Editorial: ଅଘଟଣମୁକ୍ତ, ସୁରକ୍ଷିତ ରଥଯାତ୍ରା: ଜାନକୀଶ ବଡ଼ପଣ୍ଡାଙ୍କ ସମ୍ପାଦକୀୟ ଆଶା ଓ ଆକାଶରେ ପଢ଼ନ୍ତୁ ଏଥର...

1 week ago 4
ARTICLE AD BOX

ଅଘଟଣମୁକ୍ତ, ସୁରକ୍ଷିତ ରଥଯାତ୍ରା

ଜାନକୀଶ ବଡ଼ପଣ୍ଡା
ଆଶା ଓ ଆକାଶ

ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୈନନ୍ଦିନ ରୀତିନୀତି ପାଳନରେ କିଛି ବ୍ୟତିକ୍ରମ, ବିବାଦ ଓ ପରମ୍ପରା ଉଲ୍ଲଂଘନ ହେଉଥିବାର ଅଭିଯୋଗ ଭକ୍ତମାନଙ୍କୁ ବ୍ୟଥିତ କରିଆସୁଥିଲା ବେଳେ, ପ୍ରତି ବର୍ଷ ରଥଯାତ୍ରା କାଳରେ ଦୁର୍ଘଟଣା ଘଟିଚାଲିଛି। ଶ୍ରୀଗୁଣ୍ଡିଚାଠାରୁ ନିଳାଦ୍ରୀ ବିଜୟ ଯାଏଁ ସମ୍ପୂର୍ଣ୍ଣ ଅଘଟଣମୁକ୍ତ ଓ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ଶ୍ରୀ ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ବାରମ୍ବାର ସମନ୍ବୟ ବୈଠକ, ପ୍ରସ୍ତୁତି ତଥା ପ୍ରଯୁକ୍ତି ବିଜ୍ଞାନର ସହାୟତା ନେଇ ସୁରକ୍ଷାର ଆଶ୍ବାସନା ଦେଉଥିଲେ ହେଁ ଗଣମାଧ୍ୟମରେ ପ୍ରକାଶ ପାଉଥିବା ତଥ୍ୟ ଅପେକ୍ଷା ଅଧିକ ବିଶୃଙ୍ଖଳା ଯେ ଘଟୁଛି, ତାହା ସଭିଏଁ ଅନୁଭବ କରୁଛନ୍ତି। ତ୍ରୁଟି କେଉଁଠି ରହିଯାଉଛି ଯେ, କାଳିଆ ଠାକୁରଙ୍କ ମଥାରୁ ଟାହିଆ ଗଳିପଡୁଛି, ମୁକ୍ତାକାଶ ବଡ଼ଦାଣ୍ଡରେ ଲୋକମାନେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଉଛନ୍ତି?

ଶ୍ରୀମନ୍ଦିର ଟେଲିଭିଜନ ଚାନେଲ କରାଯିବାପାଇଁ ଘୋଷଣା କରାଯାଇଥିଲେ ବି ମନ୍ଦିର ବେଢ଼ା ଭିତରେ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗି ନଥିବାରୁ, ଟାହିଆ ବାନ୍ଧିଥିବା ସେବକମାନଙ୍କୁ ଚିହ୍ନଟ କରାଯାଇ ପାରିଲାନି ଏବଂ ଖସିପଡ଼ିଥିବା ଟାହିଆ କୁଆଡ଼େ ଗଲା, ତାହାର ପ୍ରାମାଣିକ ତଥ୍ୟ ମିଳିଲା ନାହିଁ। ଫଳରେ ସେବକମାନେ ଅନୁଶାସନହୀନ ହେବାକୁ ପ୍ରୋତ୍ସାହିତ ହେଲେ। ଏହା ଅରାଜକତାକୁ ବଳ ଦେଇଥାଏ।

ଜନସଂଖ୍ୟା ବଢୁଛି, ଗମନାଗମନ ସାଧନ ମଧ୍ୟ ବଢ଼ିଛି। ରୋଜଗାର ବଢୁଛି, ପର୍ଯ୍ୟଟନ ପାଇଁ ମନ ବଳୁଛି ଲୋକଙ୍କର। ପ୍ରବଚକମାନେ ପୁଣ୍ୟ ଅର୍ଜନ ଓ ପାପ ଧୋଇବାର ଆଶା ଦେଖାଉଛନ୍ତି। ରଥାରୂଢ଼ ବାମନଙ୍କୁ ଦର୍ଶନ କଲେ ପାପକ୍ଷୟ ହେବାର ଲୋଭରେ, ରଥଯାତ୍ରାରେ ଗହଳି ବଢୁଛି। କୌଣସି ବି ନିର୍ବାଚିତ ଲୋକପ୍ରତିନିଧି ଅବା ସମାଜ ସଂସ୍କାରକ ଲୋକଙ୍କୁ ଶ୍ରୀକ୍ଷେତ୍ରରେ ଗହଳି ନକରି, ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେବାର ଦୁଃସାହସ କରୁନାହାନ୍ତି। ବରଂ ପ୍ରସ୍ତୁତି ବିଷୟରେ ବହୁଳ ପ୍ରଚାର ହେଉଛି। ମୋଟରଗାଡ଼ି ପାର୍କିଂ ସୁବିଧା, ସ୍ବତନ୍ତ୍ର ବସ୍ ଓ ରେଳ ବ୍ୟବସ୍ଥା କରାଯାଉଛି। ନୈଷ୍ଠିକ ହିନ୍ଦୁଙ୍କ ବ୍ୟତୀତ ଅନ୍ୟମାନେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ଦର୍ଶନ କରିପାରନ୍ତି ନାହିଁ। ତେଣୁ, ସେମାନେ ଜଗତର ନାଥଙ୍କ ରଥଯାତ୍ରାରେ ଭାଗନେବା ଗ୍ରହଣୀୟ। ଅଥଚ, ‘ବସୁଧୈବ କୁଟୁମ୍ବକମ୍’ କହୁଥିବା ନେତାଗଣ ରଥଯାତ୍ରାକୁ ନିଜର ରାଜନୈତିକ ଅହଙ୍କାର ପ୍ରଦର୍ଶନର ସୁଯୋଗ ମଣୁଛନ୍ତି। 

ଆଧ୍ୟାତ୍ମିକତାହୀନ ପର୍ଯ୍ୟଟନମନସ୍କ ଭକ୍ତଙ୍କ ବିଶୃଙ୍ଖଳିତ ଭିଡ଼ କାରଣରୁ ଅଘଟଣମୁକ୍ତ ରଥଯାତ୍ରା ଆଗକୁ ଆଉ ସମ୍ଭବ ନୁହେଁ। ସରକାର ଭିଡ଼ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବାର ରାଜଧର୍ମ ପାଳନ କରିବାକୁ ଭୟ କରୁଛନ୍ତି, ଅଥଚ ନିଜର ସାମର୍ଥ୍ୟ ବଖାଣିବାରେ କାର୍ପଣ୍ୟ କରୁନାହାନ୍ତି। ସେଥିପାଇଁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଶିକ୍ଷା ଦେବାପାଇଁ ବିନା ଟାହିଆରେ ପହଣ୍ଡି ବିଜେ କରିଥିଲେ କି! 

ଆହୁରି ପଢ଼ନ୍ତୁ- Nasa-Isro: ଭେନେଜୁଏଲା ଭୂମିକମ୍ପକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କଲେ ଇସ୍ରୋ-ନାସା

