ARTICLE AD BOX
ଆମେରିକାରେ ଟ୍ରମ୍ପଙ୍କର ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ ‘ଡେମୋକ୍ରାଟିକ୍ ପାର୍ଟି’ ‘ଫିଫା’କୁ ‘‘ବିଶ୍ବ ଖେଳକୁଦ କ୍ଷେତ୍ରରେ ଟ୍ରମ୍ପଙ୍କର ପ୍ରିୟ ଦୁର୍ନୀତିଗ୍ରସ୍ତ ପ୍ରତାରଣାକାରୀ ଉଦ୍ୟୋଗ’’ ବୋଲି ବର୍ଣ୍ଣନା କରି ବିବୃତି ଜାରି କରିଛି। ‘ଫିଫା’ ‘‘ପ୍ରତ୍ୟକ୍ଷ ଭାବରେ ଟ୍ରମ୍ପ ପରିବାର ସହିତ ବ୍ୟବସାୟରେ ଜଡ଼ିତ’’ ବୋଲି ଏଇ ବିବୃତିରେ ଅଭିଯୋଗ କରାଯାଇଛି। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ ଅନୁରୂପ ବିରୋଧ ପ୍ରକଟ କରି ଘୋଷଣା କରିବା ଦେଖାଯାଇଛି: ‘‘ଫୁଟ୍ବଲ୍ ନିବେଶକମାନଙ୍କର ସଂପତ୍ତି ନୁହେଁ।’’
Media workshop: ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅଖିଳ କୁମାର ମିଶ୍ର
‘ଜୋଗୋ ବନିତୋ’ ବା ‘ସୁନ୍ଦର ଖେଳ’ ରୂପେ ଅଭିହିତ ଫୁଟ୍ବଲ୍ ସମ୍ବନ୍ଧରେ ଯେଉଁ ଅସଂଖ୍ୟ କିଂବଦନ୍ତି ପ୍ରସାର ଲାଭ କରିଥାଏ, ସେଥିମଧ୍ୟରୁ ବୋଧହୁଏ ସର୍ବଶ୍ରେଷ୍ଠ ହେଉଛି ନିମ୍ନବର୍ଣ୍ଣିତ ଘଟଣାଟି। ଧର୍ମଶାସ୍ତ୍ରବିତ୍ମାନେ ସାଧାରଣତଃ ଏଇ ଦୁଃଖମୟ ସଂସାରରେ ମନୁଷ୍ୟ ଈଶ୍ବରଙ୍କ ଆରାଧନା ମାଧ୍ୟମରେ ଚିର ଆନନ୍ଦ ଲାଭ କରିବାର ଉପାୟ ଅନୁସନ୍ଧାନ କରିବାରେ ପଥପ୍ରଦର୍ଶକ ରୂପେ କାର୍ଯ୍ୟ କରିଥାନ୍ତି। ବିଂଶ ଶତାବ୍ଦୀର ଜନୈକା ପ୍ରସିଦ୍ଧ ଜର୍ମାନ୍ ଧର୍ମଶାସ୍ତ୍ରବିତ୍ ଡୋରୋଥି ସୋଲେଙ୍କୁ ଜଣେ ସାମ୍ବାଦିକ ଏ ସଂପର୍କରେ ଏକ ଅସୁବିଧାଜନକ ପ୍ରଶ୍ନ ପଚାରିଥିଲେ: ‘‘ଆପଣ ଗୋଟିଏ ଛୋଟ ପିଲାକୁ ଆନନ୍ଦ କ’ଣ ତାହା କିପରି ବୁଝାଇବେ?’’ ସୁଶ୍ରୀ ସୋଲେ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ: ‘‘ମୁଁ ତାକୁ କିଛି ବୁଝାଇବି ନାହିଁ, ମୁଁ କେବଳ ତା’ ପାଖକୁ ବଲ୍ଟିଏ ଫିଙ୍ଗି ଦେବି ଓ ତାକୁ ସେଥିସହିତ ଖେଳିବାକୁ ଦେବି।’’
