Editorial: ଅସ୍ପୃଶ୍ୟ ଶବ୍ଦ!

1 month ago 12
ARTICLE AD BOX

ପ୍ରଶ୍ନ ହେଲା, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ପ୍ରଦାନ କରିଥିବା ଆନ୍ଦୋଳନକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ ନା ନୁହେଁ? ସଂପ୍ରତି, ତୀବ୍ର ଧ୍ରୁବୀକରଣର ବାତାବରଣରେ ଏହାର ଉତ୍ତର ଦ୍ବିଭାଜିତ ହେବା ସୁନିଶ୍ଚିତ। କିନ୍ତୁ, ଏହା ମଧ୍ୟ ସତ ଯେ ଏହି ପ୍ରସଙ୍ଗକୁ ନେଇ ବିବାଦର ଝଡ଼ ତୀବ୍ର ହେଲେ ଶିକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆଣିବା ସକାଶେ ସୃଷ୍ଟି ହୋଇଥିବା ମହାର୍ଘ ସୁଯୋଗଟି କୁଆଡ଼େ ଉଡ଼ିଯିବ!

Editorial: ରାମରାଜ୍ୟ: କଥା ଓ ବାସ୍ତବତା: ଗୌରଚନ୍ଦ୍ର ତ୍ରିପାଠୀଙ୍କ ସମ୍ପାଦକୀୟ ଆଶାର ଗବାକ୍ଷରେ ପଢ଼ନ୍ତୁ ଏଥର...

ଜନ୍ତରମନ୍ତରରେ ସିଜେପି ଦ୍ବାରା ଆୟୋଜିତ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଯିବା ପରେ ତା’ ସହିତ ସଂଶ୍ଳିଷ୍ଟ ଯେଉଁ ସବୁ ବିଷୟକୁ ନେଇ ତୁମୂଳ ଆଲୋଚନା ଚାଲିଛି, ତହିଁରେ ପ୍ରମୁଖ ସ୍ଥାନ ଅଧିକାର କରିଛି, ‘ଜେନ-ଜି’ ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ କେତେକଙ୍କ ଅଭିବ୍ୟକ୍ତିରେ ବ୍ୟବହୃତ ଭାଷା, ଯାହା ସଂଭ୍ରମତାଶୂନ୍ୟ, ଅରୁଚିକର, ଅବଜ୍ଞାସୂଚକ, ଅଶାଳୀନ ଓ ଅଶ୍ଳୀଳ ବୋଲି ଦର୍ଶାଇ ଗୋଟିଏ ପକ୍ଷ ତାହାକୁ ‘ଅନସ୍ବୀକାର୍ଯ୍ୟ ଅଭାଷା’ ବୋଲି ଦୋଷାରୋପ କରୁଛନ୍ତି। ଏତିକି ବେଳେ ଆଉ ଗୋଟିଏ ପକ୍ଷ ସେମାନଙ୍କ ତର୍କରେ ଅଟଳ ଯେ ପିଢ଼ିଗତ ପାର୍ଥକ୍ୟ ହେତୁ ‘ଜେନ-ଜି’ଙ୍କ ଆଗ୍ରହ, ଉତ୍କଣ୍ଠା, ଉଦ୍‌ବେଗ ଏପରିକି ଭାବ ପ୍ରକାଶର ସୂତ୍ରକୁ ବୁଝିବାର ଅକ୍ଷମତା ହେଉଛି ଏଭଳି ଧାରଣାର କାରଣ। ଏହା ସୁବିଦିତ ଯେ କେତେକ ଆନ୍ଦୋଳନକାରୀ, ଲିଙ୍ଗ ନିର୍ବିଶେଷରେ, ସେମାନଙ୍କ ପ୍ଲାକାର୍ଡରେ ଲିଖିତ ଭାବେ ଏବଂ ମୌଖିକ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଆକ୍ଷେପ କରିଛନ୍ତି, ଯାହା ଏହି ପ୍ରସଙ୍ଗକୁ ଅଧିକ ସ୍ପର୍ଶକାତର କରିଛି। 