ବଡ଼ ଦାଣ୍ଡରେ ସର୍ବାଧିକ ତିନି ଲକ୍ଷ ଲୋକ ଜମା ହୋଇଗଲେ ଅବସ୍ଥା ଅସମ୍ଭାଳ ହୋଇଯାଏ। ପୁରୀ ସହରର ଲୋକସଂଖ୍ୟା ପ୍ରାୟ ସେତିକି। ଏଣୁ ରଥଯାତ୍ରା ସମୟରେ ସହର ବାହାରୁ ଅଢ଼େଇ ଲକ୍ଷ ଶ୍ରଦ୍ଧାଳୁ ଆସିଗଲେ, କେବଳ ଗହଳି ନିୟନ୍ତ୍ରଣ ନୁହେଁ, ବରଂ ବର୍ଜ୍ୟ ନିଷ୍କାସନ ଓ ସ୍ବଚ୍ଛତା ପରିଚାଳନାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ, ଶ୍ରୀକ୍ଷେତ୍ରକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଜାଣିବା ପାଇଁ ଡିଜିଟାଲ୍ ବ୍ୟବସ୍ଥା ଅତ୍ୟାବଶ୍ୟକ। ବହୁ ପୂର୍ବରୁ ସୂଚନା ଦେଇ କେବଳ ରେଳ ଓ ବସ୍‌ ବ୍ୟତିତ ସମସ୍ତ ପ୍ରକାର ବ୍ୟକ୍ତିଗତ ଯାନବାହାନ ପ୍ରବେଶ ନିଷେଧ କରାଯିବା ଆବଶ୍ୟକ। ବରଂ ପ୍ରସ୍ଥାନ କରୁଥିବା ଯାନବାହାନ ଉପରୁ ଟୋଲ-ଟିକସ ଛାଡ଼, ପୁରୀ ଛାଡୁଥିବା ବସ୍ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୋର୍ଦ୍ଧା ରୋଡ ଏବଂ ଭୁବନେଶ୍ବର ଯାଏଁ ମାଗଣା ଯାତ୍ରା ବ୍ୟବସ୍ଥା କରାଯିବା ଦରକାର। ସରକାର କେତେ ଲୋକଙ୍କୁ ସୁରକ୍ଷା, ପରିମଳ, ସ୍ବାସ୍ଥ୍ୟ ତଥା ସର୍ବୋପରି ରଥ ଟାଣିବାର ସୁଯୋଗ ଦେବାକୁ ସମର୍ଥ, ତାହା ସ୍ପଷ୍ଟ କରିବା ବଦଳରେ ଯଦି ନିଜକୁ ସର୍ବଶକ୍ତିମାନ୍ ସମର୍ଥ ପୁରୁଷ ଭାବେ ଅହମିକା ପ୍ରଦର୍ଶନ କରିବେ, ଦୁର୍ଘଟଣାକୁ ନିମନ୍ତ୍ରଣ ଦେଉଛନ୍ତି ବୋଲି କହିହେବ। ବ୍ୟକ୍ତିଗତ ବାହନରେ ଆସୁଥିବା ସୁନାବେଶ ଦର୍ଶନାର୍ଥୀ ମାଳତିପାଟପୁରରେ ୫ ଘଣ୍ଟା ଅଟକି ରହିବା ପାଇଁ କିଏ ଦାୟୀ ହେବେ? ଶ୍ରୀ କ୍ଷେତ୍ରରେ ଦୈନିକ ବହିରାଗତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯେଭଳି ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ସର୍ବାଧିକ ତିନି ଲକ୍ଷ ଏବଂ ଅନ୍ୟ ଦିନମାନଙ୍କରେ ଦୁଇ ଲକ୍ଷରୁ ଅଧିକ ନହେବ, ତାହାର ବ୍ୟବସ୍ଥା କରିବାକୁ ସରକାର ସାହସ ପ୍ରଦର୍ଶନ କରିବା ଆବଶ୍ୟକ।