ଡୋରୋଥି ସୋଲେଙ୍କର ଏଇ ଟିପ୍ପଣି ସାବ୍ୟସ୍ତ କରିବାକୁ ଚାହିଁଥାଏ ଯେ ଫୁଟ୍ବଲ୍ ଖେଳ ହେଉଛି ବିମଳ ଆନନ୍ଦର ଉତ୍ସ। କିନ୍ତୁ ବର୍ତ୍ତମାନ ପୃଥିବୀରେ ଏଇ ଖେଳର ସର୍ବୋଚ୍ଚ ସ୍ତରରେ ଘଟିଥିବା କେତେକ ଘଟଣା ଦେଖିଲେ ମନେ ହୋଇଥାଏ ଯେ ଡୋରୋଥି ସୋଲେଙ୍କର ସେଇ ପ୍ରସିଦ୍ଧ ମନ୍ତବ୍ୟର ସତ୍ୟତା ନିର୍ଭର କରିଥାଏ ସେ ଯେଉଁ ପିଲାଟି ପାଖକୁ ବଲ୍ଟିଏ ଫିଙ୍ଗିବେ, ସେ ପିଲାର ପରିଚୟ ଉପରେ। ଯଦି ସେ ପିଲାଟି ହୋଇଥାଏ ଭବିଷ୍ୟତରେ ଆମେରିକାର ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ କିମ୍ବା ପୃଥିବୀରେ ଫୁଟ୍ବଲ୍ ଖେଳର ସର୍ବୋଚ୍ଚ ନିୟନ୍ତ୍ରକ ସଂସ୍ଥା ‘ଫିଫା’ର ମୁଖ୍ୟ ବା ସଭାପତି ହେବାକୁ ଯାଉଥିବା ଜିଆନି ଇନ୍ଫାଣ୍ଟିନୋ, ତେବେ ବଲ୍ଟି ତାକୁ ଆନନ୍ଦର ଉତ୍ସ ରୂପେ ପ୍ରତୀୟମାନ ହେବା ପରିବର୍ତ୍ତେ ବିପୁଳ ଅର୍ଥ ଅର୍ଜନର ଏକ ସାଧନ ରୂପେ ଦୃଶ୍ୟମାନ ହେବ।
ଆମେରିକାରେ ଆୟୋଜିତ ସଦ୍ୟସମାପ୍ତ ବିଶ୍ବକପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟରୁ ପ୍ରାୟ ୧୫ ବିଲିଅନ୍ ଡଲାରର ଏକ ବିଶାଳ ଆୟ ଅର୍ଜନ କଲା ପରେ ଜୁଲାଇ ୨୮ରେ ଇନ୍ଫାଣ୍ଟିନୋଙ୍କ ନେତୃତ୍ବାଧୀନ ‘ଫିଫା’ ଘୋଷଣା କରିଛି ଯେ ନିଜର ବ୍ୟାବସାୟିକ କାର୍ଯ୍ୟକଳାପମାନଙ୍କୁ ସୁଦୃଢ଼ କରିବା ପାଇଁ ସେ ଏକ ଅନୁଷଙ୍ଗୀ ସଂସ୍ଥା ବା ‘ସବ୍ସିଡିଆରି’ ସ୍ଥାପନ କରିବାକୁ ଯାଉଛି। ଯେଉଁ ସମସ୍ତ କାର୍ଯ୍ୟକଳାପ ‘ଫିଫା’ର ବ୍ୟବସାୟରେ ଅନ୍ତର୍ଭୁକ୍ତ, ସେଗୁଡ଼ିକ ମଧ୍ୟରେ ଅଛନ୍ତି