Editorial: ରାମରାଜ୍ୟ: କଥା ଓ ବାସ୍ତବତା: ଗୌରଚନ୍ଦ୍ର ତ୍ରିପାଠୀଙ୍କ ସମ୍ପାଦକୀୟ ଆଶାର ଗବାକ୍ଷରେ ପଢ଼ନ୍ତୁ ଏଥର...

3 days ago 1
ARTICLE AD BOX

ରାମରାଜ୍ୟ: କଥା ଓ ବାସ୍ତବତା

ଗୌରଚନ୍ଦ୍ର ତ୍ରିପାଠୀ
ଆଶାର ଗବାକ୍ଷ

୨୦୨୬ ମସିହା ଜୁଲାଇ ୨୦ ତାରିଖ। ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର ଏକ ଯାତନା ଶିବିରରେ ପରିଣତ ହୋଇଥିବା ପରି ମନେ ହେଲା। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଯୁବଗୋଷ୍ଠୀଙ୍କ ଉପରେ ପୁଲିସର ଲୁହବୁହା ଗ୍ୟାସ ପ୍ରୟୋଗ, ପେଲେଟ୍ ଗନ୍, ୱାଟର କ୍ୟାନନ୍ ଓ କଣ୍ଟାଯୁକ୍ତ ଠେଙ୍ଗା ମାଡ଼ର ବର୍ବରତାର ଅଭିଯୋଗ ବିଶ୍ବ ଦରବାରରେ ଆମ ଦେଶର ନାମକୁ ନିନ୍ଦିତ କଲା। ଯୁବତୀମାନଙ୍କ ସହ ଅଶାଳୀନ ଆଚରଣ ଘଟଣାସବୁ ଖାକି ପୋଷାକକୁ କଳଙ୍କିତ କଲା। କ୍ଷମତାର ଏହି ଉନ୍ମାଦ ମନରେ ପ୍ରଶ୍ନ ଉଠାଏ- ଯେଉଁ ଦେଶର ଦିଗ୍‌ବିଦିଗ୍‌ ପ୍ରଭୁ ଶ୍ରୀରାମଙ୍କ ନାମ ପ୍ରତିଧ୍ବନିତ ହେଉଛି, ସେଠି ଏହା ସମ୍ଭବ ହେଲା କେମିତି? ଆମେ ଯେଉଁ ରାମରାଜ୍ୟର ସ୍ୱପ୍ନ ଦେଖୁ, ତାହାର ପ୍ରକୃତ ସ୍ୱରୂପ କ’ଣ? ପ୍ରଭୁ ରାମଙ୍କ ନାମ ଉଚ୍ଚାରଣ କରିବା ହିଁ କ’ଣ ରାମରାଜ୍ୟ, ନା ତାଙ୍କର ମୂଲ୍ୟବୋଧକୁ ଶାସନ ଓ ସମାଜରେ ପ୍ରତିଷ୍ଠା କରିବା ମଧ୍ୟ ଜରୁରି?

