ARTICLE AD BOX
ନୂଆଦିଲ୍ଲୀ: ବିଶ୍ୱର ୫୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୪୯ଟି ଭାରତରେ ରହିଛି। ଶୀତ ଋତୁ ଆରମ୍ଭ ସହ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳ ୯ଟା ୫୪ ମିନିଟ୍ରେ ରେକର୍ଡ ହୋଇଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ତଥ୍ୟ ଅନୁଯାୟୀ, ରାଜସ୍ଥାନର ଶ୍ରୀଗଙ୍ଗାନଗର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ପ୍ରଥମ ସ୍ଥାନରେ ରହିଛି। ଏହାର ଏକ୍ୟୁଆଇ ୮୨୧ ରେକର୍ଡ କରାଯାଇଛି। ଏହି ତଥ୍ୟ ଏକ୍ୟୁଆଇ.ଇନ୍ ପ୍ରଦୂଷଣ ମାପ ବ୍ୟବସ୍ଥାରୁ ନିଆଯାଇଛି।
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ପଞ୍ଜାବର ଭଟିଣ୍ଡା ରହିଛି। ଏଠାରେ ଏକ୍ୟୁଆଇ ୬୨୯ ଥିବାବେଳେ ହରିୟାଣାର ସିର୍ସା ୫୪୪ ଏକ୍ୟୁଆଇ ସହ ତୃତୀୟ ସ୍ଥାନରେ ରହିଛି। ହିସାରରେ ୫୧୬ ଓ ପଞ୍ଜାବର ଫରିଦକୋଟ୍ରେ ୫୦୬ ଏକ୍ୟୁଆଇ ରେକର୍ଡ ହୋଇଛି। ଏହି ସହରଗୁଡ଼ିକ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
ରାଜସ୍ଥାନର ଶ୍ରୀଗଙ୍ଗାନଗର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର
ବିଶ୍ୱର ୫୦ଟି ପ୍ରଦୂଷିତ ସହର ତାଲିକାରେ ଭାରତ ବାହାରର କେବଳ ଗୋଟିଏ ସହର ସ୍ଥାନ ପାଇଛି। ତାହା ହେଉଛି ପାକିସ୍ତାନର ଲାହୋର। ୪୩୦ ଏକ୍ୟୁଆଇ ସହ ଏହା ୧୪ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ୩୯୩ ଏକ୍ୟୁଆଇ ସହ ବିଶ୍ୱ ତାଲିକାର ୨୪ତମ ସ୍ଥାନରେ ରହିଛି। ଏହା ସୂଚାଉଛି ଯେ ବାୟୁ ପ୍ରଦୂଷଣ ସମସ୍ୟା କେବଳ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳରେ ସୀମିତ ନାହିଁ। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର ବହୁ ସହର ଏହାର ଶିକାର ହୋଇଛନ୍ତି। ଲୁଧିଆନା, ପଟିଆଲା, ବଦାୟୁଁ, ଜୌନପୁର ଓ ଗୋରଖପୁର ମଧ୍ୟ ଏହି ତାଲିକାରେ ରହିଛନ୍ତି। ନଭେମ୍ବର ୮ ତାରିଖରେ ଦୀପାବଳି ପାଳନ ପରେ ଦିଲ୍ଲୀର ବାୟୁମାନ ଆହୁରି ଖରାପ ହୋଇଥିଲା। ପରଦିନ ଅର୍ଥାତ୍ ନଭେମ୍ବର ୯ରେ ଦିଲ୍ଲୀର ଏକ୍ୟୁଆଇ ୬୬୩ରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି। ଏହା ଗତବର୍ଷ ଦୀପାବଳି ପରବର୍ତ୍ତୀ ଏକ୍ୟୁଆଇ ତୁଳନାରେ ୬୯ ପ୍ରତିଶତ ଅଧିକ।
ଏହି ପ୍ରଦୂଷଣକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି। ଦିଲ୍ଲୀର ମନ୍ତ୍ରୀ କପିଲ ମିଶ୍ର ପଞ୍ଜାବରେ ନଡ଼ାପୋଡ଼ି ଘଟଣା ବଢ଼ିବାକୁ ପ୍ରଦୂଷଣର କାରଣ ବୋଲି ଅଭିଯୋଗ କରିଥିବାବେଳେ ଆମ୍ ଆଦ୍ମୀ ପାର୍ଟି ଏହାକୁ ଖଣ୍ଡନ କରିଛି। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀରେ ନଭେମ୍ବର ୧୫ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି। ତେଣୁ ବର୍ଷା କିମ୍ବା ଜୋର୍ ପବନ ନ ହେଲେ ଉତ୍ତର ଭାରତରେ ପ୍ରଦୂଷଣରୁ ତ୍ରାହି ମିଳିବାର ସମ୍ଭାବନା କମ୍ ରହିଛି।
ସିଆଇଏସ୍ଏଫ୍ ଯବାନଙ୍କୁ ଲଣ୍ଡା କରି ମାଡ଼, ଉଲଗ୍ନ କରି ଭିଡିଓ ଉତ୍ତୋଳନ ଅଭିଯୋଗ: ୪ ଜଣଙ୍କ ନାଁରେ ମାମଲା

2 days ago
5


