Editorial: ନିର୍ବାଚନ, ଆୟୋଗ ଓ ଆୟୁକ୍ତ: କାର୍ତ୍ତିକ ପ୍ରସାଦ ଜେନାଙ୍କ ସମ୍ପାଦକୀୟ କଲମରୁ ନିଃସୃତ...

1 week ago 5
ARTICLE AD BOX

ନିର୍ବାଚନ, ଆୟୋଗ ଓ ଆୟୁକ୍ତ

କାର୍ତ୍ତିକ ପ୍ରସାଦ ଜେନା

ନିର୍ବାଚନ ପରିଚାଳନାରେ ଟି. ଏନ. ଶେଷନଙ୍କ ପରବର୍ତ୍ତୀ କେତେକ ମୁଖ୍ୟ ନିର୍ବାଚନ କମିସନର ଦୃଢ଼ତା ଓ ସାହସ ପ୍ରଦର୍ଶନ କରିଥିଲେ। କିନ୍ତୁ କାଳକ୍ରମେ ଏହି ସାମ୍ବିଧାନିକ ପଦ ନମନୀୟ ହୋଇଯାଇଛି ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଲାଣି। ନିର୍ବାଚନ ଆଚରଣ ବିଧି ସଂଦର୍ଭରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କେତେକ ପଦକ୍ଷେପ ସମାଲୋଚନାର ଶରବ୍ୟ ହୋଇଛି। ସେହି ଦୃଷ୍ଟିରୁ ଅନେକଙ୍କ ମତରେ ବାବାସାହେବ ଆମ୍ବେଦକରଙ୍କ ସ୍ବପ୍ନ ସଂପୂର୍ଣ୍ଣ ରୂପେ ଚରିତାର୍ଥ ହୋଇପାରୁନାହିଁ।

ଭାରତ ସମ୍ବିଧାନର ଅନୁଚ୍ଛେଦ ୩୨୪ ଭାରତୀୟ ଗଣତନ୍ତ୍ରର ନିର୍ବାଚନ ବ୍ୟବସ୍ଥାର ମୂଳ ଆଧାର ଶିଳା। ଏହା ନିର୍ବାଚନ ଆୟୋଗକୁ ଏକ ସ୍ୱାଧୀନ, ନିଷ୍ପକ୍ଷ, ସାମ୍ବିଧାନିକ ଓ ସ୍ୱାୟତ୍ତ ସଂସ୍ଥା ଭାବରେ ପ୍ରତିଷ୍ଠିତ କରିଛି, ଯଦ୍ଦ୍ବାରା ନିର୍ବାଚନ ପ୍ରକ୍ରିୟା କୌଣସି ରାଜନୈତିକ କିମ୍ବା କାର୍ଯ୍ୟନିର୍ବାହୀ ପ୍ରଭାବରୁ ମୁକ୍ତ ରହି ସମ୍ବିଧାନର ଆଦର୍ଶ ଅନୁଯାୟୀ ଅବାଧ, ଅବିକୃତ, ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିଚାଳିତ ହୋଇପାରିବ। ଭାରତ ଭଳି ଏକ ବିଶାଳ, ବହୁଭାଷୀ, ବହୁଧର୍ମୀ, ବହୁଜାତୀୟ ଓ ବହୁସାଂସ୍କୃତିକ ଦେଶରେ ଲୋକଙ୍କ ଇଚ୍ଛାକୁ ଠିକ୍ ଭାବେ ପ୍ରତିଫଳିତ କରିବା ପାଇଁ ଏକ ସ୍ୱାଧୀନ ନିର୍ବାଚନ ପରିଚାଳନା ସଂସ୍ଥାର ଆବଶ୍ୟକତା ଅନୁଭୂତ ହୋଇଥିଲା, ଯାହାର ଫଳଶ୍ରୁତି ହେଉଛି ନିର୍ବାଚନ ଆୟୋଗ। 

