ARTICLE AD BOX
ଅଭିରାମ ବିଶ୍ବାଳ
କୁହାଯାଏ ମଣିଷ ଯାହା ପାରେ ବେଳେବେଳେ ଈଶ୍ବର ତାହା ପାରନ୍ତି ନାହିଁ। ଐତିହାସିକ ଅବତାରରେ ମଣିଷ ବଖାଣ ଓ ବିଶ୍ଳେଷଣ ବଳରେ ଅତୀତର ଅର୍ଥ ବଦଳେଇ ଦେଇପାରେ, ଯାହାକି ଈଶ୍ବରଙ୍କ କର୍ତ୍ତୃତ୍ବ ବାହାରେ। ପୁଣି, ଯେତେବେଳେ ଐତିହାସିକଙ୍କ ବୌଦ୍ଧିକ କଳା, କୌଶଳ ଓ ଶିଳ୍ପରେ ଅନମନୀୟ ମତବାଦ, ବିଶ୍ବାସଗତ ମୌଳବାଦ, ପ୍ରଚ୍ଛନ୍ନ କାର୍ଯ୍ୟସୂଚ ଏବଂ ବ୍ୟକ୍ତିଗତ ପୂର୍ବାଗ୍ରହର ଗାଢ଼ ପୁଟ ମିଶିଯାଏ, ସେତେବେଳେ ଇତିହାସ ଫିତିହାସର ରୂପ ଧାରଣ କରିବାର ଆଶଙ୍କା ଉପୁଜେ। ଆହୁରି, ଯେବେଯେବେ ରାଜନୀତି ଅତୀତକୁ ଦଖଲ କରି ନିଜ କାମରେ ବ୍ୟବହାର କରିବାକୁ ଚାହିଁଛି ଏବଂ ରାଜନୀତିକ ଶକ୍ତି ଐତିହାସିକମାନଙ୍କୁ ସେମାନଙ୍କ ପଟିଆ ହେବାକୁ ବାତାବରଣ ନିର୍ମାଣ କରିଛନ୍ତି, ସେବେସେବେ ଇତିହାସ, ରାଜନୀତି ଓ ଐତିହାସିକ ହାସ୍ୟାସ୍ପଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।
ସବୁ ଐତିହାସିକ ଅବଶ୍ୟ ହୋ, ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ହୁଅନ୍ତି ନାହିଁ। ଏଇ ଯେମିତି ବିଦ୍ବାନ୍, ଲେଖକ, ଇତିହାସକାର ଓ ପ୍ରାକ୍ତନ ପ୍ରଫେସର ସୁମିତ ସରକାର (୧୯୩୯-୨୦୨୬), ଯିଏ ନିକଟରେ ଚାଲିଗଲେ। ତାଙ୍କ କୃତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ଥିଲା ଆଧୁନିକ ଗୀତ। ସୁମିତ ସରକାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା ଆଧୁନିକ ଭାରତବର୍ଷର ଅନ୍ୟତମ ଅତି ଗୁରୁତ୍ବପୂର୍ଣ୍ଣ ଅବସର ଅଗଷ୍ଟ ୧୫ ତାରିଖରେ। ସିଏ ଜଣେ ମାର୍କ୍ସବାଦୀ ବିଦ୍ବାନ୍ ଭାବେ ବେଶ୍ ପରିିଚିତ ଥିଲେ। କିନ୍ତୁ, ତାଙ୍କ ମାର୍କ୍ସବାଦ ଦଳାୟତ୍ତ, ସରକାରୀ ଓ ରୁଢ଼ିବାଦୀ ନ ଥିଲା। ବାମପନ୍ଥୀ, ସାମ୍ୟବାଦ ଓ ମାର୍କ୍ସୀୟ ଚେତନା ଭିତରର ସୂକ୍ଷ୍ମ-ସ୍ଥୂଳ ଭେଦ ବାବଦରେ ସିଏ ବେଶ୍ ଅବଗତ ଥିଲେ। ତାଙ୍କ ପୁତ୍ର ଇତିହାସକାର ଓ ପ୍ରାଧ୍ୟାପକ ଆଦିତ୍ୟ ସରକାର, ପିତାଙ୍କ ସମ୍ବନ୍ଧରେ କହନ୍ତି ଯେ- ସୁମିତଙ୍କ ପାଇଁ ମାର୍କ୍ସବାଦ ସରଳ ଓ ଏକକ ଅବବୋଧ ନ ଥିଲା; ଥିଲା ବରଂ ବହୁ ପାର୍ଶ୍ବବିଶିଷ୍ଟ ଓ ଖୋଲାମେଲା। ପିତାଙ୍କ ବାବଦରେ ପୁତ୍ର ଆହୁରି ଉଲ୍ଲେଖ କରନ୍ତି କେମିତି କବିତା ଭିତରେ ତାଙ୍କୁ ବ୍ରେଟ୍ଖ, ଇଲିଅଟ ଓ ୟେଟ୍ସଙ୍କ ଲେଖା ଆଚ୍ଛନ୍ନ କରି ରଖୁଥିଲା। ମାର୍କ୍ସବାଦର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ସୁମିତ କେତେକ ସାମ୍ୟବାଦୀ ବ୍ୟବସ୍ଥାର ତମସା ଓ ତଳିପେଟର ଯାତନାକୁ କେବେ ବି ଅଣଦେଖା କରି ନ ଥିଲେ।
ଇତିହାସ ଚର୍ଚ୍ଚା, ଅଧ୍ୟାପନା ଓ ଲିଖନର ଏକ ବଡ଼ ଆହ୍ବାନ ହେଲା କେମିତି ଏକ ଇତିହାସଦୃଷ୍ଟି ବା ଇତିହାସବୋଧ ସୃଷ୍ଟି କରିବା। ସେ ପ୍ରୟାସରେ ଅତ୍ୟନ୍ତ ସଫଳ ହୋଇଥିଲେ ସୁମିତ ସରକାର ନିଜର କୃତି ଜରିଆରେ, ଯାହା ଭିତରେ ସାମିଲ, ଜାତୀୟତାବାଦୀ ଫ୍ରେମ୍ ବାହାରେ ଓ ଊର୍ଦ୍ଧ୍ବରେ, ଆଧୁନିକ ଭାରତ, ବଙ୍ଗରେ ସ୍ବଦେଶୀ ଆନ୍ଦୋଳନ, ଆଧୁନିକ ସମୟ, ସାମାଜିକ ଇତିହାସ ଲିଖନ, ମାଟିଆ ପ୍ୟାଣ୍ଟ ଓ ଗେରୁଆ ବାନା, ସ୍ବାଧୀନତା ଅଭିମୁଖେ ଔପନିବେଶିକ ଭାରତର ଏକ ତର୍ଜମା, ମହିଳା ଓ ଆଧୁନିକ ଭାରତରେ ସାମାଜିକ ସଂସ୍କାର, ବଙ୍ଗୀୟ ନବଜାଗରଣ ଏବଂ ଅାଧୁନିକ ଭାରତରେ ଜାତି ଆଦି। ବିଶ୍ବ ସମ୍ବନ୍ଧରେ ଉଭୟ ଇତିହାସ ଓ ସମକାଳ ଆଧାରରେ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ ରାଜନୀତିକ ଇତିହାସ ଠାରୁ କାହିଁ କେତେ ଗୁଣରେ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ସାମାଜିକ ଇତିହାସ। ଯେତେବେଳେ ଜାତୀୟତାବାଦ ଲୋକଙ୍କୁ ପୂରା ଭୁଲିଯାଇ ଖାଲି ଦେଶ, ରାଷ୍ଟ୍ର ଓ ଜାତି କଥା ହିଁ କହିଚାଲେ, ସେତେବେଳେ ଜାତୀୟତାବାଦ ‘ସାଂସ୍କୃତିକ ମିଳିମିଳା’ର ଦୁରବସ୍ଥା ଭୋଗିପାରେ- ତାହା ଜାଣିଥିଲେ ସୁମିତ ସରକାର। ‘ତଳୁ ଇତିହାସ’ ଧାରାର ‘ସବ୍ଆଲ୍ଟର୍ନ’ ବା ‘ଅପାଙ୍କ୍ତେୟ’ ଅଧ୍ୟୟନ ସହ ମୂଳରୁ ସଂଯୁକ୍ତ ହୋଇଥିବା ସୁମିତ ସେଥିରୁ ପରେ ଓହରି ଯାଇଥିଲେ ଏବଂ ଲେଖିଥିଲେ ସେ ଅଧ୍ୟୟନରେ ମଳିମୁଣ୍ଡିଆ ବା ଅପାଙ୍କ୍ତେୟଙ୍କ ସ୍ଥାନ ନ୍ୟୂନ ହୋଇଛି। ୧୯୯୨ ମସିହାର ବାବ୍ରି ଘଟଣା ତାଙ୍କୁ ବିଚଳିତ ଓ ମର୍ମାହତ କରିଥିଲା ଏବଂ ଘଟଣାର ପର ବର୍ଷ ବାହାରିଥିଲା ସୁମିତ ପ୍ରମୁଖଙ୍କ ‘ଖାକି ସର୍ଟସ, ସାଫ୍ରନ ଫ୍ଲାଗସ’ ନାମକ ପ୍ରଭାବଶାଳୀ ପୁସ୍ତକ। ଆଗରୁ ତାଙ୍କୁ ମିଳିଥିବା ରବୀନ୍ଦ୍ର ପୁରସ୍କାର, ସିଏ ୨୦୦୭ ମସିହାରେ ଫେରେଇ ଦେଇଥିଲେ, ସିଙ୍ଗୁର-ନନ୍ଦିଗ୍ରାମରେ ବିରୋଧ କରୁଥିବା ଗ୍ରାମବାସୀ ଓ କୃଷକଙ୍କ ଉପରେ ଗୁଳିମାଡ଼ ଏବଂ ତଜ୍ଜନିତ ନିରୀହ ଲୋକଙ୍କ ମୃତ୍ୟୁର ପ୍ରତିବାଦ କରି। ତାଙ୍କ ମତ ଅନୁସାରେ ଜନବିଦ୍ବାନ୍ଙ୍କ ବଡ଼ ଭୂଷଣ ହେଲା ତଥ୍ୟ, ସତ୍ୟ, ବଳିଷ୍ଠ ବଚନ, ବିବେକବନ୍ତ ଲିଖନ ଏବଂ କ୍ଷମତାସୀନଙ୍କୁ ଦର୍ପଣ େଦଖେଇବାର ସାହସ ଓ ତା’ ସାଙ୍ଗକୁ ଦ୍ବିମତ ପୋଷଣର ଦକ୍ଷତା।
ବିଭିନ୍ନ କାରଣରୁ ବିଦ୍ବାନ୍ ଓ ବିଦୁଷୀମାନଙ୍କର ବୌଦ୍ଧିକ ସ୍ତର ଉତ୍ତମ କିମ୍ବା ମଧ୍ୟମ ଅଥବା ଅଧମ ମାନର ହୋଇଥାଏ। ତାହା ବେଳେବେଳେ ନିର୍ଭର କରିଥାଏ ଅନ୍ୟ ସମସାମୟିକଙ୍କ ବୌଦ୍ଧିକ ପତ୍ତନ ଉପରେ ଏବଂ ସେମାନଙ୍କ ଭିତରେ ପାରସ୍ପରିକ ଜ୍ଞାନ ବିନିମୟ ଉପରେ। ସୁମିତ ସରକାରଙ୍କ ମୋଟାମୋଟି ସମସାମୟିକ ଆଉ ତିନି ଜଣ ଉତ୍ତୁଙ୍ଗ ଐତିହାସିକ ହେଉଛନ୍ତି ବିପନ ଚନ୍ଦ୍ର, ଇରଫାନ ହବିବ ଓ ରୋମିଲା ଥାପର, ଯେଉଁମାନଙ୍କ ଅବଦାନକୁ ପ୍ରତିପକ୍ଷ ଶିବିର ମଧ୍ୟ ଅସ୍ବୀକାର କରିପାରି ନଥାନ୍ତି। ଏ ଚାରିହେଁ ଲୋକ ପକ୍ଷଭୁକ୍ତ ଓ ପ୍ରଗତିଶୀଳ ଇତିହାସକାର ଯେଉଁମାନେ ନିଶ୍ଚୟ ସେଇ ହିନ୍ଦୀ ଗୀତଟି ଶୁଣିଥିବେ, ଯାହାର ଉଦ୍ଘାଟନୀ ଶବ୍ଦ କେତୋଟି ହେଲା- ମା’, ମତେ ଶୁଣାଅ ଏମିତି ଏକ କାହାଣୀ ଯେଉଁଥିରେ ନା ଥିବେ ରାଜା ନା ଥିବେ ରାଣୀ। ନିଜ ପାରିବାରିକ ପରିବେଶରୁ ସୁମିତଙ୍କୁ ଉପଲବ୍ଧ ହୋଇଥିଲା ଅନେକ ପ୍ରେରଣାଦାୟୀ ଓ ଉତ୍ସାହପ୍ରଦ ବୌଦ୍ଧିକ ସଂଶାଧନ। ତାଙ୍କ ପିତା ବିଶିଷ୍ଟ ଐତିହାସିକ ସୁଶୋଭନ ସରକାର, ଯିଏ କି ଅକ୍ସଫୋର୍ଡରୁ ପଢ଼ିଥିଲେ, ଥିଲେ ଜଣେ ମାର୍କ୍ସବାଦୀ ଇତିହାସକାର ଏବଂ ତାଙ୍କ କୃତି ‘ଇତିହାସର ଧାରା’ ଚହଳ ସୃଷ୍ଟି କରିଥିଲା। ସେମିତି ତାଙ୍କ ମାମୁ ବିଖ୍ୟାତ ପରିସଂଖ୍ୟାନବିତ୍ ଓ ବୈଜ୍ଞାନିକ ପ୍ରଶାନ୍ତ ଚନ୍ଦ୍ର ମାହାଲନୋବିସ ଥିଲେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ପ୍ରତିଷ୍ଠାତା।
ସୁମିତ ସରକାରଙ୍କ ତିରୋଧାନ ପରେ ଅନେକ ଚମତ୍କାର ମତାମତ ଶୁଣିବାର ଓ ଲେଖା ପଢ଼ିବାର ସୁଯୋଗ ମିଳିଛି। ତାଙ୍କ ପତ୍ନୀ ବିଦୁଷୀ ଐତିହାସିକ ତାନିକା ସରକାର ସ୍ବାମୀଙ୍କ କେତେକ ପ୍ରସିଦ୍ଧ ଶବ୍ଦର ପୁନରୁଦ୍ଧାର କରି ଲେଖିଥିଲେ- ଇତିହାସ ହେଉଛି ମାନବ ସଂଘର୍ଷର ଜଟିଳ ପ୍ରକ୍ରିୟା; ଈପ୍ସିତ ଲକ୍ଷ୍ୟ ହାସଲ ଉଦ୍ୟମରେ ଉଭୟ ବିଜୟ ଓ ପରାଜୟ ଅବଶ୍ୟ ମିଳିଥାଏ; ପ୍ରୟାସ ସତ୍ତ୍ବେ ଅନେକ ଯାହା ପାଇପାରି ନଥାନ୍ତି, ତାହା ଅନ୍ୟମାନେ ଭିନ୍ନ ଭିନ୍ନ ନଁାରେ ଆଗକୁ ନିଅନ୍ତି, ଯାହାକୁ ଇତିହାସ ବୋଲି କୁହାଯାଏ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏକଦା ପଢ଼ିଥିବା ଓ ସୁମିତ ସରକାରଙ୍କ ଠାରୁ କିନ୍ତୁ ଇତିହାସ ପଢ଼ିପାରି ନ ଥିବା ଏବେକାର ସାଂସଦ ମନୋଜ ଝାଙ୍କୁ ପ୍ରଭାବିତ କରିଥିଲା ସୁମତ ସରକାରଙ୍କ ଆଧୁନିକ ଭାରତର ଇତିହାସ ଚର୍ଚ୍ଚା- ବିଶେଷ କରି ଗାନ୍ଧୀଙ୍କ ନୈତିକ ସାହସର ବ୍ୟାଖ୍ୟା, ଯାହା ସୁମିତ ଗାନ୍ଧୀଙ୍କ ନୂଆଖାଲି ପଦଯାତ୍ରା ପ୍ରସଙ୍ଗରେ କରିଥିଲେ ଯେତେବେଳେ କି ସାରା ଦେଶ ସଦ୍ୟ ପ୍ରାପ୍ତ ସ୍ବାଧୀନତାର ଆନନ୍ଦରେ ବିଭୋର ହୋଇ ଉତ୍ସବ ପାଳନ କରୁଥିଲା। ସେମିତି ଝାଙ୍କ ମତରେ ସୁମିତଙ୍କ ଗାନ୍ଧୀ ଅନୁଶୀଳନ ଥିଲା ବିରଳ ଓ ମୌଳିକ। ସୁମିତଙ୍କ ଦୃଷ୍ଟିରେ ଗାନ୍ଧୀ କହୁ ନ ଥିଲେ ସଭିଏଁ ଏକା ପ୍ରକାର ଭାବିବାକୁ ଓ ଏକା ଭଳିଆ ହେବାକୁ; ସିଏ ଚାହୁଁଥିଲେ ଅନେକ ଅଲଗାଙ୍କୁ ଗୋଟିଏ ଛତା ତଳେ ଏକାଠି କରିବାକୁ, ଯାହାକି ‘ଆଇଡିଆ ଅଫ ଇଣ୍ଡିଆ’ ବା ‘ଭାରତର ଅବଧାରଣା’ର ବୀଜମନ୍ତ୍ର। ପ୍ରଖ୍ୟାତ ସ୍ବାଧୀନଚେତା ପତ୍ରକାର ରବିଶ କୁମାର ନିଜ ପ୍ରିୟ ଶିକ୍ଷକ ସୁମିତ ସରକାରଙ୍କ ସମ୍ମାନରେ ପ୍ରାୟ ଏଇଆ କହିଥିଲେ- ଟ୍ରେନରେ ବିହାରରୁ ଓ ସେଠାକାର ସାମନ୍ତବାଦୀ ସାମାଜିକ ଢାଞ୍ଚାରୁ ବର୍ତ୍ତି ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲା ପରେ ସାର୍ଙ୍କ ଶ୍ରେଣୀ ଗୃହ ପ୍ରଚଣ୍ଡ ଆଶ୍ବାସନା ଦେଇଥିଲା ଏକ ଅସଲ ଲୋକତାନ୍ତ୍ରିକ ବାତାବରଣର। ସରଳ, ବିନମ୍ର, ହସହସ ଓ ଲାଜୁଆ ମଣିଷ। ସତେ ଯେମିତି ଦଲକାଏ ତାଜା ପବନ। କ୍ଲାସକୁ ଆସିଲା ବେଳେ ଲାଗନ୍ତି, ସିଏ ହିଁ ଅନେକ ପ୍ରଶ୍ନ ଘେରରେ ଥିବା ଜଣେ ଛାତ୍ର ଏବଂ ସିଏ ପଢ଼େଇ ସାରିଲା ପରେ ଆଗ ଛାତ୍ରଛାତ୍ରୀ ଫେରୁଥାନ୍ତି ପ୍ରଫେସରସୁଲଭ ବୌଦ୍ଧିକ ପଦୋନ୍ନତି ପାଇ ଏବଂ ଛାତ୍ରଟିଏ ଭଳି ନିଜ ବହି, ନୋଟ୍ସ ଓ ଖାତା