ସମାଜ ବିଜ୍ଞାନୀମାନେ ଏକମତ ଯେ ‘ଟିକ୍‌ଟକ୍‌’ ଓ ‘ଇନଷ୍ଟାଗ୍ରାମ’ ଆଦିର ପ୍ରଭାବରୁ, ଇଣ୍ଟରନେଟର ସଂସାରରେ ଅହରହ ବିଚରଣ କରୁଥିବା ‘ଜେନ-ଜି’ ବାଳକ-ବାଳିକାମାନଙ୍କ ଭାଷାାକୋଷରେ ଏଭଳି ଅନେକ ନୂତନ ଶବ୍ଦ ଓ ଅଭିବ୍ୟକ୍ତି ପ୍ରବେଶ କଲାଣି, ଯାହା ପରବର୍ତ୍ତୀ ପିଢ଼ି ସକାଶେ ଅବୋଧ୍ୟ ଏବଂ ଅର୍ଥାୟିତ ହେବା ପରେ ଅଗ୍ରହଣୀୟ ହେବାରେ ଲାଗିଛନ୍ତି। କାରଣ, ମୁକ୍ତ ବିଚାର, ଖୋଲା ଅଭିବ୍ୟକ୍ତି, ପ୍ରଚଳିତ ଧାରା ପ୍ରତି ଅବଜ୍ଞା ଓ ପଦ ମର୍ଯ୍ୟାଦା ପ୍ରତି ବେଖାତିର ଭାବ ପ୍ରଦର୍ଶନର ଦୁଃସାହସ, ଭାଷା ବ୍ୟବହାରରେ ଶୀଳ-ଶୂନ୍ୟତା ଆଦି ଦ୍ବାରା ଚିହ୍ନିତ ଏହି ପିଢ଼ି ସମକ୍ଷରେ ପୂର୍ବବର୍ତ୍ତୀ ପିଢ଼ିର ରକ୍ଷଣଶୀଳତା ଅସ୍ବସ୍ତିର ଶରବ୍ୟ ହେବା ସ୍ବାଭାବିକ। ଏହା ମଧ୍ୟ ଏକ ବାସ୍ତବତା ଯେ ଇଣ୍ଟରନେଟର ଆଗମନ ପୂର୍ବରୁ ଦୁଇ କ୍ରମିକ ପିଢ଼ିର ଚିହ୍ନ ଥିଲେ ‘ପିତା’ ଓ ‘ପୁତ୍ର’, ଯହିଁରେ ସମୟଗତ ପାର୍ଥକ୍ୟ ଥିଲା ସୁନିଶ୍ଚିତ ଭାବେ ପ୍ରାୟ କୋଡ଼ିଏ ବର୍ଷ ଏବଂ ତଦନୁସାରେ ବିଚାରଗତ ବ୍ୟବଧାନ ରହୁଥିଲା। ସଂପ୍ରତି, କିନ୍ତୁ, ‘ମିଲେନିଏଲ୍‌’ ଓ ‘ଜେନ-ଜି’କୁ ଯଦି ଦୁଇଟି ପିଢ଼ି ବୋଲି ବିଚାର କରାଯାଏ, ତେବେ ସର୍ବନିମ୍ନ ବୟସର ବ୍ୟବଧାନ ହୋଇପାରେ ମାତ୍ର ତିନି ବର୍ଷ, ଅର୍ଥାତ୍‌ ଦୁଇ ଭାଇଙ୍କ ଭିତରେ ମଧ୍ୟ ରହିପାରେ ପିଢ଼ିଗତ ପାର୍ଥକ୍ୟ! କହିବାର ମର୍ମ ହେଲା ଏଭଳି ସ୍ଥିତିରେ ଅଧିକାଂଶ ବରିଷ୍ଠ ଓ ମଧ୍ୟ-ବୟସ୍କଙ୍କ ସକାଶେ ‘ଜେନ-ଜି’ର ସଦସ୍ୟମାନେ ଦୁର୍ବୋଧ୍ୟ, ଅନେକ ସମୟରେ ଅପରିଚିତ ଭଳି ମଧ୍ୟ ମନେ ହୋଇପାରନ୍ତି।