ରଥ ଉପରେ ସେବକ ସଂଖ୍ୟା ନିୟନ୍ତ୍ରଣ କରିବା ଏକ ସମ୍ବେଦନଶୀଳ ଅଥଚ ଅତ୍ୟନ୍ତ ଜରୁରୀ ପ୍ରସଙ୍ଗ। ସୁରକ୍ଷା ଓ ଶୃଙ୍ଖଳାରକ୍ଷା ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଅଧିକୃତ ସେବକଙ୍କୁ ଡିଜିଟାଲ ପାସ ଓ ସ୍ମାର୍ଟ କାର୍ଡ ଦିଆଯିବା ଆବଶ୍ୟକ। ଚାରମାଳ ଉପରେ ଚଢ଼ିବା ପୂର୍ବରୁ ସ୍ୱତନ୍ତ୍ର ସ୍କାନିଂ ମେସିନରେ ଯାଞ୍ଚ କରାଯାଇ କେବଳ ଅଧିକୃତ ସେବକଙ୍କୁ ଉପରକୁ ଛଡ଼ାଯାଇ ପାରିବ। ସମସ୍ତ ସେବକ ଏକାସଙ୍ଗେ ରଥ ଉପରେ ନରହି, ସେବା ଅନୁଯାୟୀ ଭିନ୍ନ ଭିନ୍ନ ସମୟରେ ରଥ ଉପରକୁ ଆସିବା ଓ ବାହାରିଯିବା ପାଇଁ ସମୟ ସାରଣୀ ପ୍ରସ୍ତୁତ କରାଯାଇପାରିବ। ପ୍ରତି ନିଯୋଗରୁ କେତେ ଜଣ ସେବକ ନିର୍ଦ୍ଦିଷ୍ଟ ସମୟରେ ରଥ ଉପରେ ରହିବେ, ତାହା ଶ୍ରୀମନ୍ଦିର ପ୍ରଶାସନ, ଦଇତା ନିଯୋଗ ଏବଂ ବାଡ଼ଗ୍ରାହୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା କରାଯାଇ ଆଗୁଆ ସ୍ଥିର କରାଗଲେ, ଏହା ପରମ୍ପରାରେ ରୂପାନ୍ତରିତ ହୋଇ ପରବର୍ତ୍ତୀ ବର୍ଷମାନଙ୍କରେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବା ଅନୁଯାୟୀ ଅଧିକୃତ ସେବକମାନଙ୍କୁ ବାର-କୋଡ୍ ଛପାଥିବା ନିର୍ଦ୍ଦିଷ୍ଟ ରଙ୍ଗର ପାଟ, ମଠା ଯୋଡ଼ ଯୋଗାଇ ଦିଆଗଲେ, ଅନଧିକୃତ ସେବକଙ୍କୁ ସହଜରେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ କରି ହେବ। ନହେଲେ, ଚଳିତ ବର୍ଷ ସେବକଙ୍କୁ ଚିହ୍ନଟ କରିବା ଦାୟିତ୍ବ ନେଉଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁଲିସ ଏବଂ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଜିଲ୍ଲା ପୁଲିସ ମଧ୍ୟରେ ବିବାଦ ସୃଷ୍ଟି ହେବ। ଚଳିତ ବର୍ଷ ଏହି କାରଣରୁ, ସୁନାବେଶ ଓ ଲାଗି ହେବାରେ ଦେଢ଼ଘଣ୍ଟା ବିଳମ୍ବ ହୋଇଗଲା। ଏସବୁ ଅରାଜକତା ଓ ହୁଗୁଳା ଶାସନକୁ ଦର୍ଶାଇଲା। ଏହାର ସୁଦୂର ପ୍ରସାରୀ ପ୍ରଭାବ କେବେହେଁ ସକାରାତ୍ମକ ନୁହେଁ। ନ୍ୟସ୍ତସ୍ବାର୍ଥଙ୍କ ଚାପରେ ବିଭିନ୍ନ ତଦନ୍ତ କମିସନଙ୍କ ମତାମତ ସାର୍ବଜନୀନ କରା ନଯାଇ ସେବା ଓ ପ୍ରଶାସନରେ ସଂସ୍କାର ଆସିବାକୁ ବାଧା ଦିଆ ଯାଉଛି। ନିୟମ ଉଲ୍ଲଂଘନ କରି ରଥ ଉପରକୁ ଚଢୁଥିବା ଅନଧିକୃତ ବ୍ୟକ୍ତି ଓ ସେବକଙ୍କ ବିରୋଧରେ ଆର୍ଥିକ ଦଣ୍ଡ, ସାମୟିକ ଭାବେ ସେବା ନିବୃତ କରିବା ଭଳି ଶୃଙ୍ଖଳାଗତ ପଦକ୍ଷେପ ନିଆଗଲେ, ବ୍ୟବସ୍ଥା ନିୟନ୍ତ୍ରଣରେ ରହନ୍ତା। ରଥ ଚାରିପାଖରେ ଓ ରଥ ଉପରେ ହାଇ-ଡେଫିନେସନ ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ୍ ରୁମରୁ ସିଧାସଳଖ ସେବକଙ୍କ ସଂଖ୍ୟା ଗଣତି ତଥା ଆଚରଣ ଅନୁଧ୍ୟାନ କରି ଅଙ୍କୁଶ ଲଗାଯାଇପାରନ୍ତା। ଅଥଚ, ସବୁ ସରକାର ରଥଯାତ୍ରାକୁ ବାର୍ଷିକ ପରୀକ୍ଷା ମନେ କରି ସେବକଙ୍କ ସ୍ବେଚ୍ଛାଚାରକୁ ଆଖି ବୁଜିଦେଇ ଆସିଛନ୍ତି। ସମସ୍ତେ ମନେ ରଖିବା ଦରକାର ଯେ, ଶ୍ରଦ୍ଧାଳୁମାନେ ରଥାରୂଢ଼ ଦେବଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥାଆନ୍ତି, ସେବକ-ଦର୍ଶନ ପାଇଁ ନୁହେଁ। ଏଣୁ, ରଥାରୂଢ଼ ଠାକୁରଙ୍କ ଦର୍ଶନ ସହଜ ହେଲେ, ଭିଡ଼ କମିଯିବ। 

