Development Project: ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ: ୭.୫୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ

2 weeks ago 8
ARTICLE AD BOX

ଭୁବନେଶ୍ୱର: ‘ସ୍ୱାମୀ ଚାଲିଯିବା ପରେ ଦିନ ମଜୁରିଆ ଭାବେ କାମ କରୁଥିଲି। ହେଲେ ପରିବାରର ଆର୍ଥିକ ସ୍ଥିତି ନସୁଧୁରିବାରୁ ବନ ସୁରକ୍ଷା ସମିତି (ଭିଏସଏସ)ରେ ସାମିଲ ହୋଇଥିଲି। ଏଠାରୁ ୧୫ ହଜାର ଟଙ୍କାର ୠଣ ସହାୟତା ନେଇ ପୋଟଳ ଚାଷ କରିଥିଲି। ଏଥିରୁ ମୁଁ ଭଲ ଦି’ ପଇସା ରୋଜଗାର କରିବା ସହ ସଫଳ ଚାଷୀର ପରିଚୟ ପାଇପାରିଛି’, କହନ୍ତି ଝାରସୁଗୁଡ଼ାଜିଲ୍ଲା ଦେବଧାରା ବନ ସୁରକ୍ଷା ସମିତିର ସଦସ୍ୟା ସାଇରେନ୍ଦ୍ରୀ ସିଦାର। 

‘ମୁଁ ବିଭିନ୍ନ ୠତୁରେ ଅର୍ଥକରୀ ଫସଲ କରିଥାଏ। ଗତ ଶୀତୠତୁରେ ୮୦ଟି ବେଡରେ ମୁଁ ଧିଙ୍ଗିରି ଛତୁଚାଷ କରି ୧୧୦ କିଲୋଗ୍ରାମ ପାଇଥିଲି। ଏଥିରୁ ମୁଁ ୧୬,୫୦୦ ଟଙ୍କା ରୋଜଗାର କରିଥିଲି। ବନ ସୁରକ୍ଷା ସମିତିର ସଦସ୍ୟ ହେବା ଫଳରେ ମୋ’ ଜୀବନ ଜୀବିକାରେ ବିଶେଷ ପରିବର୍ତ୍ତନ ଆସିପାରିଛି’, ଏହା ହେଉଛି ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୁଣ୍ଡିବିରା ବନ ସୁରକ୍ଷା ସମିତିର ସଦସ୍ୟ ଉପେନ୍ଦ୍ର ନାୟକଙ୍କ କାହାଣୀ। 

ଝାରସୁଗୁଡ଼ା ଜିଲ୍ଲାର ସାଇରେନ୍ଦ୍ରୀ ଏବଂ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ରଙ୍କ ଭଳି ରାଜ୍ୟର ଲକ୍ଷ ଲକ୍ଷ ହିତାଧିକାରୀଙ୍କ ଜୀବିକାକୁ ନୂଆ ଦିଗ ମିଳିଛି। ଗତ ଦୁଇ ବର୍ଷର ଲୋକଙ୍କ ସରକାରରେ ଗ୍ରାମୀଣ ଅର୍ଥନୀତିରେ ଦେଖିବାକୁ ମିଳିଛି ଏପରି ବଡ଼ ପରିବର୍ତ୍ତନ। ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ପରିଚାଳିତ 'ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଦିଆଯାଉଛି। ଜଙ୍ଗଲ ସୁରକ୍ଷା ସହିତ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହୋଇଛି।

ଜୀବିକାର ସୁଦୃଢ଼ୀକରଣ ସହ ବନାୟନ ପ୍ରକଳ୍ପ ମାଧ୍ୟମରେ ପୂର୍ବରୁ ୬ଟି ସକ୍ରିୟ ବହୁମୁଖୀ ଉତ୍ପାଦ କେନ୍ଦ୍ର ବା ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଗଠନ କରାଯାଇଛି। ଏହି କ୍ରମରେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡରେ ଶାଳ ପତ୍ର, ଢେଙ୍କାନାଳର କାଜୁ ପ୍ରକ୍ରିୟାକରଣ କେନ୍ଦ୍ର, ଝାରସୁଗୁଡ଼ାର ସୁଗନ୍ଧିତ ଲେମନଗ୍ରାସ୍‌ ଏବଂ ବୌଦ୍ଧର ଡାଲି ଜାତୀୟ ଶସ୍ୟ କ୍ଲଷ୍ଟର ସଫଳତାର ସହ କାର୍ଯ୍ୟକ୍ଷମ ହୋଇ ସାରିଛି। ଏହି ବହୁମୁଖୀ ଉତ୍ପାଦ କେନ୍ଦ୍ରଗୁଡ଼ିକ ସ୍ଥାପନ ଦ୍ୱାରା ୨,୫୨୬ ଜଣ ଭିଏସଏସ୍ ସଦସ୍ୟଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଆଗାମୀ ଦିନରେ ଏହାକୁ ଅଧିକ ଲୋକଭିମୁଖୀ କରିବା ପାଇଁ ଆଉ ୩ଟି ନବ ନିର୍ମିତ ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଉଦଘାଟନ କରାଯିବ।  

