Cow: ଗୋଶାଳାରୁ ଛାଡ଼ିଦେଲେ, ରାସ୍ତାରେ ଗାଈଗୋରୁ

17 hours ago 1
ARTICLE AD BOX

ଭୁବନେଶ୍ବର: ଗୋଶାଳାରେ ରହୁଥିବା ସବୁ ଗୋମାତାଙ୍କ ବାବଦରେ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାର ମନା କରିଦେଲେ। ବର୍ଷକର ବାଛୁରିଙ୍କଠାରୁ ଆରମ୍ଭ କରି ବଳଦ, ଦାମୁଡ଼ି, ଦୁହାଁଳିଆ ଗାଈଙ୍କ ପିଛା ଖର୍ଚ୍ଚ ଦେଲେନି। ଯାହାର ଦୁର୍ଦ୍ଦଶା ଏବେ ସାଧାରଣ ଜନତା ଭୋଗୁଛନ୍ତି। ଗୋଶାଳା ଗାଈଗୋରୁ ରାସ୍ତାଘାଟରେ ବୁଲିଲେଣି। ଜାତୀୟ ରାଜପଥ, ରାଜ୍ୟ ରାଜପଥଠାରୁ ଆରମ୍ଭ କରି ପୂର୍ତ୍ତ, ବିଏମ୍‌ସି ରାସ୍ତାରେ ଏବେ ଗାଈପଲ ହାଉଜାଉ। ଏହି ଗାଈପଲଙ୍କ ପାଇଁ ଦୁର୍ଘଟଣା ବଢ଼ିଲାଣି। ଅନ୍ଧାର ରାତିରେ ଚାଳକମାନେ ଗାଈଗୋରୁଙ୍କ ସହ ପିଟି ହେଉଛନ୍ତି। ନିକଟରେ ପୁରୀ-ବାଇପାସ ରାସ୍ତା, ପଳାଶୁଣୀ ରାସ୍ତାରେ ଏଭଳି ଏକାଧିକ ଦୁର୍ଘଟଣା ଘଟିଲାଣି। 

Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍‌ ରକ୍ତ ସଂଗୃହୀତ

ଗତ କିଛି ମାସ ହେବ ଭୁବନେଶ୍ବର ସହର ଭିତରେ ରାସ୍ତାଘାଟରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିଯାଇଛି। ଜୁଲାଇରେ ଏମାନଙ୍କ ସଂଖ୍ୟା ବହୁଗୁଣା ହୋଇଯାଇଛି। ରସୁଲଗଡ଼ରୁ କଳ୍ପନା ଛକ, ଲିଙ୍ଗିପୁର ଛକ ପର୍ଯ୍ୟନ୍ତ କଟକ ରୋଡ୍‌, ରସୁଲଗଡ଼ରୁ ନଖରା, ଖଣ୍ଡଗିରିରୁ ଯାଁଳା, ପୋଖରୀପୁଟ ରାସ୍ତା, ପୁରୀ ବାଇପାସ୍‌ ରାସ୍ତା, ସବୁଠି ରାତି ହେଲେ ମାଳମାଳ ଗାଈଗୋରୁ ବୁଲୁଛନ୍ତି। ଏମାନେ ଯେଉଁଠି ଶୋଉଛନ୍ତି, ପଲ ହୋଇ ଶୋଉଛନ୍ତି, ସେ ପୁଣି ରାସ୍ତା ମଝିରେ। ଏଣୁ ଅନ୍ଧାରୁଆ ସ୍ଥାନରେ ଯାଉଥିବା ବସ୍‌, ଟ୍ରକ୍‌, ଦୁଇଚକିଆ, ଚାରିଚକିଆ ଗାଡ଼ି ଏମାନଙ୍କ ସହ ଧକ୍କା ହେଉଛନ୍ତି।