ଅନୁଚ୍ଛେଦ ୩୨୪ ଅନୁଯାୟୀ ସଂସଦ, ରାଜ୍ୟ ବିଧାନସଭା, ବିଧାନପରିଷଦ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସମସ୍ତ ନିର୍ବାଚନର ନିରୀକ୍ଷଣ, ନିର୍ଦ୍ଦେଶନ, ନିୟନ୍ତ୍ରଣ, ନିର୍ବାଚକ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଆବଶ୍ୟକତା ଅନୁସାରେ ଅନ୍ୟ ନିର୍ବାଚନ ଆୟୁକ୍ତ, ଏପରିକି ଆଞ୍ଚଳିକ ନିର୍ବାଚନ ଆୟୁକ୍ତମାନେ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ହୁଅନ୍ତି। ଏହି ବ୍ୟବସ୍ଥା କେବଳ ଏକ ପ୍ରଶାସନିକ ରୂପରେଖ ନୁହେଁ; ଏହା ଭାରତୀୟ ଗଣତନ୍ତ୍ରର ହୃତ୍‌ସ୍ପନ୍ଦନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। 

ଆହୁରି ପଢ଼ନ୍ତୁ- POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଏହି ସାମ୍ବିଧାନିକ ବ୍ୟବସ୍ଥାର ପଛରେ ବାବାସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଗଭୀର ରାଜନୈତିକ ପ୍ରଜ୍ଞା, ସାମାଜିକ ନ୍ୟାୟବୋଧ ଓ ଦୂରଦର୍ଶୀ ଚିନ୍ତାଧାରା ରହିଛି। ଗଣତନ୍ତ୍ରର ମୂଳ ପ୍ରତିଷ୍ଠାନଗୁଡ଼ିକ କିଭଳି ସ୍ୱାଧୀନ ଓ ସୁରକ୍ଷିତ ରହିବ ତାହା ଥିଲା ବାବାସାହେବଙ୍କ ଆନ୍ତରିକ ଇଚ୍ଛା, ଯେଉଁ କ୍ରମରେ ନିର୍ବାଚନ ଆୟୋଗକୁ ସରକାରୀ ପ୍ରଭାବରୁ ମୁକ୍ତ ଏକ ସାମ୍ବିଧାନିକ ପ୍ରାଧିକରଣ ଭାବେ ଗଢ଼ି ତୋଳିବା ଦିଗରେ ସେ ଅଙ୍ଗୀକାରବଦ୍ଧ ଥିଲେ। ସମ୍ବିଧାନ ପ୍ରଣୟନ ସମୟରେ ବାବାସାହେବ ଆମ୍ବେଦକର ଅନୁଭବ କରିଥିଲେ ଯେ ଯଦି ନିର୍ବାଚନ ପ୍ରକ୍ରିୟା ଶାସକ ଦଳ, ରାଜ୍ୟ ସରକାର କିମ୍ବା କାର୍ଯ୍ୟନିର୍ବାହୀ ହସ୍ତକ୍ଷେପରୁ ମୁକ୍ତ ନ ହୁଏ, ତେବେ ଗଣତନ୍ତ୍ର କେବଳ ନାମକୁ ମାତ୍ର ହୋଇ ରହିଯିବ। ଏହା ହେଲେ ଜନମତର ପବିତ୍ରତା ନଷ୍ଟ ହେବ ଏବଂ ଦୁର୍ବଳ ବର୍ଗମାନଙ୍କର ସ୍ୱର ନିଷ୍ପ୍ରଭ ହୋଇଯିବ। ତାଙ୍କ ଦୃଷ୍ଟିରେ ଗଣତନ୍ତ୍ର କେବଳ ନିର୍ବାଚନ ହାର-ଜିତର ଖେଳ ନ ଥିଲା; ଥିଲା ସମସ୍ତ ନାଗରିକଙ୍କୁ ସମାନ ରାଜନୈତିକ ମର୍ଯ୍ୟାଦା ଦେବାର ଏକ ବ୍ୟବସ୍ଥା। ସେ ବୁଝିଥିଲେ ଯେ, ଭାରତୀୟ ସମାଜ ଦୀର୍ଘ କାଳ ଧରି ଜାତିଭେଦ, ଅସ୍ପୃଶ୍ୟତା, ସାମାଜିକ ବିଷମତା ଓ ଆର୍ଥିକ ଅନ୍ୟାୟରେ ଜର୍ଜର ହୋଇଥିବାରୁ ଏଠାରେ ମତାଧିକାର କେବଳ ଆଇନଗତ ଅଧିକାର ହେଲେ ଚଳିବ ନାହିଁ; ତାହାକୁ ସୁରକ୍ଷିତ ଓ ନିରପେକ୍ଷ କରାଯିବା ଦରକାର। ଏହି କାରଣରୁ ନିର୍ବାଚନ ପ୍ରକ୍ରିୟା ସରକାରର ଅଧୀନ ନ ହୋଇ, ସମ୍ବିଧାନର ଅଧୀନ ହେଉ ବୋଲି ସେ ଚାହୁଁଥିଲେ। ଏହି ଦୃଷ୍ଟିରୁ ନିର୍ବାଚନ ଆୟୋଗ ହେଉଛି ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଦର୍ଶନର ଏକ ପ୍ରାୟୋଗିକ ଉପକରଣ। ଏହା ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ମହିଳା, ଯୁବବର୍ଗ ଓ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସମାନ ଭାଗୀଦାର କରିବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ନିର୍ବାଚନ ଆୟୋଗର ସ୍ୱାଧୀନତା ତାହାର ସବୁଠାରୁ ବଡ଼ ଶକ୍ତି।

