Editorial: ମନ ଯେବେ ଦେହ ଦେଇ କଥା କହେ: ସଂଗୀତା ରଥଙ୍କ ସମ୍ପାଦକୀୟ ଗହନ ମନର କଥାରେ ପଢ଼ନ୍ତୁ ଏଥର...

4 days ago 3
ARTICLE AD BOX

ମନ ଯେବେ ଦେହ ଦେଇ କଥା କହେ

ସଂଗୀତା ରଥ
ଗହନ ମନର କଥା

ଉଣେଇଶ ବର୍ଷୀୟା ରିୟା ଜଣେ ମେଧାବୀ ଛାତ୍ରୀ ଥିଲେ। ତା’ ସହିତ ସେ ଥିଲେ ଜଣେ ଚମତ୍କାର ଗାୟିକା। ତାଙ୍କର ଅପୂର୍ବ ଗାୟନ ଶୈଳୀ ଓ ସୁମଧୁର କଣ୍ଠ ହେତୁ କ୍ରମେ ସେ ପ୍ରସିଦ୍ଧି ଅର୍ଜନ କରି ଚାଲିଥିଲେ। ଦିନେ ସକାଳୁ ଉଠି ସେ ଆବିଷ୍କାର କଲେ ଯେ ସେ ଆଦୌ ଶୁଣି ପାରୁ ନାହାନ୍ତି। ତାଙ୍କ ଚାରିପାଖରେ ଥିବା ପୃଥିବୀ ହଠାତ୍ ନିରବ ହୋଇଯାଇଛି। କର୍ଣ୍ଣ କୁହରରେ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରି ସେ ଚିକିତ୍ସକଙ୍କ ନିକଟକୁ ଗଲେ। ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଲା ଯେ କାନର ପରଦା ଏବଂ ଶ୍ରବଣରେ ସାହାଯ୍ୟ କରୁଥିବା ସ୍ନାୟୁସମୂହ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚିକିତ୍ସକମାନେ ସମସ୍ୟା ଦୂର କରି ନ ପାରିବାରୁ ସେ ଜଣେ ମନସ୍ତତ୍ତ୍ବବିତ୍‌ଙ୍କର ସାହାଯ୍ୟ ନେଲେ। ଜଣାପଡ଼ିଲା ଯେ ରିୟା ଗତ ଏକ ବର୍ଷ ଧରି ମାତ୍ରାଧିକ ମାନସିକ ଚାପରେ ରହୁଥିଲେ। କଥା ହେଲା, ସଂଗୀତ ପ୍ରତି ତାଙ୍କ ଆକର୍ଷଣ ଏବଂ ଏହାକୁ ବୃତ୍ତି ରୂପେ ବାଛିବାର ଅଭିଳାଷକୁ ତାଙ୍କ ପିତା ଆଦୌ ଅନୁମୋଦନ କରୁ ନ ଥିଲେ। ପିତାମାତାଙ୍କୁ ଗର୍ବିତ କରିବା ପରିବର୍ତ୍ତେ ଲଜ୍ଜିତ କରୁଛନ୍ତି ବୋଲି ଭାବି ସେ ଦ୍ବନ୍ଦ୍ବରେ ରହୁଥିଲେ। ଶ୍ରବଣ ହାନି ହେବାର ପୂର୍ବ ଦିନ ରାତିରେ ତାଙ୍କ ପିତାମାତାଙ୍କ ମଧ୍ୟରେ ଏ ବିଷୟକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରିୟାଙ୍କ ପିତା ଚିତ୍କାର କରି କହୁଥିଲେ ଯେ ତାଙ୍କୁ ସଂଗୀତ ଛାଡ଼ିବାକୁ ପଡ଼ିବ। କାନ ଦୁଇଟି ଚାପି ଧରି ରିୟା ରାତି ସାରା ଅସହାୟ ହୋଇ କାନ୍ଦିଥିଲେ ଏବଂ ଭାବୁଥିଲେ ପିତାଙ୍କର ଏହି ଚିତ୍କାର ସେ ଶୁଣି ପାରୁ ନଥାନ୍ତେ କି! ତା’ ପରଦିନ ସେ ପ୍ରକୃତରେ କିଛି ଶୁଣି ପାରି ନ ଥିଲେ। 

