ARTICLE AD BOX
ସମ୍ବଲପୁର: ସମ୍ବଲପୁର ସଦର ଥାନା ପୁଲିସ ସହ ଗୁଳି ବିନିମୟରେ ସୁନାପାଲିର ଅଭିଯୁକ୍ତ ମହମ୍ମଦ ଇରଫାନ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଚିକିତ୍ସା ପାଇଁ ତାକୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଡକାୟତି, ଲୁଟ୍, ଆଲୁମିନିୟମ ତାର ଚୋରି, ଘର ଭାଙ୍ଗି ଚୋରି ଓ ନିଶାଦ୍ରବ୍ୟ ସମେତ ୨୪ରୁ ଅଧିକ ଅପରାଧିକ ମାମଲାରେ ଇରଫାନ ସମ୍ପୃକ୍ତ ଥିବା ପୁଲିସ କହିଛି।
ପୁଲିସ ସୂଚନା ଅନୁସାରେ ରବିବାର ଭୋର ପ୍ରାୟ ୫ଟା ୪୫ ମିନିଟ୍ରେ ଇରଫାନ ଓ ତାର ୨ ସହଯୋଗୀ ଏକ କଳା ରଙ୍ଗର ବଜାଜ ପଲସର ବାଇକ୍ (ନଂ. OD-15-AB-3674)ରେ ଯାଉଥିଲେ। ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍ର ସୁଡୁଙ୍ଗା ଜଙ୍ଗଲ ନିକଟରେ ସଦର ପୁଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ୨ ଜଣଙ୍କୁ କାବୁ କରିଥିବାବେଳେ ଇରଫାନ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା।
ପୁଲିସ କହିଛି ଫେରାର୍ ମାରିବା ସମୟରେ ଇରଫାନ ପୁଲିସ ଟିମ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ନିୟନ୍ତ୍ରିତ ଭାବେ ପାଲଟା ଗୁଳି ଚଳାଇଥିଲା। ଏଥିରେ ଇରଫାନର ବାମ ଗୋଡ଼ରେ ଗୁଳି ବାଜିଥିଲା। ପୁଲିସ ସୂଚନା ଅନୁସାରେ ଇରଫାନ ୩ ରାଉଣ୍ଡ ଗୁଳି ଚଳାଇଥିବାବେଳେ ପୁଲିସ ପକ୍ଷରୁ ୨ ରାଉଣ୍ଡ ଗୁଳି ଚଳାଯାଇଥିଲା।
ଘଟଣାସ୍ଥଳରୁ ଏକ ପିସ୍ତଲ, ଗୁଳି ଓ ୩ଟି ଖାଲି କାର୍ଟ୍ରିଜ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକ୍କୁ ମଧ୍ୟ ପୁଲିସ ଜବତ କରିଛି। ଆହତ ଇରଫାନକୁ ତୁରନ୍ତ ବୁର୍ଲା ଭିମସାରକୁ ନିଆଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

4 days ago
9


