ARTICLE AD BOX
କଟକ: ୪୮ ବର୍ଷର ଆଇନଗତ ଲଢ଼େଇକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜିତିବା ପରେ ବି ୩୦ କୋଟିରୁ ଅଧିକ ଟଙ୍କାର ମୂଲ୍ୟବାନ ସଂପତ୍ତିକୁ ଜବରଦଖଲକାରୀଙ୍କ ହାତକୁ ଟେକି ଦେଇଛି କଟକ ପୌର ନିଗମ। ‘ଏହି ସମ୍ପତ୍ତି କଟକ ମହାନଗର ନିଗମର। ଏହି ସମ୍ପତ୍ତି ପରିସରକୁ ଅନାଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ।’ ବାଦାମବାଡ଼ିର ନେତାଜୀ ବସ୍ ଟର୍ମିନାଲ ୍ପାଖରେ ରହିଥିବା ୧୫ ଗୁଣ୍ଠରୁ ଅଧିକ ଜମି ଆଗରେ ଏଭଳି ଲେଖା ଥିବା ଫଳକ ଲଗାଇ କଟକ ପୌର ନିଗମ ୧୧ ମାସ ହେଲା ହାତ ବାନ୍ଧି ବସିଛି। କଟକ ପୌର ନିଗମ କର୍ତ୍ତୃପକ୍ଷ କାହା ସ୍ବାର୍ଥରେ ସଂପତ୍ତିକୁ ନିଜ ଦଖଲକୁ ନ ଆଣି ପୂର୍ବ ଭଳି ସେଠାରେ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀଙ୍କ ହାତରେ ଛାଡ଼ି ଦେଇଛନ୍ତି, ତାହା ଏବେ ସନ୍ଦେହର କାରଣ ହୋଇଛି।
Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ସୁପ୍ରିମକୋର୍ଟ ୨୦୨୪ ଡିସେମ୍ବର ୧୧ରେ ପୌର ନିଗମ ସପକ୍ଷରେ ରାୟ ଦେଇ ୨୦୨୫ ସେପ୍ଟେମ୍ବର ୧୫ ତାରିଖ ଅଥବା ତା ପୂର୍ବରୁ ସେଠାରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପରିସର ଖାଲି କରି ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଏମ୍ସି କେବଳ ଫଳକ ଲଗାଇ ହାତ ବାନ୍ଧି ବସିଥିବା ବେଳେ ସେହି ଜମିରେ ଭଡ଼ାରେ ଚାଲିଥିବା ବିଭିନ୍ନ ସଂସ୍ଥା ପୂର୍ବଭଳି ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି କୋଠା ଉପରେ ବ୍ୟବସାୟିକ ହୋର୍ଡିଂ ଲାଗିଛି। କେଏମ୍ସିର ବିନା ଅନୁମତିରେ ହୋର୍ଡିଂ ଲାଗିବା ବେଆଇନ ହୋଇଥିବା ବେଳେ କର୍ତ୍ତୃପକ୍ଷଙ୍କ ନିରବତା ବଡ଼ ଦୁର୍ନୀତିର ପ୍ରମାଣ ଦେଉଛି। ସେଠାରେ ଏଭଳି ବେଆଇନ କାରବାରକୁ କିଏ ସୁରକ୍ଷା ଦେଉଛି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏ ସଂପର୍କରେ କଟକ ପୌର ନିଗମର ଡେପୁଟି କମିସନର ଅଶୋକ କୁମାର ଲେଙ୍କାଙ୍କ ଉତ୍ତର ବି ଚକିତ କଲା ଭଳି। ଶ୍ରୀ ଲେଙ୍କା କହିଛନ୍ତି ଯେ ଆମେ ସେଠାରେ ଦଖଲରେ ଥିବା ଲୋକଙ୍କୁ ନୋଟିସ୍ ଦେବୁ। ଯଦି ତାହାକୁ ନ ମାନନ୍ତି, ତେବେ ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ୨୦୨୫ ସେପ୍ଟେମ୍ବର ୧୫ ସୁଦ୍ଧା ସ୍ଥାନ ଖାଲି ପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ବି ପୌର ନିଗମ ଏଭଳି ନୋଟିସ କଥା କହି କାହିଁକି ସମୟ ଗଡ଼ାଉଛି, ତାହା ବି ସନ୍ଦେହର କାରଣ ହୋଇଛି।