ସେହିପରି ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଏବଂ  ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର ଅଧୀନରେ କେନ୍ଦୁଝର, କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ବଣାଇ, ଦେବଗଡ଼ ଏବଂ ରାଉରକେଲାରେ ଆଉ ୫ଟି ନୂତନ କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା ରହିଛି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ଗତ ୨ ବର୍ଷରେ ୧, ୪୭, ୨୩୫ଟି ପରିବାରରର ୬, ୩୭, ୩୬୫ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି ଗତ ୨ ବର୍ଷରେ ବିଭିନ୍ନ ସରକାରୀ ଯୋଜନାର ସାମଗ୍ରିକ ଭାବେ ଏକାଭିମୁଖୀକରଣ କାର୍ଯ୍ୟ ଓ ବିଭାଗ ମଧ୍ୟରେ ସମନ୍ଵୟ ଯୋଗୁଁ ୭.୫୫ ଲକ୍ଷ ବନାଞ୍ଚଳ ଅଧିବାସୀ ଜୀବିକା ପାଇଁ ଲାଭାନ୍ଵିତ ହୋଇଛନ୍ତି। ସେଥିରୁ ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ୩.୪୧ ଲକ୍ଷ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୪.୧୪ ଲକ୍ଷ ହିତାଧିକାରୀ ରହିଛନ୍ତି। ଲଘୁ ବନଜାତ ଦ୍ରବ୍ୟ ପ୍ରସ୍ତୁତି, ମିଲେଟ୍ସ ଜାତୀୟ ଉତ୍ପାଦ, କୁକୁଡ଼ା ଓ ଛେଳି ପାଳନ, ମାଛ ଚାଷ, ଛତୁ ଚାଷ ଏବଂ ପନିପରିବା ଚାଷ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଜୀବନଶୈଳୀ ସୁଦୃଢ଼ ହେଉଛି। ଏଥିପାଇଁ ହିତାଧିକାରୀଙ୍କୁ ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

Award: ଗଟାମାହା ବନ ସୁରକ୍ଷା ସମିତିକୁ ମିଳିଲା ପ୍ରକୃତି ମିତ୍ର ସମ୍ମାନ

ଏହି କାର୍ଯ୍ୟକ୍ରମ ପାଇଁ ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୠଣ ସହାୟତା ଦିଆଯାଉଛି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଏ ବାବଦରେ ୩୧.୩୯ କୋଟି ଟଙ୍କା ପ୍ରଦାନ କରାଯିବା ସହ ୨୨.୮୩ କୋଟି ଟଙ୍କା ପରିଶୋଧ ହୋଇପାରିଛି। ଏହାଦ୍ୱାରା ୪୭ ହଜାର ୭୪୬ ଜଣ ହିତାଧିକାରୀଙ୍କ ଜୀବିକା ସଶକ୍ତ ହୋଇପାରିଛି। ସେମାନଙ୍କ ଭିତରେ ୯ ହଜାର ୫୯୯ ଜଣ ପୁରୁଷ ଥିବା ବେଳେ ୩୮ ହଜାର ୧୪୭ ଜଣ ହେଉଛନ୍ତି ମହିଳା ହିତାଧିକାରୀ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନାଞ୍ଚଳ ଅନ୍ତର୍ଗତ ଟାଙ୍ଗରଡ଼ିହି ବନ ସୁରକ୍ଷା ସମିତିର ସଦସ୍ୟ ପୂର୍ଣ୍ଣମୀ ନେଗୀ କହନ୍ତି, ‘‘ସ୍ୱାମୀଙ୍କ ଦେହାନ୍ତ ପରେ ଝିଅ ବାହାଘର କରିବା ପାଇଁ ମୁଁ ଧାର କରଜ କରିଥିଲି। ଏହା ଶୁଝିବା ପାଇଁ ମୁଁ ଆବର୍ତ୍ତନ ପାଣ୍ଠିରୁ ୫ ହଜାର ଟଙ୍କାର ୠଣ ସହାୟତା ନେଇ ଶାଳପତ୍ରରେ ଖଲି ଓ ଦନା ପ୍ରସ୍ତୁତି ବ୍ୟବସାୟ ଆରମ୍ଭ କରିଛି। ସ୍ଥାନୀୟ ହାଟରେ ଏହାକୁ ବିକ୍ରି କରି ମାସକୁ ୫ ହଜାର ଟଙ୍କା ରୋଜଗାର କରିପାରୁଛି। ଠିକ୍ ସମୟରେ ୠଣ ପରିଶୋଧ କରିବା ସହ ଆଗ ଅପେକ୍ଷା ଏବେ ଭଲରେ ଚଳୁଛି।’’

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ଅଧୀନରେ ବନ ସୁରକ୍ଷା ସମିତି ଗଠନ କରାଯାଇ ଜଙ୍ଗଲ ପରିଚାଳନାକୁ ବ୍ୟବସ୍ଥିତ କରାଯାଇଛି। ତା’ସହ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଜୀବିକା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଲୋକଙ୍କ ମୁହଁରେ ହସ ଫୁଟି ପାରିଛି। 


Read Entire Article
LEFT SIDEBAR AD

Hidden in mobile, Best for skyscrapers.