ARTICLE AD BOX
କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡରେ ଜେଲ୍ ଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ରିମିସନ୍ (ଦଣ୍ଡ ହ୍ରାସ) ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମ୍କୋର୍ଟ। ୧୦ ଦିନ ମଧ୍ୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ନିଷ୍ପତ୍ତି ନ ନେଲେ ସମ୍ପୃକ୍ତ ଅଧିକାରୀଙ୍କୁ ତଲବ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଖଣ୍ଡପୀଠ ଦାରା ସିଂହଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି। ଦଣ୍ଡ ହ୍ରାସ ଆବେଦନ ଉପରେ ରାଜ୍ୟ ସରକାର ଆଉ ନିଷ୍ପତ୍ତି ଟାଳିପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ
୧୭ରେ ପରବର୍ତ୍ତୀ ଶୁଣାଣି
ସଚିବଙ୍କୁ ସମନ କରିବାକୁ ଚେତାବନୀ
ଆଜିର ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଆଉ ୪ ସପ୍ତାହ ସମୟ ମାଗିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଖଣ୍ଡପୀଠ କହିଥିଲେ, ‘ଆପଣମାନେ ନିଷ୍ପତ୍ତି ନେବାକୁ ଏଡ଼ାଇ ପାରିବେ ନାହିଁ। ଦୁଇବର୍ଷ ଧରି ମାମଲାରେ ବିଳମ୍ବ ହେଉଛି। ଏଭଳି ଚାଲିଲେ ଆମେ ଆପଣଙ୍କ ସଚିବ କିମ୍ବା ବର୍ତ୍ତମାନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତଲବ କରିବୁ।’ ଅଗଷ୍ଟ ୧୯ ତାରିଖରେ ମଧ୍ୟ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଣି ସମୟ ମାଗିବାରୁ ଖଣ୍ଡପୀଠ କ୍ଷୁବ୍ଧ ହୋଇଛନ୍ତି। ଆସନ୍ତା ଶୁଣାଣି ପୂର୍ବରୁ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି। ଓଡ଼ିଶା ଆଡଭୋକେଟ୍ ଜେନେରାଲ ମଧ୍ୟ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର
ସୂଚନାଯୋଗ୍ୟ, ୧୯୯୯ରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରାଯାଇଥିଲା। ଷ୍ଟେନ୍ସ ଓ ତାଙ୍କର ଦୁଇପୁଅ ଏକ ଚର୍ଚ୍ଚ ବାହାରେ ଗାଡ଼ି ଭିତରେ ଶୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ମାମଲାରେ ଦାରା ସିଂହଙ୍କୁ ୨୦୦୩ରେ ତଳ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୨୦୧୧ରେ ସୁପ୍ରିମ୍କୋର୍ଟ ମଧ୍ୟ ଏହି ରାୟକୁ ବଜାୟ ରଖିଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଜେଲ୍ରେ କାଟିବା ପରେ ଦାରା ମୁକ୍ତି ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ସରକାରଙ୍କ ‘୨୦୨୨ ଶୀଘ୍ର ମୁକ୍ତି ନୀତି’ ଅନୁଯାୟୀ ତାଙ୍କୁ ମୁକ୍ତି ମିଳୁ ବୋଲି ସେ ଆବେଦନ କରିଥିଲେ। ତାଙ୍କ ରିମିସନ୍ ଆବେଦନ ପୂର୍ବରୁ ୫ଟି ଦଣ୍ଡ ସମୀକ୍ଷା ବୋର୍ଡରେ ବିଚାର ହୋଇ ଖାରଜ ହୋଇସାରିଛି। ଶେଷଥର ପାଇଁ ୨୦୨୪ ଫେବ୍ରୁଆରିରେ ତାଙ୍କ ଆବେଦନ ଖାରଜ ହୋଇଥିଲା।

1 week ago
7


