ARTICLE AD BOX
ବ୍ରହ୍ମପୁରର ସୁନୀତା ନାୟକ। ପେସାରେ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ସେ କେବଳ ଶ୍ରେଣୀଗୃହ ମଧ୍ୟରେ ନିଜ କର୍ତ୍ତବ୍ୟକୁ ସୀମିତ ରଖିନାହାନ୍ତି। ବରଂ ଶିକ୍ଷା, ସମାଜସେବା ଓ ପରିବେଶ ସୁରକ୍ଷା ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ୨୦୨୧ ମସିହାରୁ ସରକାରୀ ଶିକ୍ଷୟିତ୍ରୀ ଭାବେ ନିଜ କର୍ତ୍ତବ୍ୟ ପାଳନ ସହ ସୁନୀତା ସମାଜସେବା ଓ ପରିବେଶ ସୁରକ୍ଷାକୁ ନିଜ ଜୀବନର ଏକ ଅଭିନ୍ନ ଅଂଶ କରିନେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଜଣେ ଶିକ୍ଷକଙ୍କ ଦାୟିତ୍ୱ କେବଳ ଶ୍ରେଣୀଗୃହରେ ପାଠ ପଢ଼ାଇବାରେ ସୀମିତ ନୁହେଁ; ବରଂ ସମାଜକୁ ଠିକ୍ ଦିଗ ଦେଖାଇବା, ମାନବିକ ମୂଲ୍ୟବୋଧ ଜାଗ୍ରତ କରିବା ଏବଂ ସକାରାତ୍ମକ ପରିବର୍ତ୍ତନର ବାର୍ତ୍ତା ବହନ କରିବା ମଧ୍ୟ ତାଙ୍କର କର୍ତ୍ତବ୍ୟ। ଏହି ଆଦର୍ଶକୁ ସାମ୍ନାରେ ରଖି ସେ ବ୍ରହ୍ମପୁରର ବିଭିନ୍ନ ବସ୍ତି ଅଞ୍ଚଳରେ ପହଞ୍ଚି ଆର୍ଥିକ ଭାବେ ଦୁର୍ବଳ ପିଲାମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଶିକ୍ଷାର ଗୁରୁତ୍ୱ ବୁଝାଇବା ପାଇଁ ଘରେ ଘରେ ଯାଇ ସଚେତନ କରୁଛନ୍ତି। ଏହା ବ୍ୟତୀତ ବସ୍ତି ଅଞ୍ଚଳରେ ଲୋକମାନଙ୍କୁ ଏକାଠି କରି ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରନ୍ତି।
ଜଳବାୟୁ ପରିବର୍ତ୍ତନର ଗୁରୁତ୍ୱକୁ ଅନୁଭବ କରି ସୁନୀତା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାମାଜିକ ମଞ୍ଚରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବୃକ୍ଷରୋପଣ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବା ସହ ସେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର କମାଇବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ପରିବେଶ ସୁରକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ପ୍ରଶଂସନୀୟ। ସେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବସ୍ତି ଅଞ୍ଚଳରେ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିବା ସହ ନିଶୁଳ୍କ ସାନିଟାରି ପ୍ୟାଡ୍ ବଣ୍ଟନ କରୁଛନ୍ତି। ଏହା ମାଧ୍ୟମରେ ସେ ଅନେକ କିଶୋରୀ ଓ ମହିଳାଙ୍କ ମନରୁ ସଂକୋଚ ଦୂର କରି ସେମାନଙ୍କୁ ସ୍ୱାସ୍ଥ୍ୟବିଧି ପ୍ରତି ସଚେତନ କରିପାରିଛନ୍ତି।
Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ମନଇଚ୍ଛା କର୍ଡନ୍ ପାସ୍ ଦିଅନି’
ସେ ନିଜର ବେତନର କିଛି ଅଂଶ ସମାଜସେବା ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟରେ ବ୍ୟୟ କରୁଛନ୍ତି। ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱବୋଧ ପ୍ରତି ସର୍ବଦା ପ୍ରେରିତ କରିଆସୁଛନ୍ତି। ସମୁଦ୍ର ଉପକୂଳ ସଫେଇ ଅଭିଯାନରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ସେ ଓ ତାଙ୍କ ଦଳ ୫,୫୦୦ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲର ଠିପି ସଂଗ୍ରହ କରି ‘ସାତ୍ତ୍ୱିକ ୱିଙ୍ଗ’ ଓ ‘ଡିଭାଇନ୍ ୱାଲ୍’ ନିର୍ମାଣ କରିଥିଲେ। ଏହି ଅଭିନବ ଓ ପରିବେଶଧର୍ମୀ ପଦକ୍ଷେପ ପାଇଁ ସେମାନେ ‘ନ୍ୟାସ୍ନାଲ ବୁକ୍ ଅଫ୍ ରେକର୍ଡସ୍’ ଏବଂ ‘ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇଛନ୍ତି। ସୁନୀତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ, ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ିବା। ସେଥିପାଇଁ ସେ ବର୍ତ୍ତମାନ ପିଢ଼ିକୁ ପରିବେଶ ସୁରକ୍ଷା, ସାମାଜିକ ଦାୟିତ୍ୱ ଓ ମାନବିକ ମୂଲ୍ୟବୋଧ ପ୍ରତି ସଚେତନ କରିବାରେ ନିରନ୍ତର ପ୍ରୟାସରତ।

3 weeks ago
11