ସନ୍ଦେହରେ କଟକ ପୌର ନିଗମ କର୍ତ୍ତୃପକ୍ଷଙ୍କ ଭୂମିକା
୧୧ ମାସ ହେଲା ସୂଚନା ଫଳକ ଲଗାଇ ଚୁପ୍
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସିଏନ୍ବିଟି ନିକଟ ୧୫ ଗୁଣ୍ଠ ଜମିରୁ ହଟୁନି ଦଖଲ
Nita Ambani: ଫର୍ଚ୍ୟୁନ୍ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର
ଉଲ୍ଲେଖଯୋଗ୍ୟ ଯେ ୧୯୭୮ ଜାନୁଆରି ୭ରେ ନବ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଜମି କରିବା ପାଇଁ କଟକ ଓଇଏ କଲେକ୍ଟର ତଥା ଅତିରିକ୍ତ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୌର ନିଗମ ବିଭିନ୍ନ ରାଜସ୍ବ ଅଦାଲତରେ ନିରାଶ ହେବା ପରେ ହାଇକୋର୍ଟରେ ମାମଲା ଦାୟର କରିଥିଲା। ହାଇକୋର୍ଟର ଜଣିକିଆ ଖଣ୍ଡପୀଠ କେଏମ୍ସିର ଆବେଦନକୁ ୨୦୧୦ ଜୁନ ୨୮ରେ ଖାରଜ କରିଥିଲେ। ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ କେଏମ୍ସି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲା। ଦୁଇ ଜଣିଆ ଖଣ୍ଡପୀଠ କେଏମ୍ସିର ରିଟ୍ ଅପିଲକୁ ଗ୍ରହଣ କରି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ରଦ୍ଦ କରିଥିଲେ। ଏଥି ସହିତ ଏହି ଜମି ପ୍ରସଙ୍ଗରେ ସେଟଲ୍ମେଣ୍ଟ ଆଣ୍ଡ କନସୋଲିଡେସନ୍ ଯୁଗ୍ମ କମିସନରଙ୍କ ୨୦୦୪ ଫେବ୍ରୁଆରି ୨୪ର ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଥିଲେ। ୧୯୭୮ ଜାନୁଆରି ୭ରେ ନବ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଜମି କରିବା ପାଇଁ କଟକ ଓଇଏ କଲେକ୍ଟର ତଥା ଅତିରିକ୍ତ ତହସିଲଦାରଙ୍କ ନିର୍ଦ୍ଦେଶକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ। ଏହି ପ୍ଲଟ୍ଗୁଡ଼ିକ ଦଖଲରେ ଥିବା ବ୍ୟକ୍ତିବିଶେଷ ଯଦି ୨୦୨୩ ଜୁଲାଇ ୧ ସୁଦ୍ଧା ଜମିକୁ ଶାନ୍ତପୂର୍ଣ୍ଣ ଭାବେ ହସ୍ତାନ୍ତର ନ କରନ୍ତି ତେବେ କେଏମ୍ସି ଏହାକୁ ଦଖଲକୁ ନେବା ପାଇଁ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। ଏହି ରାୟକୁ ଚ୍ୟାଲେଞ୍ଜ କରି ଜମି ଦଖଲରେ ଥିବା ପକ୍ଷମାନେ ଦାଖଲ କରିଥିବା ତିନୋଟି ଏସ୍ଏଲ୍ପି ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା।

3 weeks ago
11


