେଳେ ଏହାକୁ ମାତ୍ର ୩୮.୦୯ ଲକ୍ଷ ଟଙ୍କା ମିଳିବାର ପ୍ରସ୍ତାବ ରହିଛି। ଅନ୍ୟ ବ୍ୟାଙ୍କ୍ ମଧ୍ୟ ଏହି ଯୋଜନାକୁ ବିରୋଧ କରିଥିଲେ। ତଥାପି କମିଟି ଅଫ୍ କ୍ରେଡିଟରର ୮୦.୮% ଭୋଟ୍ ଏହା ସପକ୍ଷରେ ରହିଥିଲା। `ଟ୍ରିବ୍ୟୁନାଲଙ୍କ ମତରେ, ଚନ୍ଦ୍ରଙ୍କ ବ୍ୟକ୍ତିଗତ ସମ୍ପତ୍ତି ଓ ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ପ୍ରସ୍ତାବିତ ୬.୨୫ କୋଟି ଟଙ୍କା ଆଦାୟ କରିବା ହିଁ ବାସ୍ତବିକ ବିକଳ୍ପ ବୋଲି ବିଚାର କରାଯାଇଥିଲା। ତେବେ ଋଣଦାତାମାନେ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି। ଏଚଡି ଏଫ ସି ବ୍ୟାଙ୍କ୍ ଓ ଏଲଆଇସି ହାଉସିଂ ଫାଇନାନ୍ସ ଟ୍ରିବ୍ୟୁନାଲରେ ଆବେଦନ କରିବାକୁ ବିଚାର କରୁଥିବାରୁ ଏହି ମାମଲା ଆଗକୁ ଆହୁରି ଆଇନଗତ ମୋଡ଼ ନେବା ସମ୍ଭାବନା ରହିଛି।

2 weeks ago
6