ଆୟୋଗ ନିର୍ବାଚନ ସୂଚି ଘୋଷଣା କରେ, ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ପରଖେ, ରାଜନୈତିକ ଦଳମାନଙ୍କୁ ନିୟନ୍ତ୍ରଣ କରେ, ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖେ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ଓ ବିବାଦର ସମାଧାନ କରେ। ଏହାର ଶୀର୍ଷରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତମାନେ ରହନ୍ତି। ସେମାନଙ୍କ ପଦମର୍ଯ୍ୟାଦା ଓ ସୁରକ୍ଷା ଆୟୋଗର ସ୍ୱାଧୀନତାକୁ ସୁଦୃଢ଼ କରେ। ନିର୍ବାଚନ ଆୟୋଗର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହତିଆର ହେଉଛି ଆଦର୍ଶ ଆଚରଣ ସଂହିତା। ଏହା ସରକାରୀ କ୍ଷମତାର ଦୁରୁପଯୋଗ, ଉତ୍ତେଜନାମୂଳକ ଭାଷଣ, ଧର୍ମ-ଜାତି ଆଧାରିତ ଭୋଟ ଭିକ୍ଷା, ପ୍ରଲୋଭନ ଓ ଅସମାନ ନିର୍ବାଚନୀ ପ୍ରତିସ୍ପର୍ଦ୍ଧାକୁ ରୋକିବାରେ ସାହାଯ୍ୟ କରେ। ଧନ ବଳ, ବାହୁ ବଳ ଓ ପ୍ରଭାବ ବଳକୁ ନିୟନ୍ତ୍ରଣ କରିବା ଆୟୋଗ ପାଇଁ ଏକ ବଡ଼ ଆହ୍ବାନ ହେଲେ ମଧ୍ୟ, ଏହା ବିନା ମୁକ୍ତ ଓ ନିଷ୍ପକ୍ଷ ନିର୍ବାଚନ ସମ୍ଭବ ନୁହେଁ। ନିର୍ବାଚନ ଦିନ ମତଦାନ କେନ୍ଦ୍ରର ସୁରକ୍ଷା, ଶୃଙ୍ଖଳା ରକ୍ଷା, ମତଦାତାଙ୍କ ସୁବିଧା ଓ ନିର୍ବାଚନୀ ଅନିୟମିତତା ରୋକିବାରେ ଆୟୋଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଏ। ବୁଥ୍‌ ଦଖଲ, ଭୋଟ କିଣା, ମତଦାତାଙ୍କୁ ଭୟଭୀତ କରିବା ଓ ଜାଲିଆତି ରୋକିବା ପାଇଁ ଆୟୋଗ ପକ୍ଷରୁ ପ୍ରଶାସନ ଓ ସୁରକ୍ଷା ବଳର ସହଯୋଗ ଲୋଡ଼ାଯାଏ, କାରଣ ନିର୍ବାଚନର ପବିତ୍ରତା ରକ୍ଷା କରିବା ହେଉଛି ଆୟୋଗର କଠୋର ଦାୟିତ୍ୱ।