ନୋବେଲ ପୁରସ୍କାର ବିଜେତା ଗାଳ୍ପିକ ଆଇଜାକ ବାସେଭିସ ସିଙ୍ଗର କହିଥିବା ଭଳି ‘ଏହି ପୃଥିବୀ ତରୁଣମାନଙ୍କର’ ହୋଇଥିବାରୁ ସେମାନଙ୍କ ଦ୍ବାରା ନୂତନ ଧାରାର ସୂତ୍ରପାତ ହେବାରେ ଲାଗିଥାଏ, ଗତାୟୁମାନେ ସୀମାନ୍ତରିତ ହେଉଥାଆନ୍ତି; ଏହି କ୍ରମରେ ପୃଥିବୀ ଓ ମାନବ ସଭ୍ୟତା ଗତି ମଧ୍ୟ ପାଇଥାଏ। ଶଂସିତ ପ୍ରସଙ୍ଗରେ କୁହାଯାଇ ପାରେ କି ଏହାର ସଂକେତ ‘‌େଜନ-ଜି’ଙ୍କ ଭାଷା ଓ ଅଭିବ୍ୟକ୍ତିରୁ ମିଳୁଛି, ପୂର୍ବରୁ ଅଶ୍ରାବ୍ୟ ଓ ଅକଥ୍ୟ ରୂପେ ପରିଚିତ ଶବ୍ଦଗୁଡ଼ିକ ଲୋକକ୍ଷେତ୍ରରେ ପଶି ଦେହସୁହା ହେବାର ଚେଷ୍ଟା କରୁଛନ୍ତି? ଉଦାହରଣ ସ୍ବରୂପ ଏହି ପିଢ଼ିର ପ୍ରତିଭାବାନ୍‌ ନିର୍ଦ୍ଦେଶକମାନଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ବା ‘ୱେବସିରିଜ’ର ସଂଳାପରେ ଅକାତରେ ବ୍ୟବହୃତ ‘ଅଶାଳୀନ’ ବା ‘ଅଶ୍ଳୀଳ’ ଶବ୍ଦ ଓ ଅଭିବ୍ୟକ୍ତିମାନ ଶୁଣିବାକୁ ମିଳୁଛି। ଏହା ହିଁ ହେଉଛି ପ୍ରଚଳିତ ଧାରା ପ୍ରତି ‘ଜେନ-ଜି’ର ନିର୍ଭୀକ ଅବମାନନାର ଚିହ୍ନ।
ତେବେ, ପ୍ରଶ୍ନ ଉଠିଥାଏ ଯେ ପଦ ମର୍ଯ୍ୟାଦା ଓ ଗରିମା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ‌‘ଜେନ-ଜି’ ଆନ୍ଦୋଳନକାରୀମାନଙ୍କ ଅଶାଳୀନ ଆକ୍ଷେପ ଗ୍ରହଣଯୋଗ୍ୟ କି? ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ସଂପୂର୍ଣ୍ଣ ରୂପେ ଗର୍ହିତ ଓ ବର୍ଜନୀୟ। କେବଳ ସେତିକି ନୁହେଁ, ଏହା ସାଧାରଣ ଶିଷ୍ଟାଚାର ବିପରୀତରେ ଯାଉଥିବାରୁ ଅନେକତ୍ର ଅନସ୍ବୀକାର୍ଯ୍ୟ ମଧ୍ୟ ‌ହୋଇଥାଏ। କିନ୍ତୁ, ଏଭଳି ସ୍ଥିତିର ବିଚିତ୍ର ବାସ୍ତବତାକୁ ହୃଦୟଙ୍ଗମ କରୁଥିବା ଲୋକେ ଏହା ମଧ୍ୟ କହନ୍ତି ଯେ ନିଷ୍କପଟ ଓ ନିର୍ଭୀକ ଭାବେ ଭାବ ପ୍ରକଟ କରିବାକୁ ଉଦ୍‌ଗ୍ରୀବ ଏହି ‘ଜେନ-ଜି’ ବର୍ଗ ସଂଭ୍ରମତା, ସୌଜନ୍ୟ ଓ ରୁଚିବୋଧ ଆଡ଼କୁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ, ଯେଉଁ କାରଣରୁ ଚଳଚ୍ଚିତ୍ର ଓ ୱେବ-ସିରିଜ ନିର୍ମାଣ କଲାବେଳେ ଚରିତ୍ର ସହିତ ମେଳ ଖାଉଥିବା ଭଳି ଶବ୍ଦ ଓ ଭାଷା ତା’ ମୁହଁରେ ଦିଅନ୍ତି, ଯାହା ଅନେକ ସମୟରେ ଆଦୌ ଭଦ୍ରୋଚିତ ହୋଇ ନଥାଏ ଏବଂ ସାଧାରଣରେ ଘୋର ଅସ୍ବସ୍ତି ସୃଷ୍ଟି କରିଥାଏ। ସେହି କାରଣରୁ ଅନେକଙ୍କୁ ଗଭୀର ଭାବେ ମର୍ମାହତ କଲା ଭଳି ଭାଷା ଓ ଅଭିବ୍ୟକ୍ତିମାନ ଏହି ଆନ୍ଦୋଳନରେ ଶୁଣିବାକୁ ମିଳିଛି। 
ଏହା ମଧ୍ୟ ସତ ଯେ ଜନ ଆନ୍ଦୋଳନ ବା ନିର୍ବାଚନ ପ୍ରଚାର ଭଳି ବୈଦ୍ୟୁତିକ ଆବେଗ ଯୁକ୍ତ କୌଣସି ପରିବେଶରେ ବିଜ୍ଞ, ଅଭିଜ୍ଞ ଓ ପରିପକ୍ବ ନେତାମାନେ ମଧ୍ୟ ଅକଥ୍ୟ କହିଥାଆନ୍ତି, ଯାହାର ଅନେକ ଦୃଷ୍ଟାନ୍ତ ବିଦ୍ୟମାନ। ଏଭଳି ମନ୍ତବ୍ୟମାନ ଅକସ୍ମାତ୍‌ ମୁଖ ନିସୃତ ହୋଇଯାଇପାରେ, ଯାହାକୁ ମନସ୍ତତ୍ତ୍ବବିତ୍‌ମାନେ ‘ଫ୍ରଏଡିଆନ ସ୍ଲିପ’ ବା ‘ଫ୍ରଏଡୀୟ ସ୍ଖଳନ’ ବୋଲି କହନ୍ତି; ଅଥବା ଅଧିକ ପ୍ରଭାବ ସୃଷ୍ଟି କରିବା ଲାଗି ସେଭଳି ବାକ୍ୟମାନ ସୁନିୟୋଜିତ ଉଦ୍ୟମର ଅଂଶ ମଧ୍ୟ ହୋଇପାରେ! ‘ଜେନ-ଜି’ଙ୍କ ଆନ୍ଦୋଳନରେ ମଧ୍ୟ ସେଭଳି ଘଟିଛି। ତେବେ, ପ୍ରଶ୍ନ ହେଲା, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ପ୍ରଦାନ କରିଥିବା ଆନ୍ଦୋଳନକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ ନା ନୁହେଁ? ସଂପ୍ରତି, ତୀବ୍ର ଧ୍ରୁବୀକରଣର ବାତାବରଣରେ ଏହାର ଉତ୍ତର ଦ୍ବିଭାଜିତ ହେବା ସୁନିଶ୍ଚିତ। କିନ୍ତୁ, ଏହା ମଧ୍ୟ ସତ ଯେ ଏହି ପ୍ରସଙ୍ଗକୁ ନେଇ ବିବାଦର ଝଡ଼ ତୀବ୍ର ହେଲେ ଶିକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆଣିବା ସକାଶେ ସୃଷ୍ଟି ହୋଇଥିବା ମହାର୍ଘ ସୁଯୋଗଟି କୁଆଡ଼େ ଉଡ଼ିଯିବ!

Editorial: ଏକ ବହି-ଚୋରିର ଅକଥା: ଅସିତ ମହାନ୍ତିଙ୍କ ସମ୍ପାଦକୀୟ ସାହିତ୍ୟିକ ପାଣିପାଗରେ ପଢ଼ନ୍ତୁ ଏଥର...