ମନୋଚିକିତ୍ସକ ରିୟାଙ୍କର ଲକ୍ଷଣକୁ ‘କାର୍ଯ୍ୟକ୍ଷମ ସ୍ନାୟବିକ ଲକ୍ଷଣ ବ୍ୟାଧି’ ଭାବରେ ଚିହ୍ନଟ କଲେ। ରିୟାଙ୍କ ତୀବ୍ର ମାନସିକ ସଂଘର୍ଷ ଓ ଆବେଗିକ ଯନ୍ତ୍ରଣା ସହିତ ଏହି ପାରିବାରିକ ବିବାଦକୁ ଅଟକାଇ ପାରିବାର ଇଚ୍ଛା ଏଭଳି ସ୍ଥିତିକୁ ଜନ୍ମ ହୋଇଥିଲା। କେତୋଟି କାଉନସେଲିଂ ବୈଠକ ପରେ ସେ ସଂପୂର୍ଣ୍ଣ ଭାବରେ ଶ୍ରବଣଶକ୍ତି ଫେରି ପାଇଲେ। 

ଆହୁରି ପଢ଼ନ୍ତୁ- Marriage proposal: ବିବାହ ପ୍ରସ୍ତାବର ସୁଅ ଛୁଟୁଛି, ଅଭିଜିତ୍‌ ଦୀପକେଙ୍କ ମା’ କହିଲେ- ପୁଅ ଆଗେ ସ୍ୱାବଲମ୍ବୀ ହେବାକୁ ଚାହୁଛି

କାର୍ଯ୍ୟକ୍ଷମ ସ୍ନାୟବିକ ଲକ୍ଷଣ ବ୍ୟାଧି ଏକ ମାନସିକ ଅବସ୍ଥା ଯେଉଁଥିରେ ମସ୍ତିଷ୍କରେ କୌଣସି ଗଠନମୂଳକ ଅସ୍ବାଭାବିକତା ବା କୌଣସି ନିର୍ଦ୍ଦିଷ୍ଟ ଶାରୀରିକ ଅଥବା ସ୍ନାୟବିକ କାରଣ ନ ଥିବା ସତ୍ତ୍ବେ ସ୍ନାୟବିକ ଲକ୍ଷଣମାନ ପ୍ରକାଶ ପାଇଥାଏ। ମସ୍ତିଷ୍କରେ‌ ଷ୍ଟ୍ରୋକ୍‌, ଟ୍ୟୁମର, ମଲ୍‌ଟିପଲ ସ୍ଲରୋସିସ୍, ସଂକ୍ରମଣ, ବାହ୍ୟ ଆଘାତ ଜନିତ କ୍ଷତିରୁ ସାଧାରଣତଃ ଏଭଳି ମେଡିକାଲ ଅବସ୍ଥା ସୃଷ୍ଟି ହୋଇଥାଏ। ରିୟାଙ୍କ ସ୍ଥଳେ ଏଭଳି କିଛି ଘଟି ନ ଥିବାରୁ ଡାକ୍ତରମାନେ ରୋଗ ବିଷୟରେ ବୁଝି ପାରି ନ ଥିଲେ। ରିୟା ଯେଉଁଭଳି ସ୍ଥିତି ଦେଇ ଯାଉଥିଲେ, ତହିଁରେ ମସ୍ତିଷ୍କର ସ୍ନାୟୁ ବିତରଣ ସଂପୂର୍ଣ୍ଣ ସ୍ବାଭାବିକ ଥିଲେ ହେଁ ବ୍ୟକ୍ତିର ଦେଖିବା, ଶୁଣିବା, ଗନ୍ଧ ବାରିବା ବା ଛୁଇଁ ଜାଣିବା ଭଳି ଅନୁଭବମାନ ବସ୍ତୁତଃ ଉଭେଇଯାଏ। ଏହାକୁ ‘ଇନ୍ଦ୍ରିୟଗତ ଲକ୍ଷଣ’ ବୋଲି କୁହାଯାଇଥାଏ। ଏକ ଉଦାହରଣରେ ଦେଖିବାକୁ ମିଳିଛି ଯେ ନିଜ ସାମନାରେ ଦୁର୍ଘଟଣାରେ ଭାବୀ ସ୍ବାମୀଙ୍କର ମୃତ୍ୟୁ ଦେଖିବା ପରେ ଜଣେ ଯୁବତୀ, ସଂପୂର୍ଣ୍ଣ ସୁସ୍ଥ ଚକ୍ଷୁ ସତ୍ତ୍ବେ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଭୟଙ୍କର ରାସାୟନିକ ଦୁର୍ଘଟଣା ଓ ତଜ୍ଜନିତ ଭୟାବହ ଅଗ୍ନିକାଣ୍ଡର ଶିକାର ହେଉଥିବା ଲୋକେ ଅନେକ ସମୟରେ ଗନ୍ଧ ବାରି ପାରନ୍ତି ନାହିଁ, ଯଦିଓ ସେମାନଙ୍କ ନାକ ଓ ଆଘ୍ରାଣ କରିବାର ଦକ୍ଷତା ପୂର୍ବବତ୍‌ ଥାଏ। ଦେଖାଯାଏ ଯେ ଶରୀରର ଯେଉଁ ଅଂଶଗୁଡ଼ିକ ମାନସିକ ଆଘାତ ସହ ଜଡ଼ିତ ଥାଆନ୍ତି, ସେହି ଅଂଶଗୁଡ଼ିକ ହିଁ ଜଡ଼ ପାଲଟି ଯାଇଥିବା ପରି ଅନୁଭୂତ ହୁଏ। ସମଗ୍ର ଶରୀରରେ ଛୁଞ୍ଚି ଫୋଡ଼ି ହୋଇ ଯାଉଥିବା ପରି ଅନୁଭବ, ପାଦରୁ ସମ୍ବେଦନଶୀଳତା ହ୍ରାସ ପାଇବା, ହାତ, ପାଦ ଓ ମୁଖମଣ୍ଡଳ କାଲୁଆ ଲାଗିବା ପରି ଅନେକ ପ୍ରକାରର ‘ଇନ୍ଦ୍ରିୟଗତ ଲକ୍ଷଣ’ ବ୍ୟକ୍ତିଠାରେ ଦେଖାଯାଇପାରେ।

ଏ ପ୍ରକାର ସ୍ଥିତିରେ ବ୍ୟକ୍ତି ସକାଶେ ଆପଣା ଗତିବିଧି ନିୟନ୍ତ୍ରଣ କରିବାରେ ସମସ୍ୟା ଉପୁଜେ; ପକ୍ଷାଘାତ ବା ‘ଷ୍ଟ୍ରୋକ୍’ ରୋଗୀ ଦେଖାଉଥିବା ପରି ଲକ୍ଷଣ ଦେଖାଯାଇପାରେ। ହାତ ଓ ଗୋଡ଼ର ଏକ ନିର୍ଦ୍ଦିଷ୍ଟ ପାର୍ଶ୍ବରେ ଶକ୍ତି ନ ଥିବା ପରି ଅନୁଭୂତ ହୋଇପାରେ। କେବେକେବେ ଏହି ଦୁର୍ବଳତା ଗୋଟିଏ ପାର୍ଶ୍ବର ହାତ ଓ ଗୋଡ଼ରୁ ଅନ୍ୟ ପାର୍ଶ୍ବକୁ ପରିବର୍ତ୍ତିତ ହୁଏ। ବ୍ୟକ୍ତିର ଧ୍ୟାନ ପରିବର୍ତ୍ତନ ହୋଇଗଲେ କିଛି ସମୟ ପାଇଁ ଲକ୍ଷଣଗୁଡ଼ିକ ମଧ୍ୟ ଅପସରି ଯାଏ। 

ଆହୁରି ପଢ଼ନ୍ତୁ- Flood In Jajpur: ବନ୍ୟା କବଳରୁ ୨ ଗର୍ଭବତୀ ଉଦ୍ଧାର; ୮୦ ବର୍ଷୀୟ ବୃଦ୍ଧ ଗୁରୁତର