ଗୋଟେଇ ଶେଷରେ ଫେରୁଥାନ୍ତି ଅସଲ ପ୍ରଫେସର। ପ୍ରାବନ୍ଧିକ ଓ ଜୀବନୀକାର ରାମଚନ୍ଦ୍ର ଗୁହା କହନ୍ତି ସୁମିତ ସରକାର ନିଜ ବିଦ୍ବତ୍ତାକୁ ଇତିହାସ ଚର୍ଚ୍ଚା ଓ ଆଭିମୁଖ୍ୟର କଳାକୌଶଳ ବଳରେ ଶିକ୍ଷାୟତନର ସୀମା ବାହାରକୁ ନେବାକୁ ସକ୍ଷମ ହୋଇଥିଲେ।
ଗୋଟିଏ ପର୍ଯ୍ୟାୟ କି ଧାରା ଇତିହାସର ସବୁ କିଛି ନିର୍ଦ୍ଧାରଣ କରେନି। ନିର୍ଣ୍ଣାୟକ ସାଜେ କେତେ ନା କେତେ ଖିଅ। ସେ ଖିଅମାନ କେତେବେଳେ ଛନ୍ଦାଛନ୍ଦି ତ ଆଉ କେତେବେଳେ ଛଡ଼ାଛଡ଼ି। ତେଣୁ, ଖିଅମାନଙ୍କ ମୂଲ୍ୟାୟନ ସକାଶେ ଲୋଡ଼ା ଏକ ନୁହେଁ ଅନେକ ମାପକାଠି। ଶ୍ରେଣୀ ତ ଅନ୍ୟତମ ମାପକାଠି ନିଶ୍ଚୟ। କିନ୍ତୁ, ଖାଲି ଶ୍ରେଣୀ ନୁହେଁ। ଶ୍ରେଣୀ ସାଙ୍ଗକୁ ଜାତି, ପ୍ରଜାତି, ଲିଙ୍ଗ ଓ ଅସ୍ମିତାଗତ ଅବସ୍ଥିତି। କେବଳ ବିଶିଷ୍ଟ ନେତାନେତ୍ରୀ ଆଧାରିତ ଇତିହାସ ଲିଖନ ଅଧିକ ଆଗକୁ ନେଇପାରେନି। ବୁଝିବା ଦରକାର ଯେ ପରିସ୍ଥିତି ସେତେବେଳେ କେମିତି ଥିଲା ଓ ଲୋକଙ୍କ ଦାବି କ’ଣ ଥିଲା। ଏମିତିଆ ପ୍ରତ୍ୟୟରେ ଆସ୍ଥା ରଖୁଥିବା ସୁମିତ ସରକାରଙ୍କୁ ନିବିଡ଼ ଭାବେ ଜାଣିଥିବା କେତେଜଣ ଓଡ଼ିଆ ଇତିହାସ ବିଦ୍ବାନ୍ ହେଲେ ସୁବ୍ରତ ରାଉତ, ଦେବାର୍ପିତ ମଞ୍ଜିତ ଓ ପ୍ରଭୁ ମହାପାତ୍ର ଏବଂ ଆମ ଗହଣରେ ଆଉ ନ ଥିବା ଭୈରବୀ ସାହୁ ଓ ବିଶ୍ବମୟ ପତି। ଅତି ଦୁର୍ବଳ ସ୍ବାସ୍ଥ୍ୟର, ତାଙ୍କୁ ଦେଖିଲେ ଲାଗିପାରେ ଫୁଙ୍କିଦେଲେ ଉଡ଼ିଯିବେ! ହେଲେ ଅଧ୍ୟାପନାକୁ ସଙ୍ଗୀତର ରାଗ ଓ ଆଳାପରେ ପରିଣତ କରିପାରୁଥିବା ଏବଂ ବିଦ୍ବାନ୍ ଭାବେ ଅନେକାନ୍ତବାଦୀ ଥିବା ସୁମିତ ସରକାରମାନେ ଉଡ଼ିଯିବାର ନୁହନ୍ତି, ଓ ସେମାନେ ମଧ୍ୟ ସବୁବେଳେ ମିଳନ୍ତି ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯

2 weeks ago
29


