Coconut Tree Falls On Moving Bike : ବାଇକ୍ ଉପରେ ପଡ଼ିଲା ନଡ଼ିଆ ଗଛ; ଚାପି ହୋଇ ପୂର୍ବତନ ଡେପୁଟି ମେୟରଙ୍କ ପୁଅଙ୍କ ମୃତ୍ୟୁ

1 month ago 12
ARTICLE AD BOX

ଥାଣେ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ମିରା-ଭାୟନ୍ଦରର ରାଇ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଚଳନ୍ତା ବାଇକ୍ ଉପରେ ହଠାତ୍ ଏକ ବିରାଟ ନଡ଼ିଆ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ରାହୁଲ ଅଶୋକ ପାଟିଲ୍ ନାମକ ଜଣେ ୩୫ ବର୍ଷୀୟ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ରାହୁଲ ହେଉଛନ୍ତି ମୁର୍ଧାଗାଁର ବାସିନ୍ଦା ତଥା ମିରା-ଭାୟନ୍ଦର ମ୍ୟୁନିସିପାଲ୍ କାଉନ୍ସିଲର ପୂର୍ବତନ ଡେପୁଟି ମେୟର ଅଶୋକ ପାଟିଲଙ୍କ ପୁଅ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟାରେ ସଦାନନ୍ଦ ନଗର ଅଞ୍ଚଳରେ ରାହୁଲ ବାଇକରେ ଯାଉଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା। ଗଛ ତଳେ ଚାପି ହୋଇ ରହିଥିବା ରାହୁଲଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିଥିଲେ। ମାତ୍ର ଦୁଇ ଦିନ ଧରି ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ସେ ଶୁକ୍ରବାର ପ୍ରାଣ ହରାଇଛନ୍ତି।

ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ଘଟୁଥିବା ଏଭଳି ଦୁର୍ଘଟଣା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ସପ୍ତାହ ଆରମ୍ଭରେ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଚଳନ୍ତା ସ୍କୁଲ ବସ୍ ଉପରେ ଗଛ ଭାଙ୍ଗି ପଡ଼ିବାରୁ ବିହାନ ଶ୍ରୀବାସ୍ତବ ନାମକ ଜଣେ ୧୧ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଛାତ୍ର ଆହତ ହୋଇଥିଲେ। ସେହିପରି ଗତ ଗୁରୁବାର ଦିନ ମଧ୍ୟ ମୁମ୍ବାଇର ଖୈରାନୀ ରାସ୍ତାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମିଥିବା ପାଣି ଭିତରେ ଏକ ଖୋଲା ମ୍ୟାନହୋଲକୁ ଦେଖିନପାରି ଆସଲାମ୍ ଇସାଫ୍ ଶେଖ୍ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଗଳିପଡ଼ି ପାଣି ସ୍ରୋତରେ ଭାସିଯାଇଥିଲେ ଏବଂ ତାଙ୍କର ମଧ୍ୟ ଦୁଃଖଦ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଲଗାତାର ବର୍ଷା ଯୋଗୁଁ ସାରା ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେବାରେ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.