କେତେକ ବ୍ୟକ୍ତିଙ୍କ ଠାରେ ‘ସାଇକୋଜେନିକ ନନ୍‌ଏପିଲେପ୍ଟିକ ସିଜର୍ସ’ ବା ବାତ ମାରିବା ଲକ୍ଷଣ ଦେଖାଯାଏ ଏବଂ ସେମାନେ ଚେତାଶୂନ୍ୟ ମଧ୍ୟ ହୋଇଯାନ୍ତି। ଏପିଲେପ୍‌ସି ବା ଅପସ୍ମାର ବାତ ପରି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ମସ୍ତିଷ୍କରେ କୌଣସି ଅସ୍ବାଭାବିକତା ପ୍ରତୀତ ହୋଇ ନ ଥାଏ। ଅନେକ ସମୟରେ ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ଜିନିଷ ଉପରେ ଧ୍ୟାନ ଦେବାରେ ବ୍ୟର୍ଥ ହେବା ସହିତ ଅନେକ କଥା ସେ ଭୁଲିଯାଏ। ପୀଡ଼ିତ ବ୍ୟକ୍ତି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷଣ ବା ଏକାଧିକ ଲକ୍ଷଣ ଦେଖାଇପାରନ୍ତି ଏବଂ ଲକ୍ଷଣଗୁଡ଼ିକର ତୀବ୍ରତାରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ଏହା ଦୀର୍ଘକାଳୀନ ହୋଇପାରେ ଅଥବା ଶୀଘ୍ର ଚାଲିଯାଇପାରେ। ଏହା ମ‌ନ ରୋଗ ବିଜ୍ଞାନର ଏକ ଜଟିଳ ତଥା ରହସ୍ୟମୟ ବ୍ୟାଧି, ଯାହା ମନ ଓ ଶରୀର ମଧ୍ୟରେ ଥିବା ଗଭୀର ସଂପର୍କକୁ ଦର୍ଶାଇଥାଏ। ମନେ ରହିବା ଦରକାର ‌ଯେ ଲକ୍ଷଣଗୁଡ଼ିକ କାଳ୍ପନିକ ନୁହେଁ। ରୋଗୀର ଅନୁଭବଗୁଡ଼ିକ ସଂପୂର୍ଣ୍ଣ ବାସ୍ତବ। ସତକୁ ସତ ସେ ନିୟନ୍ତ୍ରଣ କରିବାର କ୍ଷମତା ହରାଇଥାଏ। 

ପ୍ରାଚୀନ କାଳରେ ଏହି ବ୍ୟାଧିକୁ ‘ହିଷ୍ଟେରିଆ’ ବୋଲି କୁହାଯାଉଥିଲା। ଏହା ମୂଳ ଗ୍ରୀକ୍ ଶବ୍ଦ ‘ହିଷ୍ଟେରା’ (ଜରାୟୁ)ରୁ ଆନୀତ। ଖ୍ରୀଷ୍ଟପୂର୍ବ ୧୯୦୦ ମସିହାରେ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ପକ୍ଷାଘାତ ଓ ବାତ ପରି ଅଜ୍ଞାତ ଶାରୀରିକ ଲକ୍ଷଣଗୁଡ଼ିକୁ ହିଷ୍ଟେରିଆ ଭାବରେ ଚିହ୍ନଟ କରାଯାଉଥିଲା। ଏହା ଗର୍ଭାଶୟଜନିତ ଏକ ସମସ୍ୟା, ଯାହା ଜରାୟୁ ଘୁଞ୍ଚିଯିବା ଫଳରେ ସୃଷ୍ଟି ହୁଏ ବୋଲି ସେତେବେଳେ ବିଶ୍ବାସ କରାଯାଉଥିଲା। ଊନବିଂଶ ଶତାବ୍ଦୀରେ ଫ୍ରାନ୍‌ସର ପ୍ରଭାବଶାଳୀ ସ୍ନାୟୁ ବିଶେଷଜ୍ଞ, ସିଗମଣ୍ଡ ଫ୍ରଏଡଙ୍କ ଗୁରୁ ଜିନ୍ ମାର୍ଟିନ ସାର୍କୋଟ୍ ହିଷ୍ଟେରିଆର ଏହି ଲକ୍ଷଣଗୁଡ଼ିକୁ ସ୍ନାୟୁବିଜ୍ଞାନ ସହିତ ଯୋଡ଼ିଥିଲେ। ମସ୍ତିଷ୍କରେ କୌଣସି ଆଘାତ ନ ଥାଇ ମଧ୍ୟ ‘‌ହିଷ୍ଟେରିକାଲ’ ଅନ୍ଧତ୍ବ ବା ପକ୍ଷାଘାତ ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ। ପରବର୍ତ୍ତୀ ସମୟରେ ଫ୍ରଏଡ ଓ ଜୋସେଫ ବ୍ରୁଅର ଏହି ସବୁ ଲକ୍ଷଣଗୁଡ଼ିକୁ ଅବଚେତନ ଓ ଅଚେତନ ମନର ସଂଘାତର ପ୍ରତୀକାତ୍ମକ ଅଭିବ୍ୟକ୍ତି ବୋଲି ମତ ଦେଇଥିଲେ। ବ୍ୟକ୍ତି ଠାରେ ଅବଦମିତ ହୋଇ ରହିଥିବା ମାନସିକ ଆଘାତ, ଦ୍ବନ୍ଦ୍ବ ଓ ଆବେଗଗୁଡ଼ିକ ସ୍ନାୟୁଗତ ସମସ୍ୟାରେ ରୂପାନ୍ତରିତ ହେଉଥିବାରୁ ଏହାକୁ ‘ରୂପାନ୍ତରିତ ବ୍ୟାଧି’ ନାମରେ ପୂର୍ବରୁ ନାମିତ କରାଯାଇଥିଲା। ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଯୁଦ୍ଧର ବିଭୀଷିକା ଓ ମୃତ୍ୟୁ ଆଶଙ୍କା ହେତୁ କୌଣସି ଶାରୀରିକ ଆଘାତ ନ ଥାଇ ମଧ୍ୟ ହଜାର ହଜାର ସୈନିକ ଅନ୍ଧତ୍ବ, ପକ୍ଷାଘାତ ଓ ବାତ ରୋଗର ଶିକାର ହୋଇଥିଲେ। ଦୁଇହଜାର ବର୍ଷ ପରେ ଯାଇ ଉପଲବ୍‌ଧି କରାଯାଇଥିଲା ଯେ ଏହା ଲିଙ୍ଗଗତ ନୁହେଁ ଏବଂ ଉଭୟ ମହିଳା ଓ ପୁରୁଷ ଏଥିରେ ପୀଡ଼ିତ ହୋଇପାରନ୍ତି। 