ଏହା କ’ଣ ହୃଦ୍‌ବୋଧ କରି ହୁଏ ନାହିଁ କି ଯେ ଆମେ କହୁଥିବା ଶବ୍ଦ ବା ଭାଷା ହେଉଛି ଚଳନ୍ତି ମୁଦ୍ରା ଭଳି, ଯାହା ବିନିମୟରେ ଅନେକ କିଛି ହାସଲ କରାଯାଇପାରେ? ସେଥି ଲାଗି ତ ସ୍ଥାନ, କାଳ, ପାତ୍ର ଓ ଉଦ୍ଦେଶ୍ୟ ଅନୁସାରେ ଭାଷା ବଦଳୁଥାଏ। ଜଣେ ବ୍ୟକ୍ତି ଘରେ ବା ପରିବାରରେ ଯେଉଁ ଭାଷା ବ୍ୟବହାର କରେ, ଗୁଲିଖଟିରେ ବା ସଙ୍ଗୀ ମେଳରେ ହୁଏତ ସେଭଳି କରି ନଥାଏ। ତେଣୁ ମୁଖ ନିସୃତ ବାଣୀରୁ ଜଣଙ୍କର ଚରିତ୍ର ନେଇ ଧାରଣା ଗଢ଼ିଲା ବେଳେ ଅନେକ ଦିଗକୁ ବିଚାରକୁ ନିଆଯିବା ଆବଶ୍ୟକ ହୋଇଥାଏ। ବରେଣ୍ୟ ସାହିତ୍ୟିକ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତି ଠାଏ କହିଥିଲେ ଯେ ଭାଷା ଜଗତ୍‌ରେ ଜାତିଭେଦକୁ ସେ ଆଦୌ ସ୍ବୀକାର କରନ୍ତି ନାହିଁ; ତାଙ୍କ ସକାଶେ କୌଣସି ଶବ୍ଦ ‘ଅସ୍ପୃଶ୍ୟ’ ନୁହନ୍ତି। କେବଳ ଯାହା, ଭାବ ପ୍ରକାଶର ସୂକ୍ଷ୍ମତା ବା ତୀବ୍ରତା ବା ମାଧୁର୍ଯ୍ୟ ବା ଚାତୁର୍ଯ୍ୟ ଆଦି ଅନୁସାରେ ଶବ୍ଦଗୁଡ଼ିକ ବ୍ୟବହୃତ ହୁଅନ୍ତି ଓ ଭାଷା ରୂପ ପାଇଥାଏ। ସବୁ ପିଢ଼ିରେ, ପ୍ରୌଢ଼ତ୍ବରେ ପ୍ରବେଶ କରୁଥିବା ବ୍ୟକ୍ତି, ନିଜ ଅଜାଣତରେ, ଯୌବନର ପ୍ରିୟ ଶବ୍ଦ ଓ ଅଭିବ୍ୟକ୍ତିମାନଙ୍କୁ ଦୂରେଇ ଦେବାରେ ଲାଗିଥାଏ। ଏବର ‘ଜେନ-ଜି’ଙ୍କ କ୍ଷେତ୍ରରେ ଆଉ ତିନି ଦଶନ୍ଧି ପରେ ମଧ୍ୟ ସେଭଳି ଘଟିବ। ସେତେବେଳକୁ ପୃଥିବୀକୁ ଅଧିକାର କରି ନେଇଥିବେ ଆଉ ଏକ ପିଢ଼ି, ଯାହାର ଶବ୍ଦ ଓ ଅଭିବ୍ୟକ୍ତି ପ୍ରତି ଏମାନେ ନାସିକା କୁଞ୍ଚନ କରୁଥିବେ! ସେତେବେଳକୁ ସଂଭ୍ରମତା, ସୌଜନ୍ୟ, ମାନ୍ୟତା ଓ ରୁଚି ଆଦି ନେଇ ବିଚାର ଓ ବୋଧରେ ଅନେକ ପରିବର୍ତ୍ତନ ଆସିଯାଇଥିବ। ଏବଂ ସେତେବେଳେ ମଧ୍ୟ କିଛି ଶବ୍ଦ ଓ ଅଭିବ୍ୟକ୍ତି ଏବର ‘ଜେନ-ଜି’ଙ୍କ ସକାଶେ ଅସ୍ପୃଶ୍ୟ ହୋଇ ଉଠୁଥିବ! ଏହା ଏକ ଅପରିବର୍ତ୍ତନୀୟ ଧାରା ମାତ୍ର!

Read Entire Article
LEFT SIDEBAR AD

Hidden in mobile, Best for skyscrapers.