ARTICLE AD BOX
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏକ ସାର୍ବଜନୀନ ପେନ୍ସନ୍ ଯୋଜନା ଉପରେ କାମ କରୁଛି। ଇପିଏଫ୍ଓ ୩.୦ ଅଧୀନରେ ଏହାକୁ ବିକାଶ କରାଯାଉଛି। ଏହାର ଲାଭ କେବଳ ବେତନଭୋଗୀ କର୍ମଚାରୀ ନୁହେଁ, ବରଂ ସବୁ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ମଧ୍ୟ ମିଳିବ। ବିଶେଷ କରି ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକମାନେ ଏହା ଦ୍ବାରା ଉପକୃତ ହେବେ। ବର୍ତ୍ତମାନ ସମୟରେ ଏହି ଯୋଜନା କେବଳ ବିଚାରବିମର୍ଶ ସ୍ତରରେ ରହିଛି। ଏହା ଉପରେ ସରକାର କୌଣସି ଠୋସ୍ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଯଦି ଏହି ଯୋଜନା ଲାଗୁ ହେବ ତେବେ ଦେଶର ପେନ୍ସନ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। କର୍ମଚାରୀ ଓ ଶ୍ରମିକମାନେ ବିଭିନ୍ନ ଉତ୍ସରୁ ହେଉଥିବା ଆୟରୁ ଏଥିପାଇଁ ଅବଦାନ ଦେଇପାରିବେ ଏବଂ ଏକ ବୃହତ୍ ଅବସରକାଳୀନ ପାଣ୍ଠି ଗଠନ କରିବାର ସୁଯୋଗ ପାଇପାରିବେ।
ଖାତାରେ ଜମା ହୋଇରହିବ
ଏହି ଯୋଜନା ଏକ ଅବଦାନ ଆଧାରିତ ପେନ୍ସନ୍ ଯୋଜନା ହେବ। ଏଥିରେ କର୍ମଚାରୀ ବା ଶ୍ରମିକମାନେ ଯେଉଁ ମାସିକ ଅବଦାନ ରାଶି ପ୍ରଦାନ କରିବ ତାହା ଇପିଏଫ୍ ଭଳି ଖାତାରେ ଜମା ହୋଇରହିବ। ସେହି ଜମାରାଶିକୁ ସରକାରୀ ପ୍ରତିଭୂତ୍ତିରେ ନିବେଶ କରାଯିବ ଓ ପ୍ରତିବର୍ଷ ସୁଧ ଟଙ୍କା ଖାତାରେ ଜମା କରାଯିବ। ଅବସର ବୟସ ହେବା ପରେ ସେହି ଟଙ୍କା ପାଇବା ପାଇଁ ସଦସ୍ୟମାନଙ୍କୁ ଦୁଇ ପ୍ରକାର ବିକଳ୍ପ ମିଳିବ। ପ୍ରଥମ ବିକଳ୍ପଟି ହେଉଛି ନିୟମିତ ପେନ୍ସନ୍। ଦ୍ବିତୀୟ ବିକଳ୍ପଟି ହେଉଛି ସିଷ୍ଟମେଟିକ୍ ୱିଥଡ୍ରଆଲ ପ୍ଲାନ୍। ଏଥିରେ ନିୟମିତ ବ୍ୟବଧାନରେ ଖାତାରୁ ଟଙ୍କା ଉଠାଇବାର ସୁବିଧା ମିଳିବ।
Pakistan Army: ଘୃଣାର ରହସ୍ୟ ଖୋଲିଲେ ଆମେରିକୀୟ ବିଶେଷଜ୍ଞ
ଏହି ଯୋଜନାର ଆଉ ଏକ ଲାଭ ହେଉଛି ସଦସ୍ୟମାନେ ନିଜ ଅବସର ନେଇ ଆଗୁଆ ଯୋଜନା କରିପାରିବେ ଓ ସେହି ଅନୁସାରେ ଯେତିକି ଅବଦାନ ରାଶି ଦରକାର ତାହା ଦେଇପାରିବେ। ଏଥିରେ ବୟସ ଅଧିକ ହୋଇଯାଇଥିବା ଲୋକମାନେ ଉପକୃତ ହେବେ। ସେମାନେ ନିର୍ଦ୍ଦିଷ୍ଟ ଏକ ଅବଧି ପାଇଁ ଯୋଗଦାନ ରାଶି ଦେଇ ପେନ୍ସନ୍ ଭଳି ସୁବିଧା ପାଇପାରିବେ। ଏହି ଯୋଜନାରେ କର୍ମଚାରୀ ଓ ଶ୍ରମିକମାନେ ନିଜେ ଅବଦାନ ଦେଇପାରିବେ, ନିଯୁକ୍ତିଦାତା ତାଙ୍କ ପାଇଁ ଟଙ୍କା ଦେଇପାରିବେ, ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଇଁ ସରକାର ଟଙ୍କା ଦେଇପାରିବେ, ଗିଗ୍ ଶ୍ରମିକମାନଙ୍କ ପାଇଁ ଅନ୍ଲାଇନ୍ ସଂସ୍ଥା ଟଙ୍କା ଦେଇପାରିବେ, ସିଏସ୍ଆର୍ ଟଙ୍କା ବି ଖର୍ଚ୍ଚ ହୋଇପାରିବ ଏବଂ ଏନ୍ଜିଓ ଓ ଦାତବ୍ୟ ଅନୁଷ୍ଠାନ ବି ଟଙ୍କା ଦେଇପାରିବେ।

1 week ago
8


