ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ମୋହନା ବ୍ଲକ୍ ରଙ୍ଗମାଟିଆ ଗ୍ରାମରେ ଦୀର୍ଘ ବର୍ଷ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ଏକ ଘରୋଇ ଛାତ୍ରାବାସ 'ହାପି ଚାଇଲ୍ଡ ହୋମ୍' ଉପରେ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂସ୍ଥାକୁ ସିଲ୍ କରିଦେଇଛି। ଚଢ଼ାଉ ବେଳେ ସେଠାରୁ ୭୨ ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ସମ୍ପୃକ୍ତ ସଂସ୍ଥାରେ ସରକାରୀ ନିୟମାବଳୀ ଉଲ୍ଲଂଘନ କରି ଛାତ୍ରୀମାନଙ୍କୁ ଅସୁରକ୍ଷିତ ପରିବେଶରେ ରଖାଯାଉଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ସଂସ୍ଥା କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ ଆଜି ମୋହନା ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ ଓ ପୋଲିସର ମିଳିତ ଟିମ୍ ଚଢ଼ାଉ କରି ସଂସ୍ଥାକୁ ସିଲ୍ କରାଯାଇଛି।
ହଷ୍ଟେଲ କର୍ତ୍ତୃପକ୍ଷ ନିଜ ପକ୍ଷ ରଖି କହିଛନ୍ତି ଯେ, ସେମାନେ ଦୀର୍ଘ ବର୍ଷ ଧରି ଶିଶୁମାନଙ୍କୁ ରଖି ପାଠପଢ଼ାର ବ୍ୟବସ୍ଥା କରୁଥିଲେ ଏବଂ ପ୍ରଶାସନର ନିଷ୍ପତ୍ତି ନେଇ ନିଜର ମତ ମଧ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଶିଶୁମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
B.Tech student: ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି, ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରୀଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବ। ସେମାନଙ୍କ ପାଠପଢ଼ା, ରହଣି, ଯତ୍ନ ଓ ସୁରକ୍ଷାରେ କୌଣସି ବାଧା ଆସିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନ ଦିଆଯାଇଛି। ଏହି ଚଢ଼ାଉ ସମୟରେ ମୋହନା ତହସିଲଦାର ଚକ୍ରଧର ପାଢ଼ୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଶାରଳା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଲୋମନ ରାଇକା , ଶିଶୁ ମଙ୍ଗଳ ଅଧିକାରୀ ଅମିୟ ତ୍ରିପାଠୀ, ସୁନିତା ରଥ, ମନୋଜ ସାବତ ଙ୍କ ସମେତ ମୋହନା ଓ ଅଡବା ପୋଲିସର ଅଧିକାରୀ ଓ କର୍ମଚାରୀ ମାନେଉପସ୍ଥିତ ଥିଲେ।

3 weeks ago
11