ବ୍ରଡ୍କାଷ୍ଟିଙ୍ଗ, ପ୍ରାୟୋଜନ ବା ସ୍ପୋନ୍ସର୍ସିପ୍ରୁ ଆରମ୍ଭ କରି ଟିକେଟ୍ ବିକ୍ରୟ, ଲାଇସେନ୍ସ ପ୍ରଦାନ ଓ ମହିଳା ଏବଂ ପୁରୁଷ ବିଶ୍ବକପ୍ ପ୍ରତିଯୋଗିତାମାନ ଆେୟାଜନ ପର୍ଯ୍ୟନ୍ତ। ‘ଫିଫା ଫର୍ୱାର୍ଡ ଏଣ୍ଟର୍ପ୍ରାଇଜ୍’ (‘ଏଫ୍ଏଫ୍ଇ’) ନାମ ବହନ କରିବାକୁ ଯାଉଥିବା ଏଇ ସବ୍ସିଡିଆରିର ମୂଲ୍ୟ ୨୦ ବିଲିଅନ୍ ଡଲାର ହେବ ବୋଲି ଅନୁମାନ କରାଯାଉଛି। ଏଇ ଅନୁଷଙ୍ଗୀ ସଂସ୍ଥାର ୨୦ ଶତାଂଶ ଅଂଶପତ୍ର ବିକ୍ରୟ ଦ୍ବାରା ସଂଗୃହୀତ ୪ ବିଲିଅନ୍ ଡଲାରରୁ ଅଧିକ ସମ୍ବଳ ବଣ୍ଟନ କରାଯାଇ ‘ଫିଫା’ର ୨୧୧ଟି ଜାତୀୟ ସଦସ୍ୟ ସଂଗଠନମାନଙ୍କର ପାଣ୍ଠିଗୁଡ଼ିକୁ ପରିପୁଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ‘ଏଫ୍ଏଫ୍ଇ’ ସ୍ଥାପନ ପ୍ରସ୍ତାବ ସେଇ ସମସ୍ତ ସଂଗଠନମାନଙ୍କର ସଂଖ୍ୟାଗରିଷ୍ଠ ଅନୁମୋଦନ ଲାଭ କଲେ ଯାଇ କାର୍ଯ୍ୟକାରୀ ହେବ। ଏଥିରେ କିନ୍ତୁ କୌଣସି ବଦାନ୍ୟତା ନୁହେଁ, ଇନ୍ଫାଣ୍ଟିନୋଙ୍କ ବ୍ୟକ୍ତିଗତ ସ୍ବାର୍ଥ ନିହିତ ଅଛି। ନିକଟରେ ଇନ୍ଫାଣ୍ଟିନୋଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ଇନ୍ଫାଣ୍ଟିନୋ ଆଉ ଗୋଟିଏ ଚାରିବର୍ଷିଆ ପାଳି ସଭାପତି ପଦ ଲାଭ କରିବା ପାଇଁ ଏହି ସଦସ୍ୟ ସଂଗଠନମାନଙ୍କର ସଂଖ୍ୟାଗରିଷ୍ଠ ଭୋଟ ଆବଶ୍ୟକ କରନ୍ତି, ଯାହା ସେ ଏହି ତୁଷ୍ଟୀକରଣ ପଦକ୍ଷେପ ଦ୍ବାରା ହାସଲ କରିଥାନ୍ତେ। ଇତିମଧ୍ୟରେ ଭୀଷଣ ପ୍ରତିକ୍ରିୟାର ସମ୍ମୁଖୀନ ହୋଇ ଇନ୍ଫାଣ୍ଟିନୋ ତାଙ୍କର ‘ଏଫ୍ଏଫ୍ଇ’ ସ୍ଥାପନ ଉଦ୍ୟମ ପ୍ରତ୍ୟାହାର କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି, କିନ୍ତୁ ତାଙ୍କର ଚରିତ୍ର ଦେଖି ସନ୍ଦେହ ଦୂର ହୋଇ ନଥାଏ ଯେ ସେ ଏଥିପାଇଁ ପରବର୍ତ୍ତୀ ସୁଯୋଗକୁ ଛକି ରହି ନଥିବେ।
Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ
ଏଥର ଏଥିସହିତ ଟ୍ରମ୍ପଙ୍କର ସଂପର୍କ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ‘ଥ୍ରାଇଭ୍ କ୍ୟାପିଟାଲ୍’ ନାମକ ଏକ ନିବେଶ ଅନୁଷ୍ଠାନର ନେତୃତ୍ବରେ ଏଇ ନୂତନ ଅନୁଷଙ୍ଗୀ ସଂସ୍ଥା ‘ଏଫ୍ଏଫ୍ଇ’ ସମ୍ବଳ ସଂଗ୍ରହ ଆରମ୍ଭ କରିବ ବୋଲି କଥାବାର୍ତ୍ତା ଚାଲିଛି। ସୂଚନାଯୋଗ୍ୟ, ‘ଥ୍ରାଇଭ୍ କ୍ୟାପିଟାଲ୍’ର ସ୍ଥାପୟିତା ଜୋସୁଆ କସ୍ନର୍ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କର ଜ୍ବାଇଁ ଜାରେଡ୍ କସ୍ନର୍ଙ୍କର ଭାଇ। ଏଥିପୂର୍ବରୁ ବିଶ୍ବକପ୍ ପ୍ରତିଯୋଗିତାରେ ଟ୍ରମ୍ପଙ୍କ ଚାପରେ ଇନ୍ଫାଣ୍ଟିନୋ ଏକ ମ୍ୟାଚ୍ରେ ରେଫରିଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇ ଜଣେ ଆମେରିକୀୟ ଖେଳାଳିଙ୍କୁ ପ୍ରଦର୍ଶନ କରାଯାଇଥିବା ରେଡ୍ କାର୍ଡକୁ ନାକଚ କରି ତାଙ୍କ ପ୍ରତି ଲାଗୁ କରାଯାଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଥିଲେ। ଏହା କେବଳ ଇନ୍ଫାଣ୍ଟିନୋଙ୍କୁ ଟ୍ରମ୍ପଙ୍କର ବଚସ୍କର ରୂପେ ପ୍ରଦର୍ଶିତ କରି ତାଙ୍କର ଖ୍ୟାତିକୁ ଭୂ-ଲୁଣ୍ଠିତ କରିଥିଲା, ତାହା ନୁହେଁ, ‘ଫିଫା’ର ନିରପେକ୍ଷତା ଓ ବିଶ୍ବସନୀୟତା ଉପରେ ଏକ ଗଭୀର ପ୍ରଶ୍ନଚିହ୍ନ ଲଗାଇଥିଲା। ‘ସୁନ୍ଦର ଖେଳ’ର ଚେହେରାକୁ କୁତ୍ସିତ କରିବା ପାଇଁ ତାଙ୍କର ଏଇ ଉଦ୍ୟମ ସତେ ଯେମିତି ଯଥେଷ୍ଟ ନ ଥିଲା, ସେଇ ଟୁର୍ନାମେଣ୍ଟ ସମାପ୍ତ ହେବା ପରେ ପରେ ଇନ୍ଫାଣ୍ଟିନୋ ‘ଫିଫା’ର ନଗ୍ନ ବ୍ୟବସାୟକରଣ ପାଇଁ ଏଇ ନୂତନ ଉଦ୍ୟମ ଆରମ୍ଭ କରିଦେଇଛନ୍ତି, ଯାହାର ଏକ ପ୍ରମୁଖ ଲାଭାର୍ଥୀ ହେବ ଡୋନାଲ୍ଡ ଟ୍ରମ୍ପଙ୍କର ପରିବାର।