ରାମାୟଣର ରାମରାଜ୍ୟ କେବଳ ଏକ ସମୃଦ୍ଧ ସାମ୍ରାଜ୍ୟ ନଥିଲା; ତାହା ଏକ ନୈତିକ ବ୍ୟବସ୍ଥା ଥିଲା ଯେଉଁଠାରେ ଶାସନ ଧର୍ମ, ନ୍ୟାୟ, କରୁଣା ଓ ଉତ୍ତରଦାୟିତ୍ବ ଉପରେ ଆଧାରିତ ଥିଲା। ରାମରାଜ୍ୟରେ ନାରୀ-ସମ୍ମାନ ରାଜଧର୍ମ ଥିଲା। ଶ୍ରୀରାମ ପ୍ରତ୍ୟେକ ମହିଳାଙ୍କୁ ଶ୍ରଦ୍ଧା ଓ ସଂଯମର ସହ ଦେଖୁଥିଲେ। ସେ ସର୍ବଦା କାମନା ପୂର୍ବରୁ ମର୍ଯ୍ୟାଦାକୁ ସ୍ଥାନ ଦେଉଥିଲେ। ସେଥିପାଇଁ ସେ ‘ମର୍ଯ୍ୟାଦା ପୁରୁଷୋତ୍ତମ’। ରାମଙ୍କ ଜୀବନ ଶାସକ ଓ ନାଗରିକ- ଉଭୟଙ୍କ ପାଇଁ ଚିରନ୍ତନ ଆଦର୍ଶ। ସେ ରାଜ୍ୟକୁ ପବିତ୍ର ଏବଂ ନିଜ ପ୍ରଜାମାନଙ୍କୁ ନିଜ ସନ୍ତାନ ଭଳି ମନେ କରୁଥିଲେ। ଏହି ଆଦର୍ଶ ଏହି କାଳଜୟୀ ସୂକ୍ତିରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି: “ପ୍ରଜାସୁଖେ ସୁଖଂ ରାଜ୍ଞଃ ପ୍ରଜାନାଂ ଚ ହିତେ ହିତମ୍”। ଅର୍ଥାତ୍‌ ପ୍ରଜାଙ୍କ ସୁଖରେ ରାଜାଙ୍କ ସୁଖ ଏବଂ ପ୍ରଜାଙ୍କ ହିତରେ ହିଁ ତାଙ୍କର ହିତ ନିହିତ। 

ଆହୁରି ପଢ଼ନ୍ତୁ- Home tips: ବର୍ଷାଦିନେ କେମିତି ଓଦା ହେବ ନାହିଁ ଲୁଣ, ଜାଣନ୍ତୁ ଏସବୁ ଘରୋଇ ଟିପ୍ସ

ଏକ ରାଷ୍ଟ୍ରର ଶକ୍ତି କେବଳ ସୁବିଧାଭୋଗୀ ଲୋକଙ୍କ ସମୃଦ୍ଧି ଦ୍ୱାରା ମପାଯାଏ ନାହିଁ, ବରଂ ସବୁଠାରୁ ଗରିବ ଓ ଅସହାୟ ନାଗରିକମାନଙ୍କୁ ମିଳୁଥିବା ସୁରକ୍ଷା, ସମ୍ମାନ ଓ ସୁଯୋଗ ଦ୍ୱାରା ମପାଯାଏ। ନୈତିକ ଆଚରଣ ରାମରାଜ୍ୟର ମୂଳଦୁଆ ଥିଲା। ବାଳିଙ୍କୁ ରାମ ଶିକ୍ଷା ଦେଇଥିଲେ ଯେ କ୍ଷମତା କେବେ ହେଲେ ଅହଂକାର କିମ୍ବା ଶୋଷଣର ଅଧିକାର ନୁହେଁ; ଏହାର ଉଦ୍ଦେଶ୍ୟ ହେଉଛି ନ୍ୟାୟର ରକ୍ଷା ଓ ସମାଜର ସେବା କରିବା। ରାମରାଜ୍ୟର ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ ଥିଲା ଏହାର ଗଣତାନ୍ତ୍ରିକ ଚେତନା। ରାମରାଜ୍ୟରେ ନ୍ୟାୟ ନିରପେକ୍ଷ ଥିଲା ଏବଂ ପ୍ରତ୍ୟେକ ବ୍ୟକ୍ତି ଆଇନର ଅଧୀନରେ ସୁରକ୍ଷିତ ଥିଲେ। ଏହା ଭେଦଭାବକୁ ପ୍ରତ୍ୟାଖ୍ୟାନ କରି ପାରସ୍ପରିକ ବିଶ୍ୱାସ ଓ କରୁଣାକୁ ପ୍ରୋତ୍ସାହିତ କରୁଥିଲା। ସାମାଜିକ ସଦ୍‌ଭାବନା ଭୟ ଦ୍ୱାରା ନୁହେଁ, ବରଂ ସମସ୍ତଙ୍କୁ ସାମିଲ କରିବା ଦ୍ୱାରା ସୃଷ୍ଟି ହୋଇଥିଲା। ଫଳସ୍ବରୂପ ପ୍ରଜାମାନେ ସୁଖ ଓ ଶାନ୍ତିରେ ବସବାସ କରୁଥିଲେ।

