Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

3 days ago 1
ARTICLE AD BOX

ଯାଜପୁର: ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ କୃଷି କ୍ଷେତ୍ର ଜଳ ପ୍ଳାବିତ ହୋଇଅଛି। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟା  ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟର ପ୍ରତ୍ୟେକ୍ଷ ତଦାରଖ କରୁଛନ୍ତି। ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳରେ ବହୁ ପଞ୍ଚାୟତ ଜଳବନ୍ଦୀ ରହିଥିବାରୁ, କେହି ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସମସ୍ତ ଅଫିସରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନଦୀକୂଳିଆ ଓ ତଳିଆ ଅଞ୍ଚଳରୁ  ଲୋକଙ୍କୁ ସୁରକ୍ଷିତ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଥିବା ବେଳେ ସେଠାରେ ଶୁଖିଲା ଖାଦ୍ୟ,ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରଦାନ କରାଯାଉଛି । ଅବକାରୀ ବିଭାଗ କମିସନର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ଆଜି ବିଂଝାରପୁର ଓ ବଡ଼ଚଣା ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ  ପଞ୍ଚାୟତ  ପରିଦର୍ଶନ କରିବା ସହ ସ୍ଥାନୀୟ ବିଧାୟକ, ନୋଡାଲ ଅଫିସର, ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳ ଆଜି ଦଶରଥପୁର ବ୍ଲକ ବନ୍ୟାଞ୍ଚଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

WhatsApp Image 2026-07-31 at 20.15.20

ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୦୮ ଟି ବ୍ଲକ୍ ଯଥା: ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ବ୍ଲକ୍ ପ୍ରଭାବିତ ହୋଇଛି। ସମୁଦାୟ ୧୧୧ଟି ଗ୍ରାମପଞ୍ଚାୟତ, ୩୨୮ଟି ଗ୍ରାମ ଓ ଯାଜପୁର ମ୍ୟୁନସିପାଲିଟି ପ୍ରଭାବିତ ହୋଇଛି। ୦୧ ଗୋଟି ୱାର୍ଡ ପ୍ରଭାବିତ ହୋଇଛି। ୧,୯୩,୭୮୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୯,୧୯୭ ଜଣଙ୍କୁ ଉଦ୍ଧାର କରାଯାଇ ୧୬୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୧୩୧ ଟି ରିଲିଫ ସେଣ୍ଟର୍ ରେ  ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ ୫୨,୮୩୭ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ, ୨୫,୦୮୧.୩ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟା ଜଳ ଯୋଗେ  ପ୍ରଭାବିତ ହୋଇଛ।  

Heavy Rain: ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ

WhatsApp Image 2026-07-31 at 20.15.19

୬୪୭.୨ କ୍ୱିଣ୍ଟାଲ୍ ଚୁଡ଼ା, ୧୦୬.୭୧ କ୍ୱିଣ୍ଟାଲ୍ ଗୁଡ଼ ୧୭୨ ଟି ପଲିଥିନ୍ ରୋଲ୍, ୭୫ କେ.ଜି ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ୩୦୦ ପ୍ୟାକେଟ୍ ଦିଆସିଲି ଏବଂ ୩୦୦ ପ୍ୟାକେଟ୍ ମହମବତୀ ବଣ୍ଟା ସରିଛି। ୦୮ ଟି ମେଡିକାଲ ଟିମ୍ ନିୟୋଜିତ ହୋଇଥିବା ବେଳେ ୦୪ ଟି ଭେଟେନାରି ଟିମ୍ ନିୟୋଜିତ କରାଯାଇଛି। ୦୧ ଟି ଏନ୍.ଡି.ଆର୍.ଏଫ୍ ଟିମ୍, ୦୬ ଟି ଓଡ଼୍ରାଫ୍ ଟିମ୍ ଏବଂ ୧୨ ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ କରାଯାଇଛି। ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ବି ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଅପରାହ୍ନ ୪ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୭.୮୩ ମିଟର (ବିପଦ ସଙ୍କେତ ୧୮.୩୩ ମିଟର) ଏବଂ ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୬୦.୧୦ ଫୁଟ (ବିପଦ ସଙ୍କେତ ୬୭ ଫୁଟ) ରହିଛି।

ଆଜିର ଗଜ୍ ରିପୋର୍ଟ ଅନୁଯାୟୀ, ବୈତରଣୀ ନଦୀର ଜଳସ୍ତର ଦଶରଥପୁରଠାରେ ବିପଦ ସଙ୍କେତ (୯.୫୨ ମି.) ଅତିକ୍ରମ କରି ସନ୍ଧ୍ୟା ୫ଟା ସୁଦ୍ଧା ୧୦.୧୩ ମିଟରରେ ପ୍ରବାହିତ ହେଉଛି। ଅନ୍ୟପଟେ, ଆନନ୍ଦପୁର (୩୫.୫୦ ମି.), ଆଖୁଆପଦା (୧୭.୭୮ ମି.) ଏବଂ ବଲ୍ଲଭୀଘାଟ (୧୨.୦୦ ମି.) ଠାରେ ଜଳସ୍ତର ସ୍ଥିର ରହିବା ସହ ଧୀରେ ଧୀରେ ହ୍ରାସ ପାଉଛି। ଖରସ୍ରୋତା ନଦୀର କମଳପୁର (୧୧.୨୮ ମି.), ବିଞ୍ଝାରପୁର (୯.୨୮ ମି.) ଏବଂ ସିଂହପୁର (୬.୫୪ ମି.) ପଏଣ୍ଟରେ ଜଳସ୍ତର ନିୟନ୍ତ୍ରଣରେ ରହିବା ସହ ବିପଦ ସଙ୍କେତ ତଳେ ରହିଛି। ସେହିପରି ବ୍ରାହ୍ମଣୀ ନଦୀର ଜେନାପୁରଠାରେ ଜଳସ୍ତର ୬୦.୧୦ ଫୁଟ ରହିଛି, ଯାହା ବିପଦ ସଙ୍କେତ (୬୭.୦୦ ଫୁଟ) ଠାରୁ ଯଥେଷ୍ଟ କମ୍।

Read Entire Article
LEFT SIDEBAR AD

Hidden in mobile, Best for skyscrapers.