ଆହୁରି ପଢ଼ନ୍ତୁ- Kris Srikkanth: ସାମସନ, ଅଭିଷେକଙ୍କୁ ନେଇ ଅଲଗା ଅଲଗା ମାପଦଣ୍ଡ କାହିଁକି? : ଶ୍ରୀକାନ୍ତ

ଶ୍ରୀମନ୍ଦିର ନୀତି ତଥା ସେବା ବଂଶାନୁକ୍ରମିକ ହୋଇଥିବାରୁ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକ ନିଯୋଗ ମଧ୍ୟରେ ସମନ୍ୱୟକୁ ପ୍ରଶାସନ ଯେତିକି ସମ୍ମାନ ଜଣାଇବା ଆବଶ୍ୟକ, ନିଯୋଗମାନେ ମଧ୍ୟ ସମପରିମାଣରେ ଶୃଙ୍ଖଳିତ ଓ ଉତ୍ତରଦାୟୀ ହେବା ଜରୁରି। ସେଥିପାଇଁ ନିଯୋଗର ଅଭିଜ୍ଞ ସେବକ ଓ ପରମ୍ପରା ବିଶେଷଜ୍ଞମାନେ ଯୁବ ସେବକମାନଙ୍କୁ ରଥଯାତ୍ରାର ମର୍ଯ୍ୟାଦା, ଆଇନ ତଥା ନିୟମାବଳୀ ବିଷୟରେ ତାଲିମ ଦେଇ ସଚେତନ କରିବାକୁ କଠୋର ବ୍ୟବସ୍ଥା କରିବାକୁ ପଡ଼ିବ। ଯଦି କୌଣସି ସେବାକୁ ନେଇ ହଠାତ୍ ମତଭେଦ ସୃଷ୍ଟି ହୁଏ, ତାହାର ଏଭଳି ସମାଧାନ କରାଯିବା ଦରକାର, ଯେପରି ନିର୍ବିଘ୍ନରେ ରଥଯାତ୍ରା ସମ୍ପନ୍ନ ହେବ ଏବଂ ପରେ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ। ଏହା ସେବକମାନେ ହୃଦୟଙ୍ଗମ କରିବା ପାଇଁ ସରକାର ଶୂନ୍ୟ ସହନଶୀଳ ନୀତି ଘୋଷଣା କଲେ, ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବ। ଲୋକଙ୍କ ସମର୍ଥନ ସହିତ ରାଜ୍ୟ ସରକାରଙ୍କ ଦଳ-ନିରପେକ୍ଷ କଠୋର ଆଭିମୁଖ୍ୟ ତଥା ଶ୍ରୀମନ୍ଦିର ପ୍ରଶାସନଙ୍କ ସମ୍ବେଦନଶୀଳ ମାନସିକତା ରହିଲେ ରଥଯାତ୍ରା ଅଘଟଣମୁକ୍ତ, ସୁରକ୍ଷିତ ହେବ। 
(ମତାମତ ଲେଖକଙ୍କ ନିଜସ୍ବ)

ମୋ:୯୪୩୮୨୯୯୦୩୭ 

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.