ମହାତ୍ମା ଗାନ୍ଧୀ ରାମରାଜ୍ୟକୁ ସତ୍ୟ, ଅହିଂସା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉପରେ ଆଧାରିତ ଏକ ଆଦର୍ଶ ଗଣତାନ୍ତ୍ରିକ ବ୍ୟବସ୍ଥା ଭାବେ ବ୍ୟାଖ୍ୟା କରିଥିଲେ। ସେ ସ୍ପଷ୍ଟ କରିଥିଲେ, “ରାମରାଜ୍ୟ କହିଲେ ମୁଁ ‘ହିନ୍ଦୁ ରାଜ୍’ ବୁଝେ ନାହିଁ। ରାମରାଜ୍ୟର ଆଦର୍ଶ ସମସ୍ତ ଧାର୍ମିକ ସୀମାରେଖାର ଊର୍ଦ୍ଧ୍ବରେ ଥିଲା। ଗୋସ୍ୱାମୀ ତୁଳସୀଦାସ, ରାମଚରିତମାନସରେ ନାଗରିକମାନେ ପାରସ୍ପରିକ ପ୍ରେମ ଏବଂ ଧାର୍ମିକ ଆଚରଣ ଦ୍ୱାରା ବାନ୍ଧି ହୋଇ ରହିଥିବାର ବର୍ଣ୍ଣନା କରି ଏହି ଦୂରଦୃଷ୍ଟିକୁ ଅଧିକ ସମୃଦ୍ଧ କରିଛନ୍ତି, “ସବୁ ନର କରହିଁ ପରସ୍ପର ପ୍ରୀତି, ଚଲହିଁ ସ୍ୱଧର୍ମ ନିରତ ଶ୍ରୁତି ନୀତି।’’ କେବଳ ବାଲ୍ମୀକି, ତୁଳସୀଦାସ କିମ୍ବା ଗାନ୍ଧୀ ନୁହନ୍ତି, ଭାରତର ପ୍ରାୟ ସମସ୍ତ ଆଞ୍ଚଳିକ ରାମାୟଣ ଏହି ମାନବିକ ଦୃଷ୍ଟିକୋଣକୁ ସମର୍ଥନ କରିଛନ୍ତି। କମ୍ବନଙ୍କ ‘ରାମାବତାରମ୍’ରେ ଅତ୍ୟଧିକ ସମ୍ପତ୍ତି କିମ୍ବା ଦାରିଦ୍ର୍ୟ ବିହୀନ ଏକ ସମାଜର କଳ୍ପନା କରାଯାଇଥିଲା; କୃତ୍ତିବାସଙ୍କ ‘ରାମାୟଣ’ ସମସ୍ତଙ୍କ ପାଇଁ ସମାନ ପ୍ରେମ ଉପରେ ଗୁରୁତ୍ୱ ଦେଇଥିଲା; ମୋଲ୍ଲାଙ୍କ ‘ରାମାୟଣମ୍’ କରୁଣା ଏବଂ ସବୁଠାରୁ ଦୁର୍ବଳ ବ୍ୟକ୍ତିର ସ୍ୱର ଶୁଣିବାର ଅଧିକାରକୁ ସମର୍ଥନ କରିଥିଲା; ସେହିପରି ଓଡ଼ିଶାର ‘ଦାଣ୍ଡୀ ରାମାୟଣ’ ଓ ‘ବିଚିତ୍ର ରାମାୟଣ’ ସାମାଜିକ ସମାନତା, ମାନବୀୟ ମର୍ଯ୍ୟାଦା ଓ ଜାତିଗତ ସୁବିଧା ସୁଯୋଗରୁ ମୁକ୍ତିକୁ ପ୍ରାଧାନ୍ୟ ଦେଇଥିଲା।

