Dead: ପାଣିଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମାଆ ଓ ଦୁଇ ପୁଅଙ୍କ ମୃତ୍ୟୁ

1 week ago 5
ARTICLE AD BOX

ହଲ୍‌ଦ୍ୱାନୀ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲା ଅନ୍ତର୍ଗତ ହଲ୍‌ଦ୍ୱାନୀରେ ନିର୍ମାଣାଧୀନ ଭୂତଳ ପାଣିଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ମାଆ ଓ ତାଙ୍କର ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗୌଲାପାର ଅଞ୍ଚଳର ମାନପୁର ଗ୍ରାମ ବାସିନ୍ଦା ସରସ୍ୱତୀ ଦେବୀ (୬୫), ତାଙ୍କ ବଡ଼ପୁଅ ଧର୍ମେନ୍ଦ୍ର ବିଷ୍ଟ (୪୪) ଓ ସାନପୁଅ ଖୁସାଲ ସିଂହ ବିଷ୍ଟ (୩୮)। ବନ୍ଦ ଟାଙ୍କି ଭିତରେ ଅମ୍ଳଜାନ ଅଭାବ କିମ୍ବା ବିଷାକ୍ତ ବାଷ୍ପ ଜମି ରହିଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛନ୍ତି।

ପୁଲିସର ସୂଚନା ଅନୁସାରେ, ଘଟଣାଟି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା। ପରିବାର ପକ୍ଷରୁ ଘର ନିକଟ ଜମିରେ ଏକ ଭୂତଳ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ଟାଙ୍କି ଢଳେଇ ପାଇଁ ଲଗାଯାଇଥିବା ସଟରିଂ ଖୋଲିବା ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର ଏକ ସିଡ଼ି ସାହାଯ୍ୟରେ ଭିତରକୁ ଓହ୍ଲାଇଥିଲେ। କିନ୍ତୁ ଭିତରକୁ ଯିବାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଦୀର୍ଘ ସମୟ ଧରି ଧର୍ମେନ୍ଦ୍ର ବାହାରକୁ ନ ଆସିବାରୁ ତାଙ୍କ ସାନଭାଇ ଖୁସାଲ ତାଙ୍କୁ ଦେଖିବା ଓ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। ସେ ମଧ୍ୟ ଅଚେତ ହୋଇ ପଡ଼ିଥିଲେ। ଦୁଇ ପୁଅଙ୍କଠାରୁ କୌଣସି ଉତ୍ତର ନ ମିଳିବାରୁ ମାଆ ସରସ୍ୱତୀ ଦେବୀ ଟାଙ୍କି ଭିତରକୁ ଓହ୍ଲାଇଥିଲେ। ମାତ୍ର ସେ ମଧ୍ୟ ସେଠାରେ ଚେତାଶୂନ୍ୟ ହୋଇଯାଇଥିଲେ।

Tamilnadu: ତାମିଲନାଡ଼ୁରେ ୧୦ ବର୍ଷର ଝିଅର ମୃତଦେହ ପାଣିଟାଙ୍କିରୁ ଜବତ

ପରିବାର ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟାଙ୍କିର ଏକ ପାର୍ଶ୍ୱ ଭାଙ୍ଗି ବହୁ କଷ୍ଟରେ ତିନିଜଣଙ୍କୁ ବାହାର କରାଯାଇଥିଲା। ପରେ ସେମାନଙ୍କୁ ହଲ୍‌ଦ୍ୱାନୀର ସୁଶୀଳା ତିୱାରୀ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଡାକ୍ତରମାନେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାୟ ୧୦ ଫୁଟ୍‌ ଲମ୍ବ, ୧୦ ଫୁଟ୍‌ ଓସାର ଓ ୧୦ ଫୁଟ୍‌ ଗଭୀର ଟାଙ୍କିଟି ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଏହା ନିକଟରେ ଏକ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ମଧ୍ୟ ରହିଛି। ସେଠାରୁ ଗ୍ୟାସ୍‌ ବାହାରି ଟାଙ୍କିରେ ଜମିଥିଲା କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲର ଚିକିତ୍ସା ଅଧୀକ୍ଷକ ଡା ଅରୁଣ ଯୋଶୀ କହିଛନ୍ତି, ବନ୍ଦ ଟାଙ୍କିରେ ମିଥେନ୍‌ ଓ ହାଇଡ୍ରୋଜେନ୍‌ ସଲଫାଇଡ୍‌ ଭଳି ବିଷାକ୍ତ ବାଷ୍ପ ଜମି ଶ୍ୱାସରୁଦ୍ଧର କାରଣ ହୋଇଥାଇପାରେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.