Google DeepMind Researcher: ୫ ବର୍ଷ ମଧ୍ୟରେ ଏଆଇରୁ ବଡ଼ କ୍ଷତିର ଆଶଙ୍କା

2 days ago 1
ARTICLE AD BOX

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବିକାଶ ମାନବ ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇ ଗୁଗୁଲ୍‌ ଡିପ୍‌ମାଇଣ୍ଡ୍‌ର ଜଣେ ଏଆଇ ସୁରକ୍ଷା ଗବେଷକ ଇସ୍ତଫା ଦେଇଛନ୍ତି। ଡିପ୍‌ମାଇଣ୍ଡ୍‌ର ଆର୍ଟିଫିସିଆଲ୍‌ ଜେନେରାଲ୍‌ ଇଣ୍ଟେଲିଜେନ୍ସ (ଏଜିଆଇ) ସୁରକ୍ଷା ଟିମ୍‌ରେ କାମ କରୁଥିବା ଜୋଶ୍‌ ଏଙ୍ଗେଲ୍ସ ପ୍ରାୟ ୩ ସପ୍ତାହ ତଳେ କମ୍ପାନି ଛାଡ଼ିଛନ୍ତି। ସେ ଏବେ ଏଆଇ ସୁରକ୍ଷା ଓ ମୂଲ୍ୟାଙ୍କନ କରୁଥିବା ସଂସ୍ଥା ଏମ୍‌ଇଟିଆର୍‌ରେ ଯୋଗ ଦେଇଛନ୍ତି। ଏଙ୍ଗେଲ୍ସ ଏକ୍ସରେ ଲେଖିଛନ୍ତି ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଏଆଇ ବ୍ୟାପକ କ୍ଷତି କରିବାର ‘ଭୟଙ୍କର ସମ୍ଭାବନା’ ରହିଛି।

ଏଙ୍ଗେଲ୍ସ କହିଛନ୍ତି, ସେ ଡିପ୍‌ମାଇଣ୍ଡ୍‌ରେ କରୁଥିବା କାମକୁ ପସନ୍ଦ କରୁଥିଲେ। ଏପରିକି ଆନ୍ଥ୍ରୋପିକ୍‌ ଓ ଓପନ୍‌ଏଆଇରୁ ମିଳିଥିବା ଚାକିରି ପ୍ରସ୍ତାବକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଉନ୍ନତ ଏଆଇକୁ ନେଇ ବିପଦ କେତେ ବଢ଼ିଛି ବୋଲି ତାଙ୍କର ମୂଲ୍ୟାଙ୍କନ ହିଁ ଇସ୍ତଫାର ମୁଖ୍ୟ କାରଣ। ତାଙ୍କ ମତରେ ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ସେହି ଅନୁପାତରେ ଏହାକୁ ମଣିଷର ଲକ୍ଷ୍ୟ ଓ ନିୟନ୍ତ୍ରଣ ସହ ସୁରକ୍ଷିତ ଭାବେ ମେଳ କରିବାର ବ୍ୟବସ୍ଥା ବିକଶିତ ହୋଇନାହିଁ। ତେଣୁ ଏଆଇର ବିକାଶକୁ କିଛି ସମୟ ପାଇଁ ଧୀର କରି ସୁରକ୍ଷା ଗବେଷଣାକୁ ଅଧିକ ସମୟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଙ୍ଗେଲ୍ସଙ୍କ ମୁଖ୍ୟ ଚିନ୍ତାର ବିଷୟ ହେଉଛି ‘ରିକର୍ସିଭ୍‌ ସେଲ୍ଫ୍‌-ଇମ୍ପ୍ରୁଭ୍‌ମେଣ୍ଟ’। ଏହାର ଅର୍ଥ ହେଲା ଏଆଇ ନିଜେ ଆହୁରି ଉନ୍ନତ ଏଆଇ ପ୍ରଣାଳୀ ତିଆରି କରିବା କିମ୍ବା ନିଜର କ୍ଷମତା ବଢ଼ାଇବାରେ ସକ୍ଷମ ହେବା। ଏପରି ପ୍ରକ୍ରିୟା ଆରମ୍ଭ ହେଲେ ଏଆଇର କ୍ଷମତା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ିପାରେ। କିନ୍ତୁ ସେତେବେଳେ ଏହା ମଣିଷର ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି କି ନାହିଁ, ତାହା ନିଶ୍ଚିତ କରିବାର ବ୍ୟବସ୍ଥା ଗବେଷକମାନଙ୍କ ପାଖରେ ଏବେ ନାହିଁ ବୋଲି ସେ କହିଛନ୍ତି।