ପୃଥିବୀର ପ୍ରିୟତମ ଖେଳ ପ୍ରତି ଏଇ ଆସନ୍ନ ବିପଦ ଦ୍ବାରା ବିଚଳିତ ହୋଇ ‘ଫିଫା’ର କେତେକ ପ୍ରମୁଖ ସଦସ୍ୟ ସଂଗଠନ ଇନ୍ଫାଣ୍ଟିନୋଙ୍କର ଏଇ ଉଦ୍ୟମ ବିରୁଦ୍ଧରେ ସ୍ବର ଉତ୍ତୋଳନ ଆରମ୍ଭ କରିବା ଦେଖାଗଲାଣି। ଉଦାହରଣ ସ୍ବରୂପ ଇଉରୋପ୍ରେ ଫୁଟ୍ବଲ୍ ଖେଳର ସର୍ବୋଚ୍ଚ ନିୟନ୍ତ୍ରକ ସଂଗଠନ ‘ୟୁନିଅନ୍ ଅଫ୍ ଇଉରୋପିଆନ୍ ଫୁଟ୍ବଲ୍ ଆସୋସିଏସନ୍ସ’ (‘ୟୁଏଫା’) ବଜ୍ରଗମ୍ଭୀର ସ୍ବରରେ ଚେତାବନୀ ଦେଇଛି: ‘‘ଫୁଟ୍ବଲ୍ ‘ଫିଫା’ର ପଣ୍ୟ ବସ୍ତୁ ନୁହେଁ!’’ ସେତିକି ନୁହେଁ, ଇନ୍ଫାଣ୍ଟିନୋ ଯଦି ତାଙ୍କର ନିଷ୍ପତ୍ତିରେ ଅଟଳ ରହନ୍ତି, ତେବେ ‘ୟୁଏଫା’ ଭବିଷ୍ୟତ ବିଶ୍ବକପ୍ ଟୁର୍ନାମେଣ୍ଟମାନ ବର୍ଜନ କରିବ ବୋଲି ଘୋଷଣା କରିଛି। ଏହା ବାଦ୍ ଆଉ ପାଦେ ଆଗେଇ ଯାଇ ‘ୟୁଏଫା’ ଏବଂ ଏସିଆ ଓ ଉତ୍ତର, କେନ୍ଦ୍ରୀୟ, କ୍ୟାରିବିଆନ୍ ଅଞ୍ଚଳର ଫୁଟ୍ବଲ୍ ସଂଘମାନେ ମିଳିତ ହୋଇ ‘ୱର୍ଲଡ୍ ନେସନ୍ସ ଲିଗ୍’ ନାମରେ ବିଶ୍ବକପ୍ ଟୁର୍ନାମେଣ୍ଟର ଏକ ପ୍ରତିଦ୍ବନ୍ଦ୍ବୀ ଆନ୍ତର୍ଜାତିକ ଟୁର୍ନାମେଣ୍ଟର ଆୟୋଜନ କରିବେ ବୋଲି ପ୍ରଚ୍ଛନ୍ନ ଧମକ ଦେଲେଣି।
ଆମେରିକାରେ ଟ୍ରମ୍ପଙ୍କର ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ ‘ଡେମୋକ୍ରାଟିକ୍ ପାର୍ଟି’ ‘ଫିଫା’କୁ ‘‘ବିଶ୍ବ ଖେଳକୁଦ କ୍ଷେତ୍ରରେ ଟ୍ରମ୍ପଙ୍କର ପ୍ରିୟ ଦୁର୍ନୀତିଗ୍ରସ୍ତ ପ୍ରତାରଣାକାରୀ ଉଦ୍ୟୋଗ’’ ବୋଲି ବର୍ଣ୍ଣନା କରି ବିବୃତି ଜାରି କରିଛି। ‘ଫିଫା’ ‘‘ପ୍ରତ୍ୟକ୍ଷ ଭାବରେ ଟ୍ରମ୍ପ ପରିବାର ସହିତ ବ୍ୟବସାୟରେ ଜଡ଼ିତ’’ ବୋଲି ଏଇ ବିବୃତିରେ ଅଭିଯୋଗ କରାଯାଇଛି। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ ଅନୁରୂପ ବିରୋଧ ପ୍ରକଟ କରି ଘୋଷଣା କରିବା ଦେଖାଯାଇଛି: ‘‘ଫୁଟ୍ବଲ୍ ନିବେଶକମାନଙ୍କର ସଂପତ୍ତି ନୁହେଁ।’’
