Cricket: ଫିଲ୍ଡିଂ କୋଚ୍‌, ମୁଖ୍ୟ ଫିଜିଓଥେରାପିଷ୍ଟ ପଦ ପାଇଁ ନିଯୁକ୍ତି ଆବେଦନ ଆହ୍ୱାନ କଲା ବିସିସିଆଇ

42 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତୀୟ ବରିଷ୍ଠ ମହିଳା ଦଳ ପାଇଁ ଫିଲ୍ଡିଂ କୋଚ୍‌ ଏବଂ ବରିଷ୍ଠ ପୁରୁଷ ଦଳ ପାଇଁ ମୁଖ୍ୟ ଫିଜିଓଥେରାପିଷ୍ଟ ପଦରେ ନିଯୁକ୍ତି ନିମନ୍ତେ ଆବେଦନ ଆହ୍ୱାନ କରିଛି। ଉଭୟ ପଦ ପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ନଭେମ୍ବର ୧୬ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ବିସିସିଆଇର ବିଜ୍ଞପ୍ତି ଅନୁଯାୟୀ, ମହିଳା ଦଳର ଫିଲ୍ଡିଂ କୋଚ୍‌ ତିନୋଟି ଯାକ ଫର୍ମାଟ୍‌ରେ ଖେଳାଳିଙ୍କ ଫିଲ୍ଡିଂ ଦକ୍ଷତାର ବିକାଶ ଓ ପ୍ରଦର୍ଶନର ମାନ ବଜାୟ ରଖିବା ଦାୟିତ୍ୱ ତୁଲାଇବେ। ଏଥିପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତି, ଅଭ୍ୟାସ ଓ ମ୍ୟାଚ୍‌ ସମୟରେ ଖେଳାଳିଙ୍କୁ ତାଲିମ ଏବଂ ବ୍ୟକ୍ତିଗତ ଦକ୍ଷତାର ଉନ୍ନତି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତା ବିଶ୍ଳେଷଣ ପାଇଁ ପ୍ରଯୁକ୍ତିର ବ୍ୟବହାର, ପ୍ରଦର୍ଶନ ଲକ୍ଷ୍ୟ ଧାର୍ଯ୍ୟ ଏବଂ ଆବଶ୍ୟକ ସୂଚକାଙ୍କ ଉପରେ ନଜର ରଖିବା ମଧ୍ୟ ତାଙ୍କ ଦାୟିତ୍ୱ ରହିବ।

ଏହି ପଦ ପାଇଁ ଭାରତ କିମ୍ବା ଅନ୍ୟ ଦେଶ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଅନ୍ୟଥା ବିସିସିଆଇର ସର୍ବନିମ୍ନ ‘ବି’ ସ୍ତରର କୋଚିଂ ପ୍ରମାଣପତ୍ର ସହ ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା କିମ୍ବା ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ, ରାଜ୍ୟ ବା ଟି-୨୦ ଫ୍ରାଞ୍ଚାଇଜ୍‌ ଦଳକୁ ପ୍ରଶିକ୍ଷଣ ଦେଇଥିବା ଅଭିଜ୍ଞତା ରହିବା ଆବଶ୍ୟକ।

ଅନ୍ୟପକ୍ଷରେ, ପୁରୁଷ ଦଳର ମୁଖ୍ୟ ଫିଜିଓଥେରାପିଷ୍ଟ ଖେଳାଳିଙ୍କ ଆଘାତ ଚିହ୍ନଟ, ଚିକିତ୍ସା, ପୁନର୍ବାସ ଓ ଆଘାତ ନିରାକରଣ ଦାୟିତ୍ୱ ତୁଲାଇବେ। ଖେଳାଳିଙ୍କ ଶାରୀରିକ ସ୍ଥିତି ଯାଞ୍ଚ, କାର୍ଯ୍ୟଭାର ଉପରେ ନଜର, ଚିକିତ୍ସା ରେକର୍ଡ ରଖିବା ଏବଂ ଦଳର ଅନ୍ୟ ଚିକିତ୍ସା ଓ ପ୍ରଶିକ୍ଷଣ ବିଶେଷଜ୍ଞଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ।

BCCI: ହାଇକୋର୍ଟରେ ବିସିସିଆଇର ଯୁକ୍ତି: ‘ଓସିଏ ତୁରନ୍ତ ନିର୍ବାଚନ କରୁ’

ଏହି ପଦ ପାଇଁ କ୍ରୀଡ଼ା କିମ୍ବା ମାଂସପେଶୀ ଓ ଅସ୍ଥି ସମ୍ବନ୍ଧୀୟ ଫିଜିଓଥେରାପିରେ ସ୍ନାତକୋତ୍ତର ଯୋଗ୍ୟତା ସହ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଆବଶ୍ୟକ। ଏଥିସହ ଉଚ୍ଚସ୍ତରୀୟ ଖେଳାଳିଙ୍କ ସହ କାର୍ଯ୍ୟ କରିବାର ଅଭିଜ୍ଞତା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଆଡ୍‌ଭାନ୍ସଡ୍‌ ଲାଇଫ୍‌ ସପୋର୍ଟ ଓ ଟ୍ରମା ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ହାସଲ କରିଥିବା ଜରୁରୀ।

ଫିଲ୍ଡିଂ କୋଚ୍‌ ପଦ ପାଇଁ https://forms.gle/rd3wtv2eAFLMmLC99 ଏବଂ ମୁଖ୍ୟ ଫିଜିଓଥେରାପିଷ୍ଟ ପଦ ପାଇଁ https://forms.gle/7ANfWjCVHQf7SoCg6 ଲିଙ୍କ୍‌ରେ ଆବେଦନ କରିହେବ। ଆବେଦନ ଯାଞ୍ଚ ପରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡକାଯାଇପାରେ ବୋଲି ବିସିସିଆଇ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.