ଗୁଗୁଲ୍‌ ଡିପ୍‌ମାଇଣ୍ଡ୍‌ର ଗବେଷକଙ୍କ ଇସ୍ତଫା; କହିଲେ, ଏଆଇ ସୁରକ୍ଷା ପାଇଁ ଆହୁରି ସମୟ ଲାଗିବ

ଏଆଇ ମଡେଲ୍‌ଗୁଡ଼ିକରେ ପରସ୍ପର ସହ ମିଶି କାମ କରିବା, ଅନୁମତି ନଥିବା କମ୍ପ୍ୟୁଟର ବ୍ୟବସ୍ଥାରେ ପ୍ରବେଶ କରିବା, ନିଜର କାର୍ଯ୍ୟକଳାପ ଲୁଚାଇବା ଓ ମଣିଷକୁ ପ୍ରଭାବିତ କରିବା ଭଳି ବ୍ୟବହାର ସମ୍ପର୍କରେ ନିକଟରେ କିଛି ଘଟଣା ସାମ୍ନାକୁ ଆସିଛି। ଏଙ୍ଗେଲ୍ସଙ୍କ ମତରେ ଏହି ଘଟଣାଗୁଡ଼ିକ ଏକାକୀ ବଡ଼ ବିପଦ ନ ହୋଇପାରେ, କିନ୍ତୁ ଅଧିକ ସ୍ୱୟଂଚାଳିତ ଓ ଶକ୍ତିଶାଳୀ ହେଉଥିବା ଏଆଇକୁ ନେଇ ଗୁରୁତର ପ୍ରଶ୍ନ ଉଠୁଛି। ଡିପ୍‌ମାଇଣ୍ଡ୍‌ ଛାଡ଼ିବା ପରେ ଏମ୍‌ଇଟିଆର୍‌ରେ ଏଙ୍ଗେଲ୍ସ ଏଆଇର ‘ମିସ୍‌ଆଲାଇନ୍‌ମେଣ୍ଟ୍‌’ ବା ମଣିଷର ଉଦ୍ଦେଶ୍ୟଠାରୁ ଏଆଇର ବ୍ୟବହାର ଅଲଗା ହେବାର କାରଣ ଉପରେ ଗବେଷଣା କରିବେ। ତାଙ୍କ ଇସ୍ତଫାର କିଛି ଦିନ ପୂର୍ବରୁ ଆନ୍ଥ୍ରୋପିକ୍‌ର ଗବେଷକ ଜାକବ୍‌ କକ୍ସନ୍‌ ମଧ୍ୟ ଏଆଇ ବିପଦକୁ ନେଇ ଚାକିରି ଛାଡ଼ିଥିଲେ। ଏହା ସହ ଆନ୍ଥ୍ରୋପିକ୍‌ର ସିଇଓ ଡାରିଓ ଆମୋଦେଇ ମଧ୍ୟ ଫ୍ରଣ୍ଟିଅର୍‌ ଏଆଇର ବିକାଶ ଗତିକୁ ଧୀର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଫଳରେ ଏଆଇର ବିକାଶ ସହ ଏହାର ସୁରକ୍ଷା ନେଇ ଚିନ୍ତା ଏବେ ଅଧିକ ଚର୍ଚ୍ଚାରେ ରହିଛି।

ଏସୀୟ କ୍ରୀଡ଼ା: ନୂଆ ମୁହଁ, ୭୦୨ କୋଟିର ପୁଞ୍ଜି ବିନିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.