୨୦୧୯ରେ ଶେଷଥର ଗୋ-ଗଣତି କରାଯାଇଥିଲା। ଯେଉଁଥିରୁ ରାଜ୍ୟରେ ପ୍ରାୟ ୧.୫୨ଲକ୍ଷ ବୁଲା ଗାଈଗୋରୁ ଥିବା ଜଣାପଡ଼ିଥିଲା। ସେ ସମୟରେ ୭୯ଟି ବେସରକାରୀ ଓ ଗୋଟିଏ ସରକାରୀ ଗୋଶାଳା ଥିଲା। ଏ ଭିତରେ ସଂଖ୍ୟା ଅଢ଼େଇ ଲକ୍ଷ ଟପିଗଲାଣି। ରାଜ୍ୟରେ ଗୋଶାଳା ସଂଖ୍ୟା ବି ୨ଶହ ଟପିଗଲାଣି। ଯେଉଁ ଗୋଶାଳାମାନେ ଏହି ବୁଲା ଗାଈଗୋରୁ, ଷଣ୍ଢମାନଙ୍କୁ ରଖୁଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଖାଦ୍ୟ, ସ୍ବାସ୍ଥ୍ୟାବସ୍ଥା ପାଇଁ ‘ଘରୋଇ ଗୋଶାଳାକୁ ସହାୟତା’ ଯୋଜନାରେ ପ୍ରତି ଗୋମାତା ପିଛା ବାର୍ଷିକ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଥିଲେ। ଦୈନିକ ୧.୫ କେଜି ହିସାବରେ ବାର୍ଷିକ ୫୪୭.୫୦ କେଜିକୁ ୧୩୬୮୭.୫୦ ଟଙ୍କା, ଦୈନିକ ୪ କେଜି ହିସାବରେ ବାର୍ଷିକ ୧୪୬୦ କେଜି ଘାସ ଓ କୁଟାକୁ ୫୮୪୦ ଟଙ୍କା, ଔଷଧ ଓ ଭ୍ୟାକ୍ସିନ୍‌ ବାବଦରେ ବାର୍ଷିକ ୨୫୦ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ୨୨୨.୫୦ ଟଙ୍କା ଦେଉଥିଲେ। କିନ୍ତୁ ଚଳିତ ଆର୍ଥିକ ବର୍ଷରୁ ଅର୍ଥାତ୍‌ ଗତ ଏପ୍ରିଲରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ବି ଗୋମାତାଙ୍କ ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି, କିନ୍ତୁ ଏଥିରୁ ବାଛୁରି, ଦାମୁଡ଼ି, ଛଡ଼ା, ଦୁହାଁଳିଆ ଗାଈଙ୍କୁ ବାଦ୍‌ ଦିଆଯାଇଛି। ୮ ବର୍ଷରୁ କମ୍‌ ଓ ୩୦୦ କେଜିରୁ କମ୍‌ ଓଜନ ବଳଦଙ୍କୁ ବି ଖାଇବା ଖର୍ଚ୍ଚ ଦିଆଯାଉନି। 

Horoscope 2026 August 03: ଜାଣନ୍ତୁ ଆଜିର ରାଶିଫଳ

ଏଣୁ ଯେଉଁମାନଙ୍କ ଖର୍ଚ୍ଚ ଦିଆଯାଉନି, ସେମାନଙ୍କୁ ଗୋଶାଳା କର୍ତ୍ତୃପକ୍ଷ ରାସ୍ତାକୁ  ଛାଡ଼ିଦେଲେଣି। ସ୍ଥିତି ଏପରି ଯେ ଯଦି ଲୋକେ ଆଘାତପ୍ରାପ୍ତ ଗୋମାତାଙ୍କୁ ଗୋଶାଳାରେ ଛାଡ଼ିବାକୁ ଯାଉଛନ୍ତି ଅବା ନେବାକୁ କହୁଛନ୍ତି, ଗୋଶାଳା କର୍ତ୍ତୃପକ୍ଷ ମନା କରୁଛନ୍ତି। ଲୋକେ ଆଉ ଆଘାତପ୍ରାପ୍ତ ଗୋମାତାଙ୍କୁ ଗୋଶାଳା ନେବାକୁ ଆଗ୍ରହ ଦେଖାଉନାହାନ୍ତି। ଯାହା ଏବେ ଗାଡ଼ି ଚାଳକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ଘଟଣା, ଟ୍ରାଫିକ୍‌ ଭଳି ସମସ୍ୟାର ପୂର୍ବାବସ୍ଥା ଫେରିଲାଣି। ରାଜ୍ୟ ସରକାର ଏଥିପ୍ରତି ଚିନ୍ତା କରିବାର ସମୟ ଆସିଛି ବୋଲି ଗୋସେବକମାନେ ମତ ଦେଇଛନ୍ତି।

ଷଣ୍ଢ ସହ ଧକ୍କାହୋଇ ଯୁବକ ମୃତ
ଭୁବନେଶ୍ବର: ଗତ ଗୁରୁବାର ରାତିରେ ହରପୁର-ମଦନପୁର ରାସ୍ତାରେ ଷଣ୍ଢ ସହିତ ଧକ୍କା ହୋଇ ହରପୁର ଗ୍ରାମର ସୁବ୍ରତ ସାମଲ(୨୨) ଗୁରୁତର ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗତ ୩୦ ତାରିଖ ରାତିରେ ସୁବ୍ରତ ବାଇକ୍‌ ଯୋଗେ ମଦନପୁରରୁ ଘରକୁ ଫେରିବା ବେଳେ ହରପୁରୁ ନିକଟରେ ରାସ୍ତା ଉପରେ ଶୋଇଥିବା ଏକ ଷଣ୍ଡକୁ ଧକ୍କା ଦେଇଥିଲେ। ସୁବ୍ରତ ଗାଡ଼ିରୁ ଛିଟିକ ପାଖରେ ପଡ଼ିଥିବା ଏକ ପଥରରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.