ଆଧୁନିକ ସ୍ନାୟୁବିଜ୍ଞାନ ଏହି ବ୍ୟାଧିକୁ ଏକ ‘ନ୍ୟୁରୋସାଇକିଆଟ୍ରିକ୍ ଡିସଅର୍ଡର’ (ମସ୍ତିଷ୍କ ଆଧାରିତ ମାନସିକ ବିକାର) ଭାବରେ ଚିହ୍ନଟ କରିଛି। ତେବେ, ମାନସିକ ସଂଘର୍ଷ ବା ଦ୍ବନ୍ଦ୍ବ ଏହାର ଏକମାତ୍ର କାରକ ନୁହନ୍ତି। ଅନେକ ଜୈବିକ, ମାନସିକ, ସାମାଜିକ ଓ ସାଂସ୍କୃତିକ କାରଣ ପରସ୍ପର ସହିତ ସଂଯୁକ୍ତ ହୋଇ ରହିଥିବାରୁ ଏହି ବ୍ୟାଧିକୁ ଏକ ଜଟିଳ ‘ଜୈବମନୋସାମାଜିକ ପ୍ରକ୍ରିୟା’ ଭାବରେ ବ୍ୟାଖ୍ୟା କରାଯାଉଛି। ଜୈବିକ ଦୃଷ୍ଟିକୋଣରୁ ମଣିଷର ଭାବନା ଓ ଗତିକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ବିଭିନ୍ନ ଅଂଶ ଯେପରିକି ‘ଆଣ୍ଟେରିଅର୍ ସିଙ୍ଗୁଲେଟ୍ କର୍‌ଟେକ୍‌ସ’, ‘ମୋଟର କର୍‌ଟେକ୍‌ସ’, ‘ଆମିଗଡାଲା’, ‘ଇନ୍‌ସୁଲା’ ଓ ‘ପ୍ରିଫ୍ରଣ୍ଟାଲ ଲୋବ୍‌’ ଭିତରେ ସଂଯୋଗ ଓ ସମନ୍ବୟର ଅଭାବ ଘଟିଲେ ସ୍ନାୟୁ ନେଟୱର୍କର କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ‘ଏମ.ଆର.ଆଇ.’ ଦ୍ବାରା ଏହା ପ୍ରମାଣିତ ହୋଇପାରିଛି ଯେ, ପୀଡ଼ିତର ମସ୍ତିଷ୍କ ଗଠନ ପ୍ରଣାଳୀ (ହାର୍ଡୱେର୍)ରେ କୌଣସି ସମସ୍ୟା ନ ଥିବା ସତ୍ତ୍ବେ ମସ୍ତିଷ୍କକୁ ବାର୍ତ୍ତା ପ୍ରେରଣ ଓ ମସ୍ତିଷ୍କରୁ ବାର୍ତ୍ତା ଗ୍ରହଣ କରୁଥିବା କାର୍ଯ୍ୟପ୍ରଣାଳୀ (ସଫ୍‌ଟୱେର) ପ୍ରଭାବିତ ହୁଏ। ମସ୍ତିଷ୍କ ଓ ଶରୀରର କାର୍ଯ୍ୟକାରିତାରେ ଯୋଗସୂତ୍ରର ଅଭାବ ହୋଇ ଏହି ବ୍ୟାଧି ସୃଷ୍ଟି ହୁଏ।