ନିର୍ବାଚନ ଆୟୋଗକୁ ତାହାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଶକ୍ତି ଓ ମର୍ଯ୍ୟାଦା ସହ କାର୍ଯ୍ୟକ୍ଷମ କରିବାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ସଂଦର୍ଭରେ ଟି. ଏନ୍. ଶେଷନ ସ୍ମରଣକୁ ଆସନ୍ତି। ଗଲା ନବମ ଦଶକରେ ନିର୍ବାଚନୀ ଆଚରଣବିଧିକୁ କଠୋର ଭାବେ ପ୍ରୟୋଗ କରି ସେ ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ଏକ ନୂତନ ଯୁଗର ଶୁଭାରମ୍ଭ କରିଥିଲେ ବୋଲି କୁହାଯାଇପାରେ। ତାଙ୍କର ଦୃଢ଼ ଓ ନିର୍ଭୀକ ପଦକ୍ଷେପ ନିର୍ବାଚନ ଆୟୋଗ ପ୍ରତି ଜନବିଶ୍ୱାସକୁ ବହୁଗୁଣ ବୃଦ୍ଧି କରିଥିଲା। 

ଆହୁରି ପଢ଼ନ୍ତୁ- Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ

ନିର୍ବାଚନ ପ୍ରକ୍ରିୟାର ପ୍ରଥମ ଓ ମୂଳ ଭିତ୍ତି ହେଉଛି ଶୁଦ୍ଧ ଭୋଟର ତାଲିକା। ନିର୍ବାଚନ ଆୟୋଗ ନିୟମିତ ଭାବେ ‘ବିଶେଷ ସାରାଂଶ ସଂଶୋଧନ’ ମାଧ୍ୟମରେ ଭୋଟର ତାଲିକାର ନବୀକରଣ କରୁଥାନ୍ତି। ୧ ଜାନୁଆରି, ୧ ଏପ୍ରିଲ, ୧ ଜୁଲାଇ ଓ ୧ ଅକ୍‌ଟୋବରକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ନୂତନ ଯୋଗ୍ୟ ନାଗରିକଙ୍କୁ ତାଲିକାଭୁକ୍ତ କରାଯାଏ। ଭୁଲ୍‌ ନାମ ସଂଶୋଧନ, ମୃତ କିମ୍ବା ଅଯୋଗ୍ୟ ନାମ ବିଲୋପ ଏବଂ ନୂତନ ମତଦାତାଙ୍କ ମିଶ୍ରଣ ନିର୍ବାଚନୀ ସ୍ୱଚ୍ଛତାର ଅଂଶ। ନିର୍ବାଚନ ଆୟୋଗ ବର୍ତ୍ତମାନ ସ୍ୱଚ୍ଛ ମତଦାତା ତାଲିକା ପାଇଁ ସାରା ଦେଶରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ବା ‘ଏସ.ଆଇ.ଆର.’ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଦ୍ୱିତୀୟବାର ନାମଭୁକ୍ତ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରି ପ୍ରକୃତ ଯୋଗ୍ୟ ମତଦାତାଙ୍କୁ ତାଲିକାରେ ସୁନିଶ୍ଚିତ କରିବା। କିନ୍ତୁ ଏହି ପ୍ରକ୍ରିୟାକୁ ନେଇ କିଛି ସ୍ଥାନରେ ସାର୍ବଜନିକ ଓ ଆଇନଗତ ବିରୋଧ ମଧ୍ୟ ହୋଇଛି। ବିରୋଧୀମାନଙ୍କ ମତରେ ଏବର ନିର୍ବାଚନ ଆୟୁକ୍ତ ସରକାରଙ୍କ ପକ୍ଷଭୁକ୍ତ ହୋଇ ‘ଏସ.ଆଇ.ଆର.’କୁ ଏକ ଆୟୁଧ ଭାବେ ବ୍ୟବହାର କରି ସରକାରଙ୍କୁ ସୁହାଇଲା ଭଳି ଭୋଟର କାଣ୍ଟଛାଣ୍ଟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପରିଚାଳନାରେ ଟି. ଏନ. ଶେଷନଙ୍କ ପରବର୍ତ୍ତୀ କେତେକ ମୁଖ୍ୟ ନିର୍ବାଚନ କମିସନର ଦୃଢ଼ତା ଓ ସାହସ ପ୍ରଦର୍ଶନ କରିଥିଲେ। କିନ୍ତୁ କାଳକ୍ରମେ ଏହି ସାମ୍ବିଧାନିକ ପଦ ନମନୀୟ ହୋଇଯାଇଛି ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଲାଣି। ନିର୍ବାଚନ ଆଚରଣ ବିଧି ସଂଦର୍ଭରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କେତେକ ପଦକ୍ଷେପ ସମାଲୋଚନାର ଶରବ୍ୟ ହୋଇଛି। ସେହି ଦୃଷ୍ଟିରୁ ଅନେକଙ୍କ ମତରେ ବାବାସାହେବ ଆମ୍ବେଦକରଙ୍କ ସ୍ବପ୍ନ ସଂପୂର୍ଣ୍ଣ ରୂପେ ଚରିତାର୍ଥ ହୋଇପାରୁନାହିଁ। 

