ARTICLE AD BOX
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଭାରତ ଦିନିକିଆରେ ବି ଆଗୁଆ ହୋଇଯାଇଛି। ବୁଧବାର ସ୍ଥାନୀୟ ଇଡେନ୍ ପାର୍କରେ ଖେଳାଯାଇଥିବା ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଭାରତ ୫ ୱିକେଟ୍ (ଡିଏଲ୍ଏସ୍)ରେ ଜିତି ନେଇଛି। ୧୮୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ୧ ରନ୍ରେ ରୋହିତ ଶର୍ମା (୦)ଙ୍କୁ ପ୍ରଥମ ଓଭରରେ ହରାଇଥିଲା। ଏହାପରେ ଅଧିନାୟକ ଶୁବମନ ଗିଲ୍ ଓ ବିରାଟ କୋହଲି ପାଳି ସମ୍ଭାଳି ନେଇଥିଲେ।
ଦଳୀୟ ସ୍କୋର୍ ୧୦.୫ ଓଭରରେ ୫୪/୧ ଥିଲା ବେଳେ ବର୍ଷା ହୋଇଥିଲା। ମ୍ୟାଚ୍ ୧ ଘଣ୍ଟା ବନ୍ଦ ହେବା ପରେ ଭାରତ ସମ୍ମୁଖରେ ପରବର୍ତ୍ତୀତ ବିଜୟ ଲକ୍ଷ୍ୟ ୪୦ ଓଭରରେ ୧୬୭ ରନ୍ ରହିଥିଲା। ଏହାପରେ ଆଉ ୨ ଓଭର ଖେଳାଯାଇଛି ପୁଣି ବର୍ଷା ହେବାରୁ ମ୍ୟାଚ୍ ଅଧଘଣ୍ଟା ସ୍ଥଗିତ ରହିଥିଲା। ଏହା ପରେ ଭାରତକୁ ନୂଆ ବିଜୟ ଲକ୍ଷ୍ୟ ୩୨ ଓଭରରେ ୧୪୩ ରନ୍ ମିଳିଥିଲା।
କୋହଲିଙ୍କ ସହ ଦଳକୁ ବିଜୟ ଦିଗରେ ନେଉଥିଲା ବେଳେ ନାଥନ ସ୍ମିଥ୍ଙ୍କ ବଲ୍ରେ ୱିକେଟ୍କିପର ଟମ୍ ଲାଥମଙ୍କ ହାତରେ ଧରାପଡ଼ି ଗିଲ୍ (୩୭, ୫୫ ବଲ୍, ୫ ଚୌକା) ପ୍ୟାଭିଲିୟନ୍ ଫେରିଥିଲେ। କିନ୍ତୁ ଉଭୟ ୧୧୩ ରନ୍ର ଭାଗୀଦାର ଗଢ଼ି ଭାରତର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଗିଲ୍ଙ୍କ ପରେ ଜାକବ ଡଫି ୩ ୱିକେଟ୍ ନେଇ ଭାରତର ବିଜୟ ବିଳମ୍ବ କରିଥିଲେ। ସେ ଅର୍ଦ୍ଧଶତକ ଅର୍ଜନ କରି ସାରିଥିବା କୋହଲି (୭୪, ୫୧ ବଲ୍, ୧୩ ଚୌକା, ୧ ଛକା)ଙ୍କ ସହ ଅକ୍ଷର ପଟେଲ (୦) ଓ ଶ୍ରେୟସ ଆୟର (୧୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଶେଷରେ କେଏଲ୍ ରାହୁଲ (୩*) ଓ ନମନ ଧୀର (୫*) ଅପରାଜିତ ରହି ୫୬ ବଲ୍ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ। ଅଂଶୁଲ କମ୍ବୋଜଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅନ୍ୟପକ୍ଷରେ କୋହଲି (୮୭୪୧) ନିଜର ଏହି ଅର୍ଦ୍ଧଶତକୀୟ ପାଳି ବଳରେ ପଶ୍ଚାତ୍ଧାବନ ଦିନିକିଆ ରନ୍ରେ କିଂବଦନ୍ତି ସଚିନ ତେନ୍ଦୁଲକର (୮୭୨୦)ଙ୍କୁ ଟପିଛନ୍ତି।
ପୂର୍ବରୁ ଅର୍ଶଦୀପ ସିଂହ, ଗୁରନୂର ବ୍ରାର ଓ କମ୍ବୋଜଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଟସ୍ ହାରି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ୧୮୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ହେଲେ ୧୧ ନମ୍ବର ବ୍ୟାଟର୍ ବ୍ଲେୟର ଟିକ୍ନରଙ୍କ ୨୩ ବଲ୍ରୁ ୧ ଚୌକା ଓ ୪ ଛକା ସହୟତାରେ ୩୪ ରନ୍ର ବିସ୍ଫୋରକ ପାଳି ଯୋଗୁଁ ଘରୋଇ ଦଳ ସମ୍ମାନ ଜନକ ସ୍କୋର୍ କରିପାରିଥିଲା। ଅର୍ଶଦୀପଙ୍କ ଶେଷ ଓଭରରେ ଟିକ୍ନର ୩ଟି ଛକା ମାରି ଦଳୀୟ ସ୍କୋର୍ ୧୮୦ ପାର୍ କରିଥିଲେ। ଅର୍ଶଦୀପ ୪, ଗୁରନୂର ୩, ଅଂଶୁଲ ୨ ୱିକେଟ୍ ନେବା ସହ ୪୬ଟି ଡଟ୍ ବଲ୍ ପକାଇ ଘରୋଇ ଦଳର ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ।
ପାୱାରପ୍ଲେରେ ଅର୍ଶଦୀପ ୨ ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ଚାପରେ ରଖିଥିଲେ। ପ୍ରଥମ ୧୦ ଓଭରରେ ଘରୋଇ ଦଳ ମାତ୍ର ୪୫/୨ କରିଥିଲା। ଟିମ୍ ସେଫର୍ଟ (୩୮) ଓ ଡାରିଲ ମିଚେଲ (୨୮) ତୃତୀୟ ୱିକେଟ୍ରେ ୩୩ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ଏହାପରେ ଦଶମ ୱିକେଟ୍ରେ ଟିକ୍ନର ଓ ଡଫି (୧୫*)ଙ୍କ ୪୫ ରନ୍ ଦ୍ବିତୀୟ ସର୍ବାଧିକ ଭାଗୀଦାର ହୋଇଥିଲା।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୨.୨ ଓଭରରେ ୧୮୫ (ଟିମ୍ ସେଫର୍ଟ ୩୮, ବ୍ଲେୟର ଟିକ୍ନର ୩୪, ଗ୍ଲେନ୍ ଫିଲିପ୍ସ ୩୦, ଅର୍ଶଦୀପ ସିଂହ ୪/୭୦, ଗୁରନୂର ବ୍ରାର ୩/୪୪, ଅଂଶୁଲ କମ୍ବୋଜ ୨/୨୨)। ଭାରତ ୨୨.୪ ଓଭରରେ ୧୪୩/୫ (ବିରାଟ କୋହଲି ୭୪ , ଶୁବମନ ଗିଲ୍ ୩୭, ଜାକବ ଡଫି ୩/୪୯, ନାଥନ ସ୍ମିଥ୍ ୧/୨୧, କାଇଲ ଜାମିସନ ୧/୩୪ )।

1 hour ago
1