ଆହୁରି ପଢ଼ନ୍ତୁ- Lok Sabha: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବନ୍ଦେ ମାତରମ୍‌ ବିଲ୍‌ ପାରିତ

ଆର୍ଥିକ ଓ ବୃତ୍ତିଜନିତ ସମସ୍ୟା, ପାରିବାରିକ ବିବାଦ ଦୀର୍ଘ ସମୟ ଧରି ରହିଲେ ବ୍ୟକ୍ତି ଚାପଗ୍ରସ୍ତ ଓ ଉଦ୍‌ବିଗ୍ନ ରହେ। ଫଳରେ ସ୍ନାୟୁତନ୍ତ୍ରଗୁଡ଼ିକ ଉତ୍ତେଜିତ ଅବସ୍ଥାରେ ରହେ। ଚାପଜନିତ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରୁଥିବା ‘ଅଟୋନୋମିକ ନର୍ଭସ ସିଷ୍ଟମ’ ଶରୀର ଓ ମସ୍ତିଷ୍କ ମଧ୍ୟରେ ସମନ୍ବୟ ରଖିବାକୁ ଅସମର୍ଥ ହୁଏ। ସ୍ନାୟୁତନ୍ତ୍ର କଠିନ ପରିସ୍ଥିତିଗୁଡ଼ିକୁ ମୁକାବିଲା କରି ନ ପାରି ଶାରୀରିକ ଲକ୍ଷଣମାନ ପ୍ରଦର୍ଶନ କରେ। କଠିନ ସମୟକୁ ଅତିକ୍ରମ କରିସାରିଥିଲେ ‌ମଧ୍ୟ ଉତ୍ତେଜିତ ହୋଇ ରହିଥିବା ସ୍ନାୟୁତନ୍ତ୍ର ସାମାନ୍ୟ ଘଟଣାଗୁଡ଼ିକୁ ଅସମାନ୍ୟ ଭାବେ ଦେଖେ।

ଏହି ବ୍ୟାଧିରେ ଜୈବିକ, ମାନସିକ, ସାମାଜିକ, ସାଂସ୍କୃତିକ ସମସ୍ତ କାରକଗୁଡ଼ିକୁ ଏକା ସାଙ୍ଗରେ ଧ୍ୟାନରେ ରଖି ଚିକିତ୍ସା କରାଯାଏ। ସର୍ବପ୍ରଥମେ ମନୋଚିକିତ୍ସକ ରୋଗୀକୁ ଆଶ୍ବାସନା ଦେଇଥାନ୍ତି ଯେ, ମସ୍ତିଷ୍କର ଗଠନ ପ୍ରଣାଳୀରେ କୌଣସି ସମସ୍ୟା ନ ଥିଲେ ମଧ୍ୟ ଲକ୍ଷଣଗୁଡ଼ିକ ସଂପୂର୍ଣ୍ଣ ବାସ୍ତବ ଓ ସୁଧାରଯୋଗ୍ୟ। ସଂଜ୍ଞାନତ୍ମକ ଆଚରଣ ଚିକିତ୍ସା ମାଧ୍ୟମରେ ଶରୀର ସମ୍ବନ୍ଧୀୟ ଭ୍ରାନ୍ତ ଧାରଣା ଦୂର କରି ସ୍ଥିତିରେ ପରିବର୍ତ୍ତନ ଅଣାଯାଏ। ଶୈଶବ ସମୟର ନିର୍ଯାତନା ଓ ଆଘାତଜନିତ ଅନୁଭୂତିଗୁଡ଼ିକ ଅସଂପୂର୍ଣ୍ଣ ଭାବରେ ପ୍ରକ୍ରିୟାକରଣ ହୋଇ ରହିଥିବା ହେତୁ ‘ଟ୍ରମା ଫୋକସ୍‌ଡ ଥେରାପି’, ‘ଏକ୍‌ସପୋଜର ଥେରାପି’ ଆଦି ମାଧ୍ୟମରେ ଫଳପ୍ରଦ ଚିକିତ୍ସା କରାଯାଇପାରେ। ପରିବାର ସଦସ୍ୟମାନଙ୍କ ସହଯୋଗ ଓ ସମର୍ଥନରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରେ। 
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୫୭୭୨୧୧

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.