ଭାରତର ପ୍ରଥମ ସାଧାରଣ ନିର୍ବାଚନ (୧୯୫୧-୫୨) ଥିଲା ଭାରତୀୟ ଗଣତନ୍ତ୍ରର ମହାପରୀକ୍ଷା। ଅଶିକ୍ଷା, ଦାରିଦ୍ର୍ୟ, ଯୋଗାଯୋଗର ଅଭାବ ଓ ବିପୁଳ ଭୌଗୋଳିକ ବିବିଧତା ଓ ଆହ୍ବାନ ସତ୍ତ୍ୱେ ଭାରତ ସଫଳତାର ସହିତ ସେହି ନିର୍ବାଚନ ସଂପାଦନ କରି ବିଶ୍ୱକୁ ଚକିତ କରି ଦେଇଥିଲା। ଏବେ ମଧ୍ୟ ଭାରତରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ସାରା ପୃଥିବୀକୁ ଉତ୍କଣ୍ଠିତ କରି ରଖେ, ଯାହାକୁ ଗଣମାଧ୍ୟମ ନାମ ଦେଇଛି ‘ଡ୍ୟାନ୍‌ସ ଅଫ ଡେମୋକ୍ରାସି’ ବା ‘ଗଣତନ୍ତ୍ରର ନୃତ୍ୟ’। ଏହା ସତ୍ତ୍ବେ ଭାରତୀୟ ଗଣତନ୍ତ୍ର ଆଗରେ ଚ୍ୟାଲେଞ୍ଜ କିଛି କମ୍ ନୁହେଁ। ଧନ ବଳ, ବାହୁ ବଳ, ଭୁଲ୍‌ ଖବର, ଘୃଣାମୂଳକ ପ୍ରଚାର, ସାମାଜିକ ମାଧ୍ୟମର ଅପବ୍ୟବହାର ଓ ମତଦାତାଙ୍କୁ ପ୍ରଭାବିତ କରିବା ଭଳି ଅନେକ ସମସ୍ୟା ରହିଛି। ଏହି ପରିସ୍ଥିତିରେ ନିର୍ବାଚନ ଆୟୋଗର ସ୍ୱାଧୀନତା, ସାହସ, ନିଷ୍ପକ୍ଷତା ଓ ପାରଦର୍ଶିତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଟି. ଏନ୍. ଶେଷନ ପ୍ରମାଣ କରି ଦେଇ ଯାଇଛନ୍ତି ଯେ ଦୃଢ଼ତା ବଦଳରେ ଏହି ସାମ୍ବିଧାନିକ ଅନୁଷ୍ଠାନକୁ ନୂତନ ଉଚ୍ଚତାକୁ ଘେନି ନିଆଯାଇପାରେ, ଯାହାକୁ ଆମ୍ବେଦକରଙ୍କ ସ୍ବପ୍ନ ପୂରଣର ଦୃଷ୍ଟାନ୍ତ ରୂପେ ଦେଖାଯାଇପାରେ। 
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୯୦୪୯୧୨୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.