ଏଠାରେ ଉଲ୍ଲେଖ ପ୍ରୟୋଜନ, ‘ଥ୍ରାଇଭ୍ କ୍ୟାପିଟାଲ୍’ ହେଉଛି ଅଗ୍ରଣୀ ‘ଏଆଇ’ କଂପାନି ‘ଓପନ୍ ଏଆଇ’ର ଏକ ପ୍ରମୁଖ ନିବେଶକ। ଏଭଳି ଏକ ନିବେଶକ ସଂସ୍ଥା ଲାଭ ଅନୁସନ୍ଧାନରେ ‘ଏଆଇ’ର ସୁପର୍ ଟେକ୍ନୋଲୋଜି ଦୁନିଆ ସହିତ ଫୁଟ୍ବଲ୍ ଭଳି ଏକ ବିଶୁଦ୍ଧ ମାନବୀୟ ଖେଳ ଦୁନିଆରେ ନିବେଶ କରିବାକୁ ଚାହିଁବା ପଛରେ କେଉଁ କାରଣ ଥାଇପାରେ, ତାହା ଯଦି ରହସ୍ୟମୟ ବୋଧ ହେଉଥାଏ, ଏ ସଂପର୍କରେ ସେଇ ନିବେଶକ ସଂସ୍ଥା ସୂତ୍ରରୁ ଉପଲବ୍ଧ ଏକ ଗୋପନୀୟ ସ୍ପଷ୍ଟୀକରଣ ସେଇ ରହସ୍ୟ ଭେଦ କରିବାରେ ସହାୟକ ହୋଇପାରେ। ଏହା ଅନୁସାରେ ଆଗାମୀ ସମୟରେ ‘ଏଆଇ’ ପରିଚାଳିତ ଅଣ-ମାନବୀୟ ଅସ୍ଥିର ଦୁନିଆରେ ଯଦି କୌଣସି ଏକ ସଂପୂର୍ଣ୍ଣ ରୂପେ ମାନବକୈନ୍ଦ୍ରିକ କର୍ମ ଅପରିବର୍ତ୍ତିତ ରହେ, ତାହା ହେଉଛି- ଫୁଟ୍ବଲ୍। ‘ଫିଫା’ ମାଧ୍ୟମରେ ଏଥିରେ ନିବେଶ କଲେ ଭବିଷ୍ୟତରେ ଆୟ ପ୍ରବାହରେ କେବେହେଲେ ଭଟ୍ଟା ପଡ଼ିବ ନାହିଁ ବୋଲି ‘ଥ୍ରାଇଭ୍ କ୍ୟାପିଟାଲ୍’ର ଦୃଢ଼ ବିଶ୍ବାସ। କିନ୍ତୁ ଉପରବର୍ଣ୍ଣିତ ପ୍ରତିକ୍ରିୟାରୁ ଯାହା ମନେ ହେଉଛି ଇନ୍ଫାଣ୍ଟିନୋଙ୍କ ସହାୟତାରେ ‘ଫିଫା’ରେ ଟ୍ରମ୍ପ ଓ ତାଙ୍କର ପରିବାରର ପ୍ରବେଶ ସହିତ ‘ଫିଫା’ର ଆୟ ସ୍ରୋତ ଶୁଷ୍କ ହୋଇଯାଇପାରେ।
ତେବେ ଫୁଟ୍ବଲ୍ର ସ୍ରୋତ ଅବଶ୍ୟ ଅନ୍ୟ ଏକ ଧାର ଦେଇ ପ୍ରବାହିତ ହୋଇଚାଲିବ ଏବଂ ଟ୍ରମ୍ପ-ଇନ୍ଫାଣ୍ଟିନୋ ଯୋଡ଼ିର ଏଥିରୁ ଆନନ୍ଦ ହରଣ ଉଦ୍ୟମ ସତ୍ତ୍ବେ ଡୋରୋଥି ସୋଲେଙ୍କୁ ହତାଶ ନ କରି ପୂର୍ବଭଳି ସମସ୍ତଙ୍କୁ ବିମଳ ଆନନ୍ଦ ପ୍ରଦାନ କରି ଚାଲିବ।

1 hour ago
2