ଆହୁରି ପଢ଼ନ୍ତୁ- Flood In Odisha: ହୀରାକୁଦ ଜଳଭଣ୍ଡାରରୁ ପୁଣି ଖୋଲିବ ୮ଟି ଗେଟ୍‌; ବନ୍ୟା ଜଳରେ ବୁଡ଼ି ଯାଇ ଶିଶୁକନ୍ୟା ମୃତ

ସୁଶାସନ, ଉତ୍ତରଦାୟିତ୍ୱ, ସାଧୁତା, ତ୍ୟାଗ ଓ ନ୍ୟାୟ ପ୍ରତି ଅଟଳ ପ୍ରତିବଦ୍ଧତା ଜଣେ ଶାସକଙ୍କ ପ୍ରକୃତ ପରିଚୟ। ଏହି ମୂଲ୍ୟବୋଧର ପୁନଃପ୍ରତିଷ୍ଠା ପାଇଁ ହିଁ ଦେଶର ଯୁବପିଢ଼ି ରାସ୍ତାକୁ ଓହ୍ଲାଇଥିଲେ। ଜନ୍ତରମନ୍ତରର ଯଜ୍ଞବେଦୀରେ ନିଜ ସ୍ୱାର୍ଥର ଆହୁତି ଦେଇ, ଜୀବନକୁ ପଣ କରି ମାନବିକତାର ମହାମନ୍ତ୍ରରେ ଦେଶର ଗଗନପବନ ମୁଖରିତ କରିଦେଇଥିଲେ। ମୈତ୍ରୀ ଓ ପ୍ରୀତିର ପତାକା ତଳେ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ନିର୍ଭୀକ ଭାବରେ ଏକ ସ୍ୱରରେ ଦାବି ରଖିଥିଲେ- ଜାତିବାଦ ନୁହେଁ, ଧର୍ମର ରାଜନୀତି ନୁହେଁ; ଆମେ ଚାହୁଁ ନ୍ୟାୟ, ସମାନତା ଓ ମାନବିକତା। ଶେଷରେ ବିଜୟ ହେଲା ନ୍ୟାୟର, ଭୟ ଉପରେ ସାହସର, ହିଂସା ଉପରେ ଶାନ୍ତିର, ଅହଂକାର ଉପରେ ନମ୍ରତାର ଏବଂ ବିଭାଜନ ଉପରେ ଏକତାର। ସନାତନ ସଂସ୍କୃତିର ମାନବୀୟ ମୂଲ୍ୟବୋଧ ବିଜୟୀ  ହେଲା। ଆଗାମୀ ପିଢ଼ି ପାଇଁ ଏହା ଏକ ଆଲୋକବର୍ତ୍ତିକା ହୋଇ ପଥ ପ୍ରଦର୍ଶନ କରିବ- ଏଥିରେ ସନ୍ଦେହ ନାହିଁ।

ରାମରାଜ୍ୟ ନ୍ୟାୟ, କରୁଣା, ସତ୍ୟ, ସମାନତା ଓ ମାନବିକତାର ଜୀବନ୍ତ ପ୍ରତିଶ୍ରୁତି। ଯେଉଁଦିନ ଶାସକ ନିଜ କ୍ଷମତାଠାରୁ କର୍ତ୍ତବ୍ୟକୁ ବଡ଼ ମନେ କରିବେ ଏବଂ ନାଗରିକ ନିଜ ସ୍ୱାର୍ଥଠାରୁ ନୈତିକ ମୂଲ୍ୟବୋଧକୁ ଅଧିକ ସମ୍ମାନ ଦେବେ, ସେହିଦିନ ରାମରାଜ୍ୟ କୌଣସି ପୁରାଣର କାହାଣୀ ନୁହେଁ, ଭାରତର ବାସ୍ତବ ଚିତ୍ର ଭାବେ ପ୍ରତିଫଳିତ ହେବ।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୯୩୭୦୪